ଚିଲିକା-ଭ୍ରମଣ

 

 

 

 

 

 

 

 

 

 

ଚିଲିକା-ଭ୍ରମଣ

କବିଶେଖର ଚିନ୍ତାମଣି ମହାନ୍ତି

 

ଚିଲିକା-ଭ୍ରମଣ

 

ମୋ ପରି ଜଗତରେ ପୀଡାର ପ୍ରିୟପାତ୍ର ଆଉ କେହି ନାହାନ୍ତି । ସେ ବିନା ଆହ୍ୱାନରେ ମୋର ନିକଟବର୍ତ୍ତୀ ହୁଏ । ଗତ ଅକ୍‌ଟୋବର ମାସରେ ମୁଁ ପ୍ରବଳ କାଶ ରୋଗରେ ପୀଡିତ ଥିଲି । ଜୀବନ ଏକପ୍ରକାର ସଙ୍କଟାପନ୍ନ ଥିଲା । ଭଙ୍ଗା ଘରଖଣ୍ଡ ସମସ୍ତେ ଭାଙ୍ଗିବାକୁ ଇଚ୍ଛା କରନ୍ତି । ସମୟ ଦେଖି ଜ୍ୱର ସ୍ୱଦ୍ଧା କାଶର ଅନୁଚର ହେଲା । ଯାହାହେଉ, ଜନୈକ ସୁବନ୍ଧୁଙ୍କ ସାହାଯ୍ୟରେ ସେମାନଙ୍କୁ ଦମନ କଲି । ଏହି ବିପୁଳ ସଂଗ୍ରାମରେ ଜୟଲାଭ କଲି ସତ୍ୟ; ମାତ୍ର ଦୁର୍ବଳତାର ବଳ ହ୍ରାସ କରିପାରିଲି ନାହିଁ । ତାହାର କଠୋର ଆକ୍ରମଣରୁ ରକ୍ଷା ପାଇବା ସକାଶେ କେହି କେହି ବାୟୁ-ପରିବର୍ତ୍ତନ ଉପଦେଶ ଦେଲେ । ସିମଳା, ଦାର୍ଜିଲିଙ୍ଗ ସ୍ୱର୍ଗର ସୁଖକର ବାୟୁସେବନ ମୋର ଭାଗ୍ୟର ଅନୁକୂଳ ନୁହେ । ତେବେ କେଉଁ ଆଡ଼କୁ ଯିବି, ଭାବିବାକୁ ଲାଗିଲି । ନାନାସ୍ଥାନର କଥା ମନେ ପଡିଲା । ମନ ଗୋଟିଏ ଗୋଟିଏ ପ୍ରସ୍ତାବ କରି ପରକ୍ଷଣରେ ସେଥିର ପ୍ରତିବାଦପୂର୍ବକ ତାହା ଚୂର୍ଣ୍ଣବିଚୂର୍ଣ୍ଣ କରିବାକୁ ଲାଗିଲା । ଶେଷରେ ଉତ୍କଳ-ମସ୍ତକ-ଟିକା ଚିଲିକା-ସୁନ୍ଦରୀ ମନୋମଧ୍ୟରେ ଆବିର୍ଭୂତା ହେଲା । ଏବେ ପ୍ରସ୍ତାବ-ସିନ୍ଧୁରେ ଭଟା ପଡ଼ିଗଲା । ତହୁଁ ଚିଲିକା ଭ୍ରମଣ ସ୍ଥିର ହେଲା । ଯାତ୍ରାର ଦିନ ସ୍ଥିର କଲି; କିନ୍ତୁ ମୋତେ ଏକାକୀ ଛାଡ଼ିବାକୁ ପରିବାରବର୍ଗ ଏକାନ୍ତ ଅନିଚ୍ଛୁକ । କାଳେ କୌଣସି ଦୁର୍ଘଟଣା ଘଟେ, ଏହାହିଁ ସେମାନଙ୍କର ଭୟ । କିନ୍ତୁ ଦିନେ ଯେ କାଳ ମୋତେ ସେମାନଙ୍କ ହସ୍ତରୁ ଛଡ଼ାଇ ଘେନିଯିବ, ଏହା ସେମାନେ ଭାବିଲେ ନାହିଁ । ଯାହାହେଉ କୌଣସି ପ୍ରକାରରେ ସେମାନଙ୍କୁ ପ୍ରବୋଧ ଦେଇ ୧୫।୧୦।୧୧ ବୁଧବାର ରାତ୍ରିରେ ଯାତ୍ରା କରିବାର ନିଶ୍ଚୟ କଲି । ଦେଖୁ ଦେଖୁ ଦିନ ପାଣି ପରି ବହିଗଲା । ନିର୍ଦ୍ଦିଷ୍ଟ ଦିନ ରାତି ୧୦ଘଣ୍ଟା ସମୟରେ ଜୟ ଜଗଦମ୍ଭା ଉଚ୍ଚାରଣପୂର୍ବକ ଗୃହରୁ ବହିର୍ଗତ ହେଲି । ରେଲରେ ଚଢ଼ାଇଦେବା ସକାଶେ ମୋର ଅନୁଜ ସଙ୍ଗେ ସଙ୍ଗେ ଆସିଲା । ଯଥାସମୟରେ ଆମ୍ଭେମାନେ ଷ୍ଟେସନରେ ଉପସ୍ଥିତ ହୋଇ ଦେଖିଲୁ, ଜୀବ ସଂସାରରୁ ବିଦାୟ ହୋଇଥିବାବେଳେ ତପ୍ତ ବୈତରଣୀର ଏ ପାଖରେ ଅଟକି ରହିଲା ପରି ଅସଂଖ୍ୟ ଯାତ୍ରୀ ଓୟେଟିଂ ରୁମରେ ଅବସ୍ଥାନ କରୁଅଛନ୍ତି । କେହି ଗଳ୍ପାମୋଦରେ ନିଯୁକ୍ତ, କେହି ଉପସ୍ଥିତ କବି ପରି ଗୁଣୁ ଗୁଣୁ ଶବ୍ଦରେ ଅସ୍ପଷ୍ଟ କବିତା ଆବୃତ୍ତି କରୁଅଛି, କେହି ବଟୁଆ ମେଲାଇ ପାନ ଭାଙ୍ଗୁଅଛି, କେହି ଚଞ୍ଚଳମତି ଲୋକ ‘‘ରେଲ ଆସିଲା, ରେଲ ଅସିଲା’’ କହି ଯାତ୍ରୀମାନଙ୍କର ଉତ୍କଣ୍ଠା ବଢ଼ାଉଅଛି ଏବଂ କେହି ବା ଶୟନ କରି ନାୟିକା-ଶଙ୍ଖଧ୍ୱନିରେ ସେହି ଜନବାର କୋଳାହଳକୁ ପୃଥୁଳତର କରୁଅଛି । ପ୍ଳାଟଫର୍ମରେ ତିଳଧାରଣର ସ୍ଥାନ ନାହିଁ । ସେଠାରେ ସ୍ଥାନାଭାବ ଦେଖି ଉଭୟ ଭ୍ରାତା ଯାଇ ଗୋଟିଏ ଗଛମୂଳରେ ବସିଲୁ । ପ୍ରସଙ୍ଗକ୍ରମେ ନାନା କଥା ପଡ଼ିଲା । ମୋର ଅନୁପସ୍ଥିତି ସମୟରେ ସମୟବିଶେଷରେ ସାବଧାନ ରହିବା ବିଷୟରେ ମୁଁ ଅନୁଜକୁ ଉପଦେଶ ଦେଲି । ଦୁର୍ଭାଗ୍ୟବଶତଃ ମୋର ଜୀବନଟା ସର୍ବଦା ଆଶଙ୍କା ପ୍ରବଣ । ଏଣୁ ଶରୀର ବିଷୟରେ ସାବଧାନ ରହିବା ସକାଶେ ଅନୁଜ ମୋତେ ବାରମ୍ବାର ଅନୁରୋଧ କଲା ଏବଂ କହିଲା, ଆପଣ ୮ଦିନ ମଧ୍ୟରେ ଫେରି ନ ଆସିଲେ ମୁଁ ଆପଣଙ୍କ ନିକଟକୁ ବାହାରିଯିବି । ଏ ଉକ୍ତିରେ ମୁଁ ହାସ୍ୟ ସମ୍ବରଣ କରି ନ ପାରି କହିଲି - ଚିଲିକାର ବାୟୁ ହୋମିଓପ୍ୟାଥିକ ନୁହେ ଯେ, ଛୁଇଁଲାମାତ୍ରେ ରୋଗ ଛାଡ଼ି ପଳାଇବ । ମୋ ସକାଶେ ଚିନ୍ତା କରିବ ନାହିଁ, ମୁଁ ଏକମାସ ଭିତରେ ଆସିବି । ଏହିପରି ନାନା କଥାରେ କିୟତ୍‌କ୍ଷଣ ଅତିବାହିତ ହେଲା । ଦେଖୁ ଦେଖୁ ଉତ୍ତରରୁ ମେଲ ଆସି ଷ୍ଟେସନରେ ଉପସ୍ଥିତ ହେଲା । ତେତେବେଳକୁ ୨ଟା ବାଜିଯାଇଥିଲା । ଅନୁଜ ଖଣ୍ଡିଏ ରମ୍ଭା ଟିକଟ କିଣି ମୋତେ ରେଲରେ ବସାଇଦେଲା ।

 

ରେଲ ଷ୍ଟେସନ ଗୋଟିଏ କ୍ଷୁଦ୍ର ସଂସାର ତୁଲ୍ୟ । କେତେ ଯାଉଅଛନ୍ତି, କେତେ ଆସୁଅଛନ୍ତି, ତାହାର ଇୟତ୍ତା ନାହିଁ । କେହି କାହାରି ମୁଖାପେକ୍ଷା କରିବାକୁ ନାହିଁ, କାହାରି ପ୍ରତି କାହାରି ସହାନୁଭୂତି ନାହିଁ । ନିଜେ ଭଲ ସ୍ଥାନରେ ବସିବାକୁ ଏବଂ ହିଂସ୍ରଜନ୍ତୁ ତୁଲ୍ୟ ଆଗନ୍ତୁକ ତଡ଼ିବାକୁ ସମସ୍ତେ ବ୍ୟସ୍ତ । ସମସ୍ତେ ସ୍ୱାର୍ଥପ୍ରିୟ, ସ୍ୱର୍ଗୀୟ ନିଃସ୍ୱାର୍ଥଭାବ ସେଠାରେ ନାହିଁ, ମାୟା ମମତା ନାହିଁ, କେବଳ ନାରକୀୟ ପାଶବ ଭାବ ରାଜପଣ ବିସ୍ତାର କରିଅଛି । ପୁଣି ତାହା ଦୁର୍ବଳ ସବଳର ଘୋର ସଙ୍ଘର୍ଷଣ ସ୍ଥାନ । କିଏ ଚଢ଼ିଲା, କିଏ ନ ଚଢ଼ିଲା, ସେଥିପ୍ରତି ରେଲକର୍ମଚାରୀମାନଙ୍କର ଭ୍ରୂକ୍ଷେପ ନାହିଁ । ସେମାନେ ଗର୍ବରେ ମସ୍ତକ ଅବନତ କରି ଚାଲିଅଛନ୍ତି । ଦକ୍ଷିଣ ହସ୍ତ ସମ୍ପର୍କ ନ ହେଲେ ସେମାନେ କାହାରିକୁ ମୁଣ୍ଡ ଟେକି ଚାହାନ୍ତି ନାହିଁ । ସେମାନଙ୍କର ଗର୍ବ ଓ ବାବୁଗିରୀର କାରଣ ଯେ ଆରୋହୀମାନେ, ଏହା ସେମାନେ ଭୁଲିଯାନ୍ତି ।

 

ଷ୍ଟେସନରେ ମେଲ ୧୦ ମିନିଟ ରହିଲା ପରେ ଗାର୍ଡ଼ ସାହେବଙ୍କର ସଙ୍କେତ ବଂଶୀ ବାଜିଉଠିଲା । ମୁଁ ଅନୁଜକୁ ବିଦାୟ ଦେଇ ରେଲରେ ବସିଲି । ଇତ୍ୟବସରରେ ଇଞ୍ଜିନ ଶଙ୍ଖଧ୍ୱନି କରି ଘୋର ଘର୍ଘର ନିର୍ଘୋଷରେ ଧାବିତ ହେବାକୁ ଲାଗିଲା । ମୁଁ ଅପରିଚିତ ଲୋକବର୍ଗ ମଧ୍ୟରେ ବସି ରହିଲି । ମନରେ ନାନା ଭାବ ଉଦିତ ହେଲା । କେଜାଣି କାହିଁକି, ଚକ୍ଷୁ ଲୋତକପୂର୍ଣ୍ଣ ହୋଇଆସିଲା । ଘର କଥା, ପିଲାମାନଙ୍କର କଥା ଏବଂ ମୋର ଭବିଷ୍ୟତ୍‌ଭାବନା ଯୁଗପତ୍‌ମନକୁ ଆଚ୍ଛନ୍ନ କଲା । ହୃଦୟରେ ଭୀତି ସଞ୍ଚାର ହେଲା । ମୁଁ ମନେ ମନେ ନାନା ଭାବୀ ବିପଦର ଆଶଙ୍କା ଗଣିବାକୁ ଲାଗିଲି । ପିଶାଚିନୀ ମାୟା ଏହିପରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲା । ମୁଁ କିପରି ମାୟାମୁକ୍ତ ଓ ଧୈର୍ଯ୍ୟବାନ, ତାହା ଅଧିକ କହିବାର ଆଉ ଆବଶ୍ୟକତା ନାହିଁ । ଏଥିରେ ଲୋକେ ପୁଣି ମୋତେ ଶିକ୍ଷିତ କହନ୍ତି; କିନ୍ତୁ ପର ମୁହୂର୍ତ୍ତରେ କିଏ ଯେପରି ହୃଦୟର ଅନ୍ତଃସ୍ଥଳରୁ କହି ଉଠିଲା –

 

ଦେଖାଉ କି ଛାର ଭୟ ଆରେ ରେ ବିପଦ,

ଭ୍ରୂକୁଟୀ କଟାକ୍ଷେ ତୋର କିଏ ବା ଶଙ୍କିତ ?

 

ପୁଣି ଯେପରି କିଏ ବଜ୍ରଦୃଢ଼ ନିନାଦରେ କହିଲା –

 

ଯେ ଘେନେ ସାହସ ଦୃଢ଼ତା ଆଶ୍ରୟ,

ଦୂରୁ କରପତ୍ର ଯୋଡ଼େ ତାକୁ ଭୟ ।

 

ଏହି ନୀରବ ଉତ୍ସାହ-ବାଣୀରେ ମୋର ହୃଦୟଦୌର୍ବଲ୍ୟ ଲଘୁ ହୋଇ ଆସିଲା, ମୋହ-ଝଟିକା ତୁଟିଗଲା । ବିପଦର ସ୍ଥାନ ସାହସ ଓ ବ୍ୟାକୁଳତାର ସ୍ଥାନ ଧୈର୍ଯ୍ୟ ଅଧିକାର କରି ବସିଲା - ଘୋର ନୈରାଶ୍ୟରେ ଆଶାର କ୍ଷୀଣାଲୋକ ପ୍ରତିଭାତ ହେଲା । ପ୍ରକୃତିସ୍ଥ ହୋଇ ଭାବିଲି, ମୁଁ କେଡ଼େ ଭ୍ରାନ୍ତ ! ବିଦେଶୀୟମାନେ ତେର ଦରିଆ ପାର ହୋଇ ନିର୍ଭୟରେ ପୃଥିବୀ ଭ୍ରମଣ କରୁଅଛନ୍ତି, ଆଉ ମୁଁ ଗୃହକୋଣ ଚିଲିକା ପର୍ଯ୍ୟନ୍ତ ଯିବାକୁ ଭୀତ ! ଏହି ହୃଦୟଦୌର୍ବଲ୍ୟହିଁ ଆମ୍ଭ ଜାତିର ଅବନତିର ପ୍ରକୃଷ୍ଟ କାରଣ । ହାୟ ! ଯେଉଁ ଓଡ଼ିଆମାନେ ସୁଦୂର ଯାଭା ଓ ବାଲିଦ୍ୱୀପରେ ଯାଇ ଉପନିବେଶ ସ୍ଥାପନ କରିଥିଲେ, ସେହି ଓଡ଼ିଆଙ୍କ ବଂଶଧରମାନେ ଆଜି ଭୀରୁ ଓ ପ୍ରାଣରଙ୍କ ହୋଇ କୂପମଣ୍ଡୂକ ତୁଲ୍ୟ ନିଜ ଗୃହକୁ ସଂସାର ମଣୁଅଛନ୍ତି । ଉତ୍କଳ ପକ୍ଷରେ ଏହା କି ଦେବତାଙ୍କର ଭୀଷଣ ଅବ୍ୟର୍ଥ ଅଭିସମ୍ପାତି ନୁହେ ?

 

ରେଲ ଅନିଳ-ପ୍ରଖର ଗତିରେ ଧାବମାନ ହେବାକୁ ଲାଗିଲା । ବୋଧହେଲା, ଯେପରି ରେଲ ସ୍ଥିର ଅଛି, କେବଳ ଉଭୟ ପାର୍ଶ୍ୱସ୍ଥ ବନ, କ୍ଷେତ୍ର, ଗ୍ରାମ, ପ୍ରାନ୍ତର ପ୍ରଭୃତି ଚାଳିତ ହେଉଅଛିମାତ୍ର । ଉଭୟପାର୍ଶ୍ୱସ୍ଥ ଅଚଳ ସଚଳ ଆକାର ଧାରଣ କରୁଥିଲା । କେଉଁଠାରେ ଗୋ-ଯୂଥ ରେଲ-ଶବ୍ଦରେ ଭୀତ ହୋଇ ଉତ୍ପୁଚ୍ଛ ଭାବରେ ପଳାୟନ କରୁଅଛନ୍ତି, ମହିଷବୃନ୍ଦ ପ୍ରାଣଶୋଷିଣୀ ବିକଟ ଚାହାଣିରେ ରେଲ ଆଡ଼କୁ ଅନାଇଛନ୍ତି, କେଉଁଠାରେ ବକପନ୍ତି ରଜତ-ଧବଳକାନ୍ତି ବିସ୍ତାର କରି ଉଡ଼ି ପଳାଉଛନ୍ତି । ଏହିପରି ନାନା ସ୍ଥାନରେ ନାନା ଦୃଶ୍ୟ ଦୃଷ୍ଟିଗୋଚର ହେଲା । ଅତିଦ୍ରୁତ ଧାବନ ହେତୁ ଆରୋହୀମାନେ ନାଟୁଆ ପିଲାଙ୍କ ପରି କଟୀଚାଳନପୂର୍ବକ ଆନ୍ଦୋଳିତ ହେବାକୁ ଲାଗିଲେ; କେହି ଝୁଲି ଝୁଲି ମନଫୁଲାଣିଆ ଗୀତ ଗାଇଲା, କେହି ଶୋଇଲା, କେହି ଗଳ୍ପ ଗଲା ଏବଂ କେହି ଅବା ତନ୍ଦ୍ରାବଶରେ ଡାକପିଅନ ଚିଠିରେ ମୋହର ମାରିଲା ପରି ଗାଡ଼ିରେ ବାଡ଼ରେ ମସ୍ତକ ବାଡ଼େଇବାକୁ ଲାଗିଲା । ଏହିପରି ସମସ୍ତେ ଅଭୀପ୍‌ସିତ ସୁଖଭୋଗ କରିନେଲେ । ମୁଁ ବସି ମନେ ମନେ ପୁଷ୍ପକ ରଥର କଥା ଭାବିଲି ଏବଂ ପୁଷ୍ପକାରୋହଣର ସୁଖ ମଧ୍ୟ ଅନୁଭବ କଲି । ଦୁର୍ଜନର ଦୁର୍ବାର ଲାଳସା କ୍ଷୁଦ୍ର କ୍ଷୁଦ୍ର ବାଧା ଅତିକ୍ରମ କରି ବୃହତ୍‌ପ୍ରତିବନ୍ଧକ ନିକଟରେ ଅଟକିଗଲା ପ୍ରାୟ ରେଲ କ୍ଷୁଦ୍ର କ୍ଷୁଦ୍ର ଷ୍ଟେସନରେ ବିଶ୍ରାମ ନ କରି ପ୍ରଧାନ ପ୍ରଧାନ ଷ୍ଟେସନରେ ଅଟକିଯାଉଥିଲା-। ଇଞ୍ଜିନ୍‌ନାସାରୁ କୃଷ୍ଣ ଧୂମରାଶି ନିର୍ଗତ ହୋଇ ମେଘ ମେଦୂର ଆକାଶରେ ନବ ମେଘର ସୃଷ୍ଟି କରୁଥିଲା । ଷ୍ଟେସନରେ ରେଲ ପହଞ୍ଚିବା ପୂର୍ବରୁ ପ୍ରଭୁକୁ ଭୃତ୍ୟ ଚାମର ବ୍ୟଜନ ସକାଶେ ଅପେକ୍ଷା କଲା ପ୍ରାୟ ସିଗ୍‌ନଲରମାନେ (Signalers) ତ୍ରିବର୍ଣ୍ଣ ପତାକା ଧରି ଠିଆହୋଇଯାଉଥିଲେ ।

 

୨୬-୧୦-୧୧ ଗୁରୁବାର, ପୂର୍ବାହ୍ନ ପ୍ରାୟ ୫ଘଣ୍ଟା ସମୟରେ ରେଲ ଖୋର୍ଦ୍ଧା ରୋଡ଼ରେ ଉପସ୍ଥିତ ହେଲା । ଗତ ବନ୍ୟାରେ ଅନେକତ୍ର ରେଲପଥ ଭଗ୍ନ ହୋଇଥିବାର ଦେଖାଗଲା । ସେଥିମଧ୍ୟରୁ କେତେକର ସଂସ୍କାର କାର୍ଯ୍ୟ ଶେଷ ହୋଇଛି ଏବଂ କେତେକ ସ୍ଥାନରେ କାର୍ଯ୍ୟ ଲାଗିଅଛି । ସେହି ସେହି ସ୍ଥାନରେ ରେଲର ଗତି ଶିଥିଳ ହୋଇଥିଲା । ଜଟଣୀ ପର୍ଯ୍ୟନ୍ତ ଯାତ୍ରୀର ଭିଡ଼ ନ ଥିଲା; ମାତ୍ର ସେଠାରେ ପ୍ରତ୍ୟାବୃତ୍ତ ପୁରୀ-ଯାତ୍ରୀମାନେ ଚଢ଼ିବାରୁ ଭୟାନକ ଭିଡ଼ ହୋଇଥିଲା । ମୁଁ ଯେଉଁ ଗାଡ଼ିରେ ଥିଲି, ସେଥିରେ ଅନେକ ଲୋକ ଚଢ଼ିଲେ । ସେହି ଯାତ୍ରୀମାନେ ରମ୍ଭାକୁ ଟିକଟ କରିଥିଲେ । ସେମାନଙ୍କ ମଧ୍ୟରେ ୪।୫ ଜଣ ସ୍ତ୍ରୀଲୋକ ଥିଲେ । ରେଲରେ ସେମାନେ ଗୋଟିଏ କ୍ଷୁଦ୍ର ହାଟ ବସାଇଲେ । ସହଯାତ୍ରୀମାନେ ମଧୁର ତିକ୍ତ ପ୍ରୟୋଗ କରି ସୁଦ୍ଧା ସେମାନଙ୍କ ହାଟ ଭାଙ୍ଗିପାରିଲେ ନାହିଁ । ଶେଷରେ ଜଣେ ବୃଦ୍ଧା ସ୍ତ୍ରୀ କହିଲା, ‘‘ବାପ ! ଆମ୍ଭେମାନେ ମାଈକିଣିଆ ଲୋକ, କଥାବାର୍ତ୍ତା ନ କରି ତୂନୀ ହୋଇ ବସିପାରୁ ନାହୁଁ ।’’ ଜଟଣୀ ଷ୍ଟେସନର କ୍ରମଶଃ ଉନ୍ନତି ହେଉଅଛି । କେତେକ ବର୍ଷ ତଳେ ସେଠାରେ ଗୋଟାଏ ଦୋକାନ ସୁଦ୍ଧା ଥିଲା ନାହିଁ; ମାତ୍ର ବର୍ତ୍ତମାନ ସହର ହୋଇଯାଇଅଛି । ଅନ୍ୟାନ୍ୟ ଷ୍ଟେସନ ଅପେକ୍ଷା ଜଟଣୀରେ ଅଧିକ କ୍ଷଣ ପର୍ଯ୍ୟନ୍ତ ରେଲ ବିଶ୍ରାମ କଲା । ଲୋକେ କହନ୍ତି, ‘‘ବସିଲାଠାରୁ ଘଷିଲା ଭଲ’’; ସୁତରାଂ ମୁଁ ଅନ୍ୟ କର୍ତ୍ତବ୍ୟ ଅଭାବରେ ଉଭୟ ପାର୍ଶ୍ୱସ୍ଥ କୃଷିକ୍ଷେତ୍ର ଉପରେ ଦୃଷ୍ଟି ନିକ୍ଷେପ କଲି । ଦେଖିଲି ସର୍ବତ୍ର ସମାନ । ବୃଷ୍ଟି ଅଭାବରୁ ଧାନଗଛ ଅଧିକ ବଢ଼ିପାରି ନାହିଁ । ଏ ଅଞ୍ଚଳରେ ହାରାହାରି ଆଠପଣ ଫସଲ ଆଦାୟ ହେବ କି ନା ସନ୍ଦେହ । ନଡ଼ା ଅଭାବରୁ ଘର ଛାଇବା ମଧ୍ୟ କଷ୍ଟକର ହେବ । କେଉଁଠାରେ ଅବା ଜଳ ଅଭାବରେ ଶସ୍ୟନାଶ ! ଏବର୍ଷ ଏହିରୂପ ଶୋଚନୀୟ ଦୁର୍ଦ୍ଦଶା ।

 

ଯଥାସମୟରେ ଜଟଣୀରୁ ରେଲ ବାହାରି ଦକ୍ଷିଣାଭିମୁଖେ ଧାବିତ ହେଲା । କଲିକତାରୁ ମାନ୍ଦ୍ରାଜକୁ ଯାଉଥିବା ମେଲ ଜଟଣୀରୁ ବାହାରି ଏକାବେଳକେ ରମ୍ଭାରେ ବିଶ୍ରାମ ନିଏ । ରେଲ କେତେବେଳେ ଶଙ୍ଖ, କେତେବେଳେ ଜଗଝାମ୍ପ ଓ କେତେବେଳେ ବା ଡିଣ୍ଡିମ, ଏହିପରି ନାନା ପ୍ରକାର ବାଦ୍ୟ ବଜାଇ ଅବିଶ୍ରାନ୍ତ ଖରଗତିରେ ଚଳିଲା । କ୍ରମେ ଓଡ଼ିଶାର ରାଜନୈତିକ ସୀମା ଅତିକ୍ରମ କରି ମାନ୍ଦ୍ରାଜ ସୀମାରେ ପହଞ୍ଚିଲା । କେତେକ କ୍ଷଣ ପରେ ଚିଲିକାର ଦୁଃଖପାଶୋରା ମୋହନ ମାଧୁରୀ ଦୃଷ୍ଟିପଥର ଅତିଥି ହେଲା । ମୁଁ ଏକଦୃଷ୍ଟିରେ ଚିଲିକା ଆଡ଼କୁ ଚାହିଁ ରହିଲି । ଯେଉଁଠାରେ ଅରଣ୍ୟ କିମ୍ବା ଗିରିମାଳ ପଡ଼େ, ସେଠାରେ ଚିଲିକା ମୋର ଚକ୍ଷୁର ଅନ୍ତରାଳରେ ରହିଯାଏ । ଏହିପରି ଲୁଚକାଳି ଖେଳି ଖେଳି ଚିଲିକା କିଛିଦୂର ପର୍ଯ୍ୟନ୍ତ ରେଳ ସଙ୍ଗେ ସଙ୍ଗେ ଚାଲିଲା । ଖଲ୍ଲିକୋଟ ନିକଟରେ ଶାରଦୀୟ ଛାୟାପଥ ନୀଳ ଆକାଶ ଦ୍ୱିଖଣ୍ଡିତ କଲା ପ୍ରାୟ ରେଲବର୍ତ୍ତ୍ମ ଚିଲିକାର ଲାଞ୍ଜି ଭେଦ କରିଯାଇଅଛି । ତତ୍ରତ୍ୟ ଦୃଶ୍ୟ ଅତୀବ ରମଣୀୟ । ପଶ୍ଚିମରେ ଦୁରାରୋହ ହରିଡ଼ାମୂଳ ପର୍ବତ ଏବଂ ପୂର୍ବରେ ଉଲ୍ଲୋଳ କଲ୍ଲୋଳମୟୀ ବିଶାଳ ଚିଲିକା । ଏଠାରେ ଚିଲିକା ମଧ୍ୟରେ ଅସଂଖ୍ୟ ଜଳଜନ୍ତୁ ସନ୍ତରଣ କରିବାର ଦେଖାଗଲା । ଏକଜାତୀୟ କ୍ଷୁଦ୍ର ପକ୍ଷୀ ନୋଳିଆମାନଙ୍କ ପରି ଜଳରେ ବୁଡ଼ି ବୁଡ଼ି ମତ୍ସ୍ୟ ସଂଗ୍ରହ କରୁଥାନ୍ତି । କୁନ୍ଦ-ଧବଳ ଫେନପୁଞ୍ଜ କୁମୁଦ ପୁଷ୍ପର ଶୋଭା ଅନୁକରଣ କରୁଥାଏ । ପକ୍ଷୀମାନଙ୍କ ଉପଦ୍ରବରୁ ଶସ୍ୟ ରକ୍ଷା କରିବା ସକାଶେ ଶାଳୀଗୋପମାନେ କୃଷିକ୍ଷେତ୍ରରେ ପଲା ମାରି ଜଗିଥାନ୍ତି । ସେ ପଲାଗୁଡ଼ିକ ଦୂରରୁ ମୁନି-ଉଟଜ ପ୍ରାୟ ପ୍ରତିଭାତ ହୁଏ ।

 

ପ୍ରାୟ ୯ଟା ସମୟରେ ମେଲ ରମ୍ଭା ଷ୍ଟେସନରେ ଉପନୀତ ହେଲା । ମୁଁ ମୋର ବାଗ୍‌ଖଣ୍ଡି ଧରି ଓହ୍ଲାଇ ଆସିଲି । ଏକାକୀ ଭ୍ରମଣ ହେତୁ ଅତି ସଂକ୍ଷେପରେ ଆବଶ୍ୟକ ପଦାର୍ଥ ସଙ୍ଗରେ ଆଣିଥିଲି । ଯଦି ମୋଟିଆ କେଉଁଠାରେ ନ ମିଳେ, ତେବେ ମହା ହରବରରେ ପଡ଼ିବାକୁ ହେବ । ଏପରି ସ୍ଥଳରେ ଅଳ୍ପ ପଦାର୍ଥ ଥିଲେ ନିଜେ ନିଜେ ନେଇଯିବା ସୁବିଧାଜନକ । ନିତାନ୍ତ ପକ୍ଷରେ ଯାହା ନ ହେଲେ ନ ଚଳେ, ଏହିପରି ପଦାର୍ଥମାନ ସଙ୍ଗରେ ନେଇଥିଲି । ସମସ୍ତ ପଦାର୍ଥ ବାଗ୍‌ଖଣ୍ଡିକରେ ଥିଲା, ସୁତରାଂ ନିଜେ ନେଇଯିବା ପକ୍ଷରେ ଅସମ୍ମାନସୂଚକ ହୋଇ ନ ଥିଲା । ଆଉ ଅସମ୍ମାନ ବା କଅଣ ? ତାହା ଲୋକ-ଦେଖା କଥା । ନିଜର ପଦାର୍ଥ ନିଜେ ନେଇଯିବାଦ୍ୱାରା ସମ୍ମାନର ବୃଦ୍ଧି ବ୍ୟତୀତ ହାନି ହୁଏ ନାହିଁ । ଯାଉ ସେକଥା, ପ୍ଳାଟ-ଫର୍ମରେ ଆସି ଦେଖିଲି ଟିକଟ ନେବା କର୍ମଚାରୀଟି ଉପସ୍ଥିତ ନାହିଁ । ତହୁଁ ଖଣ୍ଡିଏ ବେଞ୍ଚରେ ବସି ଅପେକ୍ଷା କଲି । କିୟତ୍‌କ୍ଷଣ ପରେ ଜଣେ ଆସି ଟିକଟ ଗ୍ରହଣପୂର୍ବକ ପ୍ଳେଗ-ପାଶପୋର୍ଟ ନେବା ସକାଶେ ବସି ରହିବାକୁ କହି ଚାଲିଗଲା । ଅନତିବିଳମ୍ବରେ ଜଣେ ଆସି ମୋତେ ଡାକିନେଇ ଗୋଟିଏ ଅଫିସ ଭିତରକୁ ଘେନିଗଲା । ଅଫିସରେ ଜଣେ କର୍ମଚାରୀ ବସିଅଛନ୍ତି । ପାଖରେ ୩।୪ ଜଣ ପଢ଼ୁଆ ପିଲା ପୁସ୍ତକ ଧରି ପଠନରେ ନିଯୁକ୍ତ । କର୍ମଚାରୀଟି ମୋତେ ଦେଖି ସାଧୁଭାଷାରେ ପ୍ରଶ୍ନକଲେ, ‘‘ତୁ କୌଗାଁଠୁ ଆସିଲା ?’’ ବୋଲିକା ବାହୁଲ୍ୟ, କର୍ମଚାରୀଟି ତୈଲଙ୍ଗୀୟ ବ୍ୟକ୍ତି । ମୁଁ ଯଥୋଚିତ ଉତ୍ତର ଦେଲି । ଅନନ୍ତର ପିତାର ନାମ, ଜାତି, ବୟସ ପ୍ରଭୃତିର ଶ୍ରାଦ୍ଧ ହେଲା । ମୋର ଆଗତ ସ୍ଥାନରେ ପ୍ଳେଗ ନ ଥିବାର କହି ଆପତ୍ତି କଲି; ମାତ୍ର ସେଥିରେ କର୍ଣ୍ଣପାତ ନ କରି ଦୁଇଖଣ୍ଡି ଫର୍ମ ଟାଣିଆଣି ଗୋଟାଏ ପେନ୍‌ସିଲରେ ପୂରଣ କରି ମୋତେ ସ୍ୱାକ୍ଷର କରିବାକୁ କହିଲେ । ଆଦେଶ ପାଳିତ ହେଲାରୁ ସେଥିରୁ ଖଣ୍ଡିଏ ମୋତେ ଅର୍ପଣ କରି ସେହି ଫର୍ମ ସହ ୧୦ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ଷ୍ଟେସନରେ ଉପସ୍ଥିତ ହେବାକୁ କହିଲେ । ଏ କଥାଟି ସେ ଇଂରାଜୀରେ କହିଥିଲେ । ମୁଁ ୨।୩ ଦିନ ପରେ ଏଠାରୁ ବାହାରିଯିବା କଥା କହିବାରୁ ସେ ଈଷତ୍‌ଆଶ୍ଚର୍ଯ୍ୟମିଶ୍ରିତ କୋପ ପ୍ରକାଶ କରି କହିଲେ, ‘‘ଦେକ ହେ, ସେଇ କତା ଆମ୍‌କୁ ଆଗ୍ରୁ କଇଲା ନାଇଁ କାଇଁକି ?’’ ମୁଁ ମଧ୍ୟ ତଦୂପଯୋଗୀ ଭାଷାରେ ଉତ୍ତର ଦେଲି, ‘‘ତୁ ସେହି କଥା ମୋତେ ପଚାରିଲା ନାହିଁ କାହିଁକି ?’’ ଏରୂପ ସୁନ୍ଦର ଭାଷାରେ ସେ କୌଣସି ଆପତ୍ତି ନ କରି ନୀରବ ହେଲେ ଏବଂ ମୁଁ ମଧ୍ୟ ଷ୍ଟେସନରୁ ବାହାରି ଆସିଲି-। ରମ୍ଭାନିବାସୀ ପ୍ରଖ୍ୟାତନାମା ଶ୍ରୀଯୁକ୍ତ ଜୟକୃଷ୍ଣ ଚ୍ୟାଉପଟ୍ଟନାୟକ ମୋର ଜଣେ ପରମ ଆତ୍ମୀୟ । ଘରଠାରୁ ତାଙ୍କୁ ପତ୍ର ଲେଖିଥିଲି; ମାତ୍ର ସେ ରାଜ କାର୍ଯ୍ୟରେ ସ୍ଥାନାନ୍ତରକୁ ଯାଇଥିବାରୁ ମୋର ପତ୍ର ପାଇପାରିଲେ ନାହିଁ । ସୁତରାଂ ମୋର ଗତିବିଧିର ସୁବିଧା ହୋଇପାରିଲା ନାହିଁ । ଷ୍ଟେସନ ନିକଟରେ ଖଲ୍ଲିକୋଟ ରାଜାଙ୍କର ଗୋଟିଏ ସୁନ୍ଦର ବଙ୍ଗଳା ଅଛି । ବିଦେଶୀୟ ଭଦ୍ରବ୍ୟକ୍ତିମାନେ ସେଠାରେ ରହିପାରନ୍ତି । ଅଗତ୍ୟା ସେହି ବଙ୍ଗଳାକୁ ଯାଇ ବିଶ୍ରାମାଶ୍ରୟୀ ହେଲି । ଦେଖୁଁ ଦେଖୁଁ ୧୧ ଘଣ୍ଟା ବାଜିଗଲା । ସେଠାରେ ମୋର ଖାଦ୍ୟାଦିର ସୁବିଧା ହେବ ନାହିଁ ଜାଣି ବଙ୍ଗଳାର ଚାକର ମୋତେ ରମ୍ଭା ଘେନି ଆସିଲା । ଷ୍ଟେସନଠାରୁ ରମ୍ଭା ନଗରର ଦୂରତ୍ୱ ପ୍ରାୟ ଏକ ମାଇଲରୁ ଊଦ୍ଧ୍ୱ ହେବ । ପ୍ରାୟ ୧୨ଟା ସମୟରେ ରମ୍ଭାଠାରେ ପହଞ୍ଚିଲି । ଶୁଣିଲି, ଜୟକୃଷ୍ଣ ବାବୁ ରାତ୍ରିରେ ଆସି ପହଞ୍ଚିବେ ତହୁଁ ତାଙ୍କୁ ଅପେକ୍ଷା କରିବାକୁ ହେଲା । ଜୟକୃଷ୍ଣ ବାବୁଙ୍କ ଅଫିସ ଗୋଟିଏ ଦ୍ୱିତଳ ପ୍ରାସାଦରେ ହୁଏ । ସେଦିନ ଛତ୍ରପୁରର ଡେ. କ. ମହୋଦୟ ଗସ୍ତରେ ଆସି ତଳ ପ୍ରକୋଷ୍ଠରେ କଚେରୀ କରୁଥିଲେ । ସେଥିସଂଲଗ୍ନ ଅପର ଗୋଟିଏ ପ୍ରକୋଷ୍ଠ ମୋର ବସା ସକାଶେ ନିର୍ଦ୍ଧିଷ୍ଟ ହେଲା । ଛାମୁପାଇକ ସେହି ଘରର ଚାବି ଖୋଲିଦେଇ ମୋତେ ସେଠାରେ ରହିବା ନିମନ୍ତେ କହି ବାହାରିଗଲା । ତଳ ଥାକର ପ୍ରତ୍ୟେକ ପ୍ରକୋଷ୍ଠରେ ଗୋଟିଏ ଲେଖାଏଁ ଜଳକଳ ଅଛି । ସୁତରାଂ ସ୍ନାନର ସମଧିକ ସୁବିଧା ହେଲା । କଳ ମୋଡ଼ିଦେଇ ତାହାର ତଳେ ବସିପଡ଼ିଲି । ଶିବଙ୍କ ମସ୍ତକରେ ଗଙ୍ଗାଧାରା ପଡ଼ିଲା ପରି ବହୁ ଜଳଧାରା ମସ୍ତକରେ ପଡ଼ିଲା । ସ୍ଥୂଳତଃ ସ୍ନାନରେ ପରିତୃପ୍ତି ଲାଭକଲି । ସ୍ନାନର ଅବ୍ୟବହିତ ପରେ ମନ୍ଦିରର ପୂଜାରୀ ଅଯାଚିତଭାବରେ ଦେବପ୍ରସାଦ ଆଣି ଦେଇଗଲା । ମୁଁ ତୃପ୍ତିପୂର୍ବକ ଭୋଜନ କରି ଖଣ୍ଡିଏ ଚୌକିରେ ବସି ବିଶ୍ରାମ କଲି । କିନ୍ତୁ ନିଷ୍କର୍ମା ହୋଇ ବସି ରହିବାରୁ ସମୟ ଭାରଭୂତ ବୋଧହେଲା-। ତହୁଁ ଖଣ୍ଡିଏ ପୁସ୍ତକ ବାହାର କରି ଅଧ୍ୟୟକ କରିବାକୁ ଲାଗିଲି । ତେତେବେଳକୁ ପ୍ରାୟ ୨ଟା ବାଜିଯାଇଥିଲା । କିନ୍ତୁ ପୁସ୍ତକପାଠରେ ମନ ଲାଗିଲା ନାହିଁ । ଯେଉଁ ଘରେ ବସିଥିଲି, ସେହି ଘରର ଗୋଟିଏ ଗବାକ୍ଷ ମଧ୍ୟଦେଇ ଚିଲିକାର ରୁଦ୍ର ସୁନ୍ଦର ମୂର୍ତ୍ତି ଦେଖାଯାଉଥିଲା । ସ୍ୱଭାବସୁନ୍ଦରୀ ଚିଲିକା ମୋର ନୟନମନକୁ ଦୃଢ଼ଭାବରେ ଆକର୍ଷଣ କରିନେଲା । ତହୁଁ ମୁଁ ପୁସ୍ତକଖଣ୍ଡି ରଖିଦେଇ ଏକଧ୍ୟାନରେ ଚିଲିକା ଆଡ଼କୁ ଅନାଇ ରହିଲି । ଏମନ୍ତ ସମୟରେ ମାଟିଆ ରଙ୍ଗର କୋଟ ପେଣ୍ଟଲୁନ ଏବଂ ଲାଲ ପଗଡ଼ି-ପରିହିତ ଜଣେ ଅପରିଚିତ ବ୍ୟକ୍ତି ଉପସ୍ଥିତ ହୋଇ ମୋତେ ନମସ୍କାରପୂର୍ବକ ମୋ ନିକଟକୁ ଆସି ଅନ୍ୟ ଗୋଟିଏ ଚୌକିରେ ଉପବେଶନ କଲେ । ମୁଁ ପ୍ରତିନମସ୍କାର କରି ପରିଚୟ ଜିଜ୍ଞାସା କରନ୍ତେ ସେ କହିଲେ, ‘‘ମୁଁ ଏଠା ପୋଲିସ ଷ୍ଟେସନର ସବ୍‌ଇନ୍‌ସପେକ୍‌ଟର ।’’ ସେ ଜଣେ ବଡ଼ଲୋକୀ ଭାବବିହୀନ ଶିଷ୍ଟ ମିଷ୍ଟାଳାପୀ ବ୍ୟକ୍ତି । ଅନେକ କ୍ଷଣ ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ନାନା ବିଷୟରେ କଥୋପକଥନ ହେଲା । ଲୋକଟି ତୈଲଙ୍ଗୀୟ । ମୋ ସହିତ ସେ ପରିଚିତ ବନ୍ଧୁ ତୁଲ୍ୟ ବ୍ୟବହାର କରିଥିଲେ । ନାନା ପ୍ରସଙ୍ଗରେ ମୁଁ ତାଙ୍କୁ ପାଶ-ପୋଟ କଥା ପଚାରିଲି । ସେ କହିଲେ, ‘‘ପୋଲିସଷ୍ଟେସନ ଏଠାକୁ ଅତି ନିକଟ । ଆଜି ଆପଣଙ୍କର ଯିବାର ଆବଶ୍ୟକତା ନାହିଁ । ଆପଣଙ୍କର ସମୟ ସୁବିଧା ଦେଖି କାଲି ଗଲେ ମୁଁ ପାଶପୋର୍ଟରେ ସ୍ୱାକ୍ଷର କରିଦେବି । ପୋଲିସ କର୍ମଚାରୀଙ୍କର ଏରୂପ ସରଳ ବ୍ୟବହାର ଦେଖି ମୁଁ ତାଙ୍କୁ ଧନ୍ୟବାଦ ନ ଦେଇ ରହିପାରିଲି ନାହିଁ । ସେ ହସି ହସି କରମର୍ଦ୍ଧନପୂର୍ବକ ମୋଠାରୁ ବିଦାୟ ନେଇ ଯଥାସ୍ଥାନକୁ ବାହାରିଗଲେ । ଅବ୍ୟବହିତ ପରେ ଛାମୁପାଇକ ଆସି କହିଲା, ‘‘ଡେ. କ. ମହୋଦୟଙ୍କ ନିକଟରେ ସାକ୍ଷାତ୍‌ହେବା ସକାଶେ ଗଞ୍ଜାମର ଡାକ୍ତର ଆସିଅଛନ୍ତି । ଏଠାରେ ସ୍ଥାନାଭାବ ହେତୁ ସେ ଏହି ଘରେ ଘଣ୍ଟାଏ ବିଶ୍ରାମ କରିବାକୁ କହୁଅଛନ୍ତି । ଆପଣଙ୍କର ସିଲ (ଆଜ୍ଞା) ହେଲେ ତାଙ୍କୁ ଯାଇ କହିବି !’’ ମୁଁ କହିଲି ସେ ଆସି ବିଶ୍ରାମ କରନ୍ତୁ । ସେଥିରେ ମୋର କୌଣସି ଆପତ୍ତି ନାହିଁ । ଅଳ୍ପକ୍ଷଣ ପରେ ଡାକ୍ତର ବାବୁ ଆସି ଉପସ୍ଥିତ ହେଲେ । ପରସ୍ପର ମଧ୍ୟରେ ସୌଜନ୍ୟ ଶିଷ୍ଟାଚାର ହୋଇଗଲା । ଡାକ୍ତର ବାବୁ ତେଲଙ୍ଗା ହେଲେହେଁ ପରିଷ୍କାର ଓଡ଼ିଆ କହିପାରନ୍ତି । ଯଥାସମୟରେ ସେ ସାକ୍ଷ୍ୟ ଦେବାକୁ ଗଲେ । ମୁଁ ମଧ୍ୟ ଡେ. କ.ଙ୍କ ବିଚାରପ୍ରଣାଳୀ ଶୁଣିବା ସକାଶେ ବାହାରିଲି । ବିଚାରପତି ଜଣେ ଅମାୟିକଚେତା ପୁରୁଷ । ବାଦୀ, ପ୍ରତିବାଦୀ ଓ ସାକ୍ଷୀମାନଙ୍କ ପ୍ରତି ତାଙ୍କର ସଦୟ ବ୍ୟବହାର, ମିଷ୍ଟଭାଷଣ ଓ ବିଚାରର ନ୍ୟାୟନିଷ୍ଠା ଦେଖି ବାସ୍ତବରେ ତାଙ୍କ ପ୍ରତି ମୋର ଭକ୍ତି ଜାତ ହେଲା । ତହୁଁ ମନେ ମନେ ତାହାଙ୍କୁ ସାଧୁବାଦ ପ୍ରଦାନ କରି ବସାକୁ ଫେରି ଆସିଲି ।

 

ସନ୍ଧ୍ୟାସମୟରେ ଚିଲିକା କୂଳକୁ ବୁଲିବା ସକାଶେ ଗଲି । ସେଦିନ ପବନର ପ୍ରବଳତା ହେତୁ ଚିଲିକା ଭୟଙ୍କର ଭାବ ଧାରଣ କରିଥିଲା । ତୀରରେ ଉପସ୍ଥିତ ହୋଇ ଦେଖିଲି, ଶୁକ୍ଳ-ଫେନଚୂଡ଼ ଲହରୀସମୂହ ସ୍ତରେ ସ୍ତରେ ପ୍ରଧାବିତ ହୋଇ ବେଳାରେ ଶିର ପିଟି ଦେଉଅଛି । କେତେକ ଖଣ୍ଡ ଅଝାଲଯୁକ୍ତ କ୍ଷୁଦ୍ର ନୌକା ଆକାଶରେ ମେଘ ଖେଳିଲା ପରି ଚିଲିକା ବକ୍ଷରେ ଭାସି ବୁଲୁଅଛି । ‘ଚିଲିକା-ସୁନ୍ଦରୀ’ ନାମକ ଖଣ୍ଡିଏ ଷ୍ଟିମାର କୂଳରୁ କିୟଦ୍ଦୂରରେ ନଙ୍ଗର ହୋଇ ବିଷ୍ଣୁବକ୍ଷରେ କୌସ୍ତୁଭମଣି ତୁଲ୍ୟ ଦୋଦୂଲ୍ୟମାନ ହେଉଅଛି । ଏ ଷ୍ଟିମାରଖଣ୍ଡି ଖଲ୍ଲିକୋଟ ରାଜାଙ୍କର ବିଳାସବିମାନ । ତରଙ୍ଗମାଳା ଚାରିଆଡ଼ ତାହାକୁ ଆକ୍ରମଣ କରି ନିଜର ଦୁର୍ବଳତାମାତ୍ର ପ୍ରଦର୍ଶନ କରୁଅଛନ୍ତି । କ୍ରମେ ସନ୍ଧ୍ୟାନ୍ଧିକାର ଚିଲିକାକୁ ଆବୃତ କଲା । ତାହାର ମନୋମୋହିନୀ ଶୋଭା ଘୋର ଅନ୍ଧକାରରେ ମିଶିଗଲା । ଚିଲିକା ଏତେ ବେଳଯାଏଁ ମୋର ମନୋନୟନ ବନ୍ଦୀ କରି ରଖିଥିଲା; ମାତ୍ର ଏବେ ତାହା ମୋତେ ଫେରାଇଦେଲା । ମୁଁ ବସାକୁ ଆସି ଭୋଜନାଦି କରି ଶୟନ କଲି । ସ୍ୱର୍ଣ୍ଣଦୀକୂଳରେ ଅମରାବତୀ ତୁଲ୍ୟ ଚିଲିକା କୂଳରେ ରମ୍ଭା ନଗରୀ ବିରାଜିତ । ପୂର୍ବେ ଏସ୍ଥାନ କଦଳୀବନରେ ପୂର୍ଣ୍ଣ ଥିଲା । ରମ୍ଭାର ବହୁଳତା ହେତୁ ନଗରୀର ନାମ ହୋଇଅଛି ।

 

ସମ୍ପ୍ରତି ସେ କଦଳୀବଣ ନାହିଁ । ଆଜି ଯେଉଁ ସ୍ଥାନ ନିବିଡ଼ ଅରଣ୍ୟାନୀସଙ୍କୁଳ, କାଲି ସେସ୍ଥାନ ଅଳକା ପୁରୀ ତୁଲ୍ୟ ହେଉଅଛି, ଏହାହିଁ ପ୍ରକୃତିର ନିୟମ । ପ୍ରକୃତି ସତତ ପରିବର୍ତ୍ତନଶୀଳା । ନିତ୍ୟ ନୂତନତ୍ୱ ତାହାର ଧର୍ମ । ଜଗତରେ ସର୍ବଦା ପରିବର୍ତ୍ତନର ସ୍ରୋତ ପ୍ରବାହିତ ହେଉଅଛି । ପ୍ରକୃତିର କ୍ଷମତା, ପ୍ରକୃତିର ମହିମା ଅତୁଳନୀୟ ଓ ଅଚିନ୍ତନୀୟ । ସେ ସ୍ଥାନକୁ ବଡ଼ କରିପାରେ ଏବଂ ସୁନ୍ଦରକୁ ମଧ୍ୟ କୁତ୍ସିତ କରିପାରେ । ସେହି ପରିବର୍ତ୍ତନପର୍ଯ୍ୟାୟରେ ପଡ଼ି ରମ୍ଭା ଏବେ ସ୍ୱର୍ଗସୁନ୍ଦରୀ ରମ୍ଭାର ଶୋଭା ଧାରଣ କରିଅଛ । ରମ୍ଭା ଏବେ ଘନ ସନ୍ନିବେଶ ଜନବସତି, ପଣ୍ୟପୂରିତ ବିପଣୀ, ସୁଗମ୍ୟ ମାର୍ଗ, ସୁରମ୍ୟ ଦେବାଳୟ, ସ୍ୱଚ୍ଛନୀର ଜଳାଶୟ ଓ ସୁନ୍ଦର ହର୍ମ୍ୟ ପ୍ରଭୃତି ନାଗରିକ ଉପାଦାନରେ ପୂର୍ଣ୍ଣ । ଅଧିକନ୍ତୁ ସ୍ୱର୍ଗୀୟ ଖଲ୍ଲିକୋଟ ନରପତିଙ୍କ ପ୍ରସାଦରୁ ସେ ପରମ ସୌଭାଗ୍ୟବତୀ । କେବଳ କୃତ୍ରିମରେ ନୁହେଁ, ସ୍ୱଭାବ ସମ୍ପଦରେ ସୁଦ୍ଧା ରମ୍ଭା ଗଞ୍ଜାମର ନଗରୀ ରାଣୀ । ଏହାର ପୂର୍ବରେ ଚିରମୁଖରା ଚିଲିକା ଏବଂ ଅନ୍ୟ ତିନି ଦିଗରେ ଅବିଚ୍ଛିନ୍ନ ଗିରିମାଳା ବୃତ୍ତଖଣ୍ଡାକାରରେ ଶାଶ୍ୱତ ଲୌହ ପ୍ରାଚୀର ପ୍ରାୟ ଦଣ୍ଡାୟମାନ । ସେଥିମଧ୍ୟରୁ କେହି ଘୋଟକାକୃତି, କେହି କରଭାକୃତି, କେହି ଭଲ୍ଲୁକାକୃତି, କେହି ସ୍ଥୂଳବର୍ତ୍ତୂଳ ଶିବଲିଙ୍ଗାକୃତି ଏବଂ କେହି ବା ଦେଉଳାକୃତିବିଶିଷ୍ଟ । କାହାର ଚୂଡ଼ା ଶିଶୁମସ୍ତକ ତୁଲ୍ୟ ଝାମ୍ପୂରା, କେଉଁ ଚୂଡ଼ା ବୃଦ୍ଧ ମସ୍ତକ ତୁଲ୍ୟ ଟାଙ୍ଗରା, କାହା ଦେହରେ ଅବା ଯାଦୁ ମାଡ଼ିଲା ପରି ସ୍ଥାନେ ସ୍ଥାନେ ତୃଣଗୁଳ୍ମାଦି ମାଡ଼ିଅଛି ଏବଂ କେହି ବା ଆପାଦମସ୍ତକ ଅଗମ୍ୟ ଅରଣ୍ୟାନୀସଙ୍କୁଳ ।

 

୨୭-୧୦-୧୧ ଶୁକ୍ରବାର । ପ୍ରଭାତରୁ ଉଠି ନିତ୍ୟକର୍ମ ସମାପନାନ୍ତେ ବସିଅଛି, ଏହି ସମୟରେ ଜୟକୃଷ୍ଣ ବାବୁ ଆସି ଉପସ୍ଥିତ ହେଲେ । ସେ ମୋତେ ଦେଖି ପରମାନନ୍ଦ ହେଲେ । ନମସ୍କାର ପ୍ରତି-ନମସ୍କାର, ସମ୍ଭାଷଣ-ପ୍ରତିସମ୍ଭାଷଣ ଯଥାରୀତି ଚାଲିଲା । ତହିଁପରେ ସେ ମୋର ହସ୍ତ ଧାରଣପୂର୍ବକ ତାଙ୍କର ଅଫିସଗୃହ ଭିତରକୁ ଘେନିଗଲେ । ଅନନ୍ତର ଷୋଡ଼ଶୋପଚାରରେ ପୂଜା । ଜୟକୃଷ୍ଣ ବାବୁଙ୍କ ଆତିଥ୍ୟ ଥରେ ଯେ ଗ୍ରହଣ କରିଅଛି, ସେ ଆଜୀବନ ତାହା କଦାଚ ବିସ୍ମୃତ ହେବ ନାହିଁ । ସ୍ଥୂଳତଃ ତାହାଙ୍କ ଆତିଥ୍ୟକୁ ଦେବତା ସୁଦ୍ଧା ଲୋଭ କରିବେ । ସେ ଜଣେ ଯୋଗଜନ୍ମା ପୁରୁଷ । ତାହାଙ୍କର କର୍ତ୍ତବ୍ୟନିଷ୍ଠା, ପରୋପକାର, ସାଧୁତା, ପ୍ରିୟବାଦିତା, ଦେଶପ୍ରୀତି, ବନ୍ଧୁବାତ୍ସଲ୍ୟ ପ୍ରଭୃତି ପ୍ରକୃତ ମାନବୋଚିତ ସଦ୍‌ଗୁଣାବଳୀ ଅନ୍ୟର ଆଦର୍ଶ ନ କହି ଅନୁକରଣୀୟ ବୋଇଲେ ଅତିରଞ୍ଜିତ ହେବ ନାହିଁ । ତାଙ୍କର ସଦା ପ୍ରଫୁଲ୍ଲ ବଦନରେ ଉତ୍ସାହର ଶତମୁଦ୍ରା ମୁଦ୍ରିତ ! ତାଙ୍କର ଅଧିକ ପରିଚୟ ଦେବା ବାହୁଲ୍ୟମାତ୍ର । ସ୍ଥୂଳତଃ ସେ ଜଣେ ଦେବଦୂତ । ତାଙ୍କର ଅନନ୍ୟସାଧାରଣ ସଦ୍‌ଗୁଣରେ ପ୍ରୀତ ହୋଇ ସ୍ୱର୍ଗୀୟ ଖଲ୍ଲିକୋଟ ରାଜା ଗୁଣର ପୁରସ୍କାରସ୍ୱରୂପ ତାହାଙ୍କୁ ସମ୍ମାନ ସହ ‘‘ଚ୍ୟାଉପଟ୍ଟନାୟକ’’ ଉପାଧି ପ୍ରଦାନ କରିଥିଲେ ଏବଂ ଏକ ବାଟୀ ଭୂସମ୍ପତ୍ତି ମଧ୍ୟ ପ୍ରଦାନ କରିଥିଲେ । ରାଜାଙ୍କର ସେ ଜଣେ ବିଶ୍ୱାସୀ କର୍ମଚାରୀ । ଅନେକ ବଡ଼ ବଡ଼ କାର୍ଯ୍ୟରେ ରାଜା ମହୋଦୟ ତାଙ୍କର ପରାମର୍ଶ ନେଇ କାର୍ଯ୍ୟ କରୁଥିଲେ । ସେ ବିଶ୍ୱାସୀ କର୍ମଚାରୀ ହେତୁ ରାଣୀ ମହୋଦୟା ତାହାଙ୍କୁ ରମ୍ଭା ପ୍ରାସାଦ ରକ୍ଷଣାବେକ୍ଷଣର ସମସ୍ତ ଭାର ଅର୍ପଣ କରିଅଛନ୍ତି-। ସ୍ପଷ୍ଟବାଦିତା ଜୟକୃଷ୍ଣ ବାବୁଙ୍କର ସ୍ୱାଭାବସିଦ୍ଧ ଧର୍ମ । ସୁପ୍ରସିଦ୍ଧ ପ୍ରଜାବନ୍ଧୁ ପତ୍ରିକାର ମେନେଜର ରୂପରେ ସେ ଉତ୍କଳର ସର୍ବତ୍ର ସୁପରିଚିତ । ତାଙ୍କର ଶାନ୍ତଶିଷ୍ଟପଣ, ଜାତୀୟତା ଓ ସଂଯମ ବଚନାତୀତ । ରାଜକାର୍ଯ୍ୟ ଓ ପରୋପକାର ସାଧନରେ ସେ କ୍ଷୁତ୍ପିପାସା ଭୁଲିଯାଆନ୍ତି । ଗର୍ବ, ଅହଙ୍କାର ବା ବଡ଼ଲୋକୀ ତାଙ୍କୁ ଅଣୁମାତ୍ର ସ୍ପର୍ଶ କରି ନାହିଁ । ଅଧିକ କହିବାର ଆବଶ୍ୟକତା ନାହିଁ । ଗଞ୍ଜାମ ଭ୍ରମଣକାରୀ ତାଙ୍କ ସମ୍ବନ୍ଧରେ ଯାହା ଲେଖିଅଛନ୍ତି, ସେଥିରୁ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳିବ । ଭ୍ରମଣକାରୀଙ୍କର ନିମ୍ନରେ ପ୍ରଦର୍ଶିତ ହେଲା -

 

‘‘ଶାନ୍ତି-ନତି-ଅବତାର ଜୟକୃଷ୍ଣ ଚ୍ୟାଉ,

କାହା ସଙ୍ଗେ ତୁଳିବି ମୁଁ ତୁମ୍ଭଙ୍କୁ ହେ ଆଉ ?

ଅଟ ସିନା ତୁମ୍ଭେ ଭାଇ ତୁମ୍ଭରି ଉପମା,

ଦେଖି ନାହିଁ ତୁମ୍ଭ ପରି କାହିଁ ଦୃଢ଼କର୍ମା ।

ବାଣ୍ଟି ବୁଲ ଉପକାର ଦ୍ୱାରେ ଦ୍ୱାରେ ଫେରି,

ପର ଉପକାର ପାଇଁ ଛାଡ଼ିଲ ଚାକେରୀ ।

ଦେଖିଛି ମୁଁ ପର କାର୍ଯ୍ୟେ ଦିଅ ଯଦି ହାତ,

ନ ହେଲା ପଛକେ ଖିଅ ସେ ଦିନର ଭାତ ।

କରେ ଆଶୀର୍ବାଦ ଭାଇ ମୋ ଆୟୁଷ ନେଇ,

କରୁଥାଅ ମାତୃପୂଜା ମନପ୍ରାଣ ଦେଇ ।’’

 

ଏ ଉକ୍ତି ଯେ ଅକ୍ଷରେ ଅକ୍ଷରେ ସତ୍ୟ, ସେଥିରେ ସନ୍ଦେହ ନାହିଁ । ଅନ୍ୟର ଉପକାର କରିବାକୁ ଯାଇ ସେ ଅନେକ ଥର ବିପନ୍ନ ହୋଇଅଛନ୍ତି; ତଥାପି ସେ ପୁଣ୍ୟବ୍ରତ ଉଦ୍‌ଯାପନର କଳ୍ପନା କରି ନାହାନ୍ତି । ତାଙ୍କ ତୁଲ୍ୟ ନିଃସ୍ୱାର୍ଥ ଦେଶ-ହିତୈଷୀ ଗଞ୍ଜାମରେ ଅତି ବିରଳ ।

 

ଜୟକୃଷ୍ଣ ବାବୁଙ୍କ ସହ କଥାବାର୍ତ୍ତା କରୁ କରୁ ୧୧ଟା ବାଜିଗଲା । ତହୁଁ ସେ ମୋର ଖାଦ୍ୟର ବ୍ୟବସ୍ଥା କରି ସ୍ନାନାହାର ସକାଶେ ଘରକୁ ଗଲେ । ରମ୍ଭାରେ ମାଛ ଓ ବିହନ ଅପର୍ଯ୍ୟାପ୍ତ ମିଳେ । ସୁତରାଂ ଭୋଜନରେ ଷୋଳ କଳା ସୁଖ ହେଲା । ଭୋଜନାନ୍ତେ ବିଶ୍ରାମ କଲି; କେବଳ ବସିବା ଦ୍ୱାରା ବିଶ୍ରାମ ।

 

ମୋର ଦିବାନିଦ୍ରାର ଅଭ୍ୟାସ ନାହିଁ । ଜୟକୃଷ୍ଣ ବାବୁଙ୍କର ମଧ୍ୟ ତଥୈବ ଚ; ଦିନଠାରୁ ରାତି ପର୍ଯ୍ୟନ୍ତ କର୍ତ୍ତବ୍ୟରେ ବ୍ୟସ୍ତ । ଅତଃ ଶୋଇବାକୁ ଅବସର କାହିଁ ? ପ୍ରାୟ ଗୋଟାକବେଳେ ସେ ଫେରିଆସି କର୍ତ୍ତବ୍ୟରେ ନିଯୁକ୍ତ ହେଲେ । ମୁଁ କେବଳ ହାତଗୋଡ଼ ଯୋଡ଼ି ବସି ରହିଲି; ମାତ୍ର ଖାଲି ବସି ରହିବା ଦ୍ୱାରା ବିରକ୍ତି ବୋଧ ହେଲା । ଜୟକୃଷ୍ଣ ବାବୁ ତାହା ଜାଣିପାରି ଖଣ୍ଡିଏ ନୂତନ ପୁସ୍ତକ ଆଣି ମୋ ହାତରେ ଦେଲେ । ମୁଁ ଆଗ୍ରହସହକାରେ ପଢ଼ିବାକୁ ଲାଗିଲି ଏବଂ ପାଠରେ ତୃପ୍ତି ମଧ୍ୟ ଲାଭ କଲି ।

 

ପୁସ୍ତକଖଣ୍ଡିକର ନାମ କାଦମ୍ବରୀ । ବାମଣ୍ଡାର ବିଜ୍ଞାନ-ବିନୋଦ ରାଜକବିମହୋଦୟ ତାହାକୁ ଅମିତ୍ରାକ୍ଷର ଛନ୍ଦରେ ଅନୁବାଦ କରିଅଛନ୍ତି । ଅନୁବାଦରେ ମୂଳ ସଂସ୍କୃତର ସମ୍ପୂର୍ଣ୍ଣ ଜୀବନ ରକ୍ଷା ହୋଇଅଛି । ବାମଣ୍ଡାଧୀଶ୍ୱର ଜଣେ ଅଳଙ୍କାରିକ ବୋଲି ପ୍ରସିଦ୍ଧି ଲାଭ କରିଅଛନ୍ତି । ବର୍ଣ୍ଣିତ ପୁସ୍ତକରୁ ମଧ୍ୟ ସେଥିର ଯଥେଷ୍ଟ ପ୍ରମାଣ ମିଳିଲା । କି ରଚନାର ପାରିପାଟ୍ୟ, କି ଭାବ, କି ବହୁ ସମାସଯୁକ୍ତ ସୁଦୀର୍ଘ ପଦସମାବେଶ, କି ଭାଷା, କୌଣସି ବିଷୟରେ ପୁସ୍ତକଖଣ୍ଡି ଦୁର୍ବଳ ନୁହେଁ, ଅଥଚ ଅନୁପ୍ରାସ ଯୋଗୁଁ ସୁଖପାଠ୍ୟ । ବାମଣ୍ଡାଧୀଶ୍ୱର ମହୋଦୟ ରାଜ୍ୟର ଦୁର୍ବହ ଭାର ବହନ କରି ସୁଦ୍ଧା ସତତ ବାଗ୍‌ଦେବୀଙ୍କର ଚରଣାର୍ଚ୍ଚନାରେ ବିନିଯୁକ୍ତ ଅଛନ୍ତି । ଏହା ତାହାଙ୍କ ପକ୍ଷରେ ଏବଂ ଉତ୍କଳ ପକ୍ଷରେ ସମାନ୍ୟ ଶ୍ଳାଘାର ବିଷୟ ନୁହେ । ମିତ୍ରାକ୍ଷର-ବନ୍ଧନୀ କବିର ହସ୍ତପଦ ଶୃଙ୍ଖଳାବଦ୍ଧ କରି ରଖେ । କେବଳ ମିତ୍ରାକ୍ଷର ଅନୁରୋଧରେ କବିର ଭାବ ସଂକଳ୍ପ ପଥରୁ ବିଚ୍ୟୂତ ହୋଇ ବିଭିନ୍ନ ଆକାର ଧାରଣ କରେ; ମାତ୍ର ଅମିତ୍ରାକ୍ଷର ସେରୂପ ନୁହେଁ । ସେଥିରେ କବିର ଭାବ ହସ୍ତପଦ ପ୍ରସାରଣ କରି ଖେଳିବୁଲେ । ମିତ୍ରାକ୍ଷରଠାରୁ ଅମିତ୍ରାକ୍ଷରର ରଚନା ଅବଶ୍ୟ କଠିନ । ସିଦ୍ଧହସ୍ତ ଲେଖକ ନ ହେଲେ ସେଥିରେ କୃତକାର୍ଯ୍ୟତା ଲାଭ କରିବା ବିଡ଼ମ୍ବନାମାତ୍ର । କାଦମ୍ବରୀ ଉତ୍କଳ ଭାଷାର ସୌନ୍ଦର୍ଯ୍ୟସମ୍ପାଦକ ପ୍ରକୃତ ଅମିତ୍ରାକ୍ଷର । ପୁସ୍ତକଖଣ୍ଡି ପଢ଼ୁ ପଢ଼ୁ ମୁଁ ବାସ୍ତବରେ ଆତ୍ମବିସ୍ମୃତ ହୋଇଥିଲି । ସେଥିରେ ଏତେଦୂର ମୋହକ ହୋଇଥିଲି ଯେ, କବିଙ୍କୁ ଧନ୍ୟବାଦ ଦେଇ ପତ୍ର ଲେଖିବା ସକାଶେ ମୋର ମନ ମୋତେ ସ୍ୱତଃପ୍ରବୃତ୍ତ କରାଇଥିଲା; ମାତ୍ର ମୁଁ ଅପରିଚିତ ହେତୁ କାଳେ ମୋର ପତ୍ରଦ୍ୱାରା ରାଜାଙ୍କର ଉଦାର ଅନ୍ତଃକରଣର ଶାନ୍ତିଭଙ୍ଗ ହେବ, ଏହି ଆଶଙ୍କାରେ ସେଥିରୁ ନିବୃତ୍ତ ହେଲି । ରାଜା ମହୋଦୟଙ୍କ ଅମୃତସ୍ରାବୀ ଲେଖନୀରେ କୁସୁମଚନ୍ଦନ ବୃଷ୍ଟିହେଉ ଏବଂ ସେ ଉତ୍ତରୋତ୍ତର ସାହିତ୍ୟସେବାରେ ସୁପ୍ରତିଷ୍ଠା ଲାଭ କରନ୍ତୁ, ଏହାହିଁ ମୋର ଐକାନ୍ତିକ କାମନା । ଉତ୍କଳଭାରତୀ ଉତ୍କଳ ପରିତ୍ୟାଗ କରି ଏବେ ବାମଣ୍ଡା ରୂପ ସାରସ୍ୱତ ଧାମରେ ଆଶ୍ରୟ ନେଇଅଛନ୍ତି ବୋଲି ପ୍ରାତଃସ୍ମରଣୀୟ କବିବର ରାଧାନାଥ ଯାହା ଲେଖିଯାଇଅଛନ୍ତି, ଆମ୍ଭମାନଙ୍କର ରାଜକବି ମହୋଦୟ ସେଥିର ଉଜ୍ଜ୍ୱଳ ଦୃଷ୍ଟାନ୍ତ ପ୍ରଦର୍ଶନ କଲେ । କେହି କେହି ମୋର ଏହି ଉକ୍ତିକୁ ସ୍ତାବକତା ଦୋଷରେ ଦୂଷିତ କରିପାରନ୍ତି; ମାତ୍ର କାଦମ୍ବରୀ ପାଠ ନ କଲେ ମୋର ମନ୍ତବ୍ୟର ସାରବତ୍ତା କେହି ଅନୁଭବ କରିପାରିବେ ନାହିଁ, ଏହା ମୁଁ ଶତ ବାର ଗର୍ବର ସହିତ କହିପାରେ । କାଦମ୍ବରୀ ଯେ ପ୍ରକୃତ କାଦମ୍ବରୀ ତୁଲ୍ୟ, ତାହା ଆରମ୍ଭ କଲେ ଶେଷ ନ କରିବା ଯାଏ ମନ ଅନ୍ୟ ଇଚ୍ଛା କରେ ନାହିଁ, ଏହା ବୋଲିବା ବାହୁଲ୍ୟମାତ୍ର ।

 

୨୮ ତାରିଖଠାରୁ ୪-୧୧-୧୧ ତାରିଖ ପର୍ଯ୍ୟନ୍ତ ଖଣ୍ଡିଏ ପୁସ୍ତକ ଲେଖାରେ ଅତିବାହିତ ହେଲା । ସୁତରାଂ ବିଶେଷ ଘଟଣା ନାହିଁ ।

 

୫-୧୧-୧୧ ରବିବାର - ଉତ୍ତରରୁ ପବନ ଦେଲେ ଚିଲିକାରେ ପ୍ରବଳ ଢେଉ ଉଠେ । ଆଜି ଉତ୍ତରରୁ ବାୟୁ ପ୍ରବାହିତ ହେଉଅଛି । ତେଣୁ ଚିଲିକା କରାଳ ତୁଙ୍ଗ ତରଙ୍ଗମୟ । ସେ ଶୋଭା ମନୋହର ଓ ଭୟଙ୍କର । ଯେମନ୍ତ ବାସୁକି ସହସ୍ର ଫଣା ତୋଳି ଗଭୀର ଗର୍ଜ୍ଜନପୂର୍ବକ ଫେନଛଳରେ ବିଷୋଦ୍‌ଗାର କରୁଅଛି କିମ୍ବା ନୀଳ ଆକାଶରେ ଅସଂଖ୍ୟ ସ୍ତରମେଘ ଧାବମାନ ହେଉଅଛନ୍ତି ଅଥବା ଦରିଦ୍ର ମନରେ ଶତ ଶତ ଆଶା ଜାତ ହୋଇ ପୁଣି ବିଲୟପ୍ରାପ୍ତ ହେଉଅଛି । ଚିଲିକାର ଭୀଷଣ ରୂପ ଦେଖି ଆଜି ଚିଲିକା-ଭ୍ରମଣାଶା ପରିତ୍ୟାଗ କଲି । ଉତ୍ତରରୁ ଆଉ କେତେ ଦିନ ପବନ ବହିବ, ତାହା କିଏ କହିପାରେ ? ପ୍ରକୃତି-ରହସ୍ୟ ଭେଦ କରିବାକୁ କିଏ ବା ସମର୍ଥ ? ଅକାରଣ ଏଠାରେ ବସି ରହିବା ଅପେକ୍ଷା ଦିନେ ଦୁଇଦିନ ଅନ୍ୟ ସ୍ଥାନରେ ବୁଲି ଆସିବା ଭଲ । ଏହା ଭାବି ବ୍ରହ୍ମପୁର ଯିବାକୁ ସ୍ଥିର କଲି । ଜୟକୃଷ୍ଣ ବାବୁ ଜଳଖିଆ ଓ ଚା ଆଣି ଦେଲେ । ଚା ମନ୍ଦାକ ବଡ଼ ସ୍ୱପେୟ ହୋଇଥିଲା; କିନ୍ତୁ ରମ୍ଭାରେ ଭଲ ଜଳଖିଆ ମିଳେ ନାହିଁ । ଜୟକୃଷ୍ଣ ବାବୁଙ୍କ ଚାକର ଭଇ ବୋଲି ବାଛି ଯେଉଁ ଜଳଖିଆ ଆଣିଥିଲା, ତାହା ଅର୍ଦ୍ଧଶତାବ୍ଦୀ ମଧ୍ୟରେ ପ୍ରସ୍ତୁତ ବୋଲି ବୋଧ ହେଉ ନ ଥିଲା । ଯାହାହେଉ ‘‘ଯସ୍ମିନ୍‌ଦେଶେ ଯଦାଚାର’’ । ତହିଁରୁ କିଞ୍ଚିତ୍‌ଉଦରସ୍ଥ କରିବାକୁ ହେଲା । ଷ୍ଟେସନକୁ ଯିବା ସକାଶେ ଜୟକୃଷ୍ଣ ବାବୁ ଖଣ୍ଡିଏ ଗାଡ଼ି କରିଦେଲେ ଏବଂ ଟିକଟ କିଣି ରେଲରେ ମୋତେ ବସାଇଦେବା ସକାଶେ ଜଣେ ଲୋକ ମଧ୍ୟ ପଠାଇଲେ । ଷ୍ଟେସନରେ ଉପସ୍ଥିତ ହେବାର ଅଦ୍ୟବହିତ ପରେ ଉତ୍ତରରୁ ପାସେଞ୍ଜର ଆସି ପହଞ୍ଚିଲା । ପ୍ରାୟ ୧୦ଟା ସମୟରେ ରେଲରେ ବସିଲି । ରମ୍ଭାଷ୍ଟେସନରେ ଭଲ ବାଡ଼ି ମିଳେ । ତାହା ପିଚୁବାଡ଼ି ପରି ସଦୃଶ୍ୟ; କିନ୍ତୁ ଦୃଢ଼ତାରେ ପିଚୁକୁ ପରାସ୍ତ କରେ । ମୂଲ୍ୟ ମଧ୍ୟ ସୁଲଭ । ଏକଅଣାଠାରୁ ତିନିଅଣା ମଧ୍ୟରେ ସ୍ଥାନୀୟ ଭଣ୍ଡାରୀମାନେ କ୍ଷୀରକୋଳି କାଠରେ ଉକ୍ତ ବାଡ଼ି ପ୍ରସ୍ତୁତ କରନ୍ତି । ଷ୍ଟେସନରେ ଦୁଧ, ଦହି ଓ ଛେନା ଅପର୍ଯ୍ୟାପ୍ତ ମିଳେ । ଯଥାସମୟରେ ରେଲ ଛାଡ଼ିଲା । କ୍ରମେ ହୁମା ଓ ଗଞ୍ଜାମ ଷ୍ଟେସନ ଅତିକ୍ରମ କରି ଚାଲିଲା । ଏହିଠାରେ ଜୀର୍ଣ୍ଣ ସୌଧ ତୁଲ୍ୟ କେତେଗୁଡ଼ିଏ ବୃହଦାକୃତିର ସ୍ତୂପ ଦୂରରୁ ଦେଖାଗଲା । ସେଗୁଡ଼ିକ ଋଷିକୁଲ୍ୟା ନଦୀର ତୀର ଏବଂ ସୁଲିନସ୍ଥ ବାଲିସ୍ତୂପ । ଦେଖୁ ଦେଖୁ ରେଲ ଆସି ଉକ୍ତ ନଦୀର ପୋଲ ଉପରେ ଚାଲିଲା । ଋଷିକୂଲ୍ୟା ଗୋଟିଏ ପୌରାଣିକ ନଦୀ । ଏହାର ଜଳ କାଚଧାର ପରି ଅତୀବ ସ୍ୱଚ୍ଛ । ଆକୃତିରେ ବ୍ରାହ୍ମୀ ସଦୃଶ । ଗତିପଥବର୍ତ୍ତୀ ନଦୀମାନଙ୍କ ମଧ୍ୟରେ ଋଷିକୁଲ୍ୟାର ପୋଲ ଅପେକ୍ଷାକୃତ ଦୃଢ଼ ଦେଖାଗଲା । କିଛି ଦୂର ପରେ ଛତ୍ରପୁର ଷ୍ଟେସନ ପଡ଼ିଲା । ଛତ୍ରପୁର ଗଞ୍ଜାମ ଜିଲାର ରାଜଧାନୀ । ଏହାର ଅନ୍ୟ ନାମ ସୀତାରାମପଲ୍ଲୀ । ଏହାରେ ଜିଲା କଲେକ୍‌ଟର ନିବାସ କରନ୍ତି । ସମୁଦ୍ରକୂଳ ହେତୁ ଏ ସ୍ଥାନରେ ଜଳବାୟୁ ସ୍ୱାସ୍ଥ୍ୟକର । ଛତ୍ରପୁରରେ ନଡ଼ିଆ ଗଛ ଓ କିଆବଣ ଅଧିକ । ସମୁଦ୍ରତୀରରେ ଅସଂଖ୍ୟ ଝାଉଁଗଛ ଦେଖାଯାଏ । ଏ ଅଞ୍ଚଳରେ ଏହାକୁ ଚାବୁକ ଗଛ କହନ୍ତି । ଏହା ଆମ୍ଭମାନଙ୍କ ଦେଶରେ ସଙ୍ଗୀତକାରୀ ବୃକ୍ଷ । ସମୁଦ୍ର ତରଙ୍ଗକାଳରେ ଏମାନଙ୍କର ମଧୁର ଗୀତ ମିଶି ବଡ଼ କର୍ଣ୍ଣରସାୟନ ହୁଏ । ଯଥାସମୟରେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚି ଦେଖିଲି, ସେଠାରେ ସୁଦ୍ଧା ପ୍ଳେଗ ସକାଶେ ଟଣାଟଣି । ମୁଁ ରମ୍ଭାରୁ ଟିକଟ କରିଥିବାରୁ ସୌଭାଗ୍ୟବଶତଃ ରକ୍ଷା ପାଇଗଲି । ପ୍ଳାଟଫର୍ମ ପାର ହୋଇ ଗଲା ପରେ ପୁରୀ ପଣ୍ଡାଏ ଯାତ୍ରୀଙ୍କୁ ଟାଣିଲା ପରି ଝରକାବାଲାମାନେ ମୋତେ ଚାରିପାଖରୁ ଓଟାରିଲେ । ଏ ଅଞ୍ଚଳରେ ଝଟକା ବଡ଼ ସୁଲଭ ଏବଂ ସୁବିଧାଜନକ ଯାନ । ଷ୍ଟେସନଠାରୁ ସହର ପ୍ରାୟ ଦେଢ଼ ମାଇଲ ଅନ୍ତର । ସାମାନ୍ୟ ଛଅ ପଇସା ଭଡ଼ାରେ ଝଟକାବାଲାମାନେ ସହରରେ ପହଞ୍ଚାଇଦିଅନ୍ତି । କଟକର ଗାଡ଼ିଆଳ ହୋଇଥିଲେ ଛଅଅଣା ଖୋଜନ୍ତେ । ଛଅ ପଇସାରେ ଖଣ୍ଡିଏ ଝଟକା କରି ସହର ଅଭିମୁଖରେ ଅଗ୍ରସର ହେଲି । ସହରଟି ଦୁଇ ଅଂଶରେ ବିଭକ୍ତ ଭା’ପୁର ଓ ବ୍ରହ୍ମପୁର । କଲେଜ ଓ ଅଫିସ ଅଦାଲତ ପ୍ରଭୃତି ସମସ୍ତ ଭା‘ପୁରରେ ଏବଂ ବ୍ରହ୍ମପୁରରେ ବଡ଼ ବଡ଼ ମହାଜନମାନଙ୍କର ଗୋଦାମ । ବାଟରେ କଲେଜ ଓ ଟାଉନହଲ ପଡ଼ିଲା । ଏ ଉଭୟ ସ୍ୱର୍ଗତ ଖଲ୍ଲିକୋଟ ରାଜାଙ୍କର କୀର୍ତ୍ତି । ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି କଲେଜ ସ୍ଥାପିତ ହୋଇଅଛି । ତହିଁ ପରେ କ୍ଳବ । କ୍ଳବରେ ବଡ଼ଲୋକମାନେ ପୁସ୍ତକ ପତ୍ରିକା ପାଠ ଏବଂ ନାନାପ୍ରକାର ଖେଳ ଖେଳନ୍ତି-। କଲେଜରେ ଓଡ଼ିଆମାନଙ୍କର ଅର୍ଦ୍ଧ ବେତନରେ ପଢ଼ିପାରିବାର ସୁବିଧା ଅଛି । କ୍ଳବ ଓ ଟାଉନ ହଲରେ ଓଡ଼ିଆମାନଙ୍କର ପ୍ରବେଶାଧିକାର ଅଛି କି ନା ଜାଣେ ନାହିଁ ।

 

ସହରରେ ମୋର ଜଣେ ତୈଲଙ୍ଗୀୟ ବନ୍ଧୁ ଅଛନ୍ତି । ମୋତେ ତାଙ୍କରି ଘର ପାଖକୁ ଯିବାକୁ ହେବ । ନାମ କହିବାରୁ ଝଟକାକାଲା ମୋତେ ନେଇ ସେହି ସ୍ଥାନରେ ଓହ୍ଲାଇଦେଲା । ତେତେବେଳକୁ ବାରଟା ବାଜିଯାଇଥିଲା । ଦେଖିଲି ବନ୍ଧୁଟି ଉପସ୍ଥିତ ନାହାନ୍ତି । ସେ ପତ୍ରିକା ପାଠ ସକାଶେ କ୍ଳବକୁ ଯାଇଅଛନ୍ତି । ତାଙ୍କ ଅପେକ୍ଷାରେ ମୁଁ ବସି ରହିଲି । ବସୁ ବସୁ ଚାରିଟା ବାଜିଗଲା-। ଇତିମଧ୍ୟରେ ମଁ ଜଳଖିଆ କରିନେଇଥିଲି । ତହିଁ ପରେ ବନ୍ଧୁଙ୍କ ସହ ସାକ୍ଷାତ । ସେ ମୋତେ ମେଢ଼ା ଉପରକୁ ଘେନିଗଲେ । ତୈଲଙ୍ଗୀୟ ଭାଷାରେ ଦ୍ୱିତଳ ପ୍ରାସାଦକୁ ମେଢ଼ା କହନ୍ତି । ବନ୍ଧୁଟି ସ୍ୱାଗତ ପ୍ରଶ୍ନ କଲା ପରେ ପିଲାକୁଟୁମ୍ବଙ୍କ କୁଶଳ ସମ୍ବାଦ ଏବଂ ବର୍ଷା ଶସ୍ୟର ଅବସ୍ଥା ପ୍ରଭୃତି ଅନେକ କଥା ପଚାରିଲେ । ମୁଁ ଯଥାତଥା ଉତ୍ତର ଦେଲି । ପରକ୍ଷଣରେ ତାଙ୍କର ମାତା ଓ ଭ୍ରାତାମାନେ ଆସି ଉକ୍ତରୂପ ପ୍ରଶ୍ନ କଲେ । ମୁଁ ପାଠପଢ଼ା ପିଲା ପରି ସେହି ଏକ ଉତ୍ତରର ଦ୍ୱିରାବୃତ୍ତି, ତ୍ରିରାବୃତ୍ତି କରିବାକୁ ଲାଗିଲି । ସେମାନଙ୍କ ମୁଖବିନିଃସୃତ ଭଙ୍ଗା ଭଙ୍ଗା ଓଡ଼ିଆ ବୋଲି ଶୁଣିବାକୁ ବଡ଼ କୌତୁକାବହ ହୋଇଥିଲା । ସନ୍ଧ୍ୟା ସମୟରେ ସାମାନ୍ୟ ଜ୍ୱର ବୋଧ ହେଲା । ବିଦେଶ ଜାଗା, ତହିଁରେ ପୁଣି ସଙ୍ଗରେ କେହି ନାହିଁ ! ଏରୂପ ଅବସ୍ଥାରେ ଶରୀର ଅସୁସ୍ଥ ହେଲେ ମନ ଯେରୂପ ହୁଏ, ତାହା ଭୁକ୍ତଭୋଗୀ ବ୍ୟତୀତ ଅନ୍ୟର ଅନୁଭବ୍ୟ ନୁହେ । ରାତ୍ରିରେ ଆହାର ନ କରି ଶୋଇଲି ।

 

ପ୍ରଭାତରୁ ଉଠି ନିତ୍ୟକର୍ମ କଲି; ମାତ୍ର ଶରୀର ଅସୁସ୍ଥ ଥିବାରୁ ସ୍ନାନ କଲି ନାହିଁ । ବନ୍ଧୁଟି ଗ୍ଳାସେ କାଫ ଆଣିଦେଲେ । ପାନ କରିସାରି ତାଙ୍କ ସହ ନାନା ବିଷୟରେ କଥୋପକଥନ କରିବାକୁ ଲାଗିଲି । ୧୧ଟା ବାଜିଗଲା । ବନ୍ଧୁଟି ମୋର ଖାଦ୍ୟର ବ୍ୟବସ୍ଥା କରିବା ସକାଶେ ବ୍ୟଗ୍ର ହୋଇ କହିଲେ, ‘‘ଆପଣ ଓଡ଼ିଆ ହୋଟେଲରେ ଖାଇପାରିବେ ନାହିଁ, ସେଠାରେ ଭଲ ଖାଦ୍ୟ ମିଳେ ନାହିଁ । କମା ହୋଟେଲରେ ଭଲ ସୁବିଧା ହେବ ।’’ ମୁଁ କହିଲି, ‘‘କମା ହୋଟେଲକୁ ନମସ୍କାର ଲୁଣ ଓ ଲଙ୍କାମରିଚର ବହୁଳତାରେ ସେମାନେ ଅଖାଦ୍ୟ ପ୍ରସ୍ତୁତ କରନ୍ତି ଏବଂ କୁକୁର ପରି ପିଣ୍ଡାରେ ଆଣି ଭାତ ଦିଅନ୍ତି । ମୁଁ ବରଂ ଜଳଖିଆ କରିବି, କଦାପି ସେଠାକୁ ଯିବି ନାହିଁ ।’’ ତହୁଁ ତାଙ୍କର ମାଆ କହିଲେ, ‘‘ଆବା, ବାତ କାଇବ ନାଇଁ, ମୁଁ ଘରେ ନେଇ ବାତ ଦେବି, ଆସ ବୋଜନ କରିବ ।’’ ବନ୍ଧୁଟି ମଧ୍ୟ କମା; ମାତ୍ର ସାଧାରଣ କମାଙ୍କ ପରି ତାଙ୍କର ଖାଦ୍ୟ ନୁହେ । ଅନୁରୋଧରେ ପଡ଼ି ଖାଇବାକୁ ଗଲି । ବନ୍ଧୁଙ୍କର ମାଆ ପରିବେଷଣ କଲେ ଏବଂ ମାଆ ପରି ପାଖରେ ବସି ସ୍ନେହ ବଚନ କହି ମୋତେ ଖୁଆଇଦେଲେ । ତାଙ୍କ ଘରର ମୁଗ ଓ ହରଡ଼ ଚଟଣୀ ଖାଇ ବିଶେଷ ତୃପ୍ତି ବୋଧକଲି । ଅମ୍ଳପ୍ରିୟ ତୈଲଙ୍ଗୀୟମାନେ ଉପାଦେୟ ଚଟଣୀ ପ୍ରସ୍ତୁତ କରନ୍ତି । ଚଟଣୀକୁ ସେମାନେ ପାଚେଡ଼ୀ କହନ୍ତି । ସେମାନଙ୍କ ପ୍ରସ୍ତୁତ ପାଚେଡ଼ୀ ଏରୂପ ସୁସ୍ୱାଦୁ ଯେ, ତରକାରୀ ଅଭାବରେ ସୁଦ୍ଧା ଭାତ ଉଠିଯାଏ । ଭୋଜନାନ୍ତେ ପୁସ୍ତକ ପତ୍ରିକା ପାଠରେ ନିଯୁକ୍ତ ହେଲି । ସେଦିନ ରାତ୍ରିରେ ସୁଦ୍ଧା ସେହି ବନ୍ଧୁଙ୍କ ଘରେ କୁଣିଆ ହୋଇଥିଲି ।

 

୩୦-୧୨-୧୧ ସୋମବାର । ମୋର ପ୍ରଭାତରୁ ସ୍ନାନ କରିବାର ଅଭ୍ୟାସ ଅଛି । ଗତ ରାତ୍ରିରେ ଜଳର ବ୍ୟବସ୍ଥା କରିବା ସକାଶେ ବନ୍ଧୁଙ୍କୁ କହିବାରୁ ସେ ଚାକରକୁ ଡାକି କହିଦେଲେ । ଚାକରଟି ଗରାଏ ପାଣି ଆଣି ରଖିଦେଲା । ଆବକ୍ଷ-ପରିମିତ ନଦୀ ଜଳରେ ଯେ ଅତୃପ୍ତ, ଗରାଏ ପାଣି ତାହାର ମନ୍ତ୍ରସ୍ନାନକୁ ନଅଣ୍ଟ । ଯାହାହେଉ କାକସ୍ନାନ ତୁଲ୍ୟ ସ୍ନାନକରି ବନ୍ଧୁ-ପ୍ରଦତ୍ତ କାଫି ପାନ କଲି । ଶରୀର ଟିକିଏ ଉପଶମ ବୋଧ ହେବାରୁ ବ୍ରହ୍ମପୁର ସହର ଭ୍ରମଣରେ ବାହାରିଲି । ସହରଟି କ୍ଷୁଦ୍ର; କିନ୍ତୁ ବହୁଶାଖାବିଶିଷ୍ଟ । ମ୍ୟୁନିସପାଲିଟିର ପ୍ରସାଦରୁ ସହରଟି ପରିଷ୍କୃତ ପରିଚ୍ଛନ୍ନ । ମହାଜନମାନେ ଦ୍ୱିତଳ ତ୍ରିତଳ ପ୍ରାସାଦରେ ଦୋକାନ ଖୋଲି ବସିଅଛନ୍ତି । ତୈଲଙ୍ଗୀୟମାନେ ସାଧ୍ୟମତେ ସ୍ୱଦେଶୀ ପଦାର୍ଥ ବ୍ୟବହାର କରନ୍ତି, ବିଦେଶୀୟ ପଦାର୍ଥରେ ସେମାନଙ୍କର ମନଃପୂତ ହୁଏ ନାହିଁ । ତେବେ ଯାହା ସ୍ୱଦେଶରେ ଅଭାବ, ଏରୂପ ଆବଶ୍ୟକ ବିଦେଶୀୟ ପଦାର୍ଥମାନ କ୍ୱଚିତ୍‌ବ୍ୟବହାର କରିବା ଦେଖାଗଲା । ଏ ଅଞ୍ଚଳରେ ଜରି ଲୁଗାମାନ ଅତି ସୁନ୍ଦର; ମାତ୍ର ମୂଲ୍ୟ ଅଧିକ । ବ୍ରହ୍ମପୁରରେ ଭଲ ପାଟ ମିଳେ । ରତ୍ନଜଡ଼ିତ ସ୍ୱର୍ଣ୍ଣାଳଙ୍କାରର କାରୁକାର୍ଯ୍ୟ ଅତି ଚମତ୍କାର ! ଏ ଅଞ୍ଚଳରେ ଦିଆସିଲାଇକୁ ନିଆଁପେଡ଼ି, ଶ୍ଳେଟକୁ ପଙ୍କପଟା, ବାଟକୁ ରେଲମୁଣା - ଏହିପରି ସ୍ୱଦେଶୀ ନାମରେ ଅଭିହିତ କରିଅଛନ୍ତି । ଓଡ଼ିଆମାନଙ୍କର ବେଶଭୂଷଣ, ଆଚାର ବ୍ୟବହାର ସବୁ ତୈଲଙ୍ଗୀୟ ଧରଣର । କିନ୍ତୁ ସେମାନଙ୍କର ଭାଷାରୁ ତୈଲଙ୍ଗ ଶବ୍ଦ ବାଦ୍‌ଦେଲେ ବାକୀ ଯାହା ରହେ, ତାହା ଖାଣ୍ଟି ଓଡ଼ିଆ । ସହର ବୁଲୁଁ ବୁଲୁଁ ୧୦ଟା ବାଜିଗଲା । ଦଳ ଦଳ ଓକିଲ, ଅମଲା ପ୍ରଭୃତି କଚେରୀକୁ ବାହାରିଲେ । ସାନଠାରୁ ବଡ଼ କର୍ମଚାରୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ତୈଲଙ୍ଗୀୟ । ତୈଲଙ୍ଗୀୟମାନେ ଆଡ଼ମ୍ବରପ୍ରିୟ ନୁହନ୍ତି । ଅନେକ ବଡ଼ଲୋକଙ୍କୁ ଯୋତା ଛତା ବ୍ୟବହାର ନ କରି ଚାଲିଯାଉଥିବାର ଦେଖାଗଲା । ଆଜି ମୋତେ ରମ୍ଭା ଫେରିଯିବାକୁ ହେବ । ୧୧ଟା ବେଳେ ଫେରି ଆସି ବନ୍ଧୁଙ୍କ ଘରେ ଆହାରାଦି ସମାପନ କଲି । ୫ଟା ସମୟରେ ଝଟକାରେ ଷ୍ଟେସନକୁ ଆସିଲି । ଅନନ୍ତର ଟିକଟ କିଣି ରେଲରେ ବସି ରମ୍ଭା ଆସିଲି । ପ୍ରାୟ ରାତ୍ରି ୭ଟା ସମୟରେ ବେଲ ରମ୍ଭା ଷ୍ଟେସନରେ ପହଞ୍ଚିଲା । ଆସିବା ଦିନ ନିଶ୍ଚୟ କରି ପତ୍ର ଦେଲେ ଜୟକୃଷ୍ଣ ବାବୁ ରେଲ ଷ୍ଟେସନକୁ ଗାଡ଼ି ପଠାଇବାକୁ କହିଥିଲେ; ମାତ୍ର ନାନା ଅନିବାର୍ଯ୍ୟ କାରଣବଶତଃ ମୁଁ ପତ୍ର ନ ଦେଇ ବାହାରି ଆସିଲି । ବାଗ୍‌ଖଣ୍ଡି ହାତରେ ଧରି ୮ଟା ସମୟରେ ରମ୍ଭା ଗ୍ରାମରେ ଉପନୀତ ହେଲି । ଏକୁଟିଆ ଆସିବାର ଦେଖି ଜୟକୃଷ୍ଣ ବାବୁ ଦୁଃଖିତ ହେଲେ; ମାତ୍ର ମୁଁ ତାଙ୍କୁ କଥା ପ୍ରସଙ୍ଗରେ ଭୁଲାଇଦେଇ ପଥରେ କୌଣସି କଷ୍ଟ ବା ଅସୁବିଧା ହୋଇ ନ ଥିବାର କହିଲି । ରାତ୍ରିରେ ଆହାରାନ୍ତେ ଶୟନ କଲି ।

 

ପୁରୀ ନିମିକ ବିଭାଗୀୟ ଖଣ୍ଡିଏ ବୋଟ ମରାମତି ସକାଶେ ଜୟକୃଷ୍ଣ ବାବୁ କଣ୍ଟ୍ରାକ୍‌ଟ ନେଇଥିଲେ । ସେଥିର କାର୍ଯ୍ୟ ସମାପ୍ତ ହେବାରୁ ବୋଟଖଣ୍ଡି ଆଜି ରାତ୍ରିରେ ପୁରୀ ଯିବାର ନିଶ୍ଚୟ ହୋଇଥିଲା । ଜୟକୃଷ୍ଣ ବାବୁ ତାହାର ଦୋଷ ଗୁଣ ପରୀକ୍ଷା କରିବା ସକାଶେ ସେହି ବୋଟରେ ବରକୁଦା ପର୍ଯ୍ୟନ୍ତ ଯିବେ । ସଙ୍ଗରେ ମୋର ମଧ୍ୟ ଯିବାର ସ୍ଥିର ହୋଇଥିଲା । ରାତ୍ରି ୧୧ ଘଣ୍ଟା ସମୟରେ ଜୟକୃଷ୍ଣ ବାବୁ, ମୁଁ ଓ ଆଉ ଦୁଇଜଣ ବନ୍ଧୁ ବୋଟରେ ଚଢ଼ିଲୁ । ବୋଟ କ୍ଷିପ୍ର ଗତିରେ ଅଗ୍ରସର ହେବାକୁ ବସିଲା । ଚନ୍ଦ୍ରପକ୍ଷ ରାତ୍ରି ହେଲେ ସୁଦ୍ଧା ମେଘାବରଣ ହେତୁ ଚିଲିକା ସ୍ପଷ୍ଟ ଦେଖାଯାଉ ନ ଥିଲା । କେବଳ ଚତୁର୍ଦ୍ଦିଗ ଧୂମ୍ର-ବର୍ଣ୍ଣରେ ଆବୃତ ଥିଲା । ପ୍ରାୟ ଗୋଟାକ ସମୟରେ ଆମ୍ଭେମାନେ ବର କୁଦାରେ ପହଞ୍ଚିଲୁ । ଏହା ଚିଲିକାମଧ୍ୟସ୍ଥ ଖଣ୍ଡିଏ କ୍ଷୁଦ୍ର ଦ୍ୱୀପ । ଅନେକ ବରଗଛ ଥିବାରୁ ସମ୍ଭବତଃ ଏହାର ନାମ ବରକୁଦା ହୋଇଅଛି । ଏଠାରେ ଖଲ୍ଲିକୋଟ ରାଜାଙ୍କର ଗୋଟିଏ ରମଣୀୟ ଦ୍ୱିତଳ ହର୍ମ୍ୟ ଓ ଅନ୍ୟାନ୍ୟ କେତେକ ଗୃହ ଅଛି । ସେ ସମସ୍ତ ୧୯୦୫ ଖ୍ରୀଷ୍ଟାବ୍ଦରେ ପ୍ରସ୍ତୁତ ହୋଇଥିଲା । ବଙ୍ଗଳାର ନାମ ଚିଲିକା-ଆଶ୍ରମ । ଆଶ୍ରମଟି ସାଜସଜ୍ଜାରେ ଭାରାକ୍ରାନ୍ତ ହୋଇ ସ୍ୱର୍ଣ୍ଣଲଙ୍କାକୁ ଉପହାସ କରୁଅଛି । ଆମ୍ଭେମାନେ ସେହି ଆଶ୍ରମରେ ରାତ୍ରି ଯାପନ କଲୁ ।

 

୭-୧୧-୧୧ ମଙ୍ଗଳବାର - ରାତ୍ରି ୪ଟା ସମୟରେ ଉଠି ପ୍ରାତଃକୃତ୍ୟ ସମାପନାନ୍ତେ ଏକାକୀ ଚିଲିକାକୂଳକୁ ବୁଲିବାକୁ ଗଲି । ଏଠାରେ ଚିଲିକାର ବେଳା ପ୍ରଦେଶ ଖଣ୍ଡୋପଳମୟ । ଶୁକ୍ଳବର୍ଣ୍ଣର ସିପ ଶାମୁକାମାନ ତହିଁରେ ବିକ୍ଷିପ୍ତ ହୋଇ ଚନ୍ଦ୍ରକିରଣରେ ଝଟକୁଅଛି । ବେଳାରେ ଅନେକ କରଞ୍ଜଗଛ ଅଛି । ସେଗୁଡ଼ିକ ମୂଳରୁ ଶାଖାପ୍ରଶାଖାବିଶିଷ୍ଟ ହୋଇ ସୁନ୍ଦର ଆକୃତି ଧାରଣ କରିଅଛି । ଜ୍ୟୋତ୍ସ୍ନାବିଧୌତ ପତ୍ରାବଳୀରୁ ମୁକ୍ତା ତୁଲ୍ୟ ନୀହାରକଣିକା ଝରିପଡ଼ୁଥାଏ । ଏକପ୍ରକାର ଶୁକ୍ଳବର୍ଣ୍ଣର ଶିଉଳି ଚିଲିକା କୂଳରେ ମାଡ଼ିଥିବାର ଦେଖିଲି । ସେଗୁଡ଼ିକ କରତୀ ଚିଲିକାର କେଶ ତୁଲ୍ୟ ବୋଧହେଲା । ଚିଲିକାବିହାରୀ ମରାଳକୁଳର କଳନିସ୍ୱନ ବେଳାକୁ ପ୍ରତିଧ୍ୱନିତ କରୁଥାଏ । ହଂସମାନେ ଶରତ୍‌ପ୍ରାରମ୍ଭରେ କେଉଁ ଅଜ୍ଞାତ ପ୍ରଦେଶରୁ ଆସି ଚିଲିକାର ବକ୍ଷ ଆଚ୍ଛାଦନ କରନ୍ତି । ଗ୍ରୀଷ୍ମକାଳ ଶେଷରେ ପୁଣି କେଉଁ ଅଜ୍ଞାତ ପ୍ରଦେଶକୁ ଚାଲିଯାଆନ୍ତି । କେହି କେହି କହନ୍ତି, ଏମାନେ ମାନସରୋବରରୁ ଉଡ଼ି ଆସି ବର୍ଷାଗମରେ ପୁଣି ସେହିଠାକୁ ଯାଆନ୍ତି । ପ୍ରାୟ ୫ଟାବେଳେ ଆଶ୍ରମକୁ ଫେରି ଆସିଲି । ଶୁଣିଲି, ସ୍ୱର୍ଗତ କବିବର ରାୟ ରାଧାନାଥ ରାୟ ବାହାଦୂର ଥରେ ବରକୁଦାକୁ ଆସି ସ୍ଥାନର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ସେଠାରେ ଗୋଟିଏ ଆଶ୍ରମ ପ୍ରସ୍ତୁତ କରିବା ସକାଶେ ସ୍ୱର୍ଗତ ଖଲ୍ଲିକୋଟ ମହାରାଜ ହରିହର ମର୍ଦ୍ଦରାଜ ଦେବଙ୍କୁ ଅନୁରୋଧ କରିଥିଲେ । ତାଙ୍କରି ଅନୁରୋଧକ୍ରମେ ଆଶ୍ରମର ପ୍ରତିଷ୍ଠା । ଏଠାରେ ଗାସାଲୋକ ଓ ଜଳକଳର ବ୍ୟବସ୍ଥା ଥିଲା-। ରାଜାଙ୍କ ମୃତ୍ୟୁ ପରେ କୋର୍ଟ ଅବ୍‌ଉଆର୍ଡ଼ସ ଅନାବଶ୍ୟକ ଜ୍ଞାନରେ ତାହା ଉଠାଇ ଦେଇଅଛନ୍ତି । ଆଶ୍ରମର ଚତୁଃପାର୍ଶ୍ୱରେ କେତେଗୁଡ଼ିଏ ବର ଓ ନିମ୍ବ ବୃକ୍ଷ ଅଛି । ମୂଳରେ ପକ୍‌କାର ବେଦୀ ବନ୍ଧା ହୋଇଥିବାରୁ ବୃକ୍ଷଗୁଡ଼ିକ ଊର୍ଦ୍ଧ୍ୱବାହୁ ଯତି ବେଦୀରେ ଉଭା ହୋଇ ଧ୍ୟାନମଗ୍ନ ଥିଲା ପ୍ରାୟ ପ୍ରତୀୟମାନ ହୁଏ । ଦ୍ୱିତଳ ପ୍ରାସାଦର ଉପରକୁ ଉଠି ଚାହିଁଲେ ପାଲୁର ରାଜାଙ୍କ ଗଡ଼ର ଅସ୍ପଷ୍ଟ ଛବି ଦେଖାଯାଏ । ସମ୍ମୁଖରେ ଚଢ଼ାଇଗୁହା ପର୍ବତ । ଦୂରବୀକ୍ଷଣ ସାହାଯ୍ୟରେ ଦେଖିଲି, ପର୍ବତ ନିକଟରେ ଅସଂଖ୍ୟ ପକ୍ଷୀ ଚିଲିକାର ବକ୍ଷ ଆଚ୍ଛାଦନ କରି ଉଡ଼ୁଅଛନ୍ତି ।

 

ଅନନ୍ତର ବନ୍ଧୁମାନଙ୍କ ସମଭିବ୍ୟାହାରରେ ଦ୍ୱୀପ ପରିଭ୍ରମଣରେ ବହିର୍ଗତ ହେଲି । ଦ୍ୱୀପଟି ଛଣପଟ ତୁଲ୍ୟ ଏକପ୍ରକାର ଗୁଲ୍ମରେ ପରିପୂର୍ଣ୍ଣ । ସେଥିର ପୀତବର୍ଣ୍ଣର ପୁଷ୍ପଶୀର୍ଷଗୁଡ଼ିକ ଦୀପଶିଖା ପ୍ରାୟ ଦେଖାଯାଏ । କେଉଁଠାରେ କ୍ଷୁଦ୍ର ଅରଣ୍ୟ, କେଉଁଠାରେ ବା ଧୂତୁରା ଗଛସମୂହ ତୂରିକା ବାଦ୍ୟ ତୁଲ୍ୟ ଫୁଲ ଧାରଣ କରି ଉଭା ହୋଇଅଛନ୍ତି । ଭ୍ରମରମାନେ ଆଖୁ ବାଡ଼ିରେ ପଶିଲା ପରି ପୁଷ୍ପରୁ ପୁଷ୍ପାନ୍ତରକୁ ଉଡ଼ିଯାଉ ଅଛନ୍ତି । ସେମାନଙ୍କର ମଧୁର ଗୁଞ୍ଜନ ପୃଥୁଳ ଭାବ ଧାରଣ କରି ବେହେଲାର ଶବ୍ଦକୁ ଧିକ୍‌କାର କରୁଥାଏ । ଦ୍ୱୀପରେ ବର, ନିମ୍ବ ଓ ଆତବୃକ୍ଷ ଅଧିକ । ବରଗଛ ମୂଳରେ ମାଛକଣ୍ଟା ପଡ଼ିଥିବାର ଦେଖାଗଲା । ଶୁଣିଲି, କୁରୁବଳ ନାମରେ ଏକପ୍ରକାର ବୃହତ୍‌ପକ୍ଷୀ ଚିଲିକାରୁ ବଡ଼ ବଡ଼ ମାଛ ଧରି ଆଣି ଉଚ୍ଚ ବୃକ୍ଷମାନଙ୍କରେ ବସି ଖାଆନ୍ତି । କିୟଦ୍ଦୂର ଅଗ୍ରସର ହୋଇ ଗୋଟିଏ କୂପ ଦେଖିଲୁ । ସେଥିରେ ଅସଂଖ୍ୟ ପାରାବତ ପକ୍ଷୀ ଦାସ କରି ରହିଅଛନ୍ତି । ଦୁର୍ଜନ ଆଗମନରେ ସଜ୍ଜନ ସ୍ଥାନ ତ୍ୟାଗ କଲା ପରି ଆମ୍ଭମାନଙ୍କୁ ଦେଖି ସେମାନେ ଉଡ଼ି ପଳାଇଲେ । ଦ୍ୱୀପରେ ଅନେକ ଏରା ପକ୍ଷୀଙ୍କର ବାସ । ଏମାନଙ୍କର ଥଣ୍ଟ ବଗଥଣ୍ଟଠାରୁ ଲମ୍ବ । ଏ ଅଞ୍ଚଳରେ ଏହାକୁ କାଙ୍କବଗ ବୋଲି କହନ୍ତି । ଏରା ପକ୍ଷୀଙ୍କୁ ପାଇକମାନେ ଟୋପରରେ ଲଗାଇ ପିନ୍ଧନ୍ତି । ଦ୍ୱୀପରେ ଅନେକ ମୃଗ ଅଛନ୍ତି । ଆମ୍ଭେମାନେ ମୃଗ ଦେଖିଲୁ ନାହିଁ; କେବଳ ଶବ୍ଦମାତ୍ର ଶୁଣିଅଛୁ । ଏଠାରେ ବନଦୁର୍ଗାଙ୍କର ଗୋଟିଏ କ୍ଷୁଦ୍ର ମନ୍ଦିର ଅଛି । ଗୋଟିଏ କ୍ଷୁଦ୍ର ପୁଷ୍କରିଣୀ ମଧ୍ୟ ଅଛି; ମାତ୍ର ବୁରଝାଞ୍ଜି ଦ୍ୱାରା ଆବୃତ ହୋଇ ସମ୍ପ୍ରତି ତାହାର ଜଳ ଅପେୟ ହୋଇଅଛି । ବନ ମଧ୍ୟରେ ଯିବା ସମୟରେ ଅପାମାର୍ଗ ଜଟା ତୁଲ୍ୟ ଏକପ୍ରକାର ଗୁଳ୍ମରେ ଜଟାରେ ଆମ୍ଭମାନଙ୍କର ପରିଧେୟ ଓ ପରିଚ୍ଛଦ ବସ୍ତ୍ର ନିବିଡ଼ ଭାବରେ ଆଳଙ୍କୃତ ହୋଇଗଲା । ଦୁଇଜଣ ଖଲାସି ଅର୍ଦ୍ଧଘଣ୍ଟା ପରିଶ୍ରମ କରି ମୋର ସେହି ଅଳଙ୍କାରଗୁଡ଼ିକ ବାହାର କରିଥିଲେ ।

 

ଆମ୍ଭେମାନେ ୮ଟା ସମୟରେ ଜାଲିବୋଟ ଦ୍ୱାରା ରମ୍ଭା ଅଭିମୁଖରେ ପ୍ରସ୍ଥାନ କଲୁ । ରହିବା ସମୟରେ ଚିଲିକା ଶାନ୍ତଭାବ ଧାରଣ କରିଥିଲା । କାମଳ ନାମକ ଏକପ୍ରକାର ଧାବନପଟୁ ପକ୍ଷୀ ତୀରସ୍ଥ ବାଲୁକାମୟ ପ୍ରଦେଶରେ ବିତରଣ କରିବାର ଦେଖିଲୁ । ଏମାନଙ୍କର ବର୍ଣ୍ଣ ମାଟିଆ । ଏମାନେ ମତ୍ସ୍ୟାଶୀ ନୁହନ୍ତି; ବାଲିରୁ କୀଟାଦି ଖୁଣ୍ଟି ଖାଇ ଜୀବନ ଧାରଣ କରନ୍ତି । ଚିଲିକା ମଧ୍ୟରେ ଅନେକ ଗଣ୍ଡଶୈଳ ଅଛି । ସେମାନେ ଦୂରରୁ କୁମ୍ଭୀର ଭାସିଲା ପରି ଦେଖାଯାଉଥାଏ । ଏହି ସଙ୍କଟମାନଙ୍କ ହେତୁ ନୌଚରମାନେ ଅତି ସାବଧାନରେ ନୌକା ନେବା ଆଣିବା କରନ୍ତି । ସ୍ଥାନେ ସ୍ଥାନେ ଅନେକ ସମୁଦ୍ର ଚିଲ ପହଁରୁଥିବାର ଦେଖାଗଲା । ଇଂରାଜୀ ଭାଷାରେ ଏମାନେ ସିଗଲ ନାମରେ ଅଭିହିତ । ଏକ ସ୍ଥାନରେ ଗୋଟିଏ ବୃହତ୍‌ଗାମୁଆ କୁମ୍ଭୀର ଭାସୁଥିବାର ଦେଖିଲୁ । ନାବିକମାନେ ଦେଖି ମନୁଷ୍ୟଖିଆ କୁମ୍ଭୀର ବୋଲି ଚିତ୍କାର କରି ଉଠିଲେ । କୁମ୍ଭୀରଟାର ମୁଖ ଖୁବ୍‌ଗୋଜିଆ । ଗାମୁଆମାନେ ନରମାଂସାଶୀ ସତ୍ୟ; ମାତ୍ର ଚିଲିକାରେ କେବେ କାହାକୁ କୁମ୍ଭୀର ଧରିବାର ଶୁଣା ନାହିଁ । ଆସିବାବେଳେ ଜୟକୃଷ୍ଣ ବାବୁ ଅଙ୍ଗୁଳି ନିର୍ଦ୍ଦେଶପୂର୍ବକ ଚିଲିକା ମଧ୍ୟସ୍ଥ ଜଟିଆ, କାଙ୍କଣ, ଶିଖରୀ ପ୍ରଭୃତି ପର୍ବତମାନ ମୋତେ ଦେଖାଇ ଦେଇଥିଲେ । କିୟଦ୍ଦୂରାନ୍ତେ ପଥରେ ଛେଳିଆକୁଦା ପଡ଼ିଲା । ଏହା ହ୍ରଦ ମଧ୍ୟସ୍ଥ ଗୋଟିଏ ଦ୍ୱୀପ । ସମସ୍ତେ ବୋଟରୁ ଓହ୍ଲାଇ ସେହି ଦ୍ୱୀପଟି ଦେଖିବା ନିମନ୍ତେ ଗଲୁ ।

 

ଛେଳିଆକୁଦାର ନାମକରଣ ସମ୍ବନ୍ଧରେ ନାନା ଲୋକଙ୍କର ନାନା ମତ । କେହି କହେ, ପୂର୍ବେ ଏଠାରେ ଅନେକ ଛେଳି ଥିବାରୁ ଏରୂପ ନାମ ହୋଇଅଛି । ପୁଣି କେହି କହେ, ଏଠାରେ ହରିଣମାନେ ଛେଳି ପରି ଦଳ ଦଳ ହୋଇ ବୁଲୁଥିଲେ ବୋଲି ଏହାର ନାମ ଛେଳିଆକୁଦା ହୋଇଅଛି । ଯେଉଁ କାରଣରୁ ହେଉ, ସେ ପ୍ରତ୍ନତତ୍ତ୍ୱ ବିଦ୍ୟାର ତଥ୍ୟସଂଗ୍ରହ ଆମ୍ଭମାନଙ୍କର ଆଲୋଚ୍ୟ ନୁହେଁ । ଦ୍ୱୀପ ଉପରେ ଉଠି ଦେଖିଲୁ, ତାହା ଭୀଷଣସ୍ଥଳୀ ହେଲେ ସୁଦ୍ଧା ଭୟ ବୋଧ ହେଲା ନାହିଁ । ଉତ୍କଣ୍ଠା ହୃଦୟ ଅଧିକାର କଲେ ଭୟ ପଶିବାକୁ ସାହସୀ ହୁଏ ନାହିଁ । ପ୍ରତ୍ୟୁତ ସେ ଭୟ କରି ଦୂରକୁ ପଳାଏ । ଗତିପଥରେ ଗୋଟିଏ ବିସ୍ତୃତ ଆତ ତୋଟା ପଡ଼ିଲା । ଗଛମାନ ଫଳଭାରରେ ନମ୍ର । ସେଥିରେ ମନୁଷ୍ୟର ଅଧିକାର ନାହିଁ । ବନପକ୍ଷୀଙ୍କର ତାହା ଚିରସ୍ଥାୟୀ ପଟ୍ଟା-। ଆମ୍ଭେମାନେ ଲୋଭପରବଶ ହୋଇ ଖଣ୍ଟମାନେ ଗୃହସ୍ଥର ସର୍ବସ୍ୱ ହରଣ କଲା ପରି ଗଛଗୁଡ଼ିକୁ ଫଳଶୂନ୍ୟ କଲୁ । ଅନେକ ଫଳ ତୋଳିଲୁ, ତଥାପି ଦୁର୍ବାର ଲାଳସାର ବିରାମ ନାହିଁ । ବରଂ ଲୋଭନୀୟ ପଦାର୍ଥ ଯେତେ ଦେଖୁଥାଏ, ସେ ଉତ୍ତରୋତ୍ତର ତେତେ ବୃଦ୍ଧି ପାଉଥାଏ । କ୍ରମେ ଅଗ୍ରସର ହୋଇ ଆତ ତୋଳୁ ତୋଳୁ ଅଗମ୍ୟ ଅରଣ୍ୟରେ ଯାଇଁ ଉପସ୍ଥିତ ହେଲୁ । ବୃକ୍ଷଚ୍ଛାୟାଶ୍ରୟୀ ରୋମନ୍ଥରତ କୁରଙ୍ଗମାନେ ଆମ୍ଭମାନଙ୍କୁ ଦେଖି ପଳାୟନପରାୟଣ ହେଲେ । ଆମ୍ଭେମାନେ କୌତୂହଳାକ୍ରାନ୍ତ ହୋଇ ହାତ ତାଳି ଦେଲୁ । ତହୁଁ ସେମାନେ ଅଧିକ ଭୀତ ହୋଇ ତୀର ବେଗରେ ଛୁଟି ପଳାଇଲେ । ବନଟି ହିଂସ୍ରଜନ୍ତୁଶୂନ୍ୟ, ଅତଃ ମୃଗମାନେ ନିର୍ଭୟରେ ବାସ କରନ୍ତି । କ୍ରମେ ସୂର୍ଯ୍ୟକିରଣ ଅଧିକ ହେବାରୁ ଆମ୍ଭେମାନେ ବନ ମଧ୍ୟରୁ ବାହାରିବାକୁ ଚେଷ୍ଟା କଲୁ; ମାତ୍ର ଦୈବୀ ଦୁର୍ବିପାକରୁ ପଥଭ୍ରାନ୍ତ ହେଲୁ । ସମୁଦ୍ର ପରି ଅରଣ୍ୟରେ ପଥଭ୍ରାନ୍ତ ହେଲେ ପୁନଶ୍ଚ ପଥ ପାଇବା ସହଜ ନୁହେଁ । ତହୁଁ ଅଗତ୍ୟା ଆମ୍ଭମାନଙ୍କୁ ଅପଥର ଆଶ୍ରୟ ନେବାକୁ ହେଲା । କେଉଁଠାରେ ନଈ, କେଉଁଠାରେ ପଶୁ ପରି ହସ୍ତପଦ ଉଭୟ ସାହାଯ୍ୟରେ ଚାଲି ଏବଂ କେଉଁଠାରେ ବା ସରୀସୃପ ପରି ଶୋଇ ଶୋଇ ଅଗ୍ରସର ହେଲୁ । ବୋଧହୁଏ ହରିଣମାନଙ୍କର ସ୍ୱାଧୀନତା ଓ ବିଳାସରେ ବାଧା ଦେବାରୁ ଆମ୍ଭମାନଙ୍କ ପ୍ରତି ସେମାନଙ୍କର ଅଭିଶାପ ପଡ଼ିଲା । ଏ ବନର ରାସ୍ତାଘାଟି ବିଷୟରେ ଆମ୍ଭେମାନେ ସମସ୍ତେ ଅନଭିଜ୍ଞ । କିଏ କାହାକୁ ପଥ ଦେଖାଉଛି ? ଅନ୍ଧ ଅନ୍ଧକୁ ପଥ ଦେଖାଇବାକୁ ସମ୍ପୂର୍ଣ୍ଣ ଅକ୍ଷମ । ଯାହାହେଉ, ବୋଟର ସାରଙ୍ଗ ସାହସ ଅବଲମ୍ବନପୂର୍ବକ ଅଗ୍ରସର ହେଲେ । ଆମ୍ଭେମାନେ ତାଙ୍କର ପଶ୍ଚାଦ୍‌ଗାମୀ ହେଲ । କିଏ କଣ୍ଟକରେ କ୍ଷତବିକ୍ଷତ ହେଲା । କାହାର ଗୋଡ଼ରେ ଖୁଞ୍ଚ ପଶିଲା ଏବଂ କାହାର ବା ଲୁଗା ଚିରିଗଲା । ଏହିପରି ଆତଫଳ ତୋଳିବାର ଉପଯୁକ୍ତ ପୁରସ୍କାର ପାଇଲୁ । ସମସ୍ତେ ଅବସନ୍ନ, ସମସ୍ତେ ଘର୍ମାକ୍ତ, ତଥାପି କାନ୍ଦି କୁନ୍ଥାଇ ଅଗ୍ରସର ହେଲୁ । ଦୈବାତ୍‌କେତେ ଦୂରରେ ଗୋଟାଏ ପଥ ମିଳିଲା । ସେହି ପଥ ଧରି ଚିଲିକାର ବେଳାଭୂମିରେ ଆସି ଉପସ୍ଥିତ ହେଲୁ । ସେଠାରେ ବେଳା ବାଲୁକାମୟ । ଦେଖିଲୁ କ୍ଷୁଦ୍ର ଶଙ୍ଖରେ ବେଳା ତାରକିତ ହୋଇଅଛି । ଜୟକୃଷ୍ଣ ବାବୁ ଶଙ୍ଖ ସଂଗ୍ରହରେ ନିଯୁକ୍ତ ହେଲେ । ମୁଁ ମଧ୍ୟ ତାଙ୍କ ସହିତ ଯୋଗ ଦେଲି । ଏକ ସଙ୍ଗରେ ଯାତ୍ରା ଦେଖା କୋଳିବିକା ହେଲା ପରି ଶଙ୍ଖ ସଂଗ୍ରହ ଏବଂ ପଥାତିକ୍ରମ ଉଭୟ କାର୍ଯ୍ୟ ଚଳିଲା । କ୍ରମେ ଆସି ବୋଟ ପାଖରେ ଉପସ୍ଥିତ ହେଲୁ । ବେଳା ଓ ବୋଟ ଉଭୟ ମଧ୍ୟରେ ଜଳର ବ୍ୟବଧାନ ଥିଲା । ପୁଣି ଜଳ ମଧ୍ୟସ୍ଥ ଶଳାମାନ ପଙ୍କପିଚ୍ଛିନ୍ନ । ସୁତରାଂ ଆମ୍ଭମାନଙ୍କ ଗତି ପଥର ଅସାଧ୍ୟ । ତହୁଁ ସେବକମାନେ ଜଗନ୍ନାଥଙ୍କୁ ରଥରେ ବିଜେ କରାଇଲା ପରି ଖଲାସିମାନେ ଆମ୍ଭଙ୍କୁ ଟେକିନେଇ ବୋଟରେ ଚଢ଼ାଇଲେ । ମୁଁ ତୃଷ୍ଣାରେ ନିତାନ୍ତ ଅସ୍ଥିର ହୋଇଥିଲି । ଦୁର୍ଭିକ୍ଷକ୍ଳିଷ୍ଟ ଅନ୍ନାତୁର ଲୋକ ଅଖାଦ୍ୟ ଉଦରସ୍ଥ କଲା ପରି ମଧୁର ଜଳ ଅଭାବରେ ଚିଲିକାର ଲବଣାକ୍ତ ଜଳ ପାନରେ ଇଚ୍ଛା ବଳାଇଲି । ବନ୍ଧୁମାନେ ନିଷେଧ କଲେ; ମାତ୍ର ମୁଁ ତୃଷାରେ ଶୁଷ୍କକଣ୍ଠ, ଏ ଅବସ୍ଥାରେ ନିଷେଧ ମାନେ କିଏ ? ପ୍ରାଣବିକଳରେ ଲୋକ ପାଣ ଘରେ ସୁଦ୍ଧା ଖାଏ । ଲବଣାକ୍ତ ଜଳ ପିଇବାକୁ ଚେଷ୍ଟା କଲି; ମାତ୍ର ପିଇପାରିଲି ନାହିଁ । ତହୁଁ ଅଗତ୍ୟା ପାନଖଣ୍ଡକରେ ତୃପ୍ତ ରହିବାକୁ ହେଲା ।

 

ଭୋଜନାନ୍ତେ ଆସି ଦେଖିଲି, ବଳଭଦ୍ର ବାବୁ ମୋ ସକାଶେ ଅପେକ୍ଷା କରିଛନ୍ତି । ମୋ ସହ ସାକ୍ଷାତ କରି ସେ ଖଲ୍ଲିକୋଟ ବାହାରିଯିବେ । ସେ ଜଣେ ତାଲୁକା ଅଫିସର ଅର୍ଥାତ୍‌ସବ୍‌ଡ଼ିଭିଜନ ଅଫିସର ପରି । ମୋ ପାଇଁ ସେ ଅପେକ୍ଷା କରି ବସିଅଛନ୍ତି, ଏହା ଶୁଣି ବଡ଼ ଲଜ୍ଜିତ ହେଲି । ଯାହାହେଉ ତାଙ୍କ ସହ ବୈଷୟିକ ବିଷୟରେ ଅନେକ କଥାବାର୍ତ୍ତା ହେଲା । ପରେ ତାଙ୍କୁ ବିଦାୟ ଦେଲି । ସେ ମୋର କରମର୍ଦନପୂର୍ବକ ମୋତେ ଖଲ୍ଲିକୋଟ ଯିବା ସକାଶେ ସନିର୍ବନ୍ଧ ଆମନ୍ତ୍ରଣ କରି ବାହାରିଗଲେ । ମୁଁ ଭ୍ରମଣ-ବୃତ୍ତାନ୍ତ ଲେଖିବାକୁ ବସିଲି ।

 

ସେଠାରେ ଜଣେ ତେଲଙ୍ଗା ଏବଂ ଜଣେ ଓଡ଼ିଆ ବ୍ରାହ୍ମଣ ଉପସ୍ଥିତ ଥିଲେ । ସେମାନେ ଉପସ୍ଥିତ କବି ପରି ସର୍ବଦା ଗୀତ ଗାଇବାକୁ ବସିଲେ । ତାଙ୍କର ଇଚ୍ଛା ଯେ, ନିଜର ଗୁଣଗୁଡ଼ିକ ମୋତେ ଦେଖାଇବେ । ନାମମାତ୍ର ଶିକ୍ଷାଭିମାନୀମାନଙ୍କର ଏହା ସ୍ୱାଭାବିକ ଧର୍ମ । ଭଦ୍ରତାର ଅନୁରୋଧରେ ମୁଁ କିଛି ନ କହି ମୋର କାର୍ଯ୍ୟ ସ୍ଥଗିତ ରଖିଲି । ଓଡ଼ିଆ ବ୍ରାହ୍ମଣଟି ମୁଖରୁ ତେଲୁଗୁ ଗୀତ ବ୍ୟତୀତ ଓଡ଼ିଆ ବାହାରୁ ନ ଥିଲା । ଯେମନ୍ତ କି ଓଡ଼ିଆ ଭାଷା କହିଲେ ତାକୁ ଅପ୍ରାୟଶ୍ଚିତ୍ତ ମହାପାତକ ଘୋଟିବ । ହିତୋପଦେଶ ଲିଖିତ ଶିଆଳର ନୀଳବଡ଼ି ଜଳରେ ସ୍ନାନ କରି ବାଘରୂପ ଧରିଲା ପରି ତାହାର ବ୍ୟବହାର ଦେଖିଲି । ଲୋକଟି ନିଦା ମୂର୍ଖ; ମାତ୍ର ଫତୁରି ଅଧିକ । ତାହାର ମାତୃଭାଷା ଓଡ଼ିଆ ବୋଲି କହିବାରୁ ସେ ବଡ଼ କୁଣ୍ଠିତ । ଏରୂପ କୁଳାଙ୍ଗାରର ମୁଖଦର୍ଶନ ପାପଜନକ ଜାଣି ମୁଁ ସେଠାରୁ ଉଠିଯାଇ ଅନ୍ୟ ସ୍ଥାନରେ ବସିଲି ।

 

୧୧ । ୧୧ । ୧୧ ଶନିବାର - ଗତ ରାତ୍ରିରେ ଜୟକୃଷ୍ଣ ବାବୁ ରାଜକାର୍ଯ୍ୟୋପଲକ୍ଷେ ଗଞ୍ଜାମ ଯାଇଅଛନ୍ତି । ଯିବା ସମୟରେ ଗଞ୍ଜାମର ପ୍ରାଚୀନ ଦୁର୍ଗ ଓ ଋଷିକୂଲ୍ୟା ଓ ସମୁଦ୍ରର ସଙ୍ଗମସ୍ଥାନ ଦେଖିବା ସକାଶେ ମୋତେ ଅନୁରୋଧ କରି ଆଜି ଯିବାକୁ କହିଯାଇଥିଲେ । ଅଧିକନ୍ତୁ ଷ୍ଟେସନକୁ ଯିବା ସକାଶେ ଗାଡ଼ିର ବନ୍ଦୋବସ୍ତ ମଧ୍ୟ କରିଯାଇଥିଲେ । ମୁଁ ଅଦ୍ୟ ପୂର୍ବାହ୍ନ ପ୍ରାୟ ୧୦ ଘଣ୍ଟା ସମୟରେ ରେଲରେ ବସି ଗଞ୍ଜାମ ଅଭିମୁଖରେ ପ୍ରସ୍ଥାନ କଲି । ରମ୍ଭା ପରେ ହୁମା ଷ୍ଟେସନ ପଡ଼ିଲା । ସାଇନ ବୋର୍ଡ଼ରେ ଦେଖିଲି ଷ୍ଟେସନର ନାମ ଉତ୍କଳାକ୍ଷରରେ ‘ଦୁଣା’ ବୋଲି ଲେଖାଯାଇଅଛି । ଏରୂପ ଅକ୍ଷର ଯେ ଅଙ୍କିତ କରିଅଛି, ବୋଧହୁଏ ତାହାର ଓଡ଼ିଆ ବର୍ଣ୍ଣମାଳାର ଜ୍ଞାନ ନାହିଁ । ଏ ଅଞ୍ଚଳରେ ଓଡ଼ିଆଭାଷା ଯେପରି ବିକୃତ, ଓଡ଼ିଆ ଅକ୍ଷର ସୁଦ୍ଧା ସେହିପରି ବିକୃତ । ପ୍ରାୟ ୧୧ଟା ସମୟରେ ଗଞ୍ଜାମ ଷ୍ଟେସନରେ ଉପସ୍ଥିତ ହେଲି । ଜୟକୃଷ୍ଣ ବାବୁ ଷ୍ଟେସନକୁ ଖଣ୍ଡିଏ ଗୋ-ଶକଟ ପଠାଇଥିଲେ । ସେଥିରେ ବସି ନଗରାଭିମୁଖେ ପ୍ରସ୍ଥାନ କଲି । ଷ୍ଟେସନଠାରୁ ଗ୍ରାମରୁ ଯେଉଁ ସଡ଼କ ଯାଇଅଛି, ତାହା ନିତାନ୍ତ ଅପ୍ରଶସ୍ତ । ସେଥିରେ କେବଳ ଖଣ୍ଡିଏ ଗାଡ଼ି ଯାଇପାରେ । ଗଞ୍ଜାମ ୩୦ ଖଣ୍ଡ ଗ୍ରାମରେ ବିଭକ୍ତ । ଗତିପଥରେ କେତେ ଖଣ୍ଡ ଗ୍ରାମ ଅତିକ୍ରମ କରି ଗଲି । ଗ୍ରାମମାନ ଅପରିଷ୍କୃତ ଅପରିଚ୍ଛନ୍ନ । ନାସିକା ବସ୍ତ୍ରାବୃତ ନ କଲେ ରାଜ-ମାର୍ଗରେ ଚାଲିବାର ଉପାୟ ନାହିଁ । ପଥ ଯେପରି, ଘର ମଧ୍ୟ ସେହିପରି ବସାଘରମାନଙ୍କରେ କୁକୁର ରହିବାକୁ ଇଚ୍ଛା କରିବ ନାହିଁ । ଅଧିବାସୀମାନେ ନିଜ ନିଜର ଦାଣ୍ଡ ଅଗଣା ସୁଦ୍ଧା ପରିଷ୍କାର କରନ୍ତି ନାହିଁ । ଦ୍ୱାରରେ ଦୂବ ଆଣ୍ଠୁଏ ବହଳରେ ମାଡ଼ିଅଛି । ଅଧିବାସୀମାନଙ୍କର ଏରୂପ ଅମାନୁଷୀ ବିକୃତ ରୁଚି ଦେଖି ଆଶ୍ଚର୍ଯ୍ୟ ହେଲି । ଘରଗୁଡ଼ାକ ଜୀର୍ଣ୍ଣ ଏବଂ ରୁକ୍ଷ ବେଶ ଧରି ଠିଆ ହୋଇଅଛି । ପ୍ରସ୍ତୁତ ସମୟରେ ସେମାନେ ସଂସ୍କାର ହୋଇ ନ ଥିବା ପରି ବୋଧହୁଏ । ଯେମନ୍ତକି ଘରଗୁଡ଼ାକୁ କୌଣସି ରୋଗ ଧରିଅଛି । ଗ୍ରାମର ପୁଷ୍କରିଣୀ ସଂଖ୍ୟା ପ୍ରାୟ ୫୦ ହେବ; ମାତ୍ର ଜଳ ବିଷମୟ । ପ୍ରାୟ ପ୍ରତ୍ୟେକ ଘରରେ କୂପ ଅଛି । ଗ୍ରାମର ଘରମାନ ଶ୍ରେଣୀବଦ୍ଧ ନୁହେ, ଖଣ୍ଡ ଖଣ୍ଡ ହୋଇ ବିଶ୍ରୀ ଦେଖାଯାଏ । ସ୍ଥୂଳତଃ ତାହା ଅଲକ୍ଷ୍ମୀ ଆବାସ ପରି ଆଭାସମାନ ହୁଏ । ଅଧିବାସୀଏ ବଡ଼ ଅଳଙ୍କାରପ୍ରିୟ । କାହାର କର୍ଣ୍ଣରେ ଲୋଳୀ ଦୋଳିତ ହୋଇ ଗାଲରେ ଚାପୁଡ଼ା ମାରୁଅଛି । କାହାର ହସ୍ତରେ ଚୋର ତୁଲ୍ୟ ମୋଟ ମୋଟ ତଳା ଓ ଶିକୁଳିବଦ୍ଧ । ଗ୍ରାମରେ ନଡ଼ିଆ ଗଛର ସଂଖ୍ୟା ଅଧିକ । ଦେବାଳୟ ପ୍ରାୟ ୫୦ ଗୋଟା ଅଛି । ଏତଦ୍‌ବ୍ୟତୀତ ଅନେକ ମସଜିଦ୍‌ଅଛି ।

 

ପୂର୍ବେ ଏହି ନଗର ଗଞ୍ଜାମର ରାଜଧାନୀ ଥିଲା । ଥରେ ଜ୍ୱର ଓ ବିସୂଚିକାରେ ଗ୍ରାମ ପ୍ରାୟ ଜନଶୂନ୍ୟ ହୋଇଗଲା । ସେହି ଦିନଠାରୁ ବ୍ରହ୍ମପୁର ରାଜଧାନୀ ହୋଇଅଛି ଏବଂ ଅଧିକାଂଶ ଲୋକ ପଳାଇଯାଇ ଅନ୍ୟତ୍ର ବାସ କରୁଅଛନ୍ତି । ଏରୂପ ଅପରିଷ୍କାର ସ୍ଥଳରେ ବା ରୋଗ ପ୍ରବଳ ନ ହେବ କାହିଁକି ? ଗ୍ରାମବାସୀଟିଏ ରୋଗକୁ ଆମନ୍ତ୍ରଣ କରି ଆଣନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗ୍ରାମରେ ଇଉନିୟନ ଅଛି । ଜନୈକ ଅଧିବାସୀ ସେଥିର ଚେୟାର୍‌ମାନ୍‌; ମାତ୍ର ଗ୍ରାମର ସ୍ୱାସ୍ଥ୍ୟ ପ୍ରତି ତାଙ୍କର ଦୃଷ୍ଟି ନ ଥିବାର ଶୁଣିଲି । ଯେଉଁ ନଗର ସମଗ୍ର ଗଞ୍ଜାମ ଜିଲାର ମସ୍ତକ-ମଣି ଥିଲା, ଏବେ ସେ ଅସଭ୍ୟ ଗଣ୍ଡ ଗ୍ରାମଠାରୁ ବଳିଅଛି । ଏଠାରେ ତେଲଙ୍ଗା ଓଡ଼ିଆ ଉଭୟ ଜାତି ବାସ କରନ୍ତି; ମାତ୍ର ସେଥିମଧ୍ୟରୁ ଓଡ଼ିଆ ବ୍ରାହ୍ମଣଙ୍କ ସଂଖ୍ୟା ଅଧିକ । ଗଞ୍ଜାମ ନଗରର ପରିମାଣ ୨୧ ବର୍ଗ ମାଇଲ । ଅଧିବାସୀଙ୍କ ସଂଖ୍ୟା ପ୍ରାୟ ସାତ ହଜାର । ଏହା ଲୁଣ ଓ ମାଛର ପ୍ରଧାନ ବାଣିଜ୍ୟ ସ୍ଥଳୀ-। ସମୁଦ୍ର ସନ୍ନିକଟରେ ଥିବାରୁ ଏଠାରେ ମାଛ ଅତି ଶସ୍ତା ।

 

ବନ୍ଧୁମାନେ ମୋ ପାଇଁ ବାଛି ବାଛି ଗୋଟିଏ ବସାଘର ଠିକ୍‌କରିଥିଲେ । ଯାଇ ଦେଖିଲି ଘରର ଦାଣ୍ଡଟି ମାଛକାତି, ପାନପିଠା, ପାନପିକ, ଅଇଠାପତ୍ର ଇତ୍ୟାଦିରେ ପୂର୍ଣ୍ଣ । ସଂକ୍ଷେପତଃ ସେଠାରେ ଯାହା ଖୋଜିବ ତାହା ଅଛି । ଶୁଣିଲି ନଗର ମଧ୍ୟରେ ତଦପେକ୍ଷା ପରିଷ୍କାର ଘର ଆଉ ନାହିଁ । ଅଗତ୍ୟା ସେହି ଘରେ ରହିବାକୁ ହେଲା । ପାକ ସମାପ୍ତ ନ ହେବାର ଦେଖି ମୁଁ ବଜାରକୁ ବୁଲିବାକୁ ଗଲି । ୪।୫ଟି ଘର ଘେନି ଗୋଟାଏ ବଜାର ଗଠିତ ହୋଇଅଛି । ଘରଗୁଡ଼ିକୁ ଦେଖିଲେ ସେଥିରେ ମନୁଷ୍ୟ ନ ଥିଲା ପରି ବୋଧହୁଏ । ବଜାରରେ ଯାହା ଖୋଜିବ, ସେଥିର ଅଭାବ । ବଜାରଟାରୁ କାଳ ରସ ଶୋଷିନେଇ ସିଠା ଫୋପାଡ଼ିଦେଇଥିବା ପରି ବୋଧ ହେଲା । ତହୁଁ ବଜାର ଦେଖିବାର ଶାଧ ମେଣ୍ଟିଗଲା । ଅନନ୍ତର ବସାକୁ ଆସି ଆହାରାଦି କଲି । ପାଚକଟି ବଡ଼ ନିପୁଣ । ଲମ୍ବଲୋହିତ ଲଙ୍କାମରିଚ ଅଳଙ୍କାରରେ ସମ୍ୟକ୍‌ଅଳଙ୍କୃତ କରି ସେ ତରକାରୀ ରାନ୍ଧିଥିଲା । ଖାଇସାରି ଚାଟପିଲା ଅବଧାନଠାରୁ ମାଡ଼ ଖାଇ ଉହୁ ହେଲା ପରି କିଛିକ୍ଷଣ କଷ୍ଟ ଭୋଗିବାକୁ ହେଲା । ସେହି ସୁଖଭୋଗ ଶେଷରେ ଖଣ୍ଡିଏ ବଳଦ ଗାଡ଼ିରେ ଚଢ଼ି ପ୍ରାଚୀନ ଦୁର୍ଗ ଦେଖିବାକୁ ଗଲି-। ଗ୍ରାମରୁ ଦୁର୍ଗର ଦୂରତା ପ୍ରାୟ ଏକ ମାଇଲ ।

 

ମୁସଲମାନ ରାଜତ୍ୱ ସମୟରେ ଏହି ଦୁର୍ଗ ନିର୍ମିତ ହୋଇଥିଲା । ଆକୃତି ଗୋଟିଏ ନକ୍ଷତ୍ର ତୁଲ୍ୟ ପଞ୍ଚକୋଣବିଶିଷ୍ଟ । ଚତୁଃପାର୍ଶ୍ୱରେ ବିସ୍ତୀର୍ଣ୍ଣ ଗଭୀର ଜଳ । ତହିଁ ପରେ ପ୍ରାଚୀର । ପ୍ରାଚୀର ସଂଲଗ୍ନରେ ପ୍ରହରୀମାନଙ୍କର ନିବାସ ଅଛି । ପ୍ରବେଶ ପଥ ପ୍ରଶସ୍ତ । ପ୍ରଥମତଃ ମେକ୍‌ଜିମ୍‌( ବାରୁଦଘର ) ଦେଖିବାକୁ ଗଲି । ସେ ଘରଟି ଏପରି ଦୃଢ଼ ଯେ, ବହୁବର୍ଷବ୍ୟାପୀ ଖରା, ବର୍ଷା ତୋଫାନ ଏବଂ ବଜ୍ରାଘାତ ସହ୍ୟ କରି ସୁଦ୍ଧା ଅବଧି ଅକ୍ଷୂର୍ଣ୍ଣ ଭାବରେ ଦଣ୍ଡାୟମାନ; ଦେଖିଲେ ସଦ୍ୟ ପ୍ରସ୍ତୁତ ପରି ବୋଧହୁଏ । ତହିଁ ପରେ ଶ୍ରେଣୀବଦ୍ଧ ଭାବରେ ଅନେକ ଘର । ସମସ୍ତ ଘର ଅନ୍ଧକାରମୟ ଏମନ୍ତ କି ଭିତରେ ପ୍ରବେଶ କରିବାକୁ ଭୟ ବୋଧହୁଏ । ଘରମାନ ଏରୂପ କୌଶଳରେ ପ୍ରସ୍ତୁତ ହୋଇଅଛି ଯେ, ଯେଉଁ ଦ୍ୱାରବାଟେ ପ୍ରବେଶ କରିବ, ପୁନଶ୍ଚ ସେହି ଦ୍ୱାର ଖୋଜି ପାଇବା କଷ୍ଟକର । ମଧ୍ୟେ ମଧ୍ୟେ ଅନେକ ଗୁପ୍ତଦ୍ୱାର ଅଛି । ଗୋଟିଏ ଗୁପ୍ତଦ୍ୱାର ଦେଇ ଋଷକୂଲ୍ୟା ମଧ୍ୟରୁ ବାଟ ଅଛି । ସମ୍ଭବତଃ ଅନ୍ତଃପୁରସ୍ଥା ରମଣୀମାନଙ୍କର ତାହା ସ୍ନାନପଥ ଥିଲା ଅନେକ ଗୃହ ଭଗ୍ନ ହୋଇଅଛି । ଭଗ୍ନୋନ୍ମୁଖ ଭଗ୍ନ ପ୍ରାଚୀରର ଭିତ୍ତି କାଳର ମହାମହିମାର ସାକ୍ଷ୍ୟ ପ୍ରଦାନ କରୁଅଛି । ପ୍ରାଚୀର ଇଷ୍ଟକମାନ ପ୍ରସ୍ତର ତୁଲ୍ୟ ଦୃଢ଼ । ବର୍ତ୍ତମାନ ନବାକୁଡ଼ୀ ଓ ଅଗ୍ନିକୁମାରୀ ନାମକ କଣ୍ଟକୀ ଲତାରେ ଦୂର୍ଗର ଭିତର ଏବଂ ବାହାର ଆଚ୍ଛନ୍ନ ହୋଇ ‘‘କାଳଗର୍ଭେ ଆହା ଲୀନ ହେଲେ କେତେ ମହୀପତି ମହାଯଶା, ହୋଇଅଛି ତାଙ୍କ ଜୀର୍ଣ୍ଣସୌଧ ଏବେ ବ୍ୟାଘ୍ରଭଲ୍ଲୁକର ବସା’’ ଏହି କବି ବାଣୀର ସାର୍ଥକତା ସମ୍ପାଦନ କରୁଅଛି । ଦୁର୍ଗଟି ପଞ୍ଚତଳବିଶିଷ୍ଟ । ଦୁଇତଳ ଭୂମିଗର୍ଭରେ ଏବଂ ତିନିତଳ ଉପରକୁ ଅଛି । ଭୂଗର୍ଭସ୍ଥ ତଳକୁ ଯିବା ପାଇଁ ସୁଡ଼ଙ୍ଗ ଅଛି; ମାତ୍ର ତାହା ଖଣ୍ଡୋପଳ ଏବଂ କଣ୍ଟକରେ ବର୍ତ୍ତମାନ ଅଗମ୍ୟ । ପାତାଳର ଦ୍ୱାର ତୁଲ୍ୟ ସେହି ସୁଡ଼ଙ୍ଗ ମଧ୍ୟରେ ପଶିବାକୁ ମନରେ ସ୍ୱତଃ ଭୟ ଜାତହୁଏ । ଉପରର ତ୍ରିତଳ ଉପରକୁ ଯାଇ ଦେଖିଲି ତାହା ସୁଦ୍ଧା କଣ୍ଟକୀ ବୃକ୍ଷରେ ପୂର୍ଣ୍ଣ । ପ୍ରକୋଷ୍ଠମାନ ତମଃପ୍ରିୟ ରମଣୀମାନଙ୍କର ନିର୍ଭୀକ ବାସସ୍ଥାନ ହୋଇଅଛି । ଦୂର୍ଗ ନିକଟରେ ଜନବସତି ନାହିଁ । ଉପକଣ୍ଠରେ ବିଶାଳ ସମୁଦ୍ର ଏବଂ ଋଷିକୂଲ୍ୟା ନଦୀ । ଏହି ଉଭୟର ତରଙ୍ଗ ଅସ୍ଥି କାଳକୁ ଧୌତ କରୁଅଛି ।

 

ତ୍ରିତଳ ପ୍ରାସାଦ ଉପରେ ବସି ଦେଖିଲି, ରଜତ୍କାନ୍ତି ସାଗରସୈକତ ସମ୍ମୁଖରେ ବିସ୍ତାରିତ ରହିଅଛି । ପ୍ରତାରିକା ମରୀଚିକା ତହିଁରେ ପ୍ରତାରଣା-ଜାଲ ବିସ୍ତାର କରି ଖେଳୁଅଛି । ଉତ୍ତରପୂର୍ବ ଏବଂ ଦକ୍ଷିଣ ଯେଉଁ ଦିଗକୁ ଚାହିଁଲେ କେବଳ ସମୁଦ୍ର ବ୍ୟତୀତ ଅନ୍ୟ କିଛି ଦୃଷ୍ଟିପଥର ଅତିଥି ହେଉ ନାହିଁ । ଅତସୀ ନୀଳିମାନିନ୍ଦା ବିଶାଳ ସାଗର ଚକ୍ରବାଳ ଭେଦ କରି ଆକାଶରେ ମିଶିଯାଇଅଛି । ସହସ୍ର ସହସ୍ର ଧୂମକେତୁ ଆକାଶରେ ପୁଚ୍ଛ ସଞ୍ଚାଳନପୂର୍ବକ ଧାବମାନ ହେଲା ପରି କରାନ ଲହରୀମାଳା ରୁଦ୍ର ତାଣ୍ଡବଲୀଳା ବିସ୍ତାରପୂର୍ବକ ପ୍ରଧାବିତ ହେଉଅଛି । ଯେମନ୍ତକି ଚରାଚରତ୍ରାସୀ ପାଶୀ ତରଙ୍ଗପାଶ ବିସ୍ତାରପୂର୍ବକ ସୃଷ୍ଟି ଗ୍ରାସିବାକୁ ଉନ୍ମୁଖ । ସେ ମହାଦୃଶ୍ୟ ବର୍ଣ୍ଣନା କ୍ଷୁଦ୍ର ମାନବ-ଶକ୍ତିର ଅସାଧ୍ୟ । ମହତର ମହିମା କେବଳ ମହତମାତ୍ରେ ହଁ ବୁଝନ୍ତି । ସେ ରୁଦ୍ର ଦୃଶ୍ୟ ଦେଖିଲେ ନିତାନ୍ତ ନାସ୍ତିକଭାବାପନ୍ନ ଲୋକ ମନରେ ସୁଦ୍ଧା ଆସ୍ତିକତାର ଭାବ ସଞ୍ଚାର ହେବ । ବାସ୍ତବରେ ମହାନ ପଦାର୍ଥ ନ ଦେଖିଲେ ଈଶ୍ୱରଙ୍କର ମହାମହିମା, କ୍ଷମତା ଓ ସର୍ବବ୍ୟାପିତା ଉପଲବ୍‌ଧି ହୁଏ ନାହିଁ । ପକ୍ଷାନ୍ତରରେ ନିଜର କ୍ଷୁଦ୍ରାଦପି କ୍ଷୁଦ୍ରତା, ଅହଂମନତା ଓ ଅଜ୍ଞାନତା ସୁଦ୍ଧା ଦୂର ହୁଏ ନାହିଁ । ଅତଃ ମହାନ୍‌ବସ୍ତୁ-ଦର୍ଶନରେ ମହା ଶିକ୍ଷାଲାଭ ସ୍ୱାଭାବିକ ।

 

ଅଦୂରରେ ଋଷିକୂଲ୍ୟାର ମୁହାଣ । ଋଷିସ୍ନାନପୂତା ଋଷିମାଳକନ୍ୟା ଋଷିକୁଲ୍ୟା ସାଗର କଣ୍ଠରେ ଲହରୀମଲ୍ଲିକାମାଳା ପ୍ରଦାନପୂର୍ବକ ପତିତ୍ୱରେ ବରଣ କରୁଅଛି । ସାଗର ସୁଦ୍ଧା ତରଙ୍ଗ-କର ପ୍ରସାରଣଦ୍ୱାରା ତାହାକୁ ଆଲିଙ୍ଗନ କରୁଅଛି । ଏହି ମହାମିଳନ ସ୍ଥଳର ନିକଟବର୍ତ୍ତୀ ବେଳା ଭୂମିରେ ଗୋଟିଏ ନାରୀକେଳ ଉଦ୍ୟାନ ବିଦ୍ୟମାନ । ଫଳସ୍ତବକ-ବିନମ୍ର ବୃକ୍ଷମାନେ ସାଗର ସମୀକରଣରେ ସତତ ଶାଖା ମଞ୍ଚାଳନ କରୁ ଅଛନ୍ତି । ତବ୍ଦର୍ଶନରେ ଭଗୀରଥ ମୁନିଗଣ ସହ ପାଏଡ଼ା ପାତି ଗଙ୍ଗାକୁ ସମୁଦ୍ରସଙ୍ଗମ ସ୍ଥଳକୁ ବିଜେ କରାଇବାର ପୁରାଣଶ୍ରୃତ ଶୋଭା ଚକ୍ଷୁସମ୍ମୁଖରେ ଅଙ୍କିତ ହୋଇଯାଏ । ନଦୀ ଓ ସମୁଦ୍ରର ଶ୍ୱେତ ନୀଳ ଜଳ ଆଲୋକ ଏବଂ ଛାୟାର ସମ୍ମିଶ୍ରଣ ତୁଲ୍ୟ ପ୍ରତିଭାତ ହୁଏ । ଶେଷରେ ଋଷିକୁଲ୍ୟା ସମୁଦ୍ର ସଙ୍ଗରେ ମିଶି ଆତ୍ମା ପରମାତ୍ମାରେ ମିଶିଗଲା ପରି ଏକ ହୋଇଯାଇଅଛି । ଏହିରୂପ ପରମ ଶୁଭମିଳନ କେବଳ ଭକ୍ତର ବାଞ୍ଚନୀୟ ।

 

ପ୍ରାୟ ୪ଟା ସମୟରେ ବସାକୁ ଫେରିଲି । ସନ୍ଧ୍ୟା ସମୟରେ କେତେ ଜଣ ଉଦ୍‌ବ୍ୟକ୍ତି ସାକ୍ଷାତ କରିବାକୁ ଆସିଲେ । ସେମାନଙ୍କ ସହ କଥୋପକଥନ କରି କେତେକ ସ୍ଥାନୀୟ ଜ୍ଞାତବ୍ୟ ବଷୟ ଅବଗତ ହେଲି । ସେମାନଙ୍କଠାରୁ ଶୁଣିଲି, ଥରେ ମହାମାରୀ ଓ ଜ୍ୱରରେ ଗଞ୍ଜାମର ସୌଭାଗ୍ୟ ଲୋପ ପାଇଲା । ଅନେକ ଗୃହ ଏକାବେଳକେ ଜନଶୂନ୍ୟ ହୋଇଗଲା; ପରିବାର ମଧ୍ୟରୁ ଜଣେ ସୁଦ୍ଧା ରକ୍ଷା ପାଇଲା ନାହିଁ । ସେହି ମରୁଡ଼ିର କଥା ଭାବି ଗଞ୍ଜାମଜିଲାବାସୀଏ ଅଦ୍ୟାପି ଶଙ୍କିତ ହୁଅନ୍ତି । ସେହିଦିନଠାରୁ ଗଞ୍ଜାମ ମରୁଡ଼ି ବୋଲି ପ୍ରବାଦରେ ଚଳି ଆସୁଅଛି । ଲୋକେ ଗାଳିରେ ସୁଦ୍ଧା କହିଥାନ୍ତି, ‘ତୋ ଘରେ ଗଞ୍ଜା ମରୁଡ଼ି ପଶୁ ।’ କଥୋପକଥନ କରୁ କରୁ ୯ଟା ବାଜିଲା । ତହୁଁ ଭୋଜନାନ୍ତେ ଶୟନ କଲି ।

 

ସୁନିଦ୍ରା ହେଲା ନାହିଁ । ଅନ୍ଧାର ପକ୍ଷ ରାତ୍ରି । ଯଥାସମୟରେ ଚନ୍ଦ୍ରୋଦୟ ହୁଅନ୍ତେ ସମୁଦ୍ର ଗର୍ଜନ ଉଛୁଳି ପଡ଼ିଲା । ଯେପରି ଶତ ଶତ ମହାବଳ ଗର୍ଜ୍ଜନ କରୁଅଛନ୍ତି ଅଥବା ବହୁ ବାଷ୍ପୀୟ ଲୌହଶକଟ ନଦୀ ପୋଲ ଉପରେ ଏକସମୟରେ ଯାତାୟତ ହେଉଅଛି । ଚନ୍ଦ୍ରକୁ ଦେଖିଲେ ସମୁଦ୍ର ଆନନ୍ଦରେ ଅଧୀର ହୁଏ । ଧନ୍ୟ ଉଭୟଙ୍କର ପ୍ରେମ ! ସେଥିରେ ଛେଦ ନାହିଁ, ଭେଦ ନାହିଁ; ତାହା ଅଖଣ୍ଡ ଓ ନୀରନ୍ଧ୍ର । ବାସ୍ତବରେ ନିରବଚ୍ଛିନ୍ନ ପ୍ରୀତିହିଁ ପ୍ରକୃତ ପ୍ରୀତି । ପ୍ରକୃତି-ପ୍ରକୃତିର ପ୍ରୀତି ବ୍ୟତୀତ ଅନ୍ୟର ପ୍ରୀତି ଅସ୍ଥାୟୀ ଓ ଭଙ୍ଗୁର । ମାନବାତ୍ମା ବିଶ୍ୱପତି ପଦରେ ଏହିରୂପ ଦୃଢ଼ତମ ପ୍ରୀତି ସଂସ୍ଥାପନ ନ କଲେ ତାହାର ମୁକ୍ତି କେଉଁ ଠାରେ ? ଏରୂପ ପ୍ରୀତିକୁ ତନ୍ମୟ କହନ୍ତି । ଏରୂପ ପରମ ପ୍ରୀତିର ସଂକ୍ଷିପ୍ତ ବର୍ଣ୍ଣନା ସୁଦ୍ଧା ଭାଷାର ଅସାଧ୍ୟ । ତହିଁରେ ପୁଣି ମୋର ଜ୍ଞାନ ସୀମାବଦ୍ଧ । ଅତଏବ ସେହି ମହାପ୍ରୀତିର ମର୍ମାଲୋଚନା ମୋ ପକ୍ଷରେ କେବଳ ଧୃଷ୍ଟତା ବ୍ୟତୀତ ଆଉ କଅଣ ହୋଇପାରେ ? କେବଳ ପ୍ରସଙ୍ଗକ୍ରମେ ଲକ୍ଷଚ୍ୟୁତ ହୋଇ ମାର୍ଗକୁ ଚାଲି ଆସିଥିଲି, ଏବେ ଗନ୍ତବ୍ୟ ପଥର ଆଶ୍ରୟ ନେବି । ଅନନ୍ତର ନିଦ୍ରାଦେବୀଙ୍କ ସହ ସାକ୍ଷାତ । ଅଦ୍ୟକାର କଥା ଏହିଠାରୁ ଶେଷ ।

 

୧୨।୧୧।୧୧, ରବିବାର- ଆଜି ରେଲରେ ରମ୍ଭା ଆସିଲି, ବିଶେଷ ଉଲ୍ଲେଖଯୋଗ୍ୟ ବିଷୟ କିଛି ନାହିଁ ।

 

୧୩।୧୧।୧୧, ସୋମବାର- ଅଦ୍ୟ ଦୁଇଓଳିଯାକ ରମ୍ଭା ବଙ୍ଗଳା ଦେଖିବାରେ ବ୍ୟୟିତ ହେଲା । ରମ୍ଭାରେ ଖଲ୍ଲିକୋଟ ରାଜାଙ୍କର ରମଣୀୟ ରାଜପ୍ରାସାଦ ଅଛି । ଏହା ସାଧାରଣରେ ରମ୍ଭା-ବଙ୍ଗଳା ନାମରେ ପରିଚିତ । ସ୍ୱର୍ଗତ ରାଜାଙ୍କ ସମୟରେ ରମ୍ଭା ଖଲ୍ଲିକୋଟର ପ୍ରଧାନ ରାଜଧାନୀ ହୋଇଥିଲା । ଏଠାରେ ଜଳକଳ, ବୈଦ୍ୟୁତିକ ଆଲୋକ ଯନ୍ତ୍ର, ଟେଲିଫୋନ ଯନ୍ତ୍ର, ପଙ୍ଖାକଳ ପ୍ରଭୃତି ଅଛି । ପୂର୍ବେ ଏଠାରେ ମୁଦ୍ରାଯନ୍ତ୍ର ଥିଲା; କିନ୍ତୁ ବର୍ତ୍ତମାନ ତାହା ଖଲ୍ଲିକୋଟକୁ ସ୍ଥାନାନ୍ତରିତ ହୋଇଅଛି । ପ୍ରାସାଦଟି ଦ୍ୱିତଳବିଶିଷ୍ଟ ଏବଂ ଆକୃତିରେ ଗୋଟାଏ କ୍ଷୁଦ୍ର ଗ୍ରାମ ପରି । ଚିଲିକାର ଉପକଣ୍ଠରେ ଏହି ପ୍ରାସାଦଟି ହୀରକ ପଦକ ତୁଲ୍ୟ ଶୋଭା ଧାରଣ କରିଅଛି । ସ୍ୱର୍ଗତ ହରିହର ମର୍ଦ୍ଦରାଜ ଜଣେ ବିଳାସପ୍ରିୟ ରାଜା ଥିଲେ । ସେ ପୃଥିବୀର ସର୍ବଦେଶର ସର୍ବପ୍ରକାର ଆଶ୍ଚର୍ଯ୍ୟ ପଦାର୍ଥ ସଂଗ୍ରହ କରି ବଙ୍ଗଳାରେ ସ୍ଥାପନ କରିଅଛନ୍ତି । ସ୍ୱଦେଶୀ ବିଦେଶୀ ଶିଳ୍ପଜାତ ବ୍ୟବହାରୀୟ ସାମଗ୍ରୀର ସଂଖ୍ୟା କରିହେବ ନାହିଁ । ସ୍ଥୂଳତଃ ବଙ୍ଗଳାଟି ଗୋଟିଏ ପ୍ରଦର୍ଶନୀ ତୁଲ୍ୟ । ଜୟକୃଷ୍ଣ ବାବୁ ମୋତେ ବଙ୍ଗଳାଟି ଦେଖାଇଦେଲେ । ଦେଖିଲି ସେଥି ମଧ୍ୟରେ ଯେଉଁସବୁ ଦର୍ଶନୀୟ ପଦାର୍ଶ ଅଛି, ତାହା ଏକାଦିକ୍ରମେ ଏକମାସ କିମ୍ବା ତଦୂର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ନ ଦେଖିଲେ ଦେଖିବା ଶେଷ ହେବ ନାହିଁ । ବର୍ତ୍ତମାନ ରାଜ୍ୟ କୋର୍ଟ ଅବ୍‌ଉଆର୍ଡ଼ସ୍‌ଙ୍କ ହସ୍ତରେ ଅଛି । ସେ ବାଳକ ରାଜାଙ୍କର ବ୍ୟବହାର ସକାଶେ ଆବଶ୍ୟକ ପଦାର୍ଥମାନ ରଖି ଅବଶିଷ୍ଟ ପଦାର୍ଥ ବିକ୍ରୟ କରି ଦେଉଛନ୍ତି । ବିକ୍ରୟର ଭାର ବନ୍ଧୁବର ଜୟକୃଷ୍ଣ ବାବୁଙ୍କ ଉପରେ ନ୍ୟସ୍ତ ଅଛି । ଶୁଣିଲି କେବଳ ବିଭିନ୍ନ ପ୍ରକାର ଛଡ଼ି ଏକ ହଜାରରୁ ଅଧିକ ବିକ୍ରୟ ହୋଇଅଛି । ସମୁଦ୍ର ମଧ୍ୟରେ ପଶି କଅଣ ଦେଖିବି ଭାବିଲି । ଜୟକୃଷ୍ଣ ବାବୁ ଏକ ପ୍ରକୋଷ୍ଠ ଉତ୍ତାରୁ ଅନ୍ୟ ପ୍ରକୋଷ୍ଠ ଦେଖାନ୍ତି । ଏହିରୂପେ ସମସ୍ତ ପୋକୋଷ୍ଠ ଦେଖାଇଲେ । ପ୍ରତି ପ୍ରକୋଷ୍ଠରେ ଜଳ, ଗାସ୍‌, ଆଲୁଅ ଓ ପଙ୍ଖାର ବନ୍ଦୋବସ୍ତ ଅଛି । ଅଳ୍ପ ସମୟ ମଧ୍ୟରେ ଅବା ଦେଖି ହେବ, ମୁଁ କେବଳ ପଦାର୍ଥ ପ୍ରଭାବରେ ଗୃହର ଔଜ୍ଜ୍ୱଲ୍ୟମାତ୍ର ଦେଖି ପ୍ରକୋଷ୍ଠାନ୍ତରକୁ ଗମନ କରେ । ପରିଶ୍ରମ ସାର ହୁଏ; ମାତ୍ର ଦିଦୃକ୍ଷା ତୃପ୍ତ ହୁଏ ନାହିଁ । ବଙ୍ଗଳାର ସାମାନ୍ୟ କାଚପାତ୍ରଠାରୁ ମଣିମାଣିକ୍ୟ ପର୍ଯ୍ୟନ୍ତ ସ୍ତରେ ସ୍ତରେ ସୁନ୍ଦର ଭାବରେ ସଜ୍ଜିତ ହୋଇ ରହିଅଛି ।

 

ରମ୍ଭା ବଙ୍ଗଳାର ଦର୍ଶନୀୟ ଦ୍ରବ୍ୟ ଦେଖି ଶେଷ କରିବା ପରି ଲେଖି ଶେଷ କରିବା ଦୁରୁହତର । ଗୋଟିଏ ପ୍ରକାଣ୍ଡ ଘଟିକା ଯନ୍ତ୍ର ଗୋଟାଏ ପ୍ରକୋଷ୍ଠ ଆବୋରି ରହିଅଛି । ସେଥିରେ କାରୁକାର୍ଯ୍ୟ ଓ ମଣ୍ଡଣି ଦେଖି ଦୁର୍ଗାମେଢ଼ ପରି ବୋଧହେଲା । ତାହା କେବଳ ସମୟଜ୍ଞାପକ ଯନ୍ତ୍ର ନୁହେଁ-ବାଦ୍ୟଯନ୍ତ୍ରର ବିଶାଳ ଭଣ୍ଡାର । କଳ ମୋଡ଼ିଲେ ବିବିଧ ସ୍ୱରରେ ବାଦ୍ୟ ବାଜିଉଠେ । ତେତେବେଳେ ରଙ୍ଗାଳୟରେ ଉପସ୍ଥିତ ଥିଲା ପରି ଜଣାଯାଏ । ଅନ୍ୟ ଏକ ପ୍ରକୋଷ୍ଠରେ ଆଲମାରୀ ପରି ଗୋଟିଏ ଯନ୍ତ୍ର ଅଛି । ତନ୍ମଧ୍ୟରେ ଅନେକ ତାରଲଗ୍ନ ପୃତ୍ତଳିକା । ଯନ୍ତ୍ର ଚାଳିତ ହେଲେ ପ୍ରଥମତଃ ମଧୁର ବାଦ୍ୟ ବାଜିଉଠେ । ଅବ୍ୟବହିତ ପରେ ବାଦ୍ୟର ତାଳ ଅନୁସାରେ ପିତୁଳାଗୁଡ଼ିକ ନୃତ୍ୟ କରନ୍ତି ଏବଂ ନାନା ଅଙ୍ଗଭଙ୍ଗୀ ପ୍ରଦର୍ଶନ କରନ୍ତି । ଏକସ୍ଥାନରେ ଗୋଟିଏ ସୁନ୍ଦର ପଞ୍ଜରୀ ଦେଖିଲି । ମଧ୍ୟରେ ଇନ୍ଦ୍ରଧନୁ ବର୍ଣ୍ଣର ଗୋଟିଏ କ୍ଷୁଦ୍ର ପକ୍ଷୀ ବସିଅଛି । କଳ ଚାଳନା କଲେ ପକ୍ଷୀଟି ମୁଣ୍ଡ ହଲାଇ ଶିଶାରେ ଏବଂ ପଞ୍ଜରୀ ମଧ୍ୟରେ ଡ଼େଇଁ ନୃତ୍ୟ କରେ । ଏହିରୂପେ ପ୍ରକୋଷ୍ଠ ପରେ ପ୍ରକୋଷ୍ଠ ଅତିକ୍ରମ କରି କ୍ଲାନ୍ତ ହୋଇ ପଡ଼ିଲି; କିନ୍ତୁ ମନ ଆଖୁବାଡ଼ିରେ ପଶିଲା ପରି ହେଉଥାଏ । ଚଞ୍ଚଳ ମତି ଦିଦୃକ୍ଷା ଦୌର୍ବଲ୍ୟକୁ ତୀବ୍ର ତିରସ୍କାର କରୁଥାଏ । ଶେଷରେ ଗୋଟାଏ ବୃହତ୍‌ପ୍ରକୋଷ୍ଠରେ ବସିଲି । ସମ୍ମୁଖରେ ଗୋଟାଏ ଯନ୍ତ୍ର ରକ୍ଷିତ ହେଲା । ଫେରିବାଲାମାନେ କାଠ ବାକ୍‌ସସ୍ଥ କାଶୀ, ବୃନ୍ଦାବନର ଚିତ୍ର ଦେଖାଇଲା ପରି ଜୟକୃଷ୍ଣ ବାବୁ ଯନ୍ତ୍ରର ନିର୍ଦ୍ଧିଷ୍ଟ ସ୍ଥାନ ଇଷତ୍‌ଘୂରାଇ ବହୁବିଧ ଦୃଶ୍ୟ ଦେଖାଇବାକୁ ଲାଗିଲେ । କାଚନଳ ସାହାଯ୍ୟରେ ଦେଖି ମୁଁ ପ୍ରଥମତଃ ନିଜର ଅନୁଭୂତି ପର୍ଯ୍ୟନ୍ତ ହରାଇବସିଲି । ଆହୋ, କି ଜୀବନ୍ତ ଚିତ୍ର ! କୃତ୍ରିମତାରେ ପ୍ରାକୃତିକତାର ପ୍ରତୀତି ! ଏହା କାଚର ମହିମା ତାହା କିଏ କହିପାରିବ ? ପ୍ରଥମତଃ ଯୁଦ୍ଧସ୍ଥଳର ଚିତ୍ର ନଭଶ୍ଚୁମ୍ଭୀ ଚୂଡ଼ା ଉପଳ-ବନ୍ଧୁର ପର୍ବତର ପାଦ ଦେଶର ବିରାଟ ସୈନ୍ୟାତାସ । ଦୂରସ୍ଥ ତମ୍ବୁପଙ୍‌କ୍ତି ଅସଂଖ୍ୟ ଦେଉଳର ଶୋଭା ଅନୁକୃତି କରୁଅଛି । କେଉଁଠାରେ ସୈନ୍ୟମାନେ ପ୍ରସ୍ତର ଉପରେ ବସି ଚା ପାନ କରୁଅଛନ୍ତି, କେଉଁଠାରେ ଯୁଦ୍ଧାଶ୍ୱସମୂହ ଧାଡ଼ି ଧାଡ଼ି ହୋଇ ବନ୍ଧା ହୋଇଅଛନ୍ତି । ସମ୍ମୁଖରେ ନୌକା ତୁଲ୍ୟ କାଠପାତ୍ରରେ ଖାଦ୍ୟ ଓ ଜଳ ରହିଅଛି । ଅନ୍ୟ ଖଣ୍ଡିଏ ଚିତ୍ରରେ ଅଶ୍ୱାରୋହୀ ସୈନ୍ୟଦଳର ଯୁଦ୍ଧଯାତ୍ରା । ସେନାପତି ଦୂରରେ ରହି ସଙ୍କେତ କରୁଅଛନ୍ତି । ତୃତୀୟ ଚିତ୍ରରେ ପ୍ରସ୍ତର ଉହାଡ଼ରେ ଶୋଇ ସୈନ୍ୟମାନେ ଗୁଳି ଚଳାଉଅଛନ୍ତି । ବନ୍ଧୁକର ଘୋଡ଼ା ପଡ଼ିଯାଉଅଛି, ସଙ୍ଗେ ସଙ୍ଗେ ବିପକ୍ଷବାହିନୀ ଛିନ୍ନବୃକ୍ଷ ପ୍ରାୟ ଭୂତଳଶାୟୀ ହେଉଅଛନ୍ତି । ଆହାତ ସୈନ୍ୟଙ୍କର ବ୍ୟାକୁଳ ମୁଖ-ବିକୃତି ଏବଂ ବେଦନା ଅନୁଭୂତି ପ୍ରଭୃତି ପ୍ରତ୍ୟକ୍ଷ ପରି ଜଣାଯାଉଅଛି । ସେ ଦୃଶ୍ୟ ଦେଖି ଅନ୍ତରାତ୍ମା ଥରିଉଠିଲା । ଭାବିଲି କି ମର୍ମ୍ମାନ୍ତିକ ବୀଭତ୍ସ ଭୀଷଣ ଦୃଶ୍ୟ ! ଏହାକୁ ଅତିମାନୁଷୀ କହିବି କି ଅମାନୁଷୀ କହିବି, କିଛି ସ୍ଥିର କରିପାରିଲି ନାହି । ବୀର ହୃଦୟ କି କଠୋର, କି ନିର୍ମମ ! ବୀର ହୃଦୟ କି ନର-ହୃଦୟ ନୁହେଁ ? ମନୁଷ୍ୟ ମନୁଷ୍ୟ ଶରୀରରୁ ରକ୍ତପାତ କରିବ, ମନୁଷ୍ୟ ପ୍ରାଣ ବହି ମନୁଷ୍ୟର ପ୍ରାଣ ହରଣ କରିବ, ଏ ଦାରୁଣ ଦୃଶ୍ୟ ମନଶ୍ଚକ୍ଷୁର ପ୍ରବଳ ପୀଡ଼ାଦାୟକ । ଭାବିଲି, ଏରୂପ ଅସହ୍ୟ ଦୃଶ୍ୟ ଆଉ ଦୁଇ ଚାରି ମିନିଟ ଦେଖିଲେ ଭୟ ଓ ଦୁଃଖ ତାପରେ ମୁଁ ତରଳିଯାଇ ମିଳାଇଯିବି । ଆତ୍ମଜ୍ଞାନଶୂନ୍ୟ ହୋଇ ଚିତ୍ର ଦେଖା ସଙ୍ଗେ ସଙ୍ଗେ ଏହିପରି ଜାଗ୍ରତ ସ୍ୱପ୍ନ ମଧ୍ୟ ଦେଖିଲି; ମାତ୍ର ସେ ସ୍ୱପ୍ନରେ ସ୍ୱକ୍ଷୁପ୍ତି ଥିଲା ନାହିଁ । କେବଳ ଆତ୍ମବିସ୍ମୃତି ସୁଷୁପ୍ତିର ଆସନ ଅଳଙ୍କୃତ କରିଥିଲା । ମୁଁ କିପରି ଧୈର୍ଯ୍ୟଶୀଳ, ତାହା ଆଉ ଅଧିକ ଟୀକା ଟିପ୍‌ପଣୀ ସଂଯୋଗ କରି ବୁଝାଇବାର ଆବଶ୍ୟକତା ନାହିଁ । ଛବିମାତ୍ର ଦେଖି ଯେ ହତଜ୍ଞାନ, ପ୍ରକୃତ ଯୁଦ୍ଧ ଦେଖିଲେ ତାହାର ଅବସ୍ଥା ଯେ କିରୂପା ହେବ, ତାହା ବର୍ଣ୍ଣନା କରିବାକୁ କି ଭାଷା, ଭାବ କିମ୍ବା କଳ୍ପନାର ସାଧ୍ୟ ଅଛି ? ଅଥଚ ଯେଉଁ ଦେଶର ବୀରମାନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ-ପତାକା ଉଡ଼ାଉଥିଲେ, ଯେଉଁ ଦେଶର ମାଟି ବୀରପିଣ୍ଡରେ ଗଢ଼ା, ମୁଁ ସେହି ଦେଶର ଅଧିବାସୀ ଏବଂ ସେହି ବୀର-କେଶରୀଙ୍କ ବଂଶଧର । ଧନ୍ୟ କାଳର ପ୍ରଭାବ ! ଏହି ଯନ୍ତ୍ରରେ ଖଲ୍ଲିକୋଟ ଗଡ଼, ନିର୍ମଳଝର, ବରକୁଦା ବଙ୍ଗଳା ପ୍ରଭୃତିର ପ୍ରତିକୃତି ମଧ୍ୟ ଦେଖିଲି । ଏଥି ଉତ୍ତାରୁ ଆଉ ଏକ ଯନ୍ତ୍ର । ଏଥିରେ କେତେ ଗୁଡ଼ିଏ ରେକଡ଼ ସଂଯୁକ୍ତ କରି ଦେଖିବାକୁ ହୁଏ । ପ୍ରଥମ ରେକର୍ଡ଼ରେ ଦରବାର ଚିତ୍ର । ରାଜଦାଣ୍ଡ ଭାଗ ଭାଗରେ ବିଭକ୍ତ । କେଉଁ ଅଂଶରେ ଅଶ୍ୱସାଦିବର ଅଶ୍ୱ ଝପଟାଇ ଚାଲିଅଛନ୍ତି, କେଉଁ ଅଂଶ ଲୋକଗହଳରେ ସମୁଦ୍ର ପ୍ରାୟ ଦିଶୁଅଛି, କେଉଁ ଅଂଶରେ ମଣ୍ଡଣିମନ୍ତ ହସ୍ତିବୃନ୍ଦ ରତ୍ନାଳଙ୍କାରରେ ଭାରାକ୍ରାନ୍ତ ହୋଇ କାନ ବିଞ୍ଚି ମୁଣ୍ଡ ହଲାଇ କ୍ଷିପ୍ରଗତିରେ ଚାଲିଅଛନ୍ତି । ଆଉ ଖଣ୍ଡିଏ ରେକର୍ଡ଼ରେ ମଲ୍ଲଯୁଦ୍ଧ । ଦୁଇଜଣ ମଲ୍ଲ ଗୋଡ଼ ହାତ ଛନ୍ଦାଛନ୍ଦି ହୋଇ ତଳେ ପଡ଼ିଯାଉଛନ୍ତି, ପରକ୍ଷଣରେ ଉଠି ପୁନଶ୍ଚ ଯୁଦ୍ଧକ୍ରୀଡ଼ାରେ ରତ ହେଉଅଛନ୍ତି । ତୃତୀୟ ରେକର୍ଡ଼ରେ ଦୁଇଜଣଙ୍କର କଥାବାର୍ତ୍ତା, ହସ୍ତଚକ୍ଷୁ ସଞ୍ଚାଳନ ଏବଂ ମୁଖଭଙ୍ଗୀ ଦ୍ୱାରା ପରସ୍ପରର ମନୋଭାବ ବ୍ୟକ୍ତ ହୋଇ ପଡ଼ୁଅଛି । ଜଣେ ମୁହଁକୁ ସୁଣ୍ଡା କରି ଅଭିମାନ କଲା ପରି ବସୁଅଛି, ଅପର ହସି ହସି ତାହାକୁ ଆନନ୍ଦିତ କରାଇବାକୁ ଚେଷ୍ଟା କରୁଅଛି । ଏ ଯନ୍ତ୍ରଟି ଠିକ୍‌ବାୟସ୍କୋପ ଅନୁକରଣରେ ଗଠିତ । ନିଷ୍କର୍ମା ଲୋକଙ୍କ ପକ୍ଷରେ କାଳକ୍ଷେପଣର ଏହା ଗୋଟିଏ ସୁନ୍ଦର ଉପାୟ-

 

ବଙ୍ଗଳାର ପଛଆଡ଼େ ଗୋଟିଏ କ୍ଷୁଦ୍ରତର ଗୃହରେ ଦୁଇଗୋଟି ସ୍ୱଚ୍ଛଧାରୀ ମୟୂର ବସିଅଛନ୍ତି । ଚନ୍ଦ୍ରଙ୍କ ପ୍ରଭାରେ ଗୃହଟି ଉଜ୍ଜ୍ୱଳ । ମସ୍ତକରେ କିରଣକିରାଟ । ବୋଧହୁଏ ଶୋଭା ଦେବୀଙ୍କ ଅମୂଲ୍ୟ ଅତୁଲ୍ୟ ବିଭବରାଶି ଅପହରଣ କରି ଦୁହେଁ ଏଠାରେ ଲୁଚିଅଛନ୍ତି । ଅନ୍ୟ ଏକ ତାର ଗୃହରେ ଗୋଟିଏ ମୃଗ ଦଣ୍ଡାୟମାନ । ଖାଦ୍ୟ ଜଳ ନିକଟରେ ସର୍ବଦା ପରିପୂର୍ଣ୍ଣ । ମାତ୍ର ସେଥିପ୍ରତି ତାହାର ଦୃକ୍‌ପାତ ନାହିଁ । ଯେପରିକି ଅବ୍ୟକ୍ତ ଶୋକର କରୁଣ ଛାୟା ତାହାର ମୁଖକୁ ଆଚ୍ଛନ୍ନ କରି ରଖିଅଛି । ସ୍ୱଭାବଚଞ୍ଚଳ ଦୃଷ୍ଟି ବିଷାଦ କାତରବହ । ରାଜଗୃହରେ କୌଣସି ଅଭାବ ନ ଥିଲେ ସୁଦ୍ଧା ତାହାର ଏ ଭାବ କାହିଁକି ? ଜନ୍ମଭୂମିରୁ ନିର୍ବାସିତ ହୋଇଥିବାରୁ ସେ ଏହି ଜୀବନ୍ତ ମୃତ୍ୟୁଯନ୍ତ୍ରଣା ଭୋଗ କରୁଅଛି । ତାହାର ମାତୃଭୂମି ଅରଣ୍ୟଶ୍ୱାପଦସଙ୍କୁଳ । ସେଠାରେ ଅବସ୍ଥାନ, ମୃତ୍ୟୁଚକ୍ରର ଧାରରେ ଅବସ୍ଥାନ ତୁଲ୍ୟ; ତଥାପି ସେ ତାହାର ମାତୃକୋଳ ପାଇଁ କାହାର ପ୍ରାଣ ବା ଆକୁଳ ନ ହୁଏ ? ବନର ପଶୁପକ୍ଷୀ ସୁଦ୍ଧା ମାତୃମହିମା ବୁଝନ୍ତି । ମାନବ-କୂଳରେ ଜନ୍ମ ଲଭି ଯେ ତାହା ନ ବୁଝେ, ସେ ଅମାନବ । ଆଉ ଗୋଟିଏ ତାର-ଘରରେ ନାନା ବର୍ଣ୍ଣର କ୍ଷୁଦ୍ର କ୍ଷୁଦ୍ର ପକ୍ଷୀ ଅଛନ୍ତି । କେହି ତ୍ରିପଣ୍ଡ କଳା, କେହି ଗାଢ଼ ଲୋହିତ, କେହି ପୀତ, କେହି ବା ଶ୍ୱେତ । ପକ୍ଷୀଗୁଡ଼ିକ ଉଡ଼ିଲାବେଳେ ଇନ୍ଦ୍ରଧନୁର ଚୁର୍ଣ୍ଣ ଉଡ଼ିଲା ପ୍ରାୟ ପ୍ରତୀୟମାନ ହୁଏ । ସେମାନେ ସଭ୍ୟ ପକ୍ଷୀ । ଅଭଦ୍ରତାସୁଲଭ କାମୁଡ଼ାକାମୁଡ଼ି ବା କଳିଗୋଳ ନାହିଁ, ସମସ୍ତେ ଅନୁଳ ସ୍ୱଳ୍ପଭାଷୀ । ସେହି ଘରର ନିମ୍ନ ପ୍ରକୋଷ୍ଠରେ ବିଲାତୀ ମୂଷା, ନେପାଳି ମୂଷା, ପାହାଡ଼ୀ ମୂଷା ପ୍ରଭୃତି ସାନ ବଡ଼ ମୂଷା ଅନେକ ଅଛନ୍ତି । ସେମାନଙ୍କ କ୍ରୀଡ଼ା ଓ ଦୃଷ୍ଟି ବଡ଼ କୌତୁକାବହ । ସେମାନେ ଚୋର ପରି ବନ୍ଦିଶାଳାରେ ଅଛନ୍ତି । ଗଣେଶବାହନଗୁଡ଼ିକ ଗଣେଶଙ୍କ ପରି ଥାକୁଲ ଥୁକୁଲ ରାଜଗୃହର ଅତିଥି, ରାଜଭୋଗ ଖାଦ୍ୟର ଅଭାବ କଅଣ ?

 

ବଙ୍ଗଳାର ତିନି ପାଖରେ ବର୍ତ୍ତୁରାଜି ଲୋହିତ କାନ୍ତି ବିସ୍ତାର କରିଅଛି । ପଥ ମଧ୍ୟରେ ସ୍ଥାନେ ସ୍ଥାନେ ଜଳକୁଣ୍ଡ ବା ଫୋୟାରା ଅବସ୍ଥିତ । ସେଗୁଡ଼ିକ ଷଡ଼ଦଳ ଓ ଅଷ୍ଟଦଳ ପଦ୍ମାକୃତି । କଳ ଜଳରେ କୁଣ୍ଡ ପୂର୍ଣ୍ଣ ହୁଏ । ସେଥିରେ ହଂସଯୂଥ ଚରୁଥିବାର ଦେଖାଗଲା । କୁଣ୍ଡରେ ଜଳ ବ୍ୟତୀତ ଆଉ କିଛି ନାହିଁ । ହଂସମାନେ କଅଣ ଖାଆନ୍ତି, ତାହା ସେହି ଜାଣନ୍ତି । ଗୋଟିଏ କୁଣ୍ଡରେ ମାତଙ୍ଗ ମୁନିଙ୍କର ଗୋଟିଏ ଶିଶୁ ବଂଶଧର ଉପରକୁ ଶୁଣ୍ଡ ଟେକି ରହିଅଛି । ସେହି ଶୁଣ୍ଡର ଛିଦ୍ର ପଥରେ ଜଳଧାରା ଆସି କୁଣ୍ଡରେ ପତିତ ହୁଏ । ଆଉ ଗୋଟିଏ କୁଣ୍ଡରେ କାଳୀୟ-ଦଳନ ମୂର୍ତ୍ତି ଅଛି । ମୂର୍ତ୍ତିର ମସ୍ତକରୁ ଜଳଧାରା ପଡ଼େ । ଏହିପରି ପ୍ରତ୍ୟେକ କୁଣ୍ଡରେ ଗୋଟିଏ ଗୋଟିଏ ସୁନ୍ଦର କୌଶଳଯୁକ୍ତ ମୂର୍ତ୍ତିଅଛି । ପଥପାର୍ଶ୍ୱରେ ବିଶ୍ରାମ କରିବା ସକାଶେ ବେଞ୍ଚ ପଡ଼ିଅଛି । ମର୍ମର ପ୍ରସ୍ତରର ବେଦୀ ମଧ୍ୟରେ ଓ ପଥର ଉଭୟ ପାର୍ଶ୍ୱରେ ବୈଦ୍ୟୂତିକ ଆଲୋକ-ସ୍ତମ୍ଭ ପ୍ରୋଥିତ ହୋଇଅଛି । ପଣସ ଗଛ ମୂଳରେ ପକ୍‌କା ବେଦୀ ନିର୍ମିତ ହୋଇଅଛି । ଯେମନ୍ତ କି ବକ୍ତା ବକ୍ତୃତା ମଣ୍ଡପରେ ଠିଆହୋଇ ହସ୍ତ ଟେକି ନୀରବ ବକ୍ତୃତାରେ ନିମଗ୍ନ ଅଛି ।

 

୧୪।୧୧।୧୧- ବଙ୍ଗଳାର ସମ୍ମୁଖଭାଗରେ ଖଣ୍ଡିଏ କ୍ଷୁଦ୍ର ପୁଷ୍ପୋଦ୍ୟାନ ଅଛି । ଉଦ୍ୟାନ ମଧ୍ୟରେ ସୁନ୍ଦର ମଣ୍ଡପଟିଏ ଅଛି । ମିଷ୍ଟର ଦାସଙ୍କ ସି. ଆଇ. ଇ ଉପାଧୀ-ଲାଭ ଉପଲକ୍ଷେ ତାଙ୍କୁ ଅଭ୍ୟର୍ଥନା କରିବା ସକାଶେ ଏହି ମଣ୍ଡପ ନିର୍ମିତ ହୋଇଥିଲା । ମଣ୍ଡପଚାଳରେ ଲୌହ-ତାରନିର୍ମିତ ଶିକା ଝୁଲୁଅଛି । ତାହା ମଧ୍ୟରେ ଶୈବାଳଜାତୀୟ ଉଦ୍ଭିଦ ରହି ବର୍ଦ୍ଧିତ ହେଉଅଛି । ଏଗୁଡ଼ିକ ମହାରୁହ ନୁହେ-ଶୂନ୍ୟରୁହ । ଉଦ୍ୟାନର ଏକ ପାର୍ଶ୍ୱରେ ହନୁମାନଙ୍କର ବଂଶଧର ଗୋଟାଏ ଖୁଣ୍ଟରେ ଚଢ଼ିଅଛି । ତାହାରି ମସ୍ତକରୁ ଜଳ ବାହାରି ଉଦ୍ୟାନ ସିକ୍ତ କରେ । ଗଙ୍ଗା ଜହ୍ନୁ ମୁନିଙ୍କ ଦେହରୁ ବାହାରି ଜାହ୍ନବୀ ନାମ ଧରିଥିଲେ । ଏଠାରେ ହନୁ ମୁଣ୍ଡରୁ ବାହାରୁଅଛନ୍ତି, ସୁତରାଂ ଏଠାରେ ତାଙ୍କର ନାମ ହାନବୀ ହେବା ଉଚିତ । ଉଦ୍ୟାନରେ ପଦ୍ନଫୁଲ ପରି ବଡ଼ ବଡ଼ ଗୋଲାପ ଫୁଲ ଏବଂ ସୂର୍ଯମୂଖ୍ୟୀ ପରି ବଡ଼ ବଡ଼ ସେବତୀ ଫୁଲ ଅଛି । ଏଠାରେ ମରୁଆ ଗଛ ଦେଖିଲି । ତାହାର ଫୁଲ ନାହିଁ - ପତ୍ର ବାସେ । ମରୁଆ ମାଳାରେ ଜଗନ୍ନାଥ ମହାପ୍ରଭୁଙ୍କର ବଡ଼ସଂହାର ବେଶ ହୁଏ । ଉଦ୍ୟାନରେ ସ୍ୱଦାଶୀ ବିଦେଶୀ ନାନାପ୍ରକାର ପତ୍ର, ସୁନ୍ଦର ପୁଷ୍ପ, ସୁନ୍ଦର ଗୁଳ୍ମଲତା ଅଛି । ଜୟକୃଷ୍ଣ ବାବୁଙ୍କ ଅଫିସ ଗୃହ ସମ୍ମୁଖରେ ଦୁଇଟି ଭୁର୍ଜ ଗଛ ଅଛି । ପୂର୍ବେ ଭୁର୍ଜ ଛାଲରେ ପୁସ୍ତକ ଲେଖା ହେଉଥିଲା । ପୁରୀ ଶଙ୍କରାଚାର୍ଯ୍ୟ ମଠରେ ଭୁର୍ଜପତ୍ରଲେଖା ପ୍ରାଚୀନ ପୁସ୍ତକ ଅଛି । ବଙ୍ଗଳା ହତା ମଧ୍ୟରେ ଏକଜାତୀୟ ବୃହତ ବୃକ୍ଷ ଅଛି । ସ୍ଥାନୀୟ ଲୋକେ ତାହାକୁ ପାରିଜାତ ବୃକ୍ଷ କହନ୍ତି । ସ୍ୱର୍ଗରେ ରମ୍ଭା ଅଛି, ସେଠାରେ ପାରିଜାତ ନ ଥିବ କାହିଁକି ? ଏହି କେତୋଟି ବିଭବ ଯୋଗୁଁ ସ୍ୱର୍ଗର ଗୌରବ ସିନା ! ସେଥିରେ ଲାଲ ବର୍ଣ୍ଣର ଫୁଲ ହୁଏ । ମାନବ ଚକ୍ଷୁ ସହିତ ସେ ଫୁଲର ମଧୁର ସମ୍ପର୍କ; ମାତ୍ର ନାସିକା ସହିତ କୌଣସି ସମ୍ପର୍କ ନାହିଁ - ସେ ଗୋଟିଏ ସୁନ୍ଦର ନିର୍ଗୁଣ ବନ୍ଧୁ ।

 

ଚିଲିକା ଆଡ଼କୁ ଖଣ୍ଡିଏ ଶାକ୍‌ସବଜିର ବଗିଚା ଅଛି । ସେଥିରେ ଆଳୁ, କୋବି, ମଟର, ଗାଜର ପ୍ରଭୃତି ବିଲାତି ଶାକସବଜି ଭଲ ହୁଏ । ଆମ୍ବ, ଜାମୁ, ଲିଚୁ ଗଛ ମଧ୍ୟ ଅଛି । ଏହା ଛଡ଼ା ଜଳକରର ଇଞ୍ଜିନଘର ଏବଂ ଗୋଟାଏ ବୃହତ ବାମ୍ଫୀ ଅଛି । ଚିଲିକା ପାଖକୁ ଖଣ୍ଡିଏ ସାନ ପୋଖରୀ ଅଛି । ପୋଖରୀର ବନ୍ଦ ଚିଲିକା ଓ ପୋଖରୀକୁ ପୃଥକ୍‌କରିଅଛି, ଅଥଚ ସେ ପାଖରେ ଜଳ ଲୁଣୀ ଏବଂ ଏ ପାଖର ଜଳ ମଧୁର ।

 

ଖରାବେଳେ ବସି ବିଶ୍ରାମ କରୁଅଛି, ଦେଖିଲି-ଗୋଟାଏ ବୃହତ୍‌ମାଙ୍କଡ଼ ଧାଇଁଆସି ବଙ୍ଗଳାର ଦ୍ୱିତକ କାନ୍ଥସ୍ଥ ଝରକା ଉପରେ ବସିଲା ଏବଂ ଝରକା ଆଡ଼କୁ ଚାହିଁ ଖତାଇହେବାକୁ ଲାଗିଲା । ଝରକାର କାଚ କବାଟରେ ନିଜର ମୂର୍ତ୍ତି ପ୍ରତିଫଳିତ ଦେଖି ତାହାକୁ ଅନ୍ୟ ମର୍କଟ ଭାବି ଚାପୁଡ଼ାଏ ପକାଇବାରୁ କାଚକବାଟ ଭାଙ୍ଗିଗଲା । ତାହାର ଅବ୍ୟବହିତ ପରେ ବନ୍ଧୁକର ଶବ୍ଦ ଶୁଭିଲା । ଗୁଳି ତାହାର ଫଡ଼ିଆରେ ଫୁଟିଗଲା । ତହୁଁ ସେ ବୀରତ୍ୱର ଉପଯୁକ୍ତ ପୁରସ୍କାର ଯାଇ ଛୋଟାଇ ଛୋଟାଇ ପଳାଇଗଲା । ସେ ଚାରିପାଞ୍ଚ ଦିନ ହେଲା ପ୍ରତ୍ୟେହ ଏହିପରି ଗୋଟାଏ ଗୋଟାଏ ଝରକା ଭାଙ୍ଗି ଗର୍ବସୂଚକ ହୁଙ୍କାର ମାରି ପଳାଇଯାଉଥିଲା । ବଙ୍ଗଳା-ରକ୍ଷକ ଆଜି ଛକି ବସି ତାକୁ ଖଞ୍ଜତ୍ୱ ପୁରସ୍କାର ଦେଲା । କୂପ ଜଳରେ ସିଂହ ନିଜର ପ୍ରତିବିମ୍ବ ଦେଖି ଦନ୍ତନଖ ପ୍ରକଟପୂର୍ବକ ଝାସଦେଇ ମରିବାର କିମ୍ବଦନ୍ତୀ ଶୁଣାଯାଇଥିଲା; ମାତ୍ର ଏ ମର୍କଟ ବୀର ସେଥିର ଜୀବନ୍ତ ପ୍ରମାଣ ଦେଖାଇଲା; ଅବ୍ୟା ପାରରେ ବ୍ୟାପାର କରିବାକୁ ଯାଇ ଆଜୀବନ ଖଞ୍ଜକୁ ଲାଭ କଲା । ଆଜି ଆଉ ଗୋଟିଏ ରହସ୍ୟ ଦେଖଲି । ଗୋଟାଏ ବଡ଼ ଘୋଡ଼ା ଅକର୍ମଣ୍ୟ ହେବାରୁ ତାକୁ ଛାଡ଼ି ଦିଆଯାଇଥିଲା । ସେ ବଙ୍ଗଳା ହତାରେ ଚରିବୁଲି ଖାଏ ଏବଂ ରାତ୍ରିରେ ଆସି ଘୋଡ଼ାଶାଳାରେ ଶୁଏ । ତାହା ପ୍ରତି କାହାରି ଆସ୍ଥା ନ ଥିଲା । ସେ ମଧ୍ୟ ନରସେବାପରାଙ୍କୁଖ ହୋଇ ଆତ୍ମନିର୍ଭରତା ଅବଲମ୍ବନ କରିଥିଲା । ଜୟକୃଷ୍ଣ ବାବୁଙ୍କ ଅଫିସଗୃହ ପାଖରେ ଗୋଟାଏ ପାଣିକଳ ଅଛି । ଘୋଡ଼ାଟା ଖରାବେଳେ ଆସି ମୁହଁରେ ପାଣିକଳର ଝିଞ୍ଜିରି ଖୋଲିଦେଇ ପାଣି ପିଏ । କଳ ମୁକୁଳା ରହିବାରୁ ପାଣିସବୁ ବାହାରିଯାଏ । ଆଜି ବଙ୍ଗଳାର ଜଣେ ଚାକର ପାଣିକଳର ଝିଞ୍ଜିରିରେ ଖଣ୍ଡେ ଦଉଡ଼ା ବାନ୍ଧିଦେଇ ଯାଇଥିଲା । ଘୋଡ଼ା ଆସି ଅନେକ ଚେଷ୍ଟା କଲା; ମାତ୍ର ଶିକୁଳି ଫିଟିଲା ନାହିଁ । ତହୁଁ କଳଖୁଣ୍ଟ ଉପରେ ଦେହଭାର ଲଦି ତାକୁ ଭାଙ୍ଗି ଦେଇଗଲା । ପ୍ରତମେ ପ୍ରଥମେ ସେ ମନୁଷ୍ୟ ପରି ଶିକୁଳି ଫିଟାଇ ପାଣି ପିଇସାରି ପୁଣି ଶିକୁଳି ପୂର୍ବପରି ବନ୍ଦ କରିଦେଇ ଯାଉଥିଲା; ମାତ୍ର ପଛକୁ ଆଉ ତାହା କଲା ନାହିଁ । ଏ ଘଟଣାରୁ ପଶୁଜାତିର ବୁଦ୍ଧି ନାହିଁ ବୋଲି କିଏ ବିଶ୍ୱାସ କରିବ ?

 

ସୂର୍ଯ୍ୟାସ୍ତ ପୂର୍ବରୁ ଗୋଟିଏ ଦୂରବୀକ୍ଷଣ ଯନ୍ତ୍ର ଧରି ଜୟକୃଷ୍ଣ ବାବୁଙ୍କ ଅଫିସ ବାରନ୍ଦାରେ ବସିଲି । ସମ୍ମୁଖରେ ଚିଲିକାର ବିପୁଳ ବିସ୍ତୃତ ବାରିରାଶୀ, ତହିଁ ମଧ୍ୟରେ ଘଣ୍ଟିଶିଳା ପର୍ବତ; ପର୍ବତଟି ବଡ଼ ସୁନ୍ଦର । ଗର୍ବମତ୍ତ ଗଜବର ଅର୍ଦ୍ଧାଙ୍ଗ ନିମଜ୍ଜିତ କରି ସମୁଦ୍ରସ୍ନାନ କଲା ପରି ଦିଶେ । ମସ୍ତକର ଇନ୍ଦ୍ରଲୁପ୍ତ ଚିହ୍ନ ଅତି ବୃଦ୍ଧତ୍ୱର ପରିଚାୟକ । ଜଳାରଣ୍ୟ ରୂପ ନିଃସଙ୍ଗ ପ୍ରବାସରେ ସେ ଏକାକୀ । ଚିଲିକାର ଫେନଚୂଳ ଉତ୍ତାଳ ତରଙ୍ଗରାଶି ତାହା ପାଦମୂଳରେ ଲୁଟି ଖେଳୁଅଛି । ମତ୍ତ ମରାଳ ଚରଣାଘାତରେ ଜଳ ଠେଲି, ହଲି ଦୋଳି ଚାଲିଲା ପ୍ରାୟ ଚିଲିକା ବକ୍ଷରେ ତରଣୀମାଳା ଚାଲିଅଛି । ସୂର୍ଯ୍ୟ ଅସ୍ତ ହେଲେ । ତାଙ୍କ ଶ୍ମଶାନଚିତାର ରକ୍ତିମ ପ୍ରଭା ଆକାଶରେ ପ୍ରତିଫଳିତ ହେଲା । ଚିଲିକା-ତାପସୀ ଗୌରିକବସନପରିହିତ ହୋଇ ସାନ୍ଧ୍ୟୋପାସନା ସକାଶେ ପ୍ରସ୍ତୁତ ହେଲା । ସ୍ଥଳଚର, ଜଳଚର, ନଭଶ୍ଚର ପକ୍ଷୀମାନଙ୍କର କଳ କୋଳାହତ ଉଛୁଳି ପଡ଼ିଲା, ମନ୍ତ୍ରପାଠ ଆରମ୍ଭ ହେଲା । ଦୂରବୀକ୍ଷଣରେ ଦେଖିଲି, ପୁରୀ ପଥରେ ଦୁଇଖଣ୍ଡ ନୌକା ଆସୁଅଛି । ବୋଧହୁଏ ତାହା ଯାତ୍ରିବାହା ନାବ । ଦକ୍ଷିଣଖଣ୍ଡର ଯାତ୍ରୀମାନେ ଚିଲିକା ପଥରେ ନୌକାରେ ପୁରୀ ଯାତାୟତ କରନ୍ତି-। ଆରୋହୀ ତୁଳନାରେ ଭଡ଼ାର ହ୍ରାସବୃଦ୍ଧି ଘଟେ । ସମୟ ସମୟରେ ଆରୋହୀ ଅଧିକ ହେଲେ ଜଣ ପ୍ରତି ଦୁଇ ତିନି ଅଣା ଭଡ଼ା ଲାଗେ । ଦେଖୁଁ ଦେଖୁଁ ତାରାକୁନ୍ତଳିନୀ, ମୁକ୍ତକେଶୀ ସନ୍ଧ୍ୟା ଅନ୍ଧକାର-ପୃଷ୍ଠରେ ବିଜେ ହେଲେ । ତାଙ୍କର ଶରୀର ଓ କେଶର କୃଷ୍ଣପ୍ରଭାରେ ସୃଷ୍ଟି ଅନ୍ଧକାରମୟ ହୋଇଗଲା ଏବଂ ସେହି ଅନ୍ଧକାରରେ ଚିଲିକା ମିଳାଇଗଲା । ଅଳ୍ପକ୍ଷଣ ପରେ ତାରା-ପ୍ରତିବିମ୍ବ ବକ୍ଷରେ ଧାରଣା କରି କଥଞ୍ଚିଳ ଆତ୍ମପ୍ରକାଶ କଲା । ବକ୍ଷବିହାରୀ ଅସଂଖ୍ୟ ନୌକାରେ ଆଲୁଅ ଜଳିଉଠିଲା । କାମରୂପିଣୀ ଚିଲିକା ଏବେ ନୀଳବର୍ଣ୍ଣ ଧାରଣ କଲା । ତାରକାର ପ୍ରତିବିମ୍ବ ଆଲୋକସଂଖ୍ୟା ବୃଦ୍ଧି କଲା-ଚିଲିକା ଆଲୋକମୟ ହୋଇଉଠିଲା । ଆହା, ସେ କି ମନୋମୋହନୀ ଶୋଭା । ସତେ ଯେପରି ଚିଲିକା-ବକ୍ଷରେ ଅସଂଖ୍ୟ ସୁବର୍ଣ୍ଣ-କମଳ ଫୁଟିଉଠିଲା । ମତ୍ସ୍ୟଜୀବୀମାନେ ହୁଡ଼ା ଜାତି ତେଣ୍ଟାରେ ମାଛ ଧରିଲେ । କାଷ୍ଠବେଣ୍ଟଯୁକ୍ତ ସୁତୀକ୍ଷ୍‌ଣ ମୁନା ଲୌହଶଳାକା ଖଣ୍ଡକୁ ତେଣ୍ଟା କହନ୍ତି । ନୌକାରେ ଆଲୁଅ ଦେଖିଲେ ବଡ଼ ବଡ଼ ମାଛ ଡ଼େଇଁ ଉଠନ୍ତି । ସେହି ସମୟରେ ତେଣ୍ଟାଧାରୀ ମତ୍ସ୍ୟଯମ ଧୀବର ଖର ହସ୍ତରେ ତେଣ୍ଟା ମୁନରେ ଗୁନ୍ଥି ହୋଇଯାଏ । ଧୀବରମାନେ ଚିଲିକାର ନାନା କୌଶଳରେ ମାଛ ଧରନ୍ତି । ବାଉଁଶ ପାତିଆରେ ଲମ୍ବ ପଟି ବୁଣି ଜୁଆର ସମୟରେ ସେହି ପଟି ଠିଆକରାଇ ଜଳର କେତେକ ଅଂଶ ଘେରି ରହନ୍ତି । ଜୁଆର ଛାଡ଼ିଗଲେ ସେହି ବନ୍ଦଶାଳା ଭିତରେ ଶୁଖିଲାରେ ମାଛ ପଡ଼ି ରହନ୍ତି । ଆଉ ଏକ କୌଶଳ ଏହି ଯେ ପଟିକୁ କୂଳରୁ ପାଣି ଭିତରକୁ କିଛିଦୂର ପର୍ଯ୍ୟନ୍ତ ଠିଆଭାବରେ ପୋତିଦିଅନ୍ତି । ଶେଷ ପାଖରେ ଅନ୍ଧୂଲି ପରି ଗୋଟିଏ ଯନ୍ତ୍ର ଲାଗିଥାଏ । ଚିଙ୍ଗୁଡ଼ିପଲ ସେହି ବାଡ଼ ଧରି ଧରି ଅନ୍ଧୁଲି ରୂପ ଯମଖାନା ଭିତରେ ପଶନ୍ତି; ମାତ୍ର ଆଉ ବାହାରିପାରନ୍ତି ନାହିଁ । ହୁଣ୍ଡା ଚିଙ୍ଗୁଡ଼ି ବ୍ୟତୀତ ଅନ୍ୟ ମାଛ ସେହି ବାଡ଼ ରୂପ ମୃତ୍ୟୁପଥ ଆଶ୍ରୟ କରି ଯମପୁରରେ ପ୍ରବେଶ କରନ୍ତି ନାହିଁ । ଜଗତରେ ମାଛ ଧରିବାର ଅନେକ କୌଶଳ ଅଛି ଏବଂ ନିତ୍ୟ ନୂତନ କୌଶଳ ଉଦ୍ଭାବିତ ହେଉଅଛି । ମାଛ ମାରିବାର ଯେତେ କୌଶଳ ଅଛି, ଯୁଦ୍ଧବିଭାଗ ଛଡ଼ା ଅନ୍ୟ କାହିଁରେ ତେତେ ନାହିଁ । ଧୀବରମାନେ ମାଛ ଧରିସାରି ସାଫଲ୍ୟ ସଙ୍ଗୀତ ଗାଇ ଗାଇ ଫେରିଗଲେ । ସେ ସଙ୍ଗୀତର ଚିଲିକାର ଅନ୍ତରର ସଙ୍ଗୀତ ଜାଗି ଉଠିଲା । ଚିଲିକା ବକ୍ଷ ମଧୂର ସଙ୍ଗୀତମୟ ହେଲା । ସଙ୍ଗୀତର ମୋହନ ମୂର୍ଚ୍ଛନା ତୀରସ୍ଥ ପଲ୍ଲୀର ପ୍ରତି ଗୃହରେ, ପ୍ରତି ଗୃହସ୍ଥର ପ୍ରାଣରେ ଅମୃତ ବର୍ଷଣ କଲା ।

 

୧୫।୧୧।୧୧- ଆଜି ଘଣ୍ଟଶିଳା ପର୍ବତ ଉପରକୁ ଯିବାକୁ ହେବ । ସକାଳୁ ଉଠି ନିତ୍ୟକର୍ମ ସାରି ପ୍ରସ୍ତୁତ ହେଲି । ଦିନମଣି ପ୍ରାଚୀଗର୍ଭରୁ ଜାତ ହେଲେ । ତାଙ୍କ ଅନ୍ତୁଡ଼ିଶାଳ ଧୂମରାଶି ଚକ୍ରତାଳ ମୂଳରେ ବିସ୍ତୀର୍ଣ୍ଣ ହୋଇଗଲା । ପକ୍ଷିଗଣ ମଙ୍ଗଳ ହୁଳିହୁଳି ଶବ୍ଦ କଲେ । ଢଳ ଢଳ ତାଳରବି ଚିଲିକା ଜଳରେ ଜନ୍ମସ୍ନାନ କଲେ । ତାଙ୍କର କନକ ପ୍ରଭାରେ ଚିଲିକାର ଜଳ କନକିତ ହେଲା । ସୂର୍ଯ୍ୟଦେହ ପ୍ରତ୍ୟେହ ସକାଳେ ଜନ୍ମଲାଭ କରି ସନ୍ଧ୍ୟାରେ ମୃତ୍ୟୁମୁଖରେ ପ୍ରତିତ ହୁଏ । ଜନ୍ମ ମୃତ୍ୟୁ ତାଙ୍କର ଲୁଚକାଳି ଖେଳ । ବାସ୍ତବରେ ଜନ୍ମ ଯେପରି ମୃତ୍ୟୁର ମହାନିମନ୍ତ୍ରଣ, ମୃତ୍ୟୁ ସେହିପରି ଜନ୍ମର ଅପ୍ରତ୍ୟାଖାତ ନିମନ୍ତ୍ରଣ । ଜନ୍ମ ମୃତ୍ୟୁର ସଦ୍‌ଭାବ ଓ ବନ୍ଧୁତା ଅଖଣ୍ଡ । ଜନ୍ମମୃତ୍ୟୁର ପ୍ରାଣ ଏବଂ ମୃତ୍ୟୁ ଜନ୍ମର ଜୀବନ । ସୃଷ୍ଟି ଓ ଧ୍ୱଂସ ଏକ ବୃନ୍ତରେ ଦୁଇଟି ଫଳ ।

 

ସୂର୍ଯ୍ୟୋଦୟ ପରେ ମୁଁ ଓ ଜୟକୃଷ୍ଣ ବାବୁ ଜାଲି ବୋଟରେ ଚଢ଼ି ଘଣ୍ଟଶିଳା ଅଭିମୁଖରେ ଅଗ୍ରସର ହେଲୁ । ବର୍ତ୍ତମାନ ଚିଲିକା ଶାନ୍ତ ଓ ଉଦାସ । ସେ କେତେବେଳେ କି ଭାବ ଧାରଣ କରେ-କେବେ ଉଗ୍ର, କେବେ ଉଦାର, କେବେ ଉଲ୍ଲାସ ଓ କେବେ ବା ବିଷାଦ । ବୋଟ ଧୀର ଗତିରେ, କେବେ ଶୀଘ୍ର ଗତିରେ ଚାଲିବାକୁ ଲାଗିଲା । ଚିଲିକାର ଜଳ ଖୁବ୍‌ସ୍ୱଚ୍ଛ । ଏକ ହାତ ଜଳ ତଳେ ଏକପ୍ରକାର ଶୈବାଳ ବୁଡି ଭାସି ଚାଲିଥିବାର ଦେଖାଗଲା । ଏଥିରୁ ବୋଧ ହେଲା, ଚିଲିକାର ଅଭ୍ୟନ୍ତରରେ ସୁଦ୍ଧ ଗୋଟାଏ ସ୍ରୋତ ଅନବରତ ପ୍ରବାହିତ ହୁଏ । ଦୁଇଟି ଚକ୍ରବାକ ପକ୍ଷୀ ମଧ୍ୟାକାଶରେ ଉଡି ଯାଉଁ ଯାଉଁ ନୌକାରେ ଛାୟାଦାନ କରିଗଲେ । ଆମ୍ଭମାନଙ୍କ ଚୋଟର ଅଳ୍ପ ଛଡ଼ାରେ ଖଣ୍ଡେ ମତ୍ସ୍ୟବାହୀ ନୌକା ଚାଲିଗଲା । ଚାଳକ ଏଗାର ବର୍ଷର ଗୋଟିଏ ବାଳକ । ବାଳକଟି ଗାଇଲା - ‘‘ବସନ୍ତ କାଳ, ସହଜେ କାଳ, ଆସିଲାଣି; ଜୀବନ ନେବ ରେ ମାର ସଙ୍ଗରେ ବାଳକଟିର ସାକ୍ଷାତ ନାହିଁ କି ପରିଚୟ ନାହିଁ କି ପରିଚୟ ନାହିଁ - ମାର ବାଘ, ଭାଲୁ, କି ରାକ୍ଷସ ପିଶାଚ ତାହା ସୁଦ୍ଧା ଜାଣେ ନାହିଁ, ତଥାପି ମାର ମାରିବାକୁ ଆସିବା ପୂର୍ବରୁ ସେ ଭୟରେ କାତର ହୋଇ ମାର - ମଙ୍ଗଳ ଆବୃତ୍ତ କରୁଅଛି । ଧନ୍ୟ ବାତ୍ସୟନ ମୁନିଙ୍କ ଓ ତପୋବଳ ! ମାରନାମକ କି ମାରାତ୍ମକ ଜୀବ ସେ ସୃଜନ କରିଗଲେ ! ଘଣ୍ଟିକାର ଅଳ୍ପ ଦୂରରେ ଗୋଟିଏ ପୃଥଳ ପ୍ରସ୍ତରସ୍ତମ୍ଭ ଅଛି-। ସେଥିରେ ବିଶ୍ରାମ କରିତା ସକାଶେ ଖଣ୍ଡେ ଛୋଟ ଚାନ୍ଦିନୀ ଅଛି । ଆମ୍ଭେମାନେ ବୋଟରୁ ଓହ୍ଲାଇ ସେହି ମଣ୍ଡପରେ ବସିଲୁଁ । ମଣ୍ଡପଟି ବଡ଼ ବଡ଼ କଙ୍କଡ଼ା ଖୋଳ - ସମ୍ପଦରେ ଅଳଙ୍କୃତ । ସମ୍ଭବତଃ ଏହା ପୂର୍ବୋକ୍ତ କୁରୁବଳ ପକ୍ଷୀର କୀର୍ତ୍ତି । ମଣ୍ଡପ - ଗାତ୍ରରେ ଅସଂଖ୍ୟ ଲୋକଙ୍କର ନାମ ଅଙ୍ଗାରରେ ଲିଖିତ ହୋଇଅଛି । ମଣ୍ଡପ-ଦେହରେ ଆଉ ସ୍ଥାନ ନାହିଁ । ନାମ ଉପରେ ନାମ ଘୋଡ଼ା ଚଢ଼ିଅଛି । ନାମର ଅଧିକାରମାନଙ୍କ ମଧ୍ୟରୁ ଅନେକ ଇହଲୋକରୁ କେଉଁକାଳରୁ ବିଦାୟ ନେଇସାରି ଯାଇଥିବେ; ମାତ୍ର ସେମାନଙ୍କର ଅଙ୍ଗାରକଳଙ୍କିତ ନାମ ମାର୍କଣ୍ଡେୟ - ପରମାୟୁ ଘେନି ସ୍ତମ୍ଭଗାତ୍ରରେ ରହିଅଛି । ଶୁଣିଲି, ସେଠାକୁ ଯେ ଯାଏ, ସେ ନିଜର ନାମ ଲେଖିଦେଇ ଆସେ । ମୁଁ ମଧ୍ୟ ମହାଜନ ପନ୍ଥା ଅନୁସରଣପୂର୍ବକ ଖଣ୍ଡେ ଅଙ୍ଗାରରେ ମୋର ନାମ ଅଙ୍କିତ କଲି । ଆହୁରି ଶୁଣିଲି - ସ୍ତମ୍ଭ ତଳେ ଖଣ୍ଡେ ବିଶାଳ ପ୍ରସ୍ତର ଅଛି । ତଦ୍ଦ୍ୱାରା ନାବିକମାନଙ୍କର ବିପଦର ସମ୍ଭାବନା ଜାଣି ସ୍ୱର୍ଗତ ଖଲ୍ଲି କୋଟ ନରପତି ସ୍ୱନାମଧନ୍ୟ ହରିହର ମର୍ଦ୍ଦରାଜ ଦେବ ସେହି ପ୍ରସ୍ତର ଚିହ୍ନିତ କରିବା ସକାଶେ ତାହା ଉପରେ ଏହି ସ୍ତମ୍ଭ ନିର୍ମାଣ କରାଯାଇଥିଲେ । ଆମ୍ଭେମାନେ ସେଠାରେ କିଛିକ୍ଷଣ ବିଶ୍ରାମ କରି ପୁନଶ୍ଚ ବୋଟ୍‌ରେ ବସିଲୁଁ ଏବଂ ବେଳ ପ୍ରହରକ ସମୟରେ ଗିରିପାଦ ତଳେ ଅବତରଣ କଲୁଁ । ପୂର୍ବୋକ୍ତ ବାଳକର ଗେୟ ଗୀତପଦକ ଖଲାସିମାନେ ଚାଟପିଲା ପରି ଅବଧି ଆବୃତ୍ତି କରୁଥିଲେ । ନୌକା ଘେନି ବାଳକଟି ଚାଲିଗଲା; ମାତ୍ର ଗୀତପଦକ ଖଲାସିମାନଙ୍କ ମୁଖରେ ରଖିଯାଇଥିଲା । ପର୍ବତରେ ବ୍ୟାଘ୍ର ଭୟ ଅଛି ବୋଲି କହି ଖଲାସିମାନେ ପର୍ବତ ଉପରକୁ ଉଠିବାକୁ ମଙ୍ଗିଲେ ନାହିଁ । ଜଣେ କହିଲା - ‘‘କାଲି ରାତି ବାରା ଗଣ୍ଟକୁ ଆମେ ଶୁଣିଲା, ଏ ପର୍ବତ ଉପରେ ଭାଗ ରଡି ଛାଡିଥିଲା ।’’ ତୈଲଙ୍ଗୀୟମାନେ ଗୁରୁପ୍ରାଣ ବର୍ଣ୍ଣକୁ ଲଘୁପ୍ରାଣ ଏବଂ ଲଘୁପ୍ରାଣ ବର୍ଣ୍ଣକୁ ଗୁରୁପ୍ରାଣ ପରି ଉଚ୍ଚାରଣ କରନ୍ତି । ବାଘକୁ ଭାଗ, କାନ୍ଧକୁ ଖାନ୍ଦ ଏବଂ ବିଭାକୁ ଭିବା କହନ୍ତି-। ସେମାନଙ୍କ ଭୀତି ପ୍ରଦର୍ଶନରେ ମୁଁ ଆଶାଭଙ୍ଗର ଯନ୍ତ୍ରଣା ଭୋଗ କଲି । ଜୟକୃଷ୍ଣ ବାବୁ ତାହା ବୁଝିପାରେ ସେମାନଙ୍କ କର୍ଣ୍ଣରେ ତୈଲଙ୍ଗୀୟ ଭାଷାରେ କି ଗୁରୁମନ୍ତ୍ର ପ୍ରଦାନ କଲେ । ତହୁଁ ସେମାନେ ଗିରି - ଆହୋରଣରେ ଉତ୍ସାହିତ ହୋଇ ଉଠିଲେ । ଜୟକୃଷ୍ଣ ବାବୁ ଉଠ ବୋଲି କହିବାରୁ ସମସ୍ତେ ଉଠ ଉଠ କହି ପର୍ବତକୁ ଉଠିଲେ । ଗ୍ରାମ୍‌ଫୋନ ଯନ୍ତ୍ରର ତ ନିଜର ଭାଷା ନାହିଁ, ସେ ଅନ୍ୟର ଭାଷାରେ କଥା କହେ । ଯାହାହେଉ ମୋର ଆଉ ଆନନ୍ଦର ସୀମା ରହିଲା ନାହିଁ, ଆଶାଭଙ୍ଗ ପରେ ଅକସ୍ମାତ୍‌ସାଫଲ୍ୟର ମୂର୍ତ୍ତି ଦେଖିଲେ ପ୍ରାଣରେ ଯେ ଆନନ୍ଦ ଜାତ ହୁଏ, ସେ ଆନନ୍ଦ ବଡ଼ ମଧୁର । ଶୁଣିଲି, ଚିଲିକା ମଧ୍ୟସ୍ଥ ପର୍ବତମାନଙ୍କରେ ବାଘ ଓ ମୃଗ ଅଛନ୍ତି । ଏକ ପର୍ବତରେ ଖାଦ୍ୟର ଅଭାବ ହେଲେ ସେମାନେ ଚିଲିକାରେ ପହଁରି ଅନ୍ୟ ପର୍ବତକୁ ଯାଆନ୍ତି । ଏ ଉକ୍ତିର ସତ୍ୟତାରେ ସନ୍ଦହାନ ହୋଇ ମୁଁ ରମ୍ଭାର ପ୍ରାଚୀନ ଲୋକମାନଙ୍କୁ ପଚାରିଥିଲି । ଅବଶ୍ୟ ସେମାନେ ହଲ୍‌ପ କରି ସତ୍ୟତା ପ୍ରମାଣିତ କରି ନାହାନ୍ତି, ତେବେ ସମୟ ସମୟରେ ଚିଲିକାସ୍ଥ ପର୍ବବରେ ବାଘର ବାଘର ଶବ୍ଦ ଶୁଣାଯାଏ ବୋଲି କେହି କେହି କହୁଥିଲେ; ମାତ୍ର ବାଘ କେହି ଦେଖିଥିବାର କିମ୍ବା କେବେ କେହି ବ୍ୟାଘ୍ରଦ୍ୱାରା ଆକ୍ରାନ୍ତ ହୋଇଥିବାର ଶୁଣାଯାଇ ନାହିଁ । ସ୍ଥାନେ ସ୍ଥାନେ ଚିଲିକାର ଜଳ ଅଗାଧ; ମାତ୍ର କେହି ଚିଲିକାରେ ବୁଡି ମରିଥିବାର ଶୁଣାଯାଇ ନାହିଁ ।

 

ପର୍ବତର ଆକୃତି ଘଣ୍ଟା ପରି ଦିଶିବାରୁ ଘଣ୍ଟଶିଳା ନାମ ହୋଇଅଛି । ସମସ୍ତେ ଗିରି ଆରୋହଣ କଲୁଁ । ଉଠିବାକୁ ବାଟ ନାହିଁ । ଅବାଟ ବାଟ ହେଲା, ତାହା ପୁଣି ଉଠାଣିଆ ଓ କଙ୍କରାମୟ । ଉଠିବାବେଳେ ଗୋଡ଼ ତଳୁ କଙ୍କରା ଖସି ଆସିଲେ ଗୋଡ଼ ଚର ପରି ଖସିଯାଏ । ପାର୍ଶ୍ୱସ୍ଥ ତରୁବୃନ୍ଦ ଆମ୍ଭମାନଙ୍କୁ ଉଠାଇ ନେଇ ପଥିକ - ବନ୍ଧୁ ଉପାଧି ଅର୍ଜନ କଲେ । ପର୍ବତର କଟିଦେଶ ଅରଣ୍ୟସଙ୍କୁଳ । ସେଥିରେ ଅରଣ୍ୟସୁଲଭ ସବୁପ୍ରକାର ବୃକ୍ଷଲତା ଅଛି; ମାତ୍ର ଅତି ବଡ଼ ଗଛ ନାହିଁ । ବଂଶକୁଞ୍ଜଗୁଡିକ ପର୍ଣ୍ଣାଶ୍ରମ ପରି ଦେଖାଯାଏ । କ୍ଷୁଦ୍ରକ୍ଷୁଦ୍ର ଗୁଳ୍ମରେ କୁସୁମଶ୍ରୀ ବିକଶିତ-। କେହି କୋରକ ସକାଶେ ପୂର୍ଣ୍ଣକୋଷ ବାନ୍ଧୁଅଛି । କାହାର ବା ପୁଲକାଳ ଯାଇ ଫଳକାଳ ହେଲାଣି । କୁଞ୍ଜ ମଧ୍ୟରେ ଚୂର୍ଣ୍ଣ ସୂର୍ଯ୍ୟକିରଣ ବିକ୍ଷିପ୍ତ ହୋଇ ପଡିଅଛି । ଆଲୋକ ଅନ୍ଧାରର ଅପୂର୍ବ କ୍ରୀଡ଼ା ଲାଗିଅଛି । ଏ ପର୍ବତର ବିସ୍ତର ପକ୍ଷୀ ବାସ କରନ୍ତି । ସେମାନଙ୍କ ସଂଖ୍ୟା ଏତେ ଅଧିକ ଯେ, ଘଣ୍ଟ ଶିଳାକୁ ପକ୍ଷିରାଜ୍ୟ ବୋଲାଇପାରେ । ସବୁବେଳେ ପକ୍ଷୀମାନଙ୍କର ବିର୍ପୁଳ କୋଳାହଳର ହାଟ ବସିଅଛି । ସେ କୋଳାହଳରେ କର୍ଣ୍ଣଜ୍ୱାଳା ଅନୁଭୁତ ହୁଏ । ଆମ୍ଭେମାନେ କ୍ରମଶଃ ଉପରକୁ ଉଠିଲୁଁ । ବଂଶପତ୍ର କରତ ପ୍ରସାଦରୁ ଶରୀରର ସ୍ଥାନେ ସ୍ଥାନେ ଗିରସ୍ମୃତି ଅଙ୍କିତ ହୋଇଗଲା । ଗତିପଥରେ ଆମ୍ଭମାନଙ୍କ ପ୍ରତି ପକ୍ଷୀମାନଙ୍କର ନିଷେଧାଜ୍ଞା ବାରମ୍ବାର ପ୍ରଚାରିବ ହେଉଥାଏ । ଆମ୍ଭମାନଙ୍କୁ ଆଜ୍ଞା ଲଘଂନ କରିବାର ଦେଖି ସେମାନେ ଉତ୍ତେଜନାମୟୀ ବକ୍ତୁତାର ଆଶ୍ରୟ ଗ୍ରହଣ କଲେ । ବୋଧହୁଏ ଏପରି କହିଲେ କି - ‘‘ହେ ଦୃପ୍ତ ପାନ୍ଥ ଅନଧିକାର ପ୍ରବେଶ କର ନାହିଁ, ଏ ପକ୍ଷୀ ସହର, ଏଠାରେ ତୁମ୍ଭର ସ୍ୱତ୍ୱ ନାହିଁ । ବଳପୂର୍ବକ ଅନ୍ୟର ରାଜ୍ୟରେ ପ୍ରବେଶ କରିବା ଆଇନବିରୁଦ୍ଧ । ତୁମ୍ଭେ ମନୁଷ୍ୟଜାତି ବଡ଼ କୁଟିଳ, କ୍ରୋଧକୁ ପୋଷିରଖ । ପ୍ରତିଶୋଧ ନ ହେଲେ ତୁମ୍ଭମାନଙ୍କର ଚଳେ ନାହିଁ । ଦୁର୍ବଳ ପ୍ରତି ବଳପ୍ରକାଶ ତୁମ୍ଭର ଆଉ ଗୋଟାଏ ମହତ୍‌ଦୋଷ-। ସେଥିଲାଗି ତୁମ୍ଭର ଆଦେଶକୁ ଆମ୍ଭେମାନେ ବିଷବତ୍‌ମଣି ତୁମ୍ଭ ସଂସର୍ଗର ବହୁଦୂରରେ ଆସି ଅଛୁଁ-। ଖଚ, ମିଛ, ପ୍ରତାରଣା ଆମ୍ଭର ନାହିଁ । ତୁମ୍ଭ ପରି କଥା କଥାକେ ଆମ୍ଭେ ମୋକବ୍ଦମା କରୁ ନାହିଁ । ସବୁ କଥା ଆମ୍ଭେ ଆପଣା ଆପଣା ମଧ୍ୟରେ ମେଣ୍ଟାଇନେଉଁ । ଆମ୍ଭେମାନେ ଖୁମ୍ପା ଖୁମ୍ପି ଲାଗୁ - କଳିଗୋଳ କରୁଁ; ମାତ୍ର ଲହମାକେ ସବୁ ପାଶୋରିଯାଉଁ । ଆମ୍ଭମାନଙ୍କ ମଧ୍ୟରେ ମତାନ୍ତର ହୁଏ ନାହିଁ କି କଥାବାର୍ତ୍ତା ବନ୍ଦ ହୁଏ ନାହିଁ । ଏ ସ୍ଥାନର ବାୟୁ ହିଂସାଦ୍ୱେଷରେ କଳୁଷିତ ନୁହେଁ, ଚିର ନିର୍ମଳ ଓ ଚିର ପବିତ୍ର । ତୁମ୍ଭେମାନେ ଏ ବାୟୁକୁ ଦୂଷିତ, ଦୁର୍ଗନ୍ଧମୟ ଆଉ ଅପବିତ୍ର କର ନାହିଁ । ଆମ୍ଭେମାନେ ଶସ୍ୟକ୍ଷେତ୍ରରୁ କୀଟପତଙ୍ଗଙ୍କର ନିପାତସାଧନ କରୁଁ ବୋଲି ତୁମ୍ଭେ ଫସଲ ଅମଳ କର । ତୁମ୍ଭେ କି ଆମ୍ଭର ଏ ମହୋପକାର କେତେ ମାନ ? ବରଂ ଗୋଟାଏ ଧାନ କି ମୃଗ ଥଣ୍ଟରେ ଧରିଲେ ହୋହା କରି ବଡିଦିଅ । ସେଥିରେ ଆମ୍ଭେ ଦୁଃଖ ନ କରି ଆନନ୍ଦରେ ତୁମ୍ଭଙ୍କୁ କ୍ଷମା କରୁଁ । ଆମ୍ଭେମାନେ ଆନନ୍ଦମୟ ଜୀବ, ପରୋପକାରରେ ଆମ୍ଭର ଆନନ୍ଦ; ମାତ୍ର ତୁମ୍ଭେ କେଡ଼େ ଅକୃତଜ୍ଞ !’’ ପକ୍ଷୀମାନଙ୍କର ବକ୍ତୁତା ଶୁଣି କୋଳି ଗଛଗୁଡିକ ବୋଧହୁଏ ନୀରବ ଭାଷାରେ କହିଲେ, ‘‘ପକ୍ଷୀମାନେ ଭଦ୍ରଲୋକ ନୁହନ୍ତି ଭଦ୍ରଲୋକ ସିନା ଭଦ୍ରଲୋକକୁ ଚିହ୍ନେ ! ହେ ଅଭ୍ୟାଗତ ନାରାୟଣମାନେ, ଆସି ଆମ୍ଭ ମୂଳରେ ବସ, ଆମ୍ଭେ ସୁଶୀତଳ ଛାୟା ଦାନ କରିବୁଁ, ପଲ୍ଲବବ୍ୟଜନୀରେ ବିଞ୍ଚିଦେବୁଁ ଏବଂ ମଧୁର ରସାତ, ପକ୍ୱ ଫଳ ଖାଇବାକୁ ଦେଇ ଅତିଥିସେବାରେ ଧର୍ମ ଉପାର୍ଜନ କରିବୁଁ । ତୁମ୍ଭମାନଙ୍କ ଶୁଭଗମନକୁ ଆମ୍ଭେମାନେ ସୌଭାଗ୍ୟର ଅନୁଗ୍ରହ ମଣୁଅଛୁଁ ।’’ କରୁଣାର ଏ ମଙ୍ଗଳ ଆହ୍ୱାନ ଆମ୍ଭେମାନେ ଉପେକ୍ଷା କରିପାରିଲୁ ନାହିଁ । ଏଣେ ସମୟାଭାବ, କଅଣ କରିବୁ ? ଯାହାହେଉ ତାହାର କୋଳିମାତ୍ର ଗ୍ରହଣ କରି ତାକୁ କୃତାର୍ଥ କଲୁଁ ଏବଂ ତାହାର ଅଭିନନ୍ଦନ ଗ୍ରହଣ କରି ଅଗ୍ରସର ହେଲୁ-। ଉନ୍ନତି କଠିନ; ମାତ୍ର ଅଧୋଗତି ଖୁବ୍‌ସହଜ । ଉପରୁ ଓହ୍ଲାଇବା ସହଜ ହେଲେହେଁ ଉପରକୁ ଉଠିବା ବଡ଼ କଠିନ । ଆମ୍ଭେମାନେ ଗଳଦ୍‌ଘର୍ମ ହେଲୁ । ପ୍ରଚଣ୍ଡ ଖରାରେ ଦେହ ଜଳିଗଲା । ମୁଁ ଆଉ ସହିପାରିଲି ନାହିଁ, ପଥ ମଧ୍ୟରେ ଛାୟା ଗହଳରେ ତସିପଡିଲି । ଓଃ, କି ଉତ୍ତାପ, ଗୁଳୁଗୁଳି ! ଭାବିଲି, ଆଉ କିଛିକ୍ଷଣ ଏହିପରି ଅତସ୍ଥାରେ ରହିଲେ ମୁଁ ବାଷ୍ପ ହୋଇ ଉଡିଯିବି । ସଙ୍ଗୀମାନେ ସୁଦ୍ଧା ଅବସନ୍ନ, ସମସ୍ତେ କ୍ଷୁତ୍ପିପାସାରେ ବ୍ୟାକୁଳ । ପର୍ବତକୁ ଉଠିବା ବେଳେ ରାକ୍ଷସୀ କ୍ଷୁଧା ଆକ୍ରମଣ କରେ । ସଙ୍ଗରେ ଚୁଡ଼ାଭଜା, ନବାଜ ଓ ପାଣି ଯାଇଥିଲା, ସମସ୍ତେ ସେଥିର ସଦ୍‌ବ୍ୟବହାର କଲୁଁ । ପର୍ବତ ତଳେ ଜଣେ ଲୋକକୁ ବଇଞ୍ଚି ପକାଉଥିବାର ଦେଖିଯାଇଥିଲୁ । ଜୟକୃଷ୍ଣ ବାବୁ ଖଲାସି ପଠାଇ ତାହା ପାଖରୁ ଦୁଇଟା ବଡ଼ ଖଙ୍ଗା ଓ ଭେକଟା ମାଛ ଅଣାଇଲେ । ପର୍ବତରୁ କାଠ ଭାଙ୍ଗି ତାହା ପୋଡ଼ାଗଲା । ସମସ୍ତେ ଖାଇଲୁ । ଦଗ୍‌ଧ ମତ୍ସ୍ୟ ପାଇ ଦଗ୍‌ଧୋଦର ସନ୍ତୁଷ୍ଟ ହେଲା । ମସଲା ନାହିଁ, ଲବଣ ନାହିଁ ତଥାପି, ମାଛପୋଡ଼ା ଉପାଦେୟ ହୋଇଥିଲା । ଏହା ହାତର ଗୁଣ ନା ସର୍ବଗ୍ରାସୀ କ୍ଷୁଧାର ଗୁଣ ?

 

‘‘ଯାବତ ନ ପୁରେ ଉଦର, ଚାବତ ଜ୍ଞାନ କାହିଁ ମୋର ?’’ ପେଟ ପୁରିଲା, ଏଣିକି ନାନା ଗୁଣ ବାହାରିଲା । ଖଲାସିମାନେ ଗୀତ ଗାଇ ଗାଇ ଗିରି ଲୁଣ୍ଠନରେ ନିଯୁକ୍ତି ହେଲେ । ମନରେ ଆନନ୍ଦ, ଶରୀରରେ ସ୍ଫୂର୍ତ୍ତ ଧରୁ ନାହିଁ । କିଏ ମେରଶିଙ୍ଗା ପତ୍ର ସଂଗ୍ରହରେ ଲାଗିଲା, କିଏ ହାଡଭଙ୍ଗା ଲତାର ହାଡ଼ ଭାଙ୍ଗି ତସିଲା । ଏ ଦୁଇଟି ପଦାର୍ଥର ତୈଲଙ୍ଗୀୟ ସମାଜରେ ଖୁବ୍‌ଆଦର । ସେଥିରେ ଚଟଣି ପ୍ରସ୍ତୁତ ହୁଏ । ମେରଶିଙ୍ଗା ପତ୍ରରେ ତରକାରୀ ବଘରା ହୁଏ। ତେଲୁଗୁ ଭାଷାରେ ଏହାର ନାମ ‘‘କରେପାକା’’, ସଂସ୍କୃତରେ ‘‘ମରୁଶୃଙ୍ଗା’’ । ମେରୁଶୃଙ୍ଗରେ ଜାତ ହେବାରୁ ଏରୂପ ନାମ ହୋଇଅଛି । ଅମ୍ଳପ୍ରିୟ ତୈଲଙ୍ଗୀୟମାନେ ଅମ୍ଳ ଶାକଫଳ ଅନ୍ୱେଷଣରେ ଲାଗିଲେ । କେହି ବାଉଁଶ ତାଡି ଖୋଜି ବୁଲିଲା । ଏହିପରି ସମସ୍ତେ ଗୋଟାଏ ଗୋଟାଏ ଉଦ୍ଦେଶ୍ୟ ସାଧନରେ ଲାଗିଲେ - କେହି ନିଷ୍କର୍ମ ହୋଇ ବସି ରହିଲା ନାହିଁ । ମୁଁ ଦୂରବୀକ୍ଷଣରେ ଦୂର ଦୃଶ୍ୟ ଦେଖିବାକୁ ଲାଗିଲି; ମାତ୍ର ପ୍ରଚଣ୍ଡ ରୌଦ୍ର ତେଜରେ ଚାରିଆଡ଼ ଧୂଆଁଟିଆ ହେତୁ କିଛି ସ୍ପଷ୍ଟରୂପେ ଦିଶିଲା ନାହିଁ । କେବଳ ପାରିକୁଦ ଉପକୂଳର ଶିପସ୍ତୁପମାନ ଶୁଭ୍ର ଦେଉଳ - ମାଳା ତୁଲ୍ୟ ଦୃଷ୍ଟିଗୋଚର ହେଲା । ତାହା ଚିଲିକା ସୁନ୍ଦରୀର ହୀରକ ପଦକହାର । ଖଲସିମାନେ ନିଜ ନିଜର ବାଞ୍ଛିତ ପଦାର୍ଥ ଘେନି ଆସିଲେ-। ମୋର କଅଣ ନେବାକୁ ଇଚ୍ଛା ବୋଲି ଜଣେ ମୋତେ ପଚାରିଲା । ଏ କି ଅଦ୍ଭୁତ ପ୍ରଶ୍ନ ! ଇଚ୍ଛା କି ସୀମାବଦ୍ଧ ? କୁବେର ଭଣ୍ଡାରରେ ପଶିଲେ କି କିଛି ଛାଡିଯିବାକୁ ଇଚ୍ଛା ହୁଏ ? ମୋର ତ ପର୍ବତଟାଯାକ ନେବାକୁ ଇଚ୍ଛା, କିନ୍ତୁ ନେଇପାରିବି କିପରି ? ମୁଁ କିଛି ନେବି ନାହିଁ । ତେବେ ପର୍ବତକୁ ଆସିଲେ କିଛି ହେଲେ ଗୋଟାଏ ନେବାକୁ ହେବ ବୋଲି ଯଦି ବାଧ୍ୟତାମୂଳକ ଆଇନ ଥାଏ, ତେବେ ଗୋଟାଏ କିଛି, ନେବାକୁ ମୋର ଆପତ୍ତି ନାହିଁ । ପର୍ବତ ଗାତ୍ରରେ କାଣ୍ଡଶର ବଣ ଯଥାତଥା ଅଛି, ତାହା କାଶତଣ୍ଡୀଜାତୀୟ ତୃଣବିଶେଷ । ଅକ୍ଷର ତସିବା ପାଇଁ ପିଲାମାନେ ପ୍ରଥମତଃ କାଣ୍ଡଶର କଲମରେ ଲେଖିବାକୁ ଅଭ୍ୟାସ କରନ୍ତି । ତାହାର ଆଦରସୌଭାଗ୍ୟ ସମ୍ପ୍ରତି ଲୌହ ଲେଖନୀ ଛଡ଼ାଇନେଇଅଛି । ପର୍ବତର କାଣ୍ଡଶର ବୁଦାମାନ ପୃଷ୍ପ ଧାରଣ କରି ପର୍ବତକୁ ଶୁକ୍ଳ ଚାମରରେ ବ୍ୟଜନ କରୁଅଛି । ମୁଁ ସେହିଥିରୁ ପେଣ୍ଡାଏ ଆଣିଥିଲି । ଖରା କ୍ରମଶଃ ପ୍ରଖର ହେବାରୁ ଆଉ ଉପରକୁ ନ ଯାଇ ପର୍ବତରୁ ଅବତରଣ କରିବାକୁ ହେଲା । ସମସ୍ତେ ଆସି ବୋଟ୍‌ରେ ବସିଲୁଁ । ବୋଟା ରମ୍ଭା ଅଭିମୁଖରେ ଯାତ୍ରା କଲା । ଆସିବାବେଳେ ଚିଲିକା କିଞ୍ଚିତ୍‌ନିଜ ରୂପ ଦେଖାଇଥିଲା । ପବନ ଟିକିଏ ଅଧିକ ହେବାରୁ ବଡ଼ ଲହରୀ ଉଠିଲା - ବୋଟଖଣ୍ଡି ଉଠପଡ୍‌ହେଲା; ଆମ୍ଭେମାନେ ସୁଖ - ଦୋଳାରେ ଦୋଳିତ ହେଲୁ । ଖଲାସିମାନେ ଖଲାସ ପାଇଲେ । ଅନୁକୂଳ ପବନରେ ବୋଟ୍‌ଚାଲିଲା । ଜଣେ ଗୀତ ଗାଇଲା, ଆଉ ସମସ୍ତେ ପାଳି ଧରିଲେ । ଗୀତ ବୁଝିହେଲା ନାହିଁ; କିନ୍ତୁ ସ୍ୱରଟି ବଡ଼ ମଧୁର । ଦକ୍ଷିଣଦେଶର ସୁର ବେଶ ବାସ୍ତବରେ ମଧୁର । ଶ୍ରମଜୀବୀମାନେ ଶ୍ରାନ୍ତ ହେଲେ ସଙ୍ଗୀତର ଆଶ୍ରୟ ଗ୍ରହଣ କରନ୍ତି । ସଙ୍ଗୀତର ମୋହରେ ସେମାନଙ୍କର ଶ୍ରାନ୍ତି ହରିଯାଏ । ଯଥାସମୟରେ ବୋଟ୍‌ଆସି ତୀରରେ ଲାଗିଲା, ମୁଁ ଓ ଜୟକୃଷ୍ଣ ବାବୁ ଉଭୟେ ବଙ୍ଗଳାକୁ ଆସିଲୁଁ ।

 

ଏଥର ମୁଁ ରମ୍ଭାରେ ଅନେକ ଦିନ ରହି ଅନେକ ଥର ଚିଲିକାରେ ଭ୍ରମଣ କରିଅଛି । ଚିଲିକା-ଭ୍ରମଣ ପ୍ରାୟଶଃ ମୋର ପ୍ରାତ୍ୟହିକ କାର୍ଯ୍ୟ ହୋଇଥିଲା । ପ୍ରତିଥର ମୁଁ ଚିଲିକାର ନୂତନ ବେଶ ଦେଖି ମୁଗ୍‌ଧ ହୋଇଅଛି । ଚିଲିକା ନିତ୍ୟ ନୂତନ ନୁହେଁ - କ୍ଷଣ ନୂତନ । ତାହାର ମହାଶୋଭାର ଦୃଶ୍ୟ ଅଙ୍କନ କରିବାକୁ ଅକ୍ଷମ । ଚିଲିକା - ଭ୍ରମଣରେ ମୋର ଯଥେଷ୍ଟ ଉପକାର ହେଲା; ଶରୀରର ଦୁର୍ବଳତା ଘୁଞ୍ଚିଗଲା - ମୁଁ ବହୁତ ଶକ୍ତି ଫେରି ପାଇଲି । ଚିଲିକାର ବାୟୁ ସ୍ୱାସ୍ଥ୍ୟକର, ଜଳ ଈଷତ୍‌ଳବଣାକ୍ତ; ମାତ୍ର ହିବଜନକ । ଚିଲିକା ଉତ୍କଳ - ଲକ୍ଷ୍ମୀଙ୍କର ଶୋଭାର ମାୟାପୁର ଏବଂ ସୌନ୍ଦର୍ଯ୍ୟର ଗନ୍ତାଘର । ଚିଲିକା ବାଣିଜ୍ୟର ପ୍ରଧାନ ସହାୟ - ଚିଲିକା ରତ୍ନାକର-। ଚିଲିକାରୁ ଶିପ ଶାମୁକା, ଶଙ୍ଖ, ମାଛ, ଶୁଖୁଆ, ପକ୍ଷିପର ଓ ପକ୍ଷୀ ବଷା ପ୍ରଭୃତି ବିଦେଶକୁ ଯାଏ । ପକ୍ଷିପର ମଧ୍ୟରେ ଏରା ପକ୍ଷୀର ପର ପ୍ରଧାନ । ସେଥିରେ ପାଶ୍ଚାତ୍ୟ ମହିଳାମାଙ୍କର ମୂଲ୍ୟବାନ୍‌ରମଣୀୟ ପରିଚ୍ଛଦ ପ୍ରସ୍ତୁତ ହୁଏ । ଦୁଇଜଣ ବଙ୍ଗାଳୀ ରମ୍ଭା ନିକଟସ୍ଥ ସାବେଳିଆ ଗ୍ରାମରେ ରହି ଚିଙ୍ଗୁଡି ଶୁଖୁଆର ବ୍ୟବସାୟ କରୁଅଛନ୍ତି; ଚିଙ୍ଗୁଡି ମାଛକୁ ଶୁଖାଇ ଖୋଳ ବାହାର କରି ବିଦେଶକୁ ପଠ ଉଅଛନ୍ତି । ଚିଙ୍ଗୁଡିର ସେହି ଶୁଷ୍କମାଂସରେ ବିଲାତରେ ଉପାଦେୟ ତରକାରୀ ପ୍ରସ୍ତୁତ ହୁଏ । ଚୋପା ଶସ୍ୟକ୍ଷେତ୍ରର ଉତ୍କୃଷ୍ଟ ସାର । ଚିଲିକା ମଧ୍ୟସ୍ଥ ପାହାଡମାନ ତହାର ଗୁପ୍ତ ରତ୍ନର ଗନ୍ତାଘର । ଗିରିଗର୍ଭରେ କଉଁଠାରେ ବି ରତ୍ନ ଲୁକ୍‌ବାୟିତ ଅଛି, ତାହା ବର୍ତ୍ତମାନ ଜଣାଯାଉ ନାହିଁ ମାତ୍ର ଭବିଷ୍ୟତ୍‌ଦିନେ ତାହା ନିଶ୍ଚୟ ଦେଖାଇଦେବ । ଲବଣ ଦ୍ୱାରା ଚିଲିକାରୁ କୁବେର ଭଣ୍ଡାର ମିଳୁଅଛି । ଚିଲିକା ଉତ୍କଳର ଗର୍ବଗୌରବ, ଉତ୍କଳର ସୁଷମା - ସମ୍ପଦର ମାନଦଣ୍ଡ ଏବଂ ଉତ୍କଳର ଅନ୍ୟତମ ପାବନ ତୀର୍ଥ । ତାହାର ମହିମା ତାହାରି ଜନକ ମହୋଦଧି ପରି ବିରାଟ-। ଚିଲିକା ଉତ୍କଳ ମସ୍ତକର ସୌଭାଗ୍ୟର ରାଜଟିକା । ଉତ୍କଳ ଭାରତମାତାର ଆଦରିଣୀ ରାଜଜେମା, ଚିଲିକା ସେ ମହିମିତା ରାଜକନ୍ୟା-ମସ୍ତକର ଉପଯୁକ୍ତ ଜ୍ୟୋତିର୍ମୟ ଦୋଦୁଲ୍ୟ ହୀରକ କିରୀଟ ।

 

ଚିଲିକା-ଭ୍ରମଣ

ଚିଲିକା ଭିତରକୁ ମୁଁ ୨୪ ମାଇଲ ପର୍ଯ୍ୟନ୍ତ ଯାଇ ଅଛି । କେଉଁ ଦିନ ମାଇଲ, କେବେ ୭ ମାଇଲ, କେବେ ଦଶମାଇଲ ପର୍ଯ୍ୟନ୍ତ ଯାଇ ଫେରି ଆସିଅଛି, ଆଉ କେବେ ବା ଦୀର୍ଘ ଭ୍ରମଣ କରିଅଛି । ଦୁଇଥର ବରକୁଦା ଯାଇଅଛି । ଶେଷ ଥର ଚିଲିକା ଆଶ୍ରମରେ ରାତ୍ରି ଯାପନ କରିଥିଲି-। କାନକୁଟୁରୀ ଉପଦ୍ରବରେ ବଙ୍ଗଳା ମଧ୍ୟରେ ରହିହେଲା ନାହିଁ - ବାରନ୍ଦାରେ ଶୋଇଲି । ଏଥର ମୃଗ ଦେଖିଥିଲି, ମଧ୍ୟାହ୍ନ ସମୟରେ ଦଳ ଦଳ ହୋଇ ବଙ୍ଗଳା ପାଖରେ ଚରୁଥିଲେ । କେତୋଟି ବଙ୍ଗଳା ବାରନ୍ଦାରେ ଶୋଇ ରୋମନ୍ଥରେ ନିଯୁକ୍ତ ଥିଲେ; ମାତ୍ର ସନ୍ଧ୍ୟା ପୂର୍ବରୁ ସମସ୍ତେ ବନ ଭିତରକୁ ଚାଲିଗଲେ ।

 

ଚିଲିକାରେ ଅନେକ ସମୁଦ୍ର ଚିଲ ଅଛନ୍ତି । ଇଂରାଜିରେ ଏମାନଙ୍କୁ ଇଗଲ କହନ୍ତି । ଏହି ଚିଲର ବହୁଳତା ହେତୁ ଚିଲିକା, କି ହ୍ରଦର ଆକାର ଚିଲ୍ଲୀ (ଭ୍ରୁଲତା) ପରି ବକ୍ର ହେତୁ ଚିଲିକା ନାମ ହୋଇଅଛି ତାହା କିଏ କହିପାରିବ ? ଅଥବା ଉତ୍କଳର ଏହା ଶୋଭା - ତିଳିକା; ସେହି ତିଳିକାରୁ ଚିଲିକା ହୋଇଅଛି । ଏସବୁ ଅନୁମାନସିଦ୍ଧ, ପ୍ରକୃତ କାରଣ ପତ୍ନତତ୍ତ୍ୱବିଶାରଦ ପାଠକମାନେ ନିର୍ଣ୍ଣୟ କରନ୍ତୁ ।

 

ଚିଲିକା - ଭ୍ରମଣ ସମୟରେ ଖଲ୍ଲିକୋଟର ସ୍ୱର୍ଗତା ମହାମନସ୍ୱିନୀ ମହାରାଣୀ କନକମଞ୍ଜରୀ ଦେବୀ ମୋତେ ଆଶାତୀତ ସାହାଯ୍ୟ ପ୍ରଦାନ କରିଥିଲେ । ତାଙ୍କର ସାହାଯ୍ୟ ସହାନୁଭୁତି ଲାଭ କରି ନ ଥିଲେ ଚିଲିକାର ମହାଦୃଶ୍ୟ ମୁଁ ଦେଖିପାରି ନ ଥାନ୍ତି ଏବଂ ମୋର ଗୋଟାଏ ଆବାଲ୍ୟପୋଷିତ ଅଧୀର ଆକାଙ୍‌କ୍ଷା ଅପୂର୍ଣ୍ଣ ରହିଯାଇଥାନ୍ତା । ସୁନାମଧନ୍ୟା, ପୁଣ୍ୟପ୍ରାଣା ମହାରାଣୀ ମହୋଦୟା ଚିଲିକା ଭ୍ରମଣର ଉପଯୁକ୍ତ ସୁବିଧା କରିଦେଇ ମୋତେ ଅନୁଗୃହୀତ କରିଥିବାରୁ ମୁଁ ତାଙ୍କ ନିକଟରେ ଆଜୀବନ କୃତଜ୍ଞ ।

 

କେତେକ ବର୍ଷ ପୂର୍ବରେ ମୁଁ ଚିଲିକା - ଭ୍ରମଣ ଲେଖିଥିଲି । କାଳୀଜୟୀ ଗିରିର ବିବରଣ ଲେଖି ପ୍ରବନ୍ଧଟି ସମାପ୍ତ କରିବାର ବାସନା ଥିଲା, କିନ୍ତୁ ସେ ସମୟରେ କାଳୀଜୟୀ ଯିବାକୁ ସୁବିଧା ଘଟିଲା ନାହିଁ । ତହିଁ ପରେ ଦୁଇ ଥର ଚେଷ୍ଟା କରିଥିଲି; ମାତ୍ର ପ୍ରକୃତିର ଭୀଷଣତା ପ୍ରତିଥର ଚେଷ୍ଟାରେ ଅନ୍ତରାୟ ଘଟାଇଥିଲା । ଦୁଇଥର ଯାକ ବୃଷ୍ଟିବାତ୍ୟାର ନିଷେଧାଜ୍ଞା ମୋ ପ୍ରତି ପଦତ୍ତ ହୋଇଥିଲା । ଥରେ ରମ୍ଭାରେ ଏକ ସପ୍ତାହ କାଳ ଅପେକ୍ଷା କରି ଫେରି ଆସିଲି । ଚିଲିକା ଶାନ୍ତ ନ ହେବା ପର୍ଯ୍ୟନ୍ତ ନାବିକମାନେ ନାବ ନେବାକୁ ମନାକଲେ । କେହି କେହି ଭୟ ଦେଖାଇ କହିଲେ, କାଳଜୟୀ ଗଣ୍ଡରେ ତରଙ୍ଗର ଏରୂପ ଉତ୍‌କ୍ଷିପ୍ତ ଗତି ଯେ, ସେ ସ୍ଥାନରେ ପ୍ରବେଶମାତ୍ରେ ନୌକା ମଗ୍ନ ହୋଇଯିବ । ହାୟ, ଯେଉଁ ଉତ୍କଳୀୟ ନାବିକମାନେ କରାଳତରଙ୍ଗାକୁଳିତ ଅଗାଧ ବାରିଧିବକ୍ଷ ଭେଦ କରି ସୁଦୂର ବିଦେଶରେ ବାଣିଜ୍ୟ କରୁଥିଲେ, ତାଙ୍କର ବଂଶଧରମାନେ ଚିଲିକାର ଖଣ୍ଡିଏ ଦ୍ୱୀପକୁ ଯିବାକୁ ଭୀତ ! କାପୁରୁଷୋଚିତ ଏହି ଭୀରୁତା, ଏହି କ୍ଳୀବତା କାହୁଁ ଆସିଲା ? କେବଳ ବିଷାଦ - ବ୍ୟଞ୍ଜୀ ଦୀର୍ଘଶ୍ୱାସ ଭିନ୍ନ ଏ ପ୍ରଶ୍ନର ଉତ୍ତର ଆଉ କଅଣ ଅଛି ? ଯାହାହେଉ ସେମାନଙ୍କ ଭୟପ୍ରଦର୍ଶନରେ ମୋର ଦିଦୃକ୍ଷା ବିରାମ ନ ଭଜି ପ୍ରତ୍ୟୁତ ବହୁଗୁଣିତ ହେଲା; କିନ୍ତୁ ଉପାୟ ନାହିଁ । ଏଣେ ଉଦ୍‌ବେତ ଆକାଙ୍‌କ୍ଷା ସମ୍ଭାଳିହେଲା ନାହିଁ । ତହୁଁ ଭାବିଲି, ବିଧାବା ମନୁଷ୍ୟକୁ ଅନେକ ସ୍ୱାଧୀନତା ଦେଇ ଅଛି; ମାତ୍ର ସ୍ୱାଧୀନତା ଦେଇ ନାହିଁ । ଗତ ବିଷୟରେ ପକ୍ଷୀମାନଙ୍କର ସ୍ୱାଧୀନତା ଅପେକ୍ଷାକୃତ ପୂର୍ଣ୍ଣାଙ୍ଗ । ମାନବକୁ ଯୋଡ଼ାଏ ପକ୍ଷ ଦେଇଥିଲେ ବିଧାତାର କଅଣ ବା କ୍ଷତି ହୋଇଯାଇଥାଆନ୍ତା ? ଅଭାବ ରଖିବାଟା ଯେପରିକି ଯେତେ ତାହାର ଚିରନ୍ତନ ସ୍ୱଭାବ । ମନ୍ଦାର ଫୁଲରେ ଗନ୍ଧ ନାହିଁ, ସୁବର୍ଣ୍ଣରେ ରସ ନାହିଁ, ସଙ୍ଗୀତର ରୂପ ନାହିଁ, ଏହିପରି ତାହାର ପ୍ରତ୍ୟେକ ସୃଷ୍ଟି ପଦାର୍ଥରେ ଅଭାବ ବିଦ୍ୟମାନ । ଏହି ସମୟରେ କିଏ କେଉଁ ଅଜ୍ଞାତ ସ୍ଥାନରୁ ରୁଷ୍ଟ ସ୍ୱରରେ କହିଲା, କିଏ ରେ ତୁ ମାନବ - ଦୁର୍ବଳ ଦୁର୍ବୁଦ୍ଧି ହୀନସତ୍ତ୍ୱ ମାନବ ! ବିଧାତାଙ୍କ କାର୍ଯ୍ୟର ସମାଲୋଚନା - ସାହସ ଆସ୍ପର୍ଦ୍ଧା ତ ଊଣା ନୁହେଁ । ଏହି ନୀରବ ଗର୍ଜ୍ଜନ ଶୁଣି ମୋର କଳ୍ପନା ତୁଟିଗଲା, ଚେତନା ଆସିଲା; ଭାବିଲି - ଏହା ତ ଯଥାର୍ଥ କଥା । ଯାହାକୁ ଧ୍ରୁବ, ଶିବ, ସତ୍ୟ କହନ୍ତି, ତାହାହିଁ କ୍ଷୁଦ୍ର ପ୍ରାଣ ମାନବ ହୋଇ ଅନନ୍ତଭୂମା ବିଶ୍ୱବିଧାତା ବିଧାତୃ - ବିଧାନର ସମାଲୋଚନାରେ ପ୍ରବୃତ୍ତ ହେବା । ହାସ୍ୟାସ୍ପଦ ସିନା ! କାହିଁକି କେଜାଣି କାଳୀଜୟୀର ପ୍ରକୃତଲକ୍ଷ୍ମୀ ସେ ସମୟରେ ନିଜର ଶୋଭା ଦେଖାଇବାକୁ ଏକାନ୍ତ ପରାଙ୍ମୁଖ, ତାହା ସେହି ଜାଣନ୍ତି । ଶେଷରେ ଅପୂର୍ଣ୍ଣ ଆକାଙ୍‌କ୍ଷାର ଦୁର୍ବହ ଗୁରୁଭାର ମସ୍ତକରେ ବହନ କରି ହତାଶ ପ୍ରାଣରେ ରମ୍ଭାରୁ ଫେରି ଆସିବାକୁ ବାଧ୍ୟ ହେଲି ।

 

ଅନନ୍ତର କେତେକ ବର୍ଷ ଅତୀତ ହେଲା, କେତେ ପରିବର୍ତ୍ତନ ଘଟିଲା; ମାତ୍ର ମୋର ସେହି ବ୍ୟଗ୍ର ଦୁର୍ବାର ଲାଳସାର କୌଣସି ପରିବର୍ତ୍ତନ ଘଟିଲା ନାହିଁ । ସ୍ଥୈର୍ଯ୍ୟ ଅପେକ୍ଷା ସ୍ପନ୍ଦନ ଶ୍ରେୟ, ଏହା ଭାବି ତୃତୀୟ ଥର ଚେଷ୍ଟାରେ ପ୍ରବୃତ୍ତି ହେଲି । ଖଲ୍ଲିକୋଟ ଓ ଆଠଗଡ଼ର ଉଚ୍ଚ ଶିକ୍ଷାଧୀନ ରାଜା ଶ୍ରୀଯୁକ୍ତ ରାମଚନ୍ଦ୍ର ମର୍ଦ୍ଦରାଜଦେବ ମହୋଦୟଙ୍କୁ କାଳୀଜୟୀ ଯାତ୍ରାର ସୁବିଧା କରାଇଦେବା ସକାଶେ ଖଣ୍ଡିଏ ଅନୁରୋଧ - ପତ୍ର ଲେଖିଲି । ହୃଦୟବାନ୍‌ରାଜା ମହୋଦୟ ପତ୍ରଦ୍ୱାରା ମୋତେ ଆହ୍ୱାନ କରିବାରୁ ମୁଁ ୩୦। ୪ । ୧୯ ତାରିଖରେ ରମ୍ଭା ଅଭିମୁଖରେ ଯାତ୍ରା କଲି । ସଙ୍ଗରେ ମୋର ଚିରଜୀବନର ସଙ୍ଗୀ, ଦୁଃଖଦାରିଦ୍ର୍ୟର ସଙ୍ଗୀ, ସ୍ନେହର ଅନୁଜ କେବଳ ଥିଲା ବ୍ରହ୍ମପୁର ଷ୍ଟେଶନଠାରୁ ରେଳଗାଡିରେ ଏପରି ଭିଡ଼ ହେଲା ଯେ, ଅନେକଙ୍କୁ ଅଗତ୍ୟା ଠିଆହୋଇ ରହିବାକୁ ହୋଇଥିଲା । ଘମୁଷରବାସୀ ଦୁର୍ଭିକ୍ଷପୀଡିତ ଲୋକମାନେ ସପରିବାର ଆସାମ ଯାଉଅଛନ୍ତି; ସେହିମାନଙ୍କ ଦ୍ୱାରା ରେଲଗାଡି ପୂର୍ଣ୍ଣ । ସେମାନଙ୍କ ସଙ୍ଗରେ ଦୁଇ ତିନି ମାସର ଶିଶୁ ସୁଦ୍ଧା ଥିବାର ଦେଖାଗଲା । ଲୋକଗୁଡିକ କି ଶୀର୍ଣ୍ଣ । ଶରୀରର ଅସ୍ଥିଶିରା ଗଣି ହେଉଅଛି । ଯେମନ୍ତ କି ସେମାନେ ଚିରରୋଗୀ ରାଜ୍ୟର ଆଜନ୍ମରୋଗୀ ପ୍ରଜା ଅଥବା ବିଧାତା ମନୁଷ୍ୟ ଗଢିବା ସକାଶେ ଛାଞ୍ଚ ବାନ୍ଧିଅଛି । ହାୟ, ମାନବର ସେଗୁଡିକ କି ବିକୃତ ସଂସ୍କରଣ ! ସେ ମୂର୍ତ୍ତି ଦେଖିଲେ ନିତାନ୍ତ ପାଷାଣ ହୃଦୟରେ ସୁଦ୍ଧା ସ୍ୱତଃ ଦୟା ଜାତ ହେବ ଏବଂ ନୀରସ ନେତ୍ର ଅଶ୍ରୁପୂର୍ଣ୍ଣ ହେବ । ସ୍ଥାନାଭାବରୁ ଶିଶୁଗୁଡିଙ୍କୁ କଷ୍ଟଭୋଗ କରୁଥିବାର ଦେଖି ମୋର ଅନୁଜ ଲୋକମାନଙ୍କୁ ଘୁଞ୍ଚାଇ ସେମାନଙ୍କର ଟିକିଏ ସୁବିଧା କରିଦେଲା । ତହୁଁ ସେମାନଙ୍କ ପିତାମାତାଙ୍କର କୃତଜ୍ଞତା କହିଲେ ସରିବ ନାହିଁ । ଦୁଃଖିପ୍ରାଣ ବିନ୍ଦୁଏ ସହାନୁଭୁତି ପାଇଲେ ସିନ୍ଧୁଏ କୃତଜ୍ଞତା - ସୁଧା ଢାଳିଦିଏକ । ଦୁଃଖ କେବଳ ତେତିକି ଖୋଜେ, ତେତିକି ପାଇଲେ ସ୍ୱର୍ଗପ୍ରାପ୍ତି ମଣେ । ସେମାନେ ପ୍ରାଣ ଖୋଲି ଆମ୍ଭମାନଙ୍କ ସଙ୍ଗେ କଥାବାର୍ତ୍ତା କଲେ । ଅନ୍ୟ କିଛି କଥା ନୁହେଁକେବଳ ସେମାନଙ୍କର ଦାରୁଣ ଦୁଦ୍ଦୈର୍ବର କଥା । ସେ ବିଷାଦ - କାହାଣୀ ଲେଖିହେବ ନାହିଁ - ଲେଖିଲେ ମଧ୍ୟ ରକ୍ତମାଂସଦେହୀ ମନୁଷ୍ୟ ତାହା ପଢି ଧୈର୍ଯ୍ୟ ଧରିପାରିବ ନାହିଁ । ଗୋଟିଏ କଥା କହିଲେ ଯଥେଷ୍ଟ ହେବ, କେଉଁଠିକି ଯିବ ବୋଲି ପଚାରିବାରୁ ଜଣେ କହିଲା, ‘‘ବାବୁ, ଆମ୍ଭେମାନେ ମରିବାକୁ ଯାଉଅଛୁଁ; ଏଠି ଥିଲେ ବି ମରନ୍ତୁ, ମରଣକୁ ଖୋଜି ଖୋଜି ସେଠିକି ଯାଉଅଛୁ ।’’ ଆଉ ଜଣେ କହିଲା, ‘‘ମୋର ଶତାଧିକ ଭରଣର ଭୂମି ଅଛି । ଛଅ ହଳ ବଳଦର ଚାଷ କରେ, ତାହା ସବୁ ଛାଡି ଏ ଜନ୍ମ ସକାଶେ ଯାଉଅଛି ବାବୁ ! ଉପବାସ କଷ୍ଟ ଅପେକ୍ଷା ମୃତ୍ୟୁ କି ସହସ୍ର ଗୁଣେ ଶ୍ରେୟ ନୁହେ ! ମାତ୍ର ତାହା ହେଉଛି ବା କାହିଁ ?’’ ଏଥି ଉତ୍ତାରୁ ବୋଧହୁଏ ଆଉ କେହି ଅଧିକ ଶୁଣିବାକୁ କରିବେ ନାହିଁ କ୍ଳାନ୍ତ ପଥିକ ପରି ରେଲଗାଡି ସ୍ଥାନେ ସ୍ଥାନେ ବିଶ୍ରାମ କରି ଅଗ୍ରସର ହେଉଥାଏ; ମାତ୍ର ମୋର ସେ ଆଡ଼କୁ ଲକ୍ଷ୍ୟ ନ ଥିଲା । ମୁଁ ସେହି ହତଭାଗ୍ୟ ସ୍ୱତଃଦେଶାନ୍ତରିତ ଦୁର୍ଭିକ୍ଷପୀଡିତ ଲୋକମାନଙ୍କ କଥାରେ ଏକାନ୍ତ ତନ୍ମୟ ଥିଲି ।

 

ରାତ୍ରି ୭ଘଣ୍ଟା ସମୟରେ ରମ୍ଭାରେ ରେଲଗାଡି ପହଞ୍ଚିଲା । ପୂର୍ବରୁ ଶ୍ରୀଯୁକ୍ତ ଜୟକୃଷ୍ଣ ଚ୍ୟାଉପଟନାୟକ ଖଣ୍ଡିଏ ଯାନ ଘେନି ରମ୍ଭା ଷ୍ଟେଶନରେ ଉପସ୍ଥିତ ଥିଲେ । ତାଙ୍କଠାରୁ ଶୁଣିଲି, ମୋତେ କାଳୀଜୟୀ ଦେଖାଇ ଆଣିବାର ଏବଂ ପରିଚର୍ଯ୍ୟା କରିବାର ଭାର ମାନନୀୟ ରାଜା ମହୋଦୟ ତାଙ୍କରି ଉପରେ ନ୍ୟସ୍ତ କରିଅଛନ୍ତି । ଉପଯୁକ୍ତ ଅନ୍ତରଙ୍ଗ ବନ୍ଧୁଙ୍କର ସାହଚର୍ଯ୍ୟ ଲାଭ କରି ଅନବଦ୍ୟ ଆନନ୍ଦ ଉପଭୋଗ କରି । ଶିଷ୍ଟାଚାର, ମିଷ୍ଟମମ୍ଭାଷଣ ପରେ ସମସ୍ତେ ରମ୍ଭା - ବଙ୍ଗଳା ଅଭିମୁଖରେ ଯାତ୍ରାକଲୁ । ଅନ୍ଧକାର ରାତ୍ରି ପ୍ରକୃତିର ଶିଶୁକନ୍ୟା ଚିଲିକା ମାତୃକୋଳରେ କୃଷ୍ଣ ପଣତ ଘୋଡ଼େଇହୋଇ ଶୋଇ ପଡିଅଛି । ସୁତରାଂ ତାହାର ଚିର ଅପାଶୋରା ମଧୁର ମାଧୁରୀର ପୁଣ୍ୟାମୃତ ରସଭୋଗ ଭାଗ୍ୟରେ ଘଟିଲା ନାହିଁ । ସମସ୍ତେ ଯଥାସ୍ଥାନରେ ଉପସ୍ଥିତ ହେଲୁଁ । ଜୟକୃଷ୍ଣ ବାବୁଙ୍କ ଆଦେଶରେ ପୂର୍ବରୁ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ ହୋଇ ରହିଥିଲା । କିଛିକ୍ଷଣ ବିଶ୍ରାମ ପରେ ସେଥିରେ ସଦ୍‌ବ୍ୟବହାର କରି ଶଯ୍ୟାର ଆଗ୍ରହ ଆମନ୍ତ୍ରଣ ଗ୍ରହଣ କରିବାକୁ ହେଲା-

 

୧୫ । ୧୯ - ପ୍ରାତଃକୃତ୍ୟ ଶେଷ କରି ଜୟକୃଷ୍ଣ ବାବୁଙ୍କ ଅଫିସ୍‌ଗୃହରେ ବସି ଚିଲିକାର ଶୋଭା ଦେଖିବାକୁ ଲାଗିଲି । ଆଜି ଚିଲିକାର ଜଳ ବହୁଦୂର ପର୍ଯ୍ୟନ୍ତ ମାଡି ଆସିଅଛି ଏବଂ ମେଘାବରଣ ହେତୁ ସ୍ୱଭାବସୁନ୍ଦରୀ ଚିଲିକା ନୂତନ ବେଶରେ ସଜ୍ଜିତ ହେଉଅଛି । ପବନ ଧୀରେ ଧୀରେ ପ୍ରବାହିତ ହେଉଅଛି । ଚିଲିକା ଅଙ୍ଗପ୍ରସାଧନ ବେଣୀବିନ୍ୟାସ ପ୍ରଭୃତି ନୀତିରେ ନିଯୁକ୍ତ । ବସନ୍ତ ଯାଇଅଛି; ମାତ୍ର ତାହାର ବିଭବ ରଖିଯାଇଅଛି । ସେହି ମହାର୍ହ ବିଭବରାଶିରେ ଦିଗ ଆଲୋକିତ ଓ ମହିମିତ । ପର୍ବତମାନେ ପକ୍ଷଦୂତ ପେଷି ପରସ୍ପରକୁ ପ୍ରୀତି ସଙ୍ଖୋଳା ଜଣାଉଅଛନ୍ତି । କୋକିଳ ‘କୁ‘ ‘କୁ’ କହି କାହାକୁ ଭର୍ତ୍ସନା କରୁଅଛି । ହଳଦୀବସନ୍ତ ‘କୁ - କେ - ଗୋ’, ‘କୁ - କେ - ଗୋ’ କହି ତାହାକୁ ବାରମ୍ବାର ପଚାରୁଅଛି । କୋକିଳ ସେ କଥାରେ କର୍ଣ୍ଣଦାନ ନ କରି ଏକମନରେ ତିରସ୍କାର ବୃଷ୍ଟି କରୁଅଛି । ସେ ଅମୃତବୋଳା ତିରସ୍କାର ବୃଷ୍ଟି କରୁଅଛି । ସେ ଅମୃତବୋଳା ତିରସ୍କାର କେଉଁ ଭାଗ୍ୟଧରର ପ୍ରାପ୍ୟ, ତାହା କିଏ କହିବ ? ଘଣ୍ଟଶିଳାଚୂଳରେ ପକ୍ଷୀ ନବହତ ବସିଅଛି । ଚିଲିକା - ବକ୍ଷ - ବିହାରୀ ପବନ ସେହି ମଙ୍ଗଳ ମଧୁର ପୁଣ୍ୟସ୍ୱର ବହିଆଣି ରମ୍ଭାରେ ବିତରଣ କରୁଅଛି । ନଭ - ଯତି ଘନ - ବିଭୁତି ବୋଳିହୋଇ ଗମ୍ଭୀର ଯୋଗସାଧନାରେ ନିମଗ୍ନ । ରବି କ୍ରୋଧ - ଲୋହିତ ମୂର୍ତ୍ତି ଧରି ଭବିତ ହେଲେ ଘନଯୁଥ ତାଙ୍କର ଗତିପଥ ଆକ୍ରମଣ କରିଅଛନ୍ତି; ସୁତରାଂ କ୍ରୁଦ୍ଧ ହେବା ସ୍ୱାଭାବିକ । ସେ କିରଣ - ବାଣରେ ଘନକଳେବର ତୁଳା ଭଣିଲା ପରି ହନ୍ନିବିଚ୍ଛିନ୍ନ କରିଦେଲେ । ବହୁ ଘନସୈନ୍ୟ ନିପାତ ହେଲେ । ଅବଶିଷ୍ଟ ପୁଷ୍ଠ ପ୍ରଦର୍ଶନପୂର୍ବକ ପଳାଇଗଲେ । ପ୍ରକୃତି - ଦେବୀ ଆକାଶରେ କୁହୁକ ବିସ୍ତାର କଲେ । ଆକାଶ ବିବିଧ ବର୍ଣ୍ଣରେ ରଞ୍ଜିତ ହେଲା । କେଉଁ ଅଂଶ ରୌପ୍ୟବର୍ଣ୍ଣ, କେଉଁ ଅଂଶ ସ୍ୱର୍ଣ୍ଣତର୍ଣ୍ଣ, କେଉଁ ଅଂଶ ପ୍ରବାଳବର୍ଣ୍ଣ, କେଉଁ ଅଂଶ ମରକତ ବର୍ଣ୍ଣ; ଆଉ କେତେ ଅଂଶ କେତେ ଅପୂର୍ବ ନବୀନ ବର୍ଣ୍ଣ ଧାରଣ କଲା, ସେ ବର୍ଣ୍ଣର ସଂଜ୍ଞା ବର୍ଣ୍ଣକୋଷରେ ନାହିଁ । ସେ ବର୍ଣ୍ଣମାନଙ୍କର ନାମକରଣ କୋଷ - କର୍ତ୍ତାର ଅସାଧ୍ୟ । କ୍ଷଣକ ମଧ୍ୟରେ ସବୁ ରଙ୍ଗ କେଉଁ ଆଡ଼େ ଉଭେଇଗଲା । ଅନମ୍ବର ଦିଗମ୍ବର ମୁର୍ତ୍ତି ଧାରଣ କଲା । ଚିଲିକା ଅତୀତ ଇତିହାସର ବିଶାଳ ପୃଷ୍ଠା ପ୍ରାୟ ବିସ୍ତୃତ ଦିଶିଲା । ସୂର୍ଯ୍ୟକିରଣରେ ତାହାର ଜଳରାଶି ଢଳ ଢଳ ଲାବଣ୍ୟ ବିସ୍ତାର କଲା । ସେ ଦ୍ୟୁଲୋକଦୁର୍ଲ୍ଲଭ ଅମରଲୋଡିତ ସୌନ୍ଦର୍ଯ୍ୟ ମହିମାରେ ଚିଲିକା ନିଜେ ମୁଗ୍‌ଧ ହୋଇ ହସି ଉଠିଲା । ସେ ହାସ୍ୟ ସୁଖସ୍ମୃତି ପ୍ରାୟ ବଡ଼ ମଧୁର ଓ ମୋହକର । ସେହି ସୁଷମା ଓ ହାସ୍ୟ ଦେଖି ସୁଷମା - ସେବକମାନେ ଚିଲିକାକୁ ନିଶ୍ଚୟ ନିଖିଳ ସୁଷମାବତୀ ଅମରାବତୀର ନୀର - ସଂସ୍କରଣ ମଣିବେ । ଚିଲିକା ଉପରେ ଦଳେ ପକ୍ଷୀ ଉଡିଗଲେ । ସାଧୁ ହୃଦୟରେ ଲାଳସାର ଛାୟାପାତ ପ୍ରାୟ ସାମାନଙ୍କର ଛାୟା ଚିଲିକା ବକ୍ଷରେ ପଡି ମୁହୁର୍ତ୍ତକରେ ଅନ୍ତର୍ହିତ ହୋଇଗଲା । ଚିଲିକା । ମଧ୍ୟରେ ଅନେକ ଦ୍ୱୀପ ଅଛି । ସେଗୁଡିକ ଚିଲିକାର ହୈମସିଂହାସନ । ପ୍ରତିଭାଧନ୍ୟ ମହାଜନ ପ୍ରାୟ ସେ ନିଜ ଶକ୍ତିରେ ନିଜର ସିଂହାସନ ପ୍ରତିଷ୍ଠା କରିଅଛି ।

 

ବର୍ତ୍ତମାନ ବୈଶାଖ ମାସ; ସର୍ବତ୍ର ପ୍ରଚଣ୍ଡ ଖରା; ମାତ୍ର ଚିଲିକା ପ୍ରସାଦରୁ ରମ୍ଭା ଚିରଶୀତଳ । ରମ୍ଭାରେ ସବୁଦିନେ ଫାଲ୍‌ଗୁନ ମାସ । ପତ୍ର ଲେଖା ଓ ସମ୍ବାଦପତ୍ର ପାଠ ପ୍ରଭୃତିରେ ମଧ୍ୟାହ୍ନ ଅତିବାହିତ ହେଲା । ରମ୍ଭାନିବାସୀ ଚାରିଜଣ ଛାତ୍ର ଆସି ଉପସ୍ଥିତ ହେଲେ । ସେମାନେ ଖଲ୍ଲିକୋଟ ସେକେଣ୍ଡରୀ ସ୍କୃଲରେ ପଢନ୍ତି । ସେମାନଙ୍କୁ ସଙ୍ଗରେ ଘେନି ଚିଲିକାକୂଳକୁ ବୁଲିବାକୁ ଗଲି । ମୁଁ କର୍ମସୂତ୍ରରେ ଅଠରବର୍ଷ କାଳ ଛାତ୍ରମାନଙ୍କ ସଙ୍ଗରେ କଟାଇଅଛି, ସୁତରାଂ ଛାତ୍ରମାନଙ୍କର ସରଳ ପବିତ୍ର ବ୍ୟବହାର ମୋତେ ବଡ଼ ମଧୁର ଓ ପ୍ରୀତିପ୍ରଦ ବୋଧହୁଏ । ଛାତ୍ରଜୀବନର ଉଲ୍ଲାସ, ସାହସ, ପ୍ରଫୁଲ୍ଲତା କେବେ କି କେହି ଭୁଲିପାରେ ? ଯାଉଁ ଯାଉଁ କଥାଛଳରେ ସେମାନଙ୍କୁ ମାତୃ - ସାହିତ୍ୟ, ଇତିହାସ ଓ ସ୍ଥାନୀୟ ଭୁଗୋଳସମ୍ବନ୍ଧୀୟ ଅନେକ ପ୍ରଶ୍ନ କରିଥିଲି । ଆଶ୍ଚର୍ଯ୍ୟର ବିଷୟ, ସେମାନେ ଗୋଟାଏ ପ୍ରଶ୍ନର ସଦୁତ୍ତର ଦାନରେ ସୁଦ୍ଧା ଅକ୍ଷମ ହୋଇ ନାହାନ୍ତି । ବିଶେଷତଃ ଜୟକୃଷ୍ଣ ବାବୁଙ୍କ ଦ୍ୱାଦଶବର୍ଷବୟସ୍କ ପୁତ୍ର ଶ୍ରୀମାନ୍‌ଜଗନ୍ନାଥ ଓ ଶ୍ୟାମସୁନ୍ଦର ନାମକ ଗୋଟିଏ କରଣ ପିଲା ସାହିତ୍ୟରେ ଯଥାଯୋଗ୍ୟ ଉପଯୁକ୍ତ ବୋଧ ହେଲେ । ଖଲ୍ଲିକୋଟ ସ୍କୁଲରେ ମାତୃଭାଷା ଶିକ୍ଷା ପ୍ରକୃତଭାବରେ ଦିଆଯାଉଥିବାର ପ୍ରମାଣ ପାଇ ମୁଁ ପରମାନନ୍ଦିତ ହେଲି । ସ୍କୁଲର ଓଡିଆ ପଣ୍ଡିତ ମୋର ପରିଚିତ ନୁହନ୍ତି । ସେ ହେଉନ୍ତୁ; ମାତ୍ର ତାଙ୍କର ଶିକ୍ଷାଦାନ - ପ୍ରଣାଳୀ ଉତ୍କୃଷ୍ଟ, ଏହା ଅବଶ୍ୟ ସ୍ୱୀକାର୍ଯ୍ୟ । ଜୟକୃଷ୍ଣ ବାବୁଙ୍କ ଭ୍ରାତୃପୁତ୍ର ଶ୍ରୀମାନ୍‌ଶ୍ରୀନିବାସ ମଧ୍ୟ ସଙ୍ଗରେ ଯାଇଥିଲେ । କାହିଁକି କେଜାଣି, ଶ୍ରୀନିବାସ ମୋ ପ୍ରତି ଅତିରିକ୍ତ ଭକ୍ତି ପ୍ରଦର୍ଶନ କରି ମୋତେ ଲଜ୍ଜିତ କରାଇଲେ । ରମ୍ଭାରେ ସେହି କେବଳ ଜଣେ ସାଧାରଣ ହିତୋତ୍ସାହୀ; ତାଙ୍କ ଯତ୍ନରେ ଗାଟିଏ ସମିତି ସ୍ଥାପିତ ହୋଇଅଛି । ସଥିରେ ସାଧାରଣଙ୍କର ଅଭାବ ଅସୁବିଧା ଆଲୋଚିତ ହୁଏ । ଶ୍ରୀନିବାସ ଅନେକ ଔଷଧ ଅଣାଇ ବିନାମୂଲ୍ୟରେ ବିତରଣ କରନ୍ତି । ଏହା ଅବଶ୍ୟ ତାଙ୍କ ବଂଶଗୌରବର ପରିପୋଷକ ।

 

ଚିଲିକା - କୂଳରେ ସନ୍ଧ୍ୟା ହୋଇଗଲା । ସେ ଦିନ ଶୁକ୍ଳପକ୍ଷ ଦ୍ୱିତୀୟା । ସାନ୍ଧ୍ୟସମୀର - ହିଲ୍ଲୋଳରେ ଚିଲିକା ବକ୍ଷରେ ଖଲ୍ଲିକୋଟ ରାଜାଙ୍କର ବିହାର - ତରଣୀ - ଖଣ୍ଡି ଦୋଦୁଲ୍ୟମାନ ହେଉଅଛି । ତେଣେ ଉର୍ଦ୍ଧ୍ୱରେ ନଭ - ସାଗର ବକ୍ଷରେ ବିଶ୍ୱରାଜଙ୍କର ଜ୍ୟୋତିର୍ମୟ ହୀରକ - ତରଣୀ ଝଟକୁଅଛି । ଚିଲିକାଗର୍ଭସ୍ଥ ପର୍ବତମାଳା ପ୍ରାୟ ମେଘମାଳା ଆକାଶର ଠାବେ ଠାବେ ବିଶ୍ରାମନିରତ । ତାରାକୁଳ ଚିଲିକା - ଦର୍ପଣରେ ମୁଖ ଦେଖି ହସିଉଠିଲେ । ଚିଲିକା ମଧ୍ୟ ଚନ୍ଦ୍ରକାଧାରାରେ ସ୍ନାନକରି ଟହ ଟହ ହୋଇ ହସିଉଠିଲା; ମାତ୍ର ସେ ହାସ୍ୟ ବହୁକ୍ଷଣ ସ୍ଥାୟୀ ହେଲା ନାହିଁ । ଚନ୍ଦ୍ରାସ୍ତ ସଙ୍ଗେ ସଙ୍ଗେ ଚିଲିକାର ସେହି ଚଞ୍ଚଳ ହାସ୍ୟ ତାହାରି ଅଧରରେ ମୂର୍ଚ୍ଛିତ ହୋଇପଡିଲା । ଆମ୍ଭେମାନେ ବଙ୍ଗଳାକୁ ଫେରିଆସିଲୁଁ ।

 

ପୂର୍ବେ ରମ୍ଭାନଗରୀ ବାଣିଜ୍ୟର ଗୋଟିଏ ପ୍ରଧାନ କେନ୍ଦ୍ର ସ୍ଥଳୀ ଥିଲା । ଉପକୂଳବର୍ତ୍ତୀ ସ୍ଥାନମାନଙ୍କରୁ ଚିଲିକା ପଥରେ ନୌକାରେ ବାଣିଜ୍ୟ ଦ୍ରବ୍ୟ ରମ୍ଭାକୁ ଆସୁଥିଲା । ରେଲ ଯୋଗୁଁ ସମ୍ପ୍ରତି ତାହାର ସେ ସୌଭାଗ୍ୟ କିଞ୍ଚିତ୍‌ମଳିନତା ଭଜିଅଛି; ମାତ୍ର ଏକାବେଳକେ ନିଷ୍ପ୍ରଭ ହୋଇ ନାହିଁ-। ପୁରୀ ଜିଲ୍ଲାରୁ ବର୍ତ୍ତମାନ ବିସ୍ତର ଧାନ ଆସୁଅଛି । ପ୍ରତ୍ୟହ ହଜାର ହଜାର ଟଙ୍କାର ଧାନ - ବିକ୍ରୟ ଲାଗିଅଛି । ସେଥିରୁ ଅଧିକାଂଶ ଖଲ୍ଲିକୋଟ ଆଠଗଡ଼ ଓ ଘୁମୁଷର ପ୍ରଭୃତି ଦୁର୍ଭିକ୍ଷପୀଡିତ ଅଞ୍ଚଳକୁ ଯାଉଅଛି । ଏତଦ୍ଦ୍ୱାରା ଦୁର୍ଭିକ୍ଷକ୍ଳିଷ୍ଟ ଜନସାଧାରଣଙ୍କର ମହୋପକାର ସାଧିତ ହେଉଅଛି । ଦୁଇଜଣ ବଙ୍ଗାଳୀ ରମ୍ଭାରେ ରହି ମତ୍ସ୍ୟ ବ୍ୟବସାୟ କରୁଅଛନ୍ତି । ଚିଲିକାରେ କାଉନ୍ଦା ନାମକ ଏକଜାତୀୟ ମତ୍ସ୍ୟ ଅଛନ୍ତି । ତାହା ଠିକ୍‌ମାଗୁର ତୁଲ୍ୟ ଦେଖାଯାଏ; ମାତ୍ର ମାଗୁର ନୁହେ । ଇତରଶ୍ରେଣୀୟ ଲୋକମାନେ ତାହା ଭକ୍ଷଣ କରନ୍ତି । ଭଦ୍ରଲୋକଙ୍କର ଅବ୍ୟବହାର୍ଯ୍ୟ ହେତୁ ମୂଲ୍ୟ ମଧ୍ୟ ଖୁବ୍‌ସୁଲଭ-। ସେହି ମାଛ କଲିକତା ପଠାଯାଉଅଛି । ସେଠାରେ ମାଗୁର ମାଛ ଜ୍ଞାନରେ ତାହା ସମଧିକ ଉଚ ମୂଲ୍ୟରେ ବିକ୍ରୀତ ହେଉଅଛି ।

 

୨।୫।୧୯ - ଆଜି ଶରୀର କିଞ୍ଚିତ୍‌ଅସୁସ୍ଥ ବୋଧ ହେବାରୁ ବୁଲିବାଟା ଭାଗ୍ୟରେ ଘଟିଲା ନାହିଁ । ଈଶ୍ୱର ତ ମୋତେ ସ୍ୱାସ୍ଥ୍ୟସୁଖରୁ ଚିରବଞ୍ଚିତ କରିଅଛନ୍ତି । ତହିଁ ଉପରେ ନୂତନ ପୀଡ଼ା ଏକାନ୍ତ ମୋର ଅସହ୍ୟ ହୁଏ । ପ୍ରତ୍ୟେକ କଥାରେ ମୁଁ ଈଶ୍ୱରଙ୍କ ଉପରେ ଦୋଷାରୋପ କରେ । କେବଳ ମୋର ସନ୍ତୋଷବିଧାନ ଯେପରି ଭଗବାନଙ୍କର ଏକମାତ୍ର କର୍ତ୍ତବ୍ୟ, ତଦ୍ରୂପ ମଣେ-। ମୋର ପୀଡ଼ାର କାରଣ ମୋର ଭାଗ୍ୟଦୋଷ କିମ୍ବା ଆତ୍ମଦୋଷ, ଏହା ମୁଁ ପ୍ରାୟ ବିସ୍ମୃତା ଆଉ ବିସ୍ମୃତ ହେବାର ମଧ୍ୟ କଥା । ଭାଗ୍ୟଦୋଷ ବା ଆତ୍ମଦୋଷ ମୋର ତ୍ରୀତ, ଉପାର୍ଜିତ ବା ସୃଷ୍ଟ ନୁହେ-। ମୋର ଯାହା କିଛି, ତାହା ତାଙ୍କର ଦୟାର ଦାନ । ଭାଗ୍ୟ ଓ କର୍ମ ମଧ୍ୟରେ ପାର୍ଥକ୍ୟ ଜ୍ଞାନ ମୋର ନାହିଁ ଏବଂ ତାହାକୁ ନିଜର ବୋଲି କହି ଦାୟିତ୍ୱ ବହନ କରିବାର ଇଚ୍ଛା ମଧ୍ୟ ମୋର ନାହିଁ । ଯାଉ, କାହିଁକି ସେ କଥା ?

 

ଆଜି ଅକ୍ଷୟତୃତୀୟା - ସତ୍ୟଯୁଗର ଆରମ୍ଭ ଦିନ । ଯେଉଁ ଦିନରେ ସତ୍ୟ ଯୁଗ ଆରମ୍ଭ ହୋଇଥିଲା, ଆଜି ଦିନଟି ଠିକ୍‌ସେହି ଦିନ ନୁହେଁ - ସେହି ପବିତ୍ର ଦିନର ସ୍ମୃତିମାତ୍ର । ହିନ୍ଦୁର ପ୍ରତ୍ୟେକ ବାରବ୍ରତ ଗୋଟିଏ ମହାସ୍ମୃତିର ପୂଜା । କେବଳ ପ୍ରତିମୂର୍ତ୍ତିସ୍ଥାପନ ସ୍ମୃତିରକ୍ଷାର ପ୍ରକୃଷ୍ଟ ଉପାୟ ନୁହେ । ହିନ୍ଦୁ ପୁଣ୍ୟପର୍ବରୂପେ ସ୍ମୃତିଦିବସ ପାଳନ କରି ସେହି ସ୍ମୃତି ମଧ୍ୟରେ ଆପଣା ପ୍ରାଣ ମଧ୍ୟରେ ସ୍ମୃତିରୂପେ ପ୍ରତିଭାର ପୂଜା କରେ । ଏହି ସ୍ମୃତି ପୂଜା - ଏହି ପ୍ରତିଭା ପୂଜା ହିନ୍ଦୁର ମହତ୍ତ୍ୱ ଓ ଗୌରବ । ଏହିହେତୁ ହିନ୍ଦୁଧର୍ମ ଜଗତର ପୁଜ୍ୟ ଓ ନମସ୍ୟ । ହିନ୍ଦୁ ନିକଟରେ ଅତୀତ ବ୍ୟର୍ଥ ବା ଉପେକ୍ଷିତ ନୁହେଁ - ପ୍ରତ୍ୟୁତ ମଙ୍ଗଳ ଜ୍ଞାନରେ ସମାଦୃତ, ସୁପୁଜିତ । ହିନ୍ଦୁ ସର୍ବଦା ଅତୀତକୁ ବର୍ତ୍ତମାନ ନେତ୍ରରେ ଦେଖେ । ଆଜି ଧାନ୍ୟ ବୀଜବପନର ଅନୁକୁଳ ଦିନ । ଅକ୍ଷୟତୃତୀୟାରେ ବୁଣିଲେ ବୀଜ କ୍ଷୟ ହୁଏ ନାହିଁ ବୋଲି ପ୍ରବାଦ ଅଛି । ଆଜି ବୃକ୍ଷାଣ - ମନ୍ଦାର ଉତ୍ସବମୟ । ଆଜି ହଳିଆ ଆମଲିତ ହୁଏ । ତାହାକୁ କଳମ ଶାଗ ଓ ବୀରିଡାଲି ଖାଇବାକୁ ଦିଆଯାଏ । ଗୃହସ୍ଥ ଘରେ ମଧ୍ୟ ସେହି ବ୍ୟଞ୍ଜନ । ଏହା ଭାବୀ କୃଷି ପକ୍ଷରେ ମଙ୍ଗଳପ୍ରଦ । ଏତଦ୍ଦ୍ୱାରା ଧାନଗଛ କଳମ ପରି ଶାଖାଯୁକ୍ତ ହୁଏ ଏବଂ ବୀର ପରି ଅଧିକ ଫଳ ଧାରଣ କରେ ବୋଲି ଜନଶ୍ରୁତି ପ୍ରଚଳିତ ଅଛି; କିନ୍ତୁ ଏ ରୀତି ରମ୍ଭାରେ ଦେଖିଲେ ନାହିଁ । ସମ୍ଭବତଃ ଏ ଅଞ୍ଚଳରେ ଅକ୍ଷୟତୃତୀୟା ଏରୂପ ଭାବରେ ପାଳିତ ନ ହୋଇ ପ୍ରକାରାନ୍ତରରେ ହେଉଥିବା । ଅଦ୍ୟ ଜଗନ୍ନାଥ ମହାପଭୁଙ୍କ ରଥ ଚକ୍ରରେ ଅଖ ସଂଯୋଗ କରାଯାଏ ଏବଂ ଚନ୍ଦନଯାତ୍ରା ଆରମ୍ଭ ହୁଏ । ଆଜି ଦିନ ଉଦ୍ଦେଶ୍ୟରେ ନମସ୍କାର କରି କହିଲି, ‘‘ହେ ପୁଣ୍ୟଦିବସ, ତୁମ୍ଭେ ସତ୍ୟର ପ୍ରତିଭୁ, ଜଗତରେ ସତ୍ୟ, ପୁଣ୍ୟ ଓ ଶୁଭ ପ୍ରତିଷ୍ଠା । କରିଯାଅ । ତୁମ୍ଭେ ଯାହାର ପ୍ରତିନିଧି, ସେ ଅତୀତ ସିନ୍ଧୁର ଅତଳ ଗର୍ଭରେ ନିମଜ୍ଜିତ । ତୁମ୍ଭର ପରମାୟୁ ସୁଦ୍ଧା ଚତୁର୍ଯାମରୁ ଅଧିକ ନୁହେଁ । ଅତଃପର ତୁମ୍ଭେ ଚାଲିଯିବ, କଥା ରଖିଯାଅ ।’’

 

୩।୫।୧୯ - ଆଜି ଖଲ୍ଲିକୋଟ ଯିବାକୁ ହେବ । ସେହିଠାରୁ କାଳୀଜୟୀ ଯିବାର ବନ୍ଦୋବସ୍ତ ହୋଇଅଛି । ସ୍ନାନଶୌଚ ପରେ ଭୋଜନ କରିବାକୁ ହେଲା । ଭୋଜନରେ ବଡ଼ ତୃପ୍ତି ବୋଧ ହେଲା । ଗତ ରାତ୍ରିର ଅର୍ଦ୍ଧାହାର ସେଥିର କାରଣ ଏବଂ ଅନ୍ୟ କାରଣ ମୋର ଚିରପ୍ରିୟ ବ୍ୟଞ୍ଜନ ଶାଗ ବର୍ଷକ ପରେ ମଧୁର ସ୍ୱାଦୁ ଘେନି ପତ୍ରର ଏକାଂଶରେ ଆସନ ଲାଭ କରିଥିଲା । ବେଳ ପ୍ରହରକ ସମୟରେ ଆମ୍ଭେମାନେ ଖଣ୍ଡିଏ ଶଗଡ଼ରେ ବସି ଖଲ୍ଲିକୋଟ ଯାତ୍ରା କଲୁଁ । ରମ୍ଭାର ଉପକଣ୍ଠବର୍ତ୍ତୀ ଗୋଟିଏ ସ୍ଥାନର ଦୃଶ୍ୟ ବଡ଼ ରମଣୀୟ, ବଡ଼ ଲୋଭନୀୟ, ବଡ଼ ଉପାଦେୟ ବୋଧ ହେଲା ରାଜମାର୍ଗର ଉଭୟ ପାର୍ଶ୍ୱରେ ବିଶାଳ ବଟ ଓ ଜରୀ ବୃକ୍ଷ ଘନସନ୍ନିବିଷ୍ଟ ହୋଇ ଶ୍ରେଣୀବଦ୍ଧ ଭାବରେ ପ୍ରାୟ ଏକତ୍ରୋଶ ପର୍ଯ୍ୟନ୍ତ ବ୍ୟାପି ରହିଅଛି । ତାହା କୁଞ୍ଜ ପ୍ରାୟ ସୁନ୍ଦର ଦିଶେ । ସେହି ଶୀତଳ, ନିକାଞ୍ଚନ ଛାୟାଚ୍ଛନ୍ନ ସ୍ଥଳୀ ବାନରମାନଙ୍କର କେଳିକୁଞ୍ଜ ହୋଇଅଛି । ସେ ସ୍ଥାନରେ ଉପସ୍ଥିତ ହେଲେ ମନରେ ଏକ ଅନନୁଭୁତପୂର୍ବ ଶାନ୍ତିମୟ ପବିତ୍ର ସାତ୍ତ୍ୱିକ ଭାବ ସ୍ୱତଃ ସଂଜାତ ହୁଏ-। ପଥିକ ସେଥିରେ ମୁଗ୍‌ଧ ହେବା ତ ସହଜ କଥା; ମାତ୍ର ଆତ୍ମବିସ୍ମୃତ ହୁଏ । ସେଠାରେ ଉପସ୍ଥିତ ହେଲେ ଭିନ୍ନ ସଂସାରରୁ ଏକ ନୂତନ ସୁଖମୟ ସଂସାରକୁ ଆସିବା ପରି ବୋଧହୁଏ । ଏହି ସଦାନନ୍ଦ ଧାମରେ ଗୋଟିଏ ବିଷାଦ ଦୃଶ୍ୟ ହୃଦୟରେ ଗଭୀର ରେଖାପାତ କଲା । କେତେକ କଙ୍କାଳସାର ବାଳକବାଳିକାଙ୍କୁ ପକ୍ୱ ବଟଫଳ ସାଉଣ୍ଟି ଖାଉଥିବାର ଦେଖି ଲୋତକ ସମ୍ବରଣ କରିହେଲା ନାହିଁ । ପ୍ରାପ୍ତବୟସ୍କ ନରନାରୀଏ ଶତଚ୍ଛିନ୍ନ ମିଳନ ବସନରେ କୌଣସି ପ୍ରକାରରେ ଲଜ୍ଜା ନିବାରଣ କରି କଞ୍ଚା ବରଫଳ ତୋଳୁଅଛନ୍ତି । ଶୁଣିଲି, ତାହାକୁ ସିଝାଇ ଖାଇ ସେମାନେ ଜୀବନ ଧାରଣ କରିଅଛନ୍ତି । ଏ ଅଞ୍ଚଳରେ ଦୁର୍ଭିକ୍ଷ କିପରି ତୀବ୍ରଭାବରେ ଆକ୍ରମଣ କରିଅଛି, ତାହା ଉପଯୁକ୍ତ ମର୍ମନ୍ତୁଦ ଘଟଣାରୁ ଅତି ସହଜରେ ଅନୁମେୟ । ନଅଙ୍କ ଦୁର୍ଭିକ୍ଷ କଥା ଶୁଣିଥିଲି । ସେଥିରେ ମନୁଷ୍ୟ - ମାଂସ ମନୁଷ୍ୟ ଖାଇଥିବାର ଦେଖାଯାଇଥିଲା । ତାହା ଆଶ୍ଚର୍ଯ୍ୟ କଅଣ ? ଉଦରରାକ୍ଷସର ତୃପ୍ତି ସକାଶେ କେଉଁ କାର୍ଯ୍ୟ ବା ମାନବ ପକ୍ଷରେ ଅସମ୍ଭବ ? ନ’ଅଙ୍କରେ ୩,୪ ଦିନମାତ୍ର ଚାଉଳ ଟଙ୍କାକୁ ଚାରିସେର ହୋଇଥିଲା; ମାତ୍ର ବର୍ତ୍ତମାନ କୌଣସି କୌଣସି ସ୍ଥାନରେ ବର୍ଷବ୍ୟାପୀ ସାର୍ଦ୍ଧ ତିନି ସେର ଦର ରହିଅଛି । ନ’ଅଙ୍କରେ କେବଳ ଧାନ ଚାଉଳ ମହାର୍ଘ ହୋଇଥିଲା; ଅନ୍ୟ ସମସ୍ତ ବ୍ୟବହାରୀୟ ପଦାର୍ଥ ଖୁବ୍‌ସୁଲଭ ଥିଲା । ବର୍ତ୍ତମାନ ପ୍ରତ୍ୟେକ ପଦାର୍ଥର ମୂଲ୍ୟ ଅନଳ ପ୍ରଖର ଗତିରେ ବୃଦ୍ଧିଲାଭ କରିଅଛି । କେହି ବା ଏକାନ୍ତ ଦୁଷ୍ପ୍ରାପ୍ୟ ହୋଇଅଛି । ଅତଏବ ନଅଙ୍କ ଦୁର୍ଭିକ୍ଷଠାରୁ ଉପସ୍ଥିତ ଦୁର୍ଭିକ୍ଷ କେତେ ଗୁଣ ଭୀଷଣତମ, ତାହା ଭାବିଲେ ମସ୍ତିଷ୍କ ବ୍ୟଥାରେ ଅବସନ୍ନ ହୁଏ ଏବଂ ଆତ୍ମା ମୂର୍ଚ୍ଛିତ ହୋଇପଡ଼େ । ‘‘ଈଶ୍ୱର ଯାହା କରନ୍ତି ତାହା ମଙ୍ଗଳ ସକାଶେ’’ ବୋଲି ଜନଶ୍ରୁତି ଅଛି; ମାତ୍ର ଉପସ୍ଥିତ ଦୁର୍ଘଟନାରେ କି ମଙ୍ଗଳ ନିହିତ ଅଛି, ତାହା ସେହି ମଙ୍ଗଳମୟଙ୍କୁ ଗୋଚର । ସେ ରହସ୍ୟ ଭେଦ କରିବାର ଶକ୍ତି ମନୁଷ୍ୟର ତ ନାହିଁ, ଅଧିକନ୍ତୁ ମନୁଷ୍ୟାରାଧ୍ୟ ଅମରଳ୍ପଳର ସୁଦ୍ଧା ସାଧ୍ୟାତୀତ ।

 

କ୍ରମେ ରୌଦ୍ର ତେଜ ପ୍ରଖର ହୋଇ ଉଠିଲା, ଆଉ ଚାହିଁ ହେଲା ନାହିଁ । ରୌଦ୍ର ବହଳ ହୋଇ ଦୃଷ୍ଟିରେଖା ଅବରୋଧ କଲା ପ୍ରାୟ ପ୍ରତୀୟମାନ ହେଲା । ଆମ୍ଭେମାନେ ସାନଘାଟୀ ପାର ହୋଇ ବଡ଼ଘାଟୀ ନିକଟରେ ପହଞ୍ଚିଲୁଁ । ଏହା ସ୍ୱନାମପ୍ରସିଦ୍ଧ ‘‘ହରିଡ଼ାମୂଳ ଘାଟୀ’’ । ପର୍ବତ ଉପରକୁ ଅର୍ଦ୍ଧମାଇଲ ଉଠିବାକୁ ହେବ । ପଥ ଏପରି ତିର୍ଯ୍ୟକ ଯେ, ଘାଟୀ ମସ୍ତକରୁ ଗୋଟାଏ ବର୍ତ୍ତୁଳ ପଦାର୍ଥ ଗଡାଇଦେଲେ ତାହା ନିର୍ବାଧରେ ଆସି ଗିରିପାଦ ସ୍ପର୍ଶ କରିବ । ଶଗଡ଼ରେ ବସି ଘାଟୀ ଉପରକୁ ଉଠିଲାବେଳେ ସ୍ୱର୍ଗକୁ ଉଠିଲା ପ୍ରାୟ ସୁଖକର ବୋଧ ହେଉଥାଏ, ମାତ୍ର ଦୈବାତ୍‌ଶଗଡ଼ ଖସିଗଲେ ଏକାବେଳକେ ଯମଦ୍ୱାରରେ ପହଞ୍ଚାଇ ଦେଇଥାନ୍ତା । ପଥର ଏକ ପାର୍ଶ୍ୱରେ ବିରାଟ ଗିରିଚୂଡ଼ା, ଅପର ପାର୍ଶ୍ୱରେ ଅତଳ ପାତାଳ । ତାହା କେତେ ଗଭୀର, ଉପରୁ କଳିହେବ ନାହିଁ । ତାହା ପୁଣି ନିବିଡ଼ ଅରଣ୍ୟସଙ୍କୁଳ । ତହି ମଧ୍ୟରେ ନିସ୍ତବ୍‌ଧତାର ସାଁ ସାଁ ଶବ୍ଦ ବ୍ୟତୀତ ଅନ୍ୟ ଶବ୍ଦ ନାହିଁ । ବୋଧହୁଏ ତାହା ବିଭୀଷିକାର ଆବାସ-ଗହ୍ୱର । ସୌଭାଗ୍ୟବଶତଃ ରଥ ଖସିଲା ନାହିଁ । ସତର୍କ ସାରଥିର ଅଦ୍ଭୁତ କୌଶଳ ସେ ଭୟରୁ ନିସ୍ତାର କଲା । ଏରୁପ ପଥରେ ଶାକଟିକମାନେ ଶଗଡ଼ ପଛରେ ଖଣ୍ତେ ବାଉଁଶ ବିଶେଷ କୌଶଳରେ ବାନ୍ଧିଦିଅନ୍ତି । ତାହାର ନାମ ‘‘ଘାଟୀକିଳା ।’’ ତାହା ଯୋଗୁଁ ଶଗଡ଼ ତଳକୁ ଗଡି ଆସିବାର ଆଶଙ୍କା ନ ଥାଏ । କ୍ରମେ ଶଗଡ ଘାଟୀ ମୁଣ୍ତରେ ଯାଇ ଉଠିଲା । ସେହିଠାରୁ ପୁଣି ଅର୍ଦ୍ଧ ମାଇଲରୁ ଅଧିକ ପଥ ତଳକୁ ଗଡିବାକୁ ହେବ । ଘଟୀମୁଣ୍ତରୁ ଚାହିଁଲେ ପଥ କ୍ରମେ ଅଦୃଶ୍ୟ ପାତାଳକୁ ପଶିଲା ପ୍ରାୟ ଜଣାଯାଏ । ଦୁଇ ଆଡ଼େ ଦୁଇ ଗୋଟି ଅଭ୍ରଲେହା ରୁଦ୍ରକାନ୍ତ ଗିରିଚୂଡ଼ା ସଗର୍ବ ଦଣ୍ତାୟମାନ । ମଧ୍ୟରେ ସଂକୀର୍ଣ୍ଣ ଭୀଷଣ ପଥ, ପ୍ରତିପହଣ୍ତରେ ମୃତ୍ୟୁର ଅସୀମ ଅନୁଗ୍ରହ ପ୍ରାଣରେ ଅନୁଭୁତ ହୁଏ । ନଈବାହାଡ଼ା ଫୁଲରେ ପର୍ବତଚଡ଼ା ଶୃକ୍ଳିମାମୟ । ବୋଧହୁ,, ଗିରିରାଜ ଗ୍ରୀଷ୍ମସନ୍ତାପରୁ ତ୍ରାହି ପାଇବା ସକାଶେ ଆପାଦମସ୍ତକ ଚନ୍ଦନଚର୍ଚ୍ଚିତ ହୋଇଅଛି । ବଂଶଧାନ୍ୟସମୂହ ଥୋପା ଥୋପା ହୋଇ ଝୁଲିପଡି ଗିରିପ୍ରକୃତିର ହୈମ ଅଳଙ୍କାର ପ୍ରାୟ ସୁନ୍ଦର ଦିଶୁଅଛି । ତାହାକୁ ରାନ୍ଧିଲେ ଭାତ ହୁଏ; ଚୂନା କରି ପିଠା ମଧ୍ୟ କରାଯାଏ । ସ୍ୱାଦୁ ସୁଗନ୍ଧ ଠିକ୍‌ଗହମ ତୁଲ୍ୟ । ବର୍ତ୍ତମାନ ଦୁର୍ଭିକ୍ଷା ସମୟରେ ଅନେକେ ଏହା ଖାଇ ପ୍ରାଣଧାରଣ କରିଅଛନ୍ତି ।

 

ଘାଟୀ ପାର ହୋଇ ଆସିଲୁଁ । ଗିରିପାଦ ମୂଳରେ ଚିଲିକା ଧରଣା ଦେଲା ପ୍ରାୟ ଅଷ୍ଟାଙ୍ଗ ଲୋଟାଇ ପଡିଅଛି । ମହାପ୍ରକୃତି ମହାପ୍ରକୃତିକୁ ପୂଜା କରୁଅଛି, ଏହା ବଡ଼ ବାଞ୍ଛନୀୟ, ଶିକ୍ଷଣୀୟ ଓ ପ୍ରୀତିପ୍ରଦ ଦୃଶ୍ୟ । ଜଗତରେ ଯେ ଯେଡ଼େ ବଡ଼, ସେ ତେଡ଼େ ସାନ । ମାନବ ସିନା ଅଭିମାନୀ, ଅଭିମାନୀ ଶରୀର ହୃଦୟନାମକ ମହାର୍ହ ଦେବଦୁର୍ଲ୍ଲଭ ପବିତ୍ର ଅଳଙ୍କାରର ଅଧିକାରୀ ହୋଇପାରେ ନାହିଁ । ବାରଘଣ୍ଟା ସମୟରେ ଖଲ୍ଲିକୋଟରେ ପହଞ୍ଚିଲୁଁ ।

 

କେତେଗୁଡିଏ ଶାଳ ବା ଶିଆଳୀ ପତ୍ରରେ ଖଲି ପ୍ରସ୍ତୃତ ହୁଏ । ସେହିପରି ଅନେକ ରାଜ୍ୟ ମିଶି ଖଲି ପରି ବିସ୍ତୃତ ହୋଇଥିବାରୁ ରାଜ୍ୟର ନାମ ଖଲ୍ଲିକୋଟ ହୋଇଅଛି । ଛତ୍ରଗଡ଼, ଶ୍ୟାମସୁନ୍ଦରପୁର, କେଶପୁର, କଳସ, ପଙ୍କାଳ, ଷଣ୍ଢମୂଳ, ଦାନପୁର ଓ ସମ୍ବଲଗଡ଼- ଏଗୁଡ଼ିକ ମିଶି ଖଲ୍ଲିକୋଟ ହୋଇଅଛି । ଖଲ୍ଲିକୋଟ ସହିତ ଆଠଗଡ ନାମକ ଅନ୍ୟ ଏକ ରାଜ୍ୟ ସଂଯୁକ୍ତ । ବର୍ତ୍ତମାନ ଖଲ୍ଲିକୋଟ ନରପତିଙ୍କ ପିତାମହ ରାଜର୍ଷିକଳ୍ପ ନାରୟଣ ମର୍ଦ୍ଦରାଜଦେବଙ୍କ ବାଲ୍ୟବସ୍ଥାରେ ଖଲ୍ଲିକୋଟ ଓ ଆଠଗଡ଼ ମଧ୍ୟରେ ଯୁଦ୍ଧ ହୋଇଥିଲା । ଗୋଟିଏଏ ଆମ୍ବଗଛ ପାଇଁ ଏହି ଯୁଦ୍ଧର ସୂତ୍ରପାକ । ଦୁଇ ରାଜ୍ୟର ସୀମାରେ ଗୋଟିଏ ଆମ୍ବଗଛ ଥିଲା । ଗଛଟି ଖଲ୍ଲିକୋଟର, ମାତ୍ର ଆଠଗଡ଼ ଆଡ଼କୁ ତାହାର କେତେଟା ଶାଖା ଥିଲା । ବର୍ଷେ ସେହି ଗଛର ଆମ୍ବ ଆଠଗଡ଼ର ଲୋକମାନେ କୋଳିନେବାରୁ ଉଭୟ ରାଜ୍ୟ ମଧ୍ୟରେ ସଙ୍ଘର୍ଷଣ ଉପସ୍ଥିତ ହେଲା । ଶେଷରେ ସେହି ସଙ୍ଘର୍ଷଣ ପ୍ରଖର ସମରାନଳ ଉଦ୍‌ଗିରଣ କଲା । ତହୁଁ ଦୁଇ ରାଜ୍ୟ ମଧ୍ୟରେ ଯୁଦ୍ଧ ଲାଗିଲା । ଉଭୟ ପକ୍ଷରୁ ସୈନ୍ୟ ହତାହତ ହେଲେ । ଖଲ୍ଲିକୋଟର ଜଣେ ବୀର ଆଠଗଡ଼ର ପ୍ରଧାନ ସେନାପତିଙ୍କୁ ନିହତ କଲା; ମାତ୍ର ହତ୍ୟାକାରୀ ସେନାପତିର ମୁଣ୍ତ ଆଣିପାରିଲା ନାହିଁ । ଏହି ସମୟରେ ସେ ବିପକ୍ଷ ପକ୍ଷଦ୍ୱାରା ସବଳ ଭାବରେ, ଆକ୍ରାନ୍ତ ହୋଇ ଏରୂପ ଭୀମ ବିକ୍ରମରେ ଦୁଇହସ୍ତରେ ତରବାରୀ ବୁଲାଇଲା ଯେ, କେହି ତାହା ପାଖରୁ ଶବ ଛଡ଼ାଇ ଆଣିପାରିଲେ ନାହିଁ । ଖଲ୍ଲିକୋଟ ପକ୍ଷର ଜଣେ ପାଇକ ହାଣ୍ତିଆ ମଦ ପିଇ ଘରେ ଶୋଇଥିଲା । ଯୁଦ୍ଧ ବାଦ୍ୟ ଓ ଯୁଦ୍ଧାସ୍ତ୍ର ଗର୍ଜ୍ଜନ ଶୁଣି ତାହାର ସ୍ତ୍ରୀ ତାକୁ ଉଠାଇ ଭର୍ତ୍ସନା କରି କହିଲା, ‘‘ରାଜାଘର ଯୁଦ୍ଧ ଲାଗିଛି, ଖଇ ଫୁଟିଲା ପରି ବାଣ ଫୁଟୁଛି, ତୁ ରାଜାର ଖାଇ କାମବେଳକୁ ନିଶ୍ଚିନ୍ତ ହୋଇ ଘରେ ଶୋଇଛୁ । ତେବେ ତୋ ଖଣ୍ତା ମୋତେ ଦେ, ମୁଁ ଯୁଦ୍ଧକୁ ଯିବି । ତୁ ମୋର ଖଡ଼ୁ ଆଉ ଶାଢୀ ପିନ୍ଧି ଘରକୋଣରେ ଲୁଚିଥା ।’’ ଏହା ଶୁଣି ବୀରପୁରୁଷ ମର୍ଦ୍ଦିତ ପୁଚ୍ଛ କାକୋଦର ପ୍ରାୟ ଗର୍ଜ୍ଜି ଉଠିଲା । ସେ ସ୍ତ୍ରୀବେଶ ଧରି ଲୁଚି, ରହିବ, ଏପରି ଅଗ୍ନିମୟ ତିରସ୍କାର କି ତାହା ପ୍ରାଣରେ ସହ୍ୟ ହେବ ? ବୀର-ହୃଦୟ ସବୁ ସହିପାରେ; ମାତ୍ର ଅନ୍ୟର ତାଚ୍ଛଲ୍ୟ ସହିପାରେ ନାହିଁ । ରମଣୀର ଏହି ବାଣୀ-ବାଣ ତାହା ପ୍ରାଣରେ ଖରଶାଣ ରଣାସ୍ତ୍ର ଅପେକ୍ଷା କୋଟି ଗୁଣ ବ୍ୟଥା ଜାତ କଲା । ସିଂହାର ଧର୍ଷଣରେ ସିଂହ କି ସ୍ଥିର ହୋଇ ରହିପାରେ ? ସେ ବଜ୍ରବିକ୍ରମରେ ଧାଇଁଯାଇ ଯୁଦ୍ଧସ୍ଥଳରେ ଉପସ୍ଥିତ ହେଲା ଏବଂ ‘‘ମା ବାହୁତି ରଖ’’ ବୋଲି ଗର୍ଜିଉଠି ଦୁଇ ହାତରେ ଦୁଇଟା ତୀକ୍ଷ୍‌ଣ ଧାର ଖଣ୍ତା ବୁଲାଇ ବୁଲାଇ ବିପକ୍ଷର ଶତ ଅସ୍ତ୍ରାଘାତକୁ ଭ୍ରୂକ୍ଷେପ ନ କରି ତୀର-ଗତିରେ ଧାଇଁ ଯାଇ ଉପର୍ଯ୍ୟୁକ୍ତ ମୃତ ବିପକ୍ଷ ସେନାପତିର ମୁଣ୍ତ କାଟିଆଣିଲା । ବିଜୟଲକ୍ଷ୍ମୀ ଖଲ୍ଲିକୋଟକୁ ଆଲିଙ୍ଗନ କଲେ । ଆଠଗଡର ଖଣ୍ତେ ସ୍ଥାନ ଖଲ୍ଲିକୋଟର ଅଧିକୃତ ହେଲା । ପରେ ନାରାୟଣ ମର୍ଦ୍ଦରାଜ ଆଠଗଡ଼କୁ ନିଲାମରେ କ୍ରୟ କରି ସ୍ୱୀୟ ଅଧିକାରଭୁକ୍ତ କରେ ।

 

ଉପର୍ଯ୍ୟୁକ୍ତ ଘଟଣାରୁ ଓଡିଆପ୍ରାଣର ରାଜଭକ୍ତି ସହଜରେ ଅନୁମେୟ । ପାଇକ ରମଣୀ ରାଜା ସକାଶେ ନିଜର ପ୍ରାଣପ୍ରିୟ ସ୍ୱାମୀକୁ ମୃତ୍ୟୁମୁଖକୁ ପ୍ରେରଣ କଲା, ଏହାଠାରୁ ବଳି ରାଜଭକ୍ତିର ସର୍ବୋତ୍କୃଷ୍ଟ ଦୃଷ୍ଟାନ୍ତ ଆଉ କଅଣ ହୋଇପାରେ ? ଦୁଃଖର ବିଷୟ, ଅନେକ ଅନୁସନ୍ଧାନ କରି ସୁଦ୍ଧା ସେହି ରାଜଭକ୍ତିମତୀ ବୀର ରମଣୀର ପବିତ୍ର ନାମ ଉଦ୍ଧାର କରିପାରିଲି ନାହିଁ । ଖଲ୍ଲିକୋଟ ଆଠଗଡ଼ ଓ ବିରୁଳିର ବୀରତ୍ୱ ସମ୍ବନ୍ଧରେ ଅବଧି ନିମ୍ନଲିଖିତ ଜନବାଦ ପ୍ରଚଳିତ ଅଛି -

 

‘‘ଆଠଗଡିଆର ଆଠ ବାଉଁଶ ଖଲ୍ଲିକୋଟିଆର ଲାଭ, (ଲଙ୍କିଆ କାଣ୍ତ) ’’

ବିରୁଳି ଘରର ଚିଆର କାଣ୍ତ ଦିଶୁଥିବ ଦାଉ ଦାଉ ।’’

 

କେବଳ ବିରୁଳି କାଣ୍ତର ଉତ୍କର୍ଷ ସମ୍ବନ୍ଧରେ ଆହୁରି ଗୋଟିଏ ପ୍ରବାଦ ଅଛି- ‘‘ବିରୁଳି କାଣ୍ତ, ରାତି ଦ୍ୱିପ୍ରହରେ ମାଇପ ରାଣ୍ତ ।’’ ପୂର୍ବେ ରାଜାମାନେ ସାମାନ୍ୟ କାରଣରେ ପରସ୍ପର ମଧ୍ୟରେ ଯୁଦ୍ଧ-ଘୋଷଣା କରୁଥିଲେ । ଗୋଟାଏ ଆମ୍ବଗଛ ସକାଶେ ଲଙ୍କାକାଣ୍ତର ସୃଷ୍ଟି । କେତେ ମହାପ୍ରାଣୀ ଅକାଳରେ ରଣ ଯାଗରେ ଜୀବନାହୃତି ପ୍ରଦାନ କଲେ, କେତେ ନାରୀ ଅନାଥ ହେଲେ- କେଳେ ଲୋତକ, କେତେ ରକ୍ତ ବୃଥା ଅପବ୍ୟୟିତ ହେଲା ! ସେଥିପାଇଁ କିଏ ଦାୟୀ ? ସୁଖର ବିଷୟ, ଶୁଭକ୍ଷଣରେ ଇଂରାଜଶାସନ ଏ ଦେଶକୁ ଆସି ବୃଥା ଶକ୍ତିକ୍ଷୟ, ବୃଥା ଆୟୁକ୍ଷୟରୁ ନିସ୍ତାର ପ୍ରଦାନ କରିଅଛି ।

 

ନଅର ସୀମାସ୍ଥ ‘ପର୍ବଘର’ ମୋ ବସା ସକାଶେ ନିର୍ଦ୍ଦିଷ୍ଟ ହୋଇଥିଲା । ସ୍ଥାନଟି ନିର୍ଜ୍ଜନ ଓ ମାରୁଆ ମହାଧରର ପାଦଦେଶରେ ଅବସ୍ଥିତ ହେତୁ ପ୍ରାକୃତିକ ବିଭବରେ ଦୃଷ୍ଟିରସାୟନ । ଖଲ୍ଲିକୋଟ ରାଜପୁରୀ ମାରୁଆ ପର୍ବତର କଟିଦେଶରେ ଅବସ୍ଥିତ । ସେହି ସୁନ୍ଦରୀ ସୁରୀ ଦୂରରୁ ଗିରିରାଜ ହିମାଳୟ-କୋଳରେ ଗିରିରାଜଜେମା ଉମା ପ୍ରାୟ ସୁନ୍ଦର ଦିଶେ । ନିସର୍ଗ-କୁତ୍ରିମର ମୋହନ ମିଳନ ଶୋଭାର ଚରମୋତ୍କର୍ଷ । ବନଫୁଲ ସଙ୍ଗେ ଉଦ୍ୟାନ ଫୁଲ ଗୁନ୍ଥିଲେ ସୁଷମାର ସୁବର୍ଣ୍ଣଧାରା ବହିଯାଏ । ଅପରାହ୍ନ ଚାରିଘଣ୍ଟା ସମୟରେ ରାଜାମହୋଦୟଙ୍କ ପର୍ଶନାଲ କ୍ଳର୍କ ଶ୍ରୀଯୁକ୍ତ ଶ୍ରୀବତ୍ସ ଛାମୁପଟ୍ଟନାୟକ ମହାଶୟ ଆସି ମୋର ନାନା ସୁବିଧା କରାଇବାକୁ ଲାଗିଲେ । ପ୍ରକୃତରେ ମୋର ଏତେ ସୁବିଧାର ଆବଶ୍ୟକତା ନ ଥିଲା । କେବଳ ରାଜସମ୍ମାନ ହେତୁ ଅତିରିକ୍ତ ଗ୍ରହଣ କରିବାକୁ ହେଲା । ଏଥିପରେ ଆଉ କେତେ ଜଣ ପୁରୁଣା ବନ୍ଧୁ ଓ ପରିଚିତ ବ୍ୟକ୍ତି ଆସି ଉପସ୍ଥିତ ହେଲେ । ସେମାନଙ୍କ ସହ ବିବିଧ ବାକ୍ୟାଳାପରେ ବହୁକ୍ଷଣ ଅତିବାହିତ ହେଲା । ରାତ୍ରି ଆଠଘଣ୍ଟା ପରେ ସମସ୍ତେ ବିଦାୟ ହୋଇ ଗଲେ । ଆମ୍ଭେମାନେ ଆହାରାନ୍ତେ ଶ୍ରାନ୍ତିହାରିଣୀ ଶାନ୍ତିଦାୟିନୀ ନିଦ୍ରାଦେବୀଙ୍କ ଶୀତଳ ଚରଣ ତଳେ ଆଶ୍ରୟ ଗ୍ରହଣପୂର୍ବକ ତାଙ୍କରି ଧ୍ୟାନାର୍ଚ୍ଚନାରେ ଐକାନ୍ତିକତା ପ୍ରଦର୍ଶନ କଲୁଁ ।

 

୪।୫।୧୯- ‘ସ୍ଥାନ ଗୁଣେ ମନ ପ୍ରସନ୍ନ’, ଏହା ଅମୂଳକ ନୁହେଁ । ଆଜି ପ୍ରତ୍ୟୁଷରୁ ମନ କି ଏକ ଅଜ୍ଞାନ ଆନନ୍ଦ-ତୀର୍ଥରେ ପରିସ୍ପାତ । ସବୁବେଳେ ସମ୍ମୁଖରେ ମହାପ୍ରକୃତି ମାରୁଆ । ସେ ନୀରବରେ, ଇଙ୍ଗିତରେ କେତେ କଥା କହୁଅଛି- କେତେ ଉପଦେଶ ଦେଉଅଛି, କେତେ ଗୀତ ଗାଉଅଛି, କେତେ ହସୁଅଛି, କେତେ କାନ୍ଦୁଅଛି, ତାହା ମାନବ ମୁଁ କେମନ୍ତେ ବୁଝିବି । କିଛି ବୁଝୁ ନାହିଁ, ବୁଝିବାର ଶକ୍ତି ନାହିଁ- ବୁଝିବାକୁ ବିଫଳ ଚେଷ୍ଟା କରୁ ନାହିଁ । ଖାଲି ଦେଖୁଛି, ଶୁଣୁଛି, ଆଉ ମୁଗ୍‌ଧ ହେଉଛି; କେବେ ବା ଚମତ୍କୃତ ହେଉଛି । ଆନନ୍ଦ ଓ ଆଶ୍ଚର୍ଯ୍ୟ ମୋ ପ୍ରାଣରେ ବିଦ୍ୟୁତ୍‌ସଞ୍ଚାଳନ କରୁଛି । ଚକ୍ରବାକ ଉତ୍ପକ୍ଷ୍ମ ନେତ୍ରରେ ଚନ୍ଦ୍ରର ଶୋଭା ଦେଖେ, ସର୍ପ ଉତ୍କର୍ଣ୍ଣ ହୋଇ ସଙ୍ଗୀତ ଶୁଣେ; ମାତ୍ର କେହି କିଛି ବୁଝେ ନାହିଁ । କେବଳ ଦେଖିବା ଶୁଣିବା ସେମାନଙ୍କର କାର୍ଯ୍ୟ । ଆଉ ବୁଝାଇଦେବ ଅବା କିଏ ? ସଦ୍‌ଗରୁ ଉପଦେଶ ବୋଲି ଉତ୍ତର ହୋଇପାରେ; ମାତ୍ର ତାହା ଠିକ୍‌ନୁହେ । ବୈଦ୍ୟର ଔଷଧଦାନର କ୍ଷମତା ନାହିଁ । ପୁଣି ସଦ୍‌ଗୁରୁ ଅବା କିଏ ? ମନ ? ସେ ଚଞ୍ଚଳପ୍ରକୃତ ବାନର, ତାହାର ବାଞ୍ଛିନ ପ୍ରିୟସ୍ଥାନ ଗିରିକାନନ ପାଇ ସେ ଡିଆଁ ମାରି ଖେଳୁଅଛି । ମୃହୂର୍ତ୍ତେ ଧରାଦେବାକୁ ନାହିଁ । ଏରୁପ ଅବସ୍ଥାରେ କର୍ତ୍ତବ୍ୟ କଅଣ । ମୋ ସ୍ଥୂଳ ବିତେଚନାରେ ଦେଖିବା ଶୁଣିବା ଏବଂ ମୁଗ୍‌ଧ ହେବା ହିଁ ଶ୍ରେୟ ଏବଂ ପ୍ରେୟ କର୍ତ୍ତବ୍ୟ । ସେଥିରୁ ଆଉ କିଛି ନ ମିଳୁ, ଆନନ୍ଦ ମିଳିବ, ସେହି ଆନନ୍ଦରେ ଚିତ୍ତ ପ୍ରସନ୍ନ ହେବ ।

 

ରାତ୍ରିରେ ରାଜାଙ୍କ ସାକ୍ଷାତ୍‌କାର ଲାଭ କରିବାର ସ୍ଥିର ହୋଇଥିଲା । ପ୍ରାୟ ୨ ଘଣ୍ଟା ସମୟରେ ଜୟକୃଷ୍ଣ ବାବୁ ଆସି ମୋତେ ଡାକି ନେଇଗଲେ । ଦ୍ୱିତଳ ଅଫିସ ପ୍ରାସାଦ ଦେଇଯିବାକୁ ହେଲା । ଅଫିସ ଗୃହର ପ୍ରତ୍ୟେକ ପ୍ରକୋଷ୍ଠରେ ବୈତ୍ୟୁତିକ ଆଲୋକ ଓ ପଙ୍ଖାର ବ୍ୟବସ୍ଥା ଅଛି । ମୁଁ ଯାଇ ଶ୍ରୀବତ୍ସ ବାବୁଙ୍କ ଅଫିସ ଗୃହରେ ବସିଲି । ସଙ୍ଗରେ ମୋର ଅନୁଜ ଥିଲା । ଶ୍ରୀବତ୍ସ ବାବୁ ସାଦର ସମ୍ଭାଷଣରେ ଆପ୍ୟାୟିତ କଲେ । ସେ ଜଣେ ବ୍ୟବହାର-ନିପୁଣ ଚତୁର ବ୍ୟକ୍ତି । ଅଧିବନ୍ତୁ ବହୁ ଅତିଧାନୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆମ୍ଭମାନଙ୍କ ସଙ୍ଗରେ କଥାବାର୍ତ୍ତା ଚଳୁଥାଏ; ନିଜର କର୍ତ୍ତବ୍ୟ ସମ୍ପାଦନ ସଙ୍ଗେ ସଙ୍ଗେ ବହୁ ଲୋକଙ୍କୁ ବିଭିନ୍ନ ବିଷୟକ ବହୁ ଉତ୍ତର ଦେବାକୁ ପଡ଼ୁଥାଏ; ମାତ୍ର କାହିଁରେ ବ୍ୟାଘାତ ନାହିଁ; ଉଚ କର୍ମଚାରୀ ବୋଲି ଅଭିମାନ ନାହିଁ । ଆଉ ଗୋଟିଏ ପ୍ରଶଂସନୀୟ ଗୁଣ ଏହି ଯେ, ଯେ ଯେଉଁପରି ବୋଧ ହେବ, ତାହାକୁ ସେହିପରି ବୋଧ ହେବ, ତାହାକୁ ସେହିପରି ବୋଧ କରନ୍ତି । ସ୍ୱୀୟ ପ୍ରଭୁଙ୍କ ଗୌରବକୁ ଚାହିଁ ବିଶ୍ୱସ୍ତ ଭାବରେ କାର୍ଯ୍ୟ କରିବାକୁ ସେ ଚିର ଅଭ୍ୟସ୍ତ ।

 

କିଛିକ୍ଷଣ ପରେ ମାନନୀୟ ରାଜା ମହୋଦୟଙ୍କ ସ୍ୱତନ୍ତ୍ର ଅଫିସ ଗୃହରେ ତାହାଙ୍କର ସାକ୍ଷାତ୍‌କଲି । ସେ ଗତବର୍ଷ ଏଫ୍‌. ଏ. ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଅଛନ୍ତି । ଗ୍ରୀଷ୍ମାବକାଣ ପରେ ବି.ଏ. ଅଧ୍ୟୟନ ସକାଶେ ମାନ୍ଦ୍ରାଜ ଯାତ୍ରା କରିବେ । ଆଡ଼ମ୍ବର ବା ରାଜ-ଅଭିମାନ ଦେଖିଲି ନାହିଁ । ଏକଘଣ୍ଟା ପର୍ଯ୍ୟନ୍ତ ଶିକ୍ଷା, ସାହିତ୍ୟ ଓ ପାର୍ହସ୍ଥ୍ୟ-ବିଷୟକ କଥାବାର୍ତ୍ତାରୁ ବୁଝିଲି, ମାତୁଳ ସଦ୍‌ଗୁଣାବଳୀ ବିଧାତା ବାଳକ ରାଜାଙ୍କ ହୃଦୟମୁକୁରରେ ପ୍ରତିବିମ୍ବିତ କରିଅଛନ୍ତି । ତାଙ୍କର ବିନୟ ସୌଜନ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟାନ୍ୱିତ ହୋଇଅଛି । ‘‘ଯଥା କୁଳେ ଜନ୍ମ, ତଥା ଗରିଷ୍ଠ’’ ଏବଂ ‘‘ନମ୍ରନ୍ତି ଫଳିନୋ ବୃକ୍ଷଃ’’ ଏ ଉଭୟ ନୀତିଶ୍ଳୋକ ତାହାଙ୍କ ନିକଟରେ ସତ୍ୟ ଓ ସାର୍ଥକ ହୋଇଅଛି । ତାଙ୍କର ବେଶ ଯେଉଁ ପରି ସରଳ, ବ୍ୟବହାର ମଧ୍ୟ ସେହିପରି ସରଳ । ବହୁତ କାଳରୁ ଏରୁପ ଉଦାର ମଧୁରଭାବ ରାଜପୁରୁଷମାନଙ୍କ ପ୍ରାଣରେ ବିରଳ ପରିଲକ୍ଷିତ ହୁଏ । ରାଜାମହୋଦୟଙ୍କ ଭାବୀ ପ୍ରଜା-ପାଳନର ମଙ୍ଗଳମୟ ଅମୃତ ଆଭସ ତାଙ୍କ ପ୍ରତିଷ୍ଠିତ ଅନ୍ନଚ୍ଛତ୍ରରୁ ଅନୁମେୟ । ବାଳକ ରାଜାଙ୍କ କୋମଳ ହୃଦୟରେ ଏ ବିଶ୍ୱପ୍ରଶଂସ୍ୟ ନିଷ୍କାମ-ବ୍ରତ ବୀଜ କିଲ ରୋପଣ କଲା ? ଏ ପ୍ରଶ୍ନର ସ୍ୱତଃ ଉତ୍ତର- ତାଙ୍କରି ବହୁମଖୀ ପ୍ରଜ୍ଞା ଓ ଓଜସ୍ୱିନୀ ପ୍ରତିଭା । ସାର୍ଦ୍ଦ ଆଠଘଟିକା ସମୟରେ ରାଜାମହୋଦୟଙ୍କ ନିକଟରୁ ବିଦାୟ ଘେନି ଆମ୍ଭେମାନେ ବସାକୁ ଆସିଲୁଁ । ଆଜି ରାତି ତିନିଟା ସମୟରେ କାଳୀଜୟୀ ଯିବାକୁ ହେବ । ସୁତରାଂ ଯଥାଶୀଘ୍ର ଆହାର କରି ଶୟନ କରିବାକୁ ହେଲା; କିନ୍ତୁ ସହଜରେ ନିଦ୍ରା ହେଲା ନାହିଁ । ମନ ମନ କଲେ କଅଣ କରି ନ ପାରେ ? ସେ କଳ୍ପନାରେ ତାର ମନୋମତ କାଳୀଜୟୀ ପର୍ବତଟିଏ ଗଢିନେଇ ସେଥିରେ ଖେଳି ବୁଲି କେତେ କଅଣ କରିବାକୁ ଲାଗିଲା । ଦୁଷ୍ଟା ଉତ୍କଣ୍ଠା ତାକୁ ମୁହୁର୍ମୁହୁ ଉତ୍ତେଜିତ କଲା । ଏହିରୂପେ କେତେ କ୍ଷଣ ଅତୀତ ହେଲା । ମନକୁ ସେ ଚିନ୍ତାରୁ ଯେତେ ଛଡ଼ାଇବାକୁ ଚେଷ୍ଟା କଲେହେଁ ସେ ଛାଡିଲା ନାହିଁ । ସ୍ୱଭାବତଃ ସେ ଜୋକ ପରି ଦ୍ୱିମୂହାଁ । ଗୋଟାଏ ମୁହଁ ଛଡ଼ାଇଦେଲେ ଆର ମୁହଁରେ ଲାଗିଯାଉଥାଏ-। ପରିଶେଷରେ ମୋର ବ୍ୟସ୍ତତା ଦେଖି ଦୟାମୟୀ ନିଦ୍ରାଦେବୀ ଦୟା ବହି ଉପସ୍ଥିତ ହୋଇ ତାଙ୍କର ସମ୍ମୋହନ ସୁବର୍ଣ୍ଣ ଶଳାକା ଛୁଆଇଁଦେଲେ । ତହିଁପରେ ଆଉ କଅଣ ହେଲା, ତାହା ମୋର ଅଜ୍ଞାତ । ମନ, କଳ୍ପନା ଓ ଉତ୍କଣ୍ଠ ଏହି ତିନିଙ୍କ ଭାଗ୍ୟରେ ନିଦ୍ରାଦେବୀଙ୍କ ହସ୍ତରେ କି ଦଶା ଘଟିଲା, ନିଦ୍ରା ଭଙ୍ଗ ପରେ ତାହା ମୁଁ ଆଉ ଭାବି ନାହିଁ ।

 

ରାତ୍ରି ଦୁଇଟା ସମୟରେ ଉଠି ସମସ୍ତଙ୍କୁ ଉଠାଇଲି । ଜୟକୃଷ୍ଣ ବାବୁ ଆଦୌ ଶୋଇ ନାହାନ୍ତି । ସେ ଯାତ୍ରା ଆୟୋଜନରେ ବ୍ୟସ୍ତ । ରନ୍ଧନସାମଗ୍ରୀ, ଜଳଖିଆ, ବଡ ବଡ଼ ପିତ୍ତଳ ହାଣ୍ତିରେ ପାଣି, ହାଣ୍ତି, କାଠ ପ୍ରଭୃତି ତାବତୀୟ ପଦାର୍ଥ ପଠାଇ ନୌକାରେ ଗୋଟିଏ କ୍ଷୁଦ୍ର ଦୋକାନ ସଜାଇବାର ବ୍ୟବସ୍ଥା କରାଗଲା । ମୂର୍ତ୍ତିମାନ ବିଘ୍ନସ୍ୱରୂପ ଅଧିକ ପଦାର୍ଥ ସଙ୍ଗରେ ନେଇ ନିଜକୁ ନିଜେ ବିପନ୍ନ କରିବାକୁ ମୁଁ ଏକାନ୍ତ ବୀତସ୍ପୃହ । ସୃତରାଂ ଖୁବ୍‌ସଂକ୍ଷେପରେ ଯାଏ । ଉପସ୍ଥିତ କ୍ଷେତ୍ରରେ ତାହାହିଁ କଲି । ସମସ୍ତେ ଶଗଡ଼ରେ ବସି ଏକ କ୍ରୋଶ ଦୂରବର୍ତ୍ତୀ ତେନ୍ତୁଳିଆପଡ଼ା ଅଭିମୁଖରେ ଯାତ୍ରା କଲୁଁ । ଗ୍ରାମଟି ଚିଲିକା କୂଳରେ ଅବସ୍ଥିତ । ସେହିଠାରୁ ନୌକାରେ କାଳୀଜୟୀ ଯିବାକୁ ହେବ । ଅନ୍ଧକାର ରାତ୍ରି, କେଉଁଆଡ଼େ କିଛି ଦିଶିବାକୁ ନାହିଁ । ଆକାଶ ପୃଥିବୀ ମଧ୍ୟରୁ ସୃଷ୍ଟି ବିଲୋପ ଭଜିଅଛି । ଚୌଦିଗ ନୀରବ, ନିସ୍ତବ୍‌ଧ । କେବଳ ଥରେ ଥରେ କି ଏକ ଅଜ୍ଞାତନାମା ଦୂରଗଗନବିହାରୀ ପକ୍ଷୀଙ୍କର କଠୋର ସ୍ୱର ସେହି ନିସ୍ତବ୍‌ଧତାକୁ କମ୍ପିତ କରୁଅଛି । ପର୍ବତ ପାଖେ ପାଖେ ଶଗଡ଼ ଚାଲିଲା । ହିଂସ୍ରଜନ୍ତୁଙ୍କ ସ୍ୱାଧୀନ କ୍ରୀଡ଼ା ଦେଖିବାକୁ ବଡ଼ ଇଚ୍ଛା ଥିଲା; ମାତ୍ର ପାର୍ବତୀ ପ୍ରକୃତି ମୋର ସେ ଆଶା ଶୂନ୍ୟ ରଖିଲେ । ଗୋଟାଏ ବିରାଟ ଭୀଷଣ ଦୃଶ୍ୟ ନ ହେଲେ ବୈଚିତ୍ୟ କାହୁଁ ମିଳିବ ? ସେଭଳି ଦୃଶ୍ୟର ସ୍ମୃତି ସିନା ବହୁଦିନ ସ୍ଥାୟିତ୍ୱ ଲାଭକରେ ! ତିନିଟା ପୂର୍ବରୁ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ହେଲୁ । ନାବ ସହ ନାବିକମାନେ ଆମ୍ଭମାନଙ୍କ ପ୍ରତୀକ୍ଷାରେ ଥିଲେ । ମୁଁ ଗାଡିରୁ ଓହ୍ଲାଇ ନିତ୍ୟକର୍ମରେ ପ୍ରବୃତ୍ତ ହେଲି । ପ୍ରତ୍ୟହ ତିନିଟା ବେଳୁ ଉଠି ନିତ୍ୟକର୍ମ ଶେଷ କରିବା ମୋର ଚିରଦିନର ଅଭ୍ୟାସ । ସେଥିର ବ୍ୟତିକ୍ରମ ଘଟିଲେ ଶରୀର ଅସୃସ୍ଥ ହୁଏ ।

 

ଠିକ୍‌ତିନିଟା ସମୟରେ ଆମ୍ଭେମାନେ ନୌକାରୋହଣ କଲୁଁ । ନାବିକମାନଙ୍କୁ ମିଶାଇ ଆମ୍ଭମାନଙ୍କ ଦଳର ସମଷ୍ଟି ଦଶଜଣମାତ୍ର । ନାବିକମାନେ କାଳୀଜୟୀ ଦେବୀଙ୍କୁ ଗଙ୍ଗାଙ୍କ ପ୍ରତିମୂର୍ତ୍ତି ଜ୍ଞାନ କରନ୍ତି ଓ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ହେତୁ ତାହାଙ୍କୁ ପୂଜା କରନ୍ତି । ନାବିକମାନେ ‘‘ଜୟ ମା ଗଙ୍ଗା ’’ ଉଚ୍ଚାରଣପୂର୍ବକ କାଳୀଜୟୀଙ୍କ ଉଦ୍ଦେଶ୍ୟରେ ମିଷ୍ଟାନ୍ନ ଭୋଗ ଦେଇ ନୌକା ଛାଡିଦେଲେ । ଆମ୍ଭେମାନେ ମଧ୍ୟ ଗଙ୍ଗା ନାମ ଉଚ୍ଚାରଣ କରି ଯୋଡ଼ ହସ୍ତରେ ନମସ୍କାର କଲୁଁ । ନୌକା ଛାଡିବାର ଅବ୍ୟବହିତ ପରେ ନାବିକମାନେ ସମସ୍ୱରରେ ଗଙ୍ଗାଦେବୀଙ୍କର ଗୋଟିଏ ଜଣାଣ ସଙ୍ଗୀତ ଗାନ କଲେ । ସଙ୍ଗୀତଟି ସଂଶୋଧନ ନ କରି ସେମାନେ ଯେଉଁ ପରି ଗାଇଥିଲେ, ଅବିକଳ ସେହିପରି ଲେଖିଲି ।

 

‘‘ମାତ ଲୋ ଭାଗ୍ୟରଥୀ ଗଙ୍ଗା,

ଭାସୁଛି ଅକାତ କଳେ କୂଳେ ନେଇ ଲଗା ।ପଦ।

ସିନ୍ଧୁ ମଧ୍ୟେ ମାତ ତୁହି ବାସ କଲୁ ଆସି,

ଦୁର୍ଘଟ ପଡ଼ଇ ଯାକୁ ତା ଭରା ଉଶ୍ୱାସି ।

 

ମାତା ଗର୍ଭେ ପୁତ୍ର ଯେବେ ପାଦ ପ୍ରହରଇ,

ସେ ଦୋଷ କି ମାତା ତାର ତା ପକ୍ଷେ ଘେନଇ ?

ତୁ ଯେବେ ନିରାଷ ମାତ କରିବୁ ଏଠାରେ,

ନିନ୍ଦା ଅପକୀର୍ତ୍ତି ହେବ ଏ ମାୟା ସଂସାର ।

 

ସେହି ଦୟା ମୋହଠାରେ ବାରେମାତ୍ର ହେଉ,

ବିଖ୍ୟାତ ବାନା ତୋହର ଅବିଖ୍ୟାତ ନୋହୁ ।

ଭଣେ ଦୀନକୃଷ୍ଣ ଦାସ ତୋ ପାଦେ ଶରଣ,

ତୁମ୍ଭ ଶ୍ରୀଚରଣ ତଳେ ରହୁ ମୋର ମନ ।’’

 

ଏ ଦୀନକୃଷ୍ଣ ଦାସ କିଏ, ଜଣାଯାଉ ନାହିଁ । ସମ୍ଭବତଃ ରସକଲ୍ଲୋଳ-ପ୍ରଣେତା ନୁହନ୍ତି । ସଙ୍ଗୀତଟି ବଡ଼ ଭାବପ୍ରାଣ । ତାଳ ଲୟ ଧରି ଗାଉଥିବା ବେଳେ ବଡ ମଧୁର ବୋଧହେଲା । ତାହା ଅଶିକ୍ଷିତର ମୁଖବାଣୀ ହେଉ ପଛେ; ମାତ୍ର ତହିଁରେ ବିଶେଷତ୍ୱ ଅଛି । ସେଥିରେ ପ୍ରାଣର ପ୍ରାର୍ଥନା, ମାତୃତ୍ୱର ଦାବୀ, ଭକ୍ତର ଅଭିମାନ ଓ ଆତ୍ମସମର୍ପଣ ପୂର୍ଣ୍ଣମାତ୍ରାରେ ବିଦ୍ୟମାନ । ମୁକ୍ତପ୍ରାଣରେ ଏଭଳି ହୃଦୟର ଭାବ ବ୍ୟକ୍ତ କରିବା କେବଳ ସରଳବିଶ୍ୱାସୀ ଭକ୍ତ ପକ୍ଷରେ ସମ୍ଭବ । ନୌକା ଖଣ୍ତେଦୂର ଗଲାପରେ ନାବିକମାନେ ପାଇ ଟାଣିଦେଲେ । ଅନୁକୂଳ ପବନ ପାଇ ନୌକା ତୀଲଗତିରେ ଅଗ୍ରସର ହେଲା । ତରଙ୍ଗରେ ନୌକା ଦୋଦୁଲ୍ୟମାନ ହେଲାବେଳେ ମାତୃକୋଳରେ ବସି ଝୁଲିଲା ପ୍ରାୟ ସୁଖକର ବୋଧ ହେଲା । ଲହରୀଗୁଡ଼ିକ ନୌକାରେ ପ୍ରତିହତ ହୋଇ ନୌକା ଦେହରେ ଘଷିହୋଇ କୁଳୁ କୁଳୁ ଶବ୍ଦ କରି ଚାଲିଯାଉଥାଏ । ଆହା, ସେହି କୋମଳ କୁଳୁ କୁଳୁ ଧ୍ୱନି ମାତୃକଳ୍ପା ଚିଲିକାଦେବୀଙ୍କ ମଧୁର ମଙ୍ଗଳ ପୃଣ୍ୟାଶୀର୍ବାଣୀ ପ୍ରାଣରେ ଅପୂର୍ବ ଆନନ୍ଦଧାରା ଢାଳି ଦେଉଥାଏ । ସଙ୍ଗୀମାନେ ସମସ୍ତେ ଦେବୀଙ୍କ ଅଙ୍କରେ ସନ୍ତାନର ପ୍ରାପ୍ୟ ଲାଭକଲେ । ମାତୃଯତ୍ନ, ମାତୃସ୍ନେହ ପାଇ ସେମାନେ ଚିଲିକାମାତାଙ୍କୁ ଭୁଲିଗଲେ । ମୁଁ ଏକା ଉଜାଗର ରହିଲି । ଅନ୍ଧକାରରେ ଚିଲିକା ଆକାଶ ମିଶିଯାଇଅଛି । ଯେମନ୍ତ କି ସେମାନେ ମୁହଁକୁ ମୁହଁ ଲଗାଇ କି ଗୁପ୍ତ ଯନ୍ତ୍ରଣାରେ ନିଯୁକ୍ତ । ସେ ମନ୍ତ୍ରଣା ଜାଣିବାର କୌଣସି ଆବଶ୍ୟକତା ମୋର ନାହିଁ । ତାହା ବଡ଼ଙ୍କର ବଡ଼ କଥା, ମୋ ଭଳି କ୍ଷୁଦ୍ରର ତହିଁରେ କି ଲାଭ ? ମୁଁ ଖାଲି ଅନାଇ ରହିଲି । ଦେଖିଲି, ଚିଲିକାର ବିରାଟ ମହିମା-ମଣ୍ତିତ ବିରାଟ ଶରୀର । ଦେଖିଲି, ମହା ପ୍ରକୃତିର ମହାଶକ୍ତି ମୂର୍ତ୍ତି ଧରି ବିସ୍ତୃତ ଏବଂ ଦେଖିଲି, ତାହାର ରୁଦ୍ର ଫେନ-ହାସ । ଅନ୍ୟଶବ୍ଦ କିଛି ନାହିଁ । କେବଳ ମଧ୍ୟରେ ଝପ୍‌ଝପ୍‌ଶୁଭୁଅଛି । ତାହା ମତ୍ସ୍ୟମୃଗୟୁ ପକ୍ଷୀମାନଙ୍କର ଜଳରେ ବୁଡିବାର ଶବ୍ଦ । ମାଝିମାନେ ସୁଦ୍ଧା ଶୋଇଲେ । ନୌକା ତ ପବନ ବଳରେ ଚାଲିଅଛି; ସୃତରାଂ ତାଙ୍କର ଭାବନା କଅଣ ? ସେମାନେ ନିଶ୍ଚିନ୍ତ ହୋଇ ନାସିକାଶଙ୍ଖଧ୍ୱନି କରିବାକୁ ଲାଗିଲେ । ଡ଼ାକିଲେ ସୁଦ୍ଧା ଶୁଣିଲେ ନାହିଁ । ତହୁଁ ମନରେ ପଡିଗଲା-

 

‘‘ବିଶାରଦ ସେ ସାମନ୍ତ ମତ୍ତରେ ଦାସ ସେବିତ

ଡାକ ନ ଶୁଣନ୍ତେ ରଘୁନାଥ କଥିତ ।

 

 

ବିଷଧର ପ୍ରାୟେ କି ତୁହି,

ବାରେ ନେତ୍ର ଢାଳି ଚାହିଁ । ଉଦାର ନୋହି ।’’

 

ଭଞ୍ଜକବି ଜାଣି ନ ଥିଲେ କଅଣ ? ନାଉରିମାନେ ଯେ ସ୍ୱଭାବତଃ ବଦମଗଜା, ଏହା ସୁଦ୍ଧା ତାଙ୍କର ସୌଭାଗ୍ୟ-ବିଳାସ-ବର୍ଦ୍ଧିତ ରାଜଜୀବନରେ ଅନନୁଭୂତ ନ ଥିଲା । କ୍ରମେ ପ୍ରଭାତ ହୋଇ ଆସିଲା, ସମସ୍ତେ ଉଠିଲେ । ମେଘାବରଣ ହେତୁ ସୂର୍ଯ୍ୟେଦୟ ଦେଖାଗଲା ନାହିଁ । ତରଣୀ କାଳୀଜୟୀ ଗଣ୍ତରେ ପଡିଲା । କାଳୀଜୟୀ ଗିରି ଦେଖାଗଲା । ତାହା ମସ୍ତକରେ ହୀରକମୁକୁଟ ପ୍ରାୟ ଦେବୀଙ୍କ ଦେଉଳ ମଧ୍ୟ ଦେଖାଗଲା । ଆମ୍ଭେମାନେ ଦୂରରୁ ସମସ୍ତେ ନମସ୍କାର କଲୁ । ଆଶା ସାଫଲ୍ୟ ସମୀପବର୍ତ୍ତିନୀ ହେଲା । କେତେ କାଳର ଆକାଙ୍‌କ୍ଷା, କେତେ କାଳର ଅବରୁଦ୍ଧ ଉତ୍କଣ୍ଠା, ଯାହା ଲଗି ମୋ ପ୍ରାଣରେ ଦୌରାସ୍ତ୍ୟ କରୁଥିଲା, ଆଜି ତାହାର ସମୀପବର୍ତ୍ତୀ ହୋଇ ମଙ୍ଗଳମୟଙ୍କ ମଙ୍ଗଳ ଆଶୀର୍ବାଦରୁ ସେହି ଆକାଙ୍‌କ୍ଷା ଉତ୍କଣ୍ଠାର ଗୁଣ ପରିଶୋଧରେ କ୍ଷମ ହେଲି । ବାସନାର ବୋଝ ଲଘୁ ହେଲା । କାଳୀଜୟୀ ଗିରି ଉଚ୍ଚ ପର୍ବତ ନୁହେଁ-ତାହା ଖଣ୍ତିଏ ଦ୍ୱୀପ ପରି । ଜଳର ସମତଳରୁ ପ୍ରାୟ ୫୦ ହାତ ଉଚ୍ଚ । ନୌକା ଯେତେ ନିକଟବର୍ତ୍ତୀ ହେଉଥାଏ, ଦ୍ୱୀପର ଆକର୍ଷଣୀ ଶକ୍ତି ତେତିକି ବୃଦ୍ଧି ଲାଭ କରୁଥାଏ । ପ୍ରାତଃ ଛଅଘଣ୍ଟା ସମୟରେ ନାବ ଦ୍ୱୀପରେ ଲାଗିଲା । ଛାଚ, ମେଷ ଓ କୁକ୍‌କୁଟଯୁଥ ଆମ୍ଭମାନଙ୍କ ଅଭ୍ୟର୍ଥନା ସକାଶେ ଆଗରୁ ନୌକା ଲାଗିବା ସ୍ଥାନରେ ଆସି ଠିଆହୋଇଥିଲେ । ଅବତରଣମାତ୍ରେ ଆନନ୍ଦ କୋଳାହଳ ସହ ଆମ୍ଭମାନଙ୍କୁ ଘେନିଗଲେ । କେହି ବା ଆନନ୍ଦମିଶ୍ରିତ କାତର ଦୃଷ୍ଟିରେ ଚାହିଁରହିଲା । ଦ୍ୱୀପଖଣ୍ତିକ ସେମାନଙ୍କ ପକ୍ଷରେ ଆନ୍ଦାମାନ । ବିନା ଅପରାଧରେ ସେମାନେ ଏହି ନିର୍ଜନ ଦ୍ୱୀପରେ ନିର୍ବାସନ ଶାସ୍ତି ଭୋଗ କରୁଅଛନ୍ତି । ଆମ୍ଭେମାନେ ପୂର୍ବରୁ ସେମାନଙ୍କ କଥା ଶୁଣି ସେମାନଙ୍କ ପାଇଁ ଖଇ, ଉଖୁଡା ପ୍ରଭୃତି ନେଇ ଯାଇଥିଲୁଁ । ତାହା ସେମାନଙ୍କୁ ଖାଇବାକୁ ଦିଆଗଲା । ଆମ୍ଭେମାନେ ଦେଉଳ ଆଡ଼କୁ ଅଗ୍ରସର ହେଲୁଁ । ସେମାନେ ଆମ୍ଭମାନଙ୍କୁ ଘେରି ଚାଲିଲେ ।

 

ମନ୍ଦିର ପାଖରେ ପହଞ୍ଚିଲାକ୍ଷଣି ହଠାତ୍‌ବୃଷ୍ଟି ଢାଳି ପକାଇଲା । ତହିଁ ସଙ୍ଗେ ସଙ୍ଗେ ପ୍ରବଳ ପବନ ବହିଲା । ମୁହୂର୍ତ୍ତକ ମଧ୍ୟରେ ବୈଶାଖ ବାତ୍ୟାଗର୍ଭଧାରା-ଶ୍ରାବଣରେ ପରିଣତ ହେଲା-। କାହାର ଏ ପୁପ୍ତ ଶକ୍ତି ହଠାତ୍‌ଜାଗ୍ରତ ହୋଇ ଭୀଷଣ ଉତ୍ପାତ ଆରମ୍ଭ କଲା । ଚିଲିକା ନିବିଡ଼ ତରଙ୍ଗମୟ ହୋଇ ଉଠିଲା । ଚାରି ପାଖରୁ ଉତ୍ତୁଙ୍ଗ ତରଙ୍ଗମାଳା ଦ୍ୱୀପକୁ ଆକ୍ରମଣ କଲେ । ଯେମନ୍ତ କି ସେମାନେ ଦ୍ୱୀପଖଣ୍ତ ଲେଉଟାଇଦେବେ । ଚିଲିକାର ଗଭୀର ବିକଟ ହୁଙ୍କାର ପ୍ରଭଞ୍ଜନର ରୁଦ୍ର ଝଙ୍କାର ଏବଂ ଛାଗ କୁକ୍‌କୁଟକୁଲର ଆର୍ତ୍ତ ଚିତ୍କାରରେ କର୍ଣ୍ଣ ବିଦୀର୍ଣ୍ଣ ହେଲା ପ୍ରାୟ ବୋଧ ହେଲା । ହଠାତ୍‌ଏ ବିପଦର ଅଗ୍ନି ଭୁଣ୍ତ ସୃଷ୍ଟି ଦେଖି ଆମ୍ଭେମାନେ ଅସ୍ଥିର ହୋଇପଡିଲୁଁ । ଭୀଷଣ ଶୀତରେ ହାତ ଗୋଡ଼ ଖିଲି ମାରିଗଲା । ମୁଁ ବଡ଼ ଅବସନ୍ନ ହୋଇ ପଡିଲି । ଆଶ୍ରୟ ନେବାକୁ ସ୍ଥାନ ନାହିଁ । ଦ୍ୱୀପରେ ବଡ଼ ଗଛ ସୃଦ୍ଧା ନାହିଁ । ଭୋଗ ମନ୍ଦିରରେ ପ୍ରସ୍ତୁତ ହେଉଅଛି । ତାହା ଏତେ ଅସମ୍ପୂର୍ଣ୍ଣ ଯେ ମଧ୍ୟରେ ଆଶ୍ରୟ ନେବାର ଉପାୟ ନାହିଁ । ନିକଟରେ ଖଣ୍ତିଏ ତାଳବରଡ଼ା ନିର୍ମିତ ପଲା ଦେଖିଲୁଁ । ତାହା ମାନଧାତାଙ୍କ ଅମଳର । ବୋଧହୁଏ ରୋଷଘରର ଭିତ୍ତପାତ ସମୟରେ କୁଲିମାନେ ରହିବା ସକାଶେ ତାହା ପ୍ରସ୍ତୁତ କରିଥିଲେ । ପବନ ଦେବଙ୍କ ପ୍ରସାଦରୁ ପଲାଖଣ୍ତିକ ତିନିପାଖ ମୁକୁଳା । ସଙ୍ଗୀମାନେ ମୋତେ ସେହି ପଲାରେ ରଖି ଉଡିଯାଇଥିବା ଅଂଶ ଡାଳପତ୍ର ଭାଙ୍ଗିଆଣି ଆଚ୍ଛାଦନ କରିଦେଲେ । ମୁଁ ସମସ୍ତଙ୍କ ଲୁଗା ଘୋଡା ହୋଇ ପଲା ଭିତରେ ବସିଲି । ପବନଦେବ ଅନୁଗ୍ରହପୂର୍ବକ ମହୁର୍ମୁହୁ ମୋର ଉଟଜଖଣ୍ତି ସ୍ଥାନାନ୍ତର କରିବାକୁ ଯତ୍ନ କଲେ; ମାତ୍ର ମୁଁ ମଥାନରେ ଓହଳି ପ୍ରାଣପଣରେ ସେ ଦାଉ ସମ୍ଭାଳିନେଲି । ଦୁର୍ବଳ ହେଲେ କଅଣ ହେବ, ପ୍ରବଳ ପବନକୁ ଜୟ କରିବାକୁ ସମର୍ଥ ହେଲି । ଯଥେଷ୍ଟ ଆତ୍ମପ୍ରସାଦ ମଧ୍ୟ ଉପଭୋଗ କଲି । ଭାବିଲି ଏ ଆକାଳ ବୃଷ୍ଟିର କାରଣ ଅନ୍ୟ କିଛି ନୁହେଁ, ବୋଧହୁଏ ଇନ୍ଦ୍ରଦେବ ଏହି ନିର୍ବାସିତ ପଶୁପକ୍ଷୀଙ୍କ ପ୍ରତି କୃପାପରବଶ ହୋଇ ଲବଣ ଜଳପାତର ଅରୁଚି ଛଡ଼ାଇବା ପାଇଁ ଆକାଶରୁ ଅମୃତ-ଧାରା ଢାଳି ଦେଉଅଛନ୍ତି । ଅନର୍ଗଳ ବୃଷ୍ଟି ଓ ତୋଫାନ ! ଏକୁଟିଆ ନିଷ୍କର୍ମ ହୋଇ ବସିବାକୁ ମନ ବଜିଲା ନାହିଁ । ତହୁଁ ବୈଦେହାଶ ବିଳାସ ଆରମ୍ଭ କଲି; ମାତ୍ର ଏ ନିର୍ଜନ ସ୍ଥାନରେ, ପ୍ରକୃତିର ଏ ଭୀଷଣତା ମଧ୍ୟରେ ମୋର ଏ ଗୀତ କିଏ ଶୁଣିବ ? କେତେଗୋଟି ଛାରା କୁକ୍‌କୁଟ ମୋ ପାଖରେ ଆଶ୍ରୟ ନେଇଥିଲେ, ସେହିମାନେ ଶୁଣିଲେ । ସମସ୍ତେ ଯେ ଶୁଣିଲେ ତାହା ନୁହେ, କେହି କେହି ଶାନ୍ତି-ପ୍ରୟାସୀ କୋଳାହଳଦ୍ୱେଷୀ କବି ପ୍ରାୟ ଗୋଳମାଳ ଶୁଣି ତୀବ୍ର ପ୍ରତିବାଦ କରି ଉଠୁଥାନ୍ତି । ମୁଁ ସୁଖରେ ବସି ମନଫୁଇଣା ଗୀବ ଗାଇଲି; ମାତ୍ର ଯେଉଁମାନେ ମୋର ସୁବିଧା କରାଇଦେଲେ ସେମାନେ କେଉ ଆଡ଼େ ଗଲେ ବା କଅଣ ହେଲେ ସେ ଆଡ଼କୁ ମୋର ଦୃଷ୍ଟୀ ଦେବାର ଅବସର ମୁଁ ପାଇଲି ନାହିଁ । ଏହାହିତ ଯୁଗୋଚିତ କୃତଜ୍ଞତା । ସମସ୍ତେ ତିନ୍ତି ଶୀତରେ ଥରିଲେ । ମନ୍ଦିର ଭିତରକୁ ଯାଇଥିଲେ ନିରାପଦ ହୋଇପାରିଥାଆନ୍ତେ; ମାତ୍ର ସ୍ନାନ କରି ନ ଥିବା ହେତୁ ନିଜକୁ ଅପବିତ୍ର ମଣି କେହି ଗଲେ ନାହିଁ । ଭାବିଲି ଏମାନେ କି ଭ୍ରାନ୍ତା ! ମନ୍ଦିରରେ ଯଦି ଦେବତା ଥାଆନ୍ତେ, ତେବେ ସେଠାକୁ ଅପବିତ୍ର ହୋଇ ଗଲେ ପବିତ୍ର ହୋଇ ଆସିବାକୁ ହେବ । ପବିତ୍ର ସ୍ପର୍ଶରେ ଅପବିତ୍ର ସୁଦ୍ଧା ଯେ ପବିତ୍ର ହୋଇଯାଏ, ଏହା ଏମାନେ ଜାଣନ୍ତି ନାହିଁ ।

 

ଆଉ ଏକ ବିପଦ । ପବନ ଓ ତରଙ୍ଗ ଆଘାତରେ ନୌକାଖର୍ତି ପ୍ରବଳ ଭାବରେ ଉତ୍‌କ୍ଷିପ୍ତ ଏବଂ ନିକ୍ଷିପ୍ତ ହୋଇ ପଥର ବାଜି ଫାଟିଯିବାର ଆଶଙ୍କା ଜାତ କଲା । ତାହାହେଲେ ଏହି ନିରୀହ ପଶୁପକ୍ଷୀ ତୁଲ୍ୟ ଆମ୍ଭମାନଙ୍କୁ ସୃଦ୍ଧ କିଛିକାଳ ଏହି ଦ୍ୱୀପରେ ନିର୍ବାସିତ ହୋଇ ରହିବାକୁ ପଡିବ । ନାବିକମାନେ ନାନାବିଧ ଚେଷ୍ଟା କରି ସୁଦ୍ଧା ନୌକାକୁ ସ୍ଥିର କରି ରଖିପାରିଲେ ନାହିଁ । ତହୁଁ ଜୟକୃଷ୍ଣ ବାବୁ ଏକ କୌଶଳ ଉଭାବନ କଲେ । ଦୁଇଟା ବଡ଼ ପଥରକୁ ଦଉଡ଼ାରେ ବାନ୍ଧି ନୌକାରେ ରଖିବାକୁ ହେଲା । ପରେ ନୌକାକୁ ଗଭୀର ଜଳକୁ ଘେନିଯାଇ ସେହି ପ୍ରସ୍ତରଦ୍ୱାରା ନଙ୍ଗର କରି ରଖାଗଲା । ସେଥିରେ ନୌକା ଉତ୍‌କ୍ଷିପ୍ତ ନିକ୍ଷିପ୍ତ ହେଲା; ମାତ୍ର ଫାଟିଯିବାର ଆଶଙ୍କା ରହିଲା ନାହିଁ । ଆଠଘଣ୍ଟା ସମୟରେ ବୃଷ୍ଟି ତୋଫାନ ଛାଡିଗଲା, ଆକାଶ ନିର୍ମଳ ଦିଶିଲା, ଚିଲିକା ମଧ୍ୟ ଶାନ୍ତଭାବ ଧାରଣ କଲା । ସୂର୍ଯ୍ୟକିରଣରେ ବିଷର୍ଣ୍ଣ ଦ୍ୱୀପଟି ହସିଉଠିଲା । ସମସ୍ତେ ଚିଲିକାରେ ସ୍ନାନ କରି ମନ୍ଦିର ଭିତରକୁ ଗଲୁଁ । ଦେବୀଙ୍କ ଦର୍ଶନ ପରେ ରନ୍ଧନର ବ୍ୟବସ୍ଥା କରିବା ସକାଶେ ସମସ୍ତେ ବାହାରି ଆସିଲେ । ମୁଁ କେବଳ ମନ୍ଦିର ଭିତରେ ରହିଲି ।

 

ମନ୍ଦିରଟି ଉଚ୍ଚ ନୁହେଁ କି ଖର୍ବକାୟ ନୁହେଁ । ପୂର୍ବଦିଗକୁ ଦ୍ୱାରା, ନିତାନ୍ତ ଆଧୂନିକ ହେତୁ ଶିଳ୍ପକଳା ବର୍ଜିତ । କେବଳ ଦେହଳୀ ଊର୍ଦ୍ଧ୍ୱରେ ବିଷ୍ଣୁଙ୍କର ଚତୁର୍ଭୁତ ମୂର୍ତ୍ତି ସନ୍ନିବିଷ୍ଟ ହୋଇଅଛି । ମନ୍ଦିର ଭିତର ପରିଷ୍ଟୃତ ନୁହେଁ, କଷ୍ଟରେ ୫।୬ ଜଣ ବସିପାରିବେ । ପଶ୍ଚିମ ପାର୍ଶ୍ୱର ଭିତ୍ତସଂଯୁକ୍ତ ମଣ୍ତପ ଉପରେ କାଳୀଜୟୀ ଦେବୀଙ୍କର ପ୍ରସ୍ତରମୂର୍ତ୍ତି ବିଦ୍ୟମାନ । ଳାଙ୍କର ଦକ୍ଷିଣ ଭାଗରେ ଗୋଟିଏ ସିଂହର ମୂର୍ତ୍ତି । ସିନ୍ଦୁରରେ ପ୍ଳାବିତ ହୋଇ ମୂର୍ତ୍ତିଦ୍ୱୟ ଏରୂପ ଅସ୍ପଷ୍ଟ ହୋଇଅଛି ଯେ, ଚିହ୍ନିବାର ଉପାୟ ନାହିଁ । ସିନ୍ଦୁର ସ୍ତର ଉପରେ ରୂପାର ଆଖି ବସାଇ ଦିଆଯାଇଅଛି । ସିଂହାସନ ଭିତ୍ତିରେ ସ୍ତ୍ରୀମାନଙ୍କ ହାତରେ ପିନ୍ଧିବାର କାଚ, କଉଡି ଲଗାଯାଇଅଛି । ଦେବୀଙ୍କ ଶରୀରରେ ସୁଦ୍ଧା ପଇସା ଲଗାଯାଇଅଛି । ମସ୍ତକ ଉପରେ ଦୁଇଖଣ୍ତ ଜୀର୍ଣ୍ଣ ଚନ୍ଦ୍ରାତପ ଏବଂ ଗୋଟିଏ କ୍ଷୁଦ୍ର କଉଡିର ଝାମ୍ପ ଟଙ୍ଗା ହୋଇଅଛି । ତାହା ତଳେ ଖଣ୍ତେ ଜୀର୍ଣ୍ଣ କାଇଁଚ ପଙ୍ଖା ଓ ଗୋଟାଏ ଜୀର୍ଣ୍ଣ ବଟୁଆ ଓହଳିଅଛି । ବଟୁଆରେ କେତେ କଡ଼ା କଉଡି ବ୍ୟତୀତ ଅନ୍ୟ କିଛି ନାହିଁ । ଅଲଗୃଣିରେ କେତେ ଖଣ୍ତ ଜୀର୍ଣ୍ଣ କଳା ଶାଢୀ ଅଛି । ପ୍ରତ୍ୟେକର ଲମ୍ବ ଏକ ହାତ ଏବଂ ଓସାର ଚାଖଣ୍ତେମାତ୍ର । ସେହିପରି ଖଣ୍ତିଏ ଶାଢୀ ଦେବାଙ୍କର ପରିଧେୟ ହୋଇଅଛି । ମନ୍ଦିରର ଏକ କୋଶରେ ଗୋଟିଏ ଧାନପେଣ୍ତା ଏବଂ ତାହା ସଙ୍ଗରେ ବଙ୍ଗବାସୀ ପ୍ରେସର ଛିନ୍ନ ଗଦ୍ୟ ଅଯୋଧ୍ୟାକାଣ୍ତ ରାମାୟଣ ଖଣ୍ତେ ଟଙ୍ଗା ହୋଇଅଛି । ସିଂହାସନ୍ନ ତଳେ ଚନ୍ଦନକାଠ, ଚନ୍ଦନପେଡି, ଦୀପ, ଧୂପଦାନୀ, ହାତଘଣ୍ଟା ପ୍ରଭୃତି ପୂଜାର ଉପକରଣ ଥୁଆ ହୋଇଅଛି । ଅନ୍ୟ ଏକ କୋଣରେ ହନୁମାନ ମୂର୍ତ୍ତି । ତାହା ସୁଦ୍ଧା ସିନ୍ଦୁରରେ ଅସ୍ପଷ୍ଟ । ହନୁମାନ ଗୋଟାଏ ସ୍ତ୍ରୀମୂର୍ତ୍ତିର ମୁଖରେ ଗୋଟାଏ ଶାବଳ ପ୍ରବେଶ କରାଉଅଛି- ହନୁମାନ ପାଖରେ କେତେ ଖଣ୍ତ ସରୁ ବେତ ରକ୍ଷିତ ହୋଇଅଛି । ମନ୍ଦିରର ଭିତ୍ତି ଖଣ୍ତିଏ ଖଣ୍ତିଏ ନାମାବଳି । ଦର୍ଶକର ଅଙ୍ଗାରଅଙ୍କିତ ନାମରେ ତାହା ପୂର୍ଣ୍ଣ । ଦେବୀଙ୍କ ପ୍ରତି ନାବିକମାନଙ୍କର ଅଟଳ ଭକ୍ତି ଓ ବିଶ୍ୱାସ । ପ୍ରତ୍ୟେକ ଚିଲିକାବାହୀ ନାବିକ ଦେବୀଙ୍କୁ ପୂଜା କରି ସୁଉଜି, ଦୋଅଣୀ, ପଇସା ପ୍ରଭୃତି ତାଙ୍କ ଦେହରେ ଲଗାଇଦେଇ ଯାଆନତି । ଆମ୍ଭେମାନେ ମଧ୍ୟ ପଇସା ଲଗାଇଲୁ । ଏହି ସୁତ୍ରରେ ମନ୍ଦିରରେ ଯେଉଁ ଅର୍ଥ ସଞ୍ଚିତ ହୁଏ, ତାହା କିଏ ନେଇ କିପରି ବ୍ୟୟ କରେ କିଛି ବୁଝାଗଲା ନାହିଁ । ମୋ ବିବେଚନାରେ ଏହି ଅର୍ଥରାଶି ଦେବୀଙ୍କ ଆଶ୍ରିତ ହତଭାଗ୍ୟ ନିର୍ବାସିତ ପଶୁପକ୍ଷୀଙ୍କ ପାଳନରେ ବ୍ୟୟିତ ହେଲେ ତାହାର ପ୍ରକୃତ ସଦ୍‌ବ୍ୟବହାର ହୁଅନ୍ତା । ସେଗୁଡିକ ସୁଦ୍ଧା ଅକାଳ ମୃତ୍ୟୁମୁଖରୁ ଉଦ୍ଧାର ଲାଭ କରନ୍ତେ ।

 

ମୁଁ ମନ୍ଦିର ମଧ୍ୟରେ ବସି ଦେବଦେବୀଙ୍କର କେତେକ ସ୍ତୋତ୍ର ଆବୃତ୍ତ କଲି । ମନ ବଡ଼ ପବିତ୍ର, ପ୍ରସନ୍ନ ବୋଧହେଲା । ବାସ୍ତବରେ ଏହା ଦେବଯୋଗ୍ୟ ସ୍ଥଳ ଏବଂ ସାଧନାର ଉପଯୁକ୍ତ ସ୍ୱର୍ଗ । କେବଳ ପାନୀୟ ଜଳ ଅଭାବରୁ ଏ ପାବନତୀର୍ଥ ନିର୍ଜନ ବନରେ ପରିଣତ ହୋଇଅଛି । ଏ ସ୍ଥାନ ଛୁଇଁଲେ ମନରେ ଏକ ଅପୂର୍ବ ଆନନ୍ଦ ଏବଂ ତୃପ୍ତି ଅନୁଭୁତ ହୁଏ; ସଂସାରକୁ ଆଉ ଫେରିବାକୁ ଇଚ୍ଛା ହୁଏ ନାହିଁ । ସବୁବେଳେ ଏ ଦ୍ୱୀପରେ ପୃଣ୍ୟର ବିରାଟ ମହିମା ଦେହ ଧରି ଭ୍ରମଣ କରୁଅଛି । ତାହା ନ ହେବ ବା କାହିଁକି ? ଏ ଯେ ବ୍ରହ୍ମଦର୍ଶିନୀ ମହାଯୋଗିନୀ ଚିଲିକାର ପରମ ଯୋଗଦେବୀ । ସ୍ୱୟଂ ଚିଲିକାଦେବୀ କାଳିଜୟୀ ରୂପରେ ଏଠାରେ ମହାଯୋଗରେ ସମାଧିସ୍ଥ । ଦୁଃଖର ବିଷୟ, ଏରୂପ ସ୍ଥାନ ଅତକ ଜଳଧି ଗର୍ଭରେ ରହି ଲୋକର ଅଗମ୍ୟ ହୋଇଅଛି ।

 

ଖଲ୍ଲିକୋଟରୁ ପୂଜାର ଉପକରଣ ସଙ୍ଗରେ ଆଣିଥିଲୁଁ । ଜୟକୃଷ୍ଣ ବାବୁ ସେ ସମସ୍ତ ଘେନି ମନ୍ଦିରରେ ପ୍ରବେଶ କଲେ । ସେ ଦେବୀଙ୍କ ପୂଜାରେ ନିଯୁକ୍ତ ହେଲେ, ମୁଁ ତାଙ୍କର ଉତ୍ତର ସାଧକ ହେଲି । ଉଭୟେ ମନ୍ତ୍ରବିଦ୍ୟାରେ ମହା ଧୁରନ୍ଧର; ସୁତରାଂ ନିର୍ମନ୍ତ୍ର ପୂଜାର ଆଶ୍ରୟ ନେବାକୁ ହେଲା । ମନ୍ତ୍ରହୀନ ପୂଜାହିଁ ପ୍ରକୃତ ପୂଜା, ତହିଁରେ ଆତ୍ମା ସଂତୃପ୍ତ ହୁଏ । ଭକ୍ତିର ଆବେଗ ଆତ୍ମଦାନର ଉତ୍କଣ୍ଠାରୁ ମନ୍ତ୍ରର ଶକ୍ତି ଅଧିକ ନୁହେ । ଦେବତା ଭକ୍ତିରେ ତୁଷ୍ଟ ହୁଅନ୍ତି- ମନ୍ତ୍ରରେ ନୁହେ-। ବାଳକ ଧ୍ରୁବ କି ମନ୍ତ୍ର ବା ଜାଣିଥିଲା ? ସହସ୍ର ଧ୍ୟାନ ମନ୍ତ୍ରରେ ମୁନିଋଷିମାନେ ଯାହାଙ୍କୁ ଲାଭ କରିବାକୁ ଅକ୍ଷମ ଖାଲି ଭକ୍ତିପୁତ ପ୍ରାଣର ଆହ୍ୱାନରେ ଶିଶୁ ଧ୍ରୁବ ସେହି ପ୍ରାଣାରାମଙ୍କୁ ଲାଭ କରିଥିଲା । ଭକ୍ତର ଆତୁର ଆହ୍ୱାନହିଁ ମହାମନ୍ତ୍ର । ପ୍ରକୃତ ପୂଜା ପ୍ରାଣ ଭିତରେ ହୁଏ, ପ୍ରାଣ ଏକା ପୂଜାର ଉପଯୁକ୍ତ ସିଦ୍ଧିମଣ୍ତପ । ମାନସ-ପୂଜା ହୃଦୟରେ ଅମୃତ ମହୋତ୍ସବ ସୃଷ୍ଟି କରେ । ଧୂପ, ଦୀପ, ପୁଷ୍ପ, ଚନ୍ଦନ, ନୈବେଦ୍ୟ ପ୍ରଭୃତି ଦେବୀଙ୍କୁ ସମର୍ପଣ କରାଗଲା ।

 

ତେଣେ ଅନ୍ତ୍ରବ୍ୟଞ୍ଜନ ପ୍ରସ୍ତୁତ । ତାହା ମନ୍ଦିର ମଧ୍ୟକୁ ଅନୀତ ହେଲା । ପୂଜକ ଜୟକୃଷ୍ଣ ବାବୁ ଚଳୁ ଛଡାଇ ଭୋଗ ଦେଲେ । ତହିଁ ପରେ ଆମ୍ଭେମାନେ ଚାରିଜଣ ଉଦରଦେବଙ୍କୁ ପ୍ରସାଦ ଅର୍ପଣ କଲୁଁ । ନାବିକମାନେ ନୌକାରେ ରାନ୍ଧି ଖାଇଲେ । ବ୍ୟଞ୍ଜନର ଆଡମ୍ବର ବା ଉପାଦେୟତା ନ ଥିଲେ ସୁଦ୍ଧା ଭୋଜନରେ ବିଶେଷ ତୃପ୍ତି ବୋଧ ହେଲା । କ୍ଷୁଧାଦେବୀ ପୂର୍ବରୁ ଅଭ୍ୟାଗତ ହୋଇଥିଲେ, ସୁତରାଂ ଭୋଜନର ମାତ୍ରା ଅଧିକ ହେଲା । ନିଜର ଭୋଜନରେ ନିଜକୁ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ପଡିଲା । ଅନ୍ନବ୍ୟଞ୍ଜନରେ କି ଲୋଭନୀୟ ବସ୍ତୁ ମିଶିଥିବା ପରି ବୋଧ ହେଲା । ଅତିରିକ୍ତ ଖାଦ୍ୟ ଉଦରସ୍ଥ କରି ଭାବିଲି, ଏହା ମୁଁ ଖାଇ ନାହିଁ, ମୋର ପରିଶ୍ରମ ଖାଇଅଛି । ଯେଉଁମାନେ ପରିଶ୍ରମ କରନ୍ତି, ସେମାନେ ଖାଦ୍ୟ ଖାଇ ଜୀର୍ଣ୍ଣ କରନ୍ତି । ଆଉ ଯେଉଁମାନେ ଶ୍ରମବିମୁଖ, ଖାଦ୍ୟ ସେମାନଙ୍କୁ ଖାଇ ଜୀର୍ଣ୍ଣ କରେ, ଏହା ସ୍ୱଜଃସିନ୍ଧ । ଖାଇସାରି ଦ୍ୱୀପାନ୍ତିରତ ପଶୁପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ କଲୁଁ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ହାଣ୍ତିଏ ଅନ୍ନ ପାକ ହୋଇଥିଲା । ବହୁଦିନ ଏକାଦଶୀ ପରେ ସେମାନେ ଅନ୍ନବ୍ୟଞ୍ଜନ ଓ ମିଷ୍ଟାନ୍ନ ପାରଣା ପାଇ ଯେଉଁ ପରି ଆନନ୍ଦିତ, ସେହିପରି କଳହମତ୍ତ ହେଲେ । ସେମାନଙ୍କର ସ୍ୱଭାବ ଠିକ୍‌ବାଳକମାନଙ୍କ ପରି । ସବୁବେଳେ ସଦ୍ଭାବ, କେବଳ ଖାଇବା ବେଳେ କଳି । ଖାଦ୍ୟ ଓ ପାନୀୟ ଅଭାବରେ ପ୍ରାଣୀଗୁଡିକ ନିତାନ୍ତ ଶୀର୍ଣ୍ଣକାୟ । କେତେକ ମୃତ ଅବସ୍ଥାରେ ପଡିଥିବାର ଦେଖାଗଲା । ଯେଉଁ ମାନେ ଜୀବିତ ଅଛନ୍ତି, ସେମାନେ ଅର୍ଦ୍ଧମୃତ ବା ଆସନ୍ନମୃକ । କେହି ବା ନିର୍ବାସନକାରୀ ଉଦ୍ଦେଶ୍ୟରେ ନୀରବ ଅଭିଶାପ ବର୍ଷଣ କରି ମହାକାଶରେ ଶେଷ ନିଃଶ୍ୱାସ ମିଶାଉଅଛି । ହାୟ, ନିଜର ଜୀବନ ପାଇଁ ଯେ ନିର୍ବାକ ନିରୀହ ପ୍ରାଣୀଙ୍କର ଜୀବନ ଏପରି ଭୀଷଣ ଭାବରେ ବିପନ୍ନ କରେ, ତାହାର ହୃଦୟ କେଡେ କଠିନ ଅଥବା ତାହା ପିଣ୍ତରେ ହୃଦୟର ଅସ୍ତିତ୍ୱ ନାହିଁ । ତାହାକୁ ବିନା ଅନ୍ନକଳରେ ଏହିପରି ନିର୍ବାସିତ କଲେ ତାହାର ଆତ୍ମା କଅଣ ହେବ, ତାହା କଅଣ ସେ ବୁଝେ ନାହିଁ ? ହା ବିଧାତଃ, ମାନବକୁ କି ଏଥିଲାଗି ଶକ୍ତି, ବଳ, ଜ୍ଞାନ ଦେଇଅଛି । ତୁମ୍ଭ ଦତ୍ତ ଶକ୍ତି, ବଳ ଓ ଜ୍ଞାନର ଯେ ସଦ୍‌ବ୍ୟବହାର ହୁଏ ନାହିଁ, ଏହା କି ତୁମ୍ଭେ ଅଜ୍ଞାତ ? ତୁମ୍ଭ ରାଜ୍ୟରେ ରକ୍ତମାଂସଧାରୀ ନର ଏଭଳି ପୈଶାଚିକ କାର୍ଯ୍ୟ କରିପାରେ ତ ? ଦୁର୍ବଳ ପ୍ରତି ଏହି ଅମାନୁଷୀ ଅତ୍ୟାଚାର ଦେଖି ଏ ସୃଷ୍ଟି ତୁମ୍ଭର ବୋଲି ଯେ ପ୍ରତୀତ ହୁଏ ନାହିଁ, ପ୍ରଭୋ । ନାବିକମାନେ କହନ୍ତି, ‘‘ଏହି ଜୀବଗୁଡ଼ିଙ୍କୁ ଦେବୀଙ୍କ ନିକଟରେ ବଳି ନ ଦେଇ ଦୟାବହି ଛାଡିଦିଆଯାଇଅଛି । ଧନ୍ୟ ସଂସାର ! ଏଠାରେ ନୃଶଂସତା ସୁଦ୍ଧା ଦୟା ନାମରେ ଅଭିହିତ ହୁଏ । ଏହା ଯଦି ଦୟା ତେବେ ଜୀବନ୍ତ ସମାଧି କିଏ ?ଏରୁପ ଭୟଙ୍କର ଦୟା ପ୍ରକାଶ ଅପେକ୍ଷା ସଦ୍ୟ ବଧ କରିବା ବରଂ ଦୟାର କାର୍ଯ୍ୟ । ପବିତ୍ର ତୀର୍ଥସ୍ଥାନରେ ନିରୀହ ପ୍ରାଣୀଗୁଡିକଙ୍କର ତପ୍ତ ନିଃଶ୍ୱାସ କାନ୍ଦି ବୁଲି ସ୍ଥାନର ପବିତ୍ରତା ନଷ୍ଟ କରୁଅଛି । ଏହା କି ଦୟାର କାର୍ଯ୍ୟ ? ଏହିପରି ଦୟା ଦୟାକାରୀ ପ୍ରତି ଅର୍ପିତ ହେଲେ, ସେ ତାହା ଗ୍ରହଣ କରିବାକୁ ସ୍ୱୀକାର ହେବ ତ ? ଏଥିରେ ଦୟାର ନାମ ବିକୃତ ଏବଂ କଳଙ୍କିତ ହେଉଅଛିମାତ୍ର । ପ୍ରକୃତ ଦୟା ପ୍ରତି ଏହା ତୀବ୍ର ବ୍ୟଙ୍ଗଶ୍ଳେଷ ପ୍ରଦର୍ଶିତ ହେଉଅଛି ଏବଂ ଦୟାର ଅସମ୍ମାନ କରାଯାଉଅଛି । ଜଳ ଓ ଖାଦ୍ୟର ବ୍ୟବସ୍ଥା କରି ସେମାନଙ୍କୁ ଛାଡିଥିଲେ ପ୍ରକୃତ ଦୟା ଧର୍ମର କାର୍ଯ୍ୟ ହୋଇଥାଆନ୍ତା । ଦୁର୍ବଳର ସ୍ୱାଧୀନତା ହରଣ ଏବଂ ତାହାର ଜୀବନୀକୁ ଯଦୁଚ୍ଛାଭାବରେ ବ୍ୟବହାର କଦାପି ଦୟା ନୁହେଁ । ଦ୍ୱୀପରେ ଘାସ ଆଦୌ ନାହିଁ । ଆଙ୍କୁଲ, ବରୁଣ, ଯଯାଙ୍ଗ ଓ ହାଡ଼ଭଙ୍ଗାରେ ଦ୍ୱୀପଟି ପୂର୍ଣ୍ଣ । କେବଳ ଆଙ୍ଗୁଲ ବା ଯଯାଙ୍ଗ ପତ୍ର ଖାଇ ଛାଗ ମେଷ କେତେ ଦିନ ବଞ୍ଚିପାରିବେ ? ତାହା ସୁଦ୍ଧା ପର୍ଯ୍ୟାପ୍ତ ନୁହେଁ, କି ସେମାନଙ୍କର ପ୍ରିୟ ଖାଦ୍ୟ ନୁହେଁ । କେବଳ ଲୁଣୀ ପାଣି ପିଇ ସେମାନେ ପରମାୟୁ କ୍ଷୟ କରୁଅଛନ୍ତି । ଆମ୍ଭେମାନେ ମଧୁର ଜଳ ପାନ କରିବାକୁ ଦେଇଥିଲୁ, ସେମାନେ ରଙ୍କନିଧି ପାଇଲା ଭଳି ପରମ ଆଗ୍ରହ ସହ ତାହା ନିଃଶେଷ କରି ପାନ କରିଥିଲେ । ସେମାନଙ୍କ କଷ୍ଟ ମୋଚନ ସକାଶେ ଭଜବାନଙ୍କ ନିକଟରେ ପ୍ରାର୍ଥନା କରି ଗୋଟିଏ ଦୂରବୀକ୍ଷଣ ଧରି ଦ୍ୱୀପ ପର୍ଯ୍ୟଟନରେ ଆମ୍ଭେମାନେ ବହିର୍ଗତ ହେଲୁ । ଅନେକ ସ୍ଥାନରେ ଅସ୍ଥି କୁଢ କୁଢ ହୋଇ ପଡିଥିବାର ଦେଖାଗଲା । ତାହା ଅନଶନ ଅପାନମୃତ ଛାଗ କୁକ୍‌କୁଟକୁଳର ଅସ୍ଥି । ଗୋଟିଏ ଛାରାଶିଶୁ ମୃତକଳ୍ପ ହୋଇ ପଥର ଚାପା ତଳେ ପଡିଥିଲା । ତାହାକୁ ଉଠାଇଦେବା ସକାଶେ ଯିବାରୁ ନାବିକମାନେ ନିଷେଧ କଲେ ଏବଂ କହିଲେ, ‘‘ସେ ମାଆଙ୍କ ଦୂତ, ତାକୁ ଛୁଇଁବା ନିଷେଧ ।’’ କି ଜଘନ୍ୟ ଧାରଣା, ଅନ୍ନଜଳ ତ ନିଷିଦ୍ଧ, ଅଧିକନ୍ତୁ ମାଆଙ୍କୁ ସନ୍ତାନ ପ୍ରତି ଦୟା ସୁଦ୍ଧା ନିଷିଦ୍ଧ । ଏହା କି ମାତୃତ୍ୱର ଅପବାଦ ନୁହେଁ ? ଯାହା ହେଉ ଆମ୍ଭେମାନେ ସେଅ ନିଷେଧ ନ ମାନି ତାହା ଉପରୁ ପଥର ଚାପା ବାହାର କରିଦେଇ ତାକୁ ଉଠାଇଦେଲୁଁ; ଖାଦ୍ୟ ଜଳ ମଧ୍ୟ ଦେଲୁଁ । ସେ ଟିକିଏ ସ୍ୱସ୍ଥ ସବଳ ହେବାକୁ କେତେକ କଞ୍ଚା ପତ୍ର ଏବଂ ହାଣ୍ତିରେ ଜଳ ତାହା ପାଖରେ ରଖି ଅନ୍ୟତ୍ର ଗମନ କଲୁଁ ।

 

ଦ୍ୱୀପଟି ପୂର୍ବପଶ୍ଚିମ ବିସ୍ତୃତ, ନିବିଡ଼ ଅରଣ୍ୟସଙ୍କୁଳ ନୁହେଁ; କ୍ଷୁଦ୍ର କ୍ଷୁଦ୍ର ବୃକ୍ଷଲତାରେ ପୂର୍ଣ୍ଣ-। ପଶ୍ଚିମାଂଶ ଅପେକ୍ଷାକୃତ ପାଦପ-ବହୁଳ । ଏହ ଅଂଶରେ ଅନେକ କୋଚିଳାଖାଇ ପକ୍ଷୀ ବାସ କରନ୍ତି । ସ୍ଥାନେ ସ୍ଥାନେ ପ୍ରକାଣ୍ତ ଖଣ୍ତୋପଳ ତରୁକୁଞ୍ଜ ମଧ୍ୟରେ ଅବସ୍ଥିତ । ଦ୍ୱୀପର ପୃଷ୍ଠଭାଗ ପକ୍ଷି-ବିଷ୍ଠାରେ ଆବୃତ । ସ୍ଥାନେ ସ୍ଥାନେ ଚାଖଣ୍ତେ ବହଳରେ ବସିଅଛି । ବୋଧହୁଏ ଚତୁର୍ଦ୍ଦିଗରୁ ଲକ୍ଷ ଲକ୍ଷ ପକ୍ଷୀ ଆସି ଦ୍ୱୀପରେ ରାତ୍ରିଯାପନ କରନ୍ତି । ଦ୍ୱୀପର ଚାରିପାଖରେ ବାଲୁକା ନାହିଁ, ତାହା ଉପଳ-ଦନ୍ତୁର । ଚିଲିକା ଜଳ ଲାଗି ପ୍ରସ୍ତରଖଣ୍ତମାନ ଲୌହ ପ୍ରାୟ ପାଣ୍ତୁର କୃଷ୍ଣାଭ ଦିଶୁଅଛି । ପକ୍ଷୀ ବିଷ୍ଟା ଗୋଟାଏ ଉତ୍କୃଷ୍ଟ ସାର । କୌଣସି ଉନ୍ନତ ଦେଶରେ ଏଭଳି ଖଣ୍ତିଏ ଦ୍ୱୀପ ଥିଲେ କେବଳ ପକ୍ଷୀ ବିଷ୍ଠାରୁ ଶତ ଶତ ଟଙ୍କା ଆଦାୟ ହୁଅନ୍ତା; ମାତ୍ର ଏଠାରେ କେହି ପଚାରିବାକୁ ନାହିଁ । ବରୁଣ ଛାୟାରେ କୁକ୍‌କୁଟମାନେ ସଭା କବି ବସିଅଛନ୍ତି । କି ନୀରବ ପ୍ରସ୍ତାବର ଆଲୋଚନା ହେଉଅଛି, ତାହା କିଏ କହିବ ? ଯଦି ଉଦ୍ଧାରର ପ୍ରସ୍ତାବ ଲାଗିଥାଏ, ତେବେ ସେ ଆଶା ବୃଥା । ଦ୍ୱୀପ ଭ୍ରମଣ ସମୟରେ ଗୋଟିଏ ଛାରାଶିଶୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ବୁଲୁଥାଏ । ସମ୍ଭବତଃ ସେ ନବନିର୍ବାସିତ ।

 

ଦ୍ୱୀପର ପାଦଦେଶରେ ଆମ୍ଭେମାନେ ବସି ବିଶ୍ରାମ କଲୁଁ । ଚାରିପାଖରେ ଚିଲିକା ଓ ମଧ୍ୟରେ ଆମ୍ଭେମାନେ । ମହାଶକ୍ତି ମଧ୍ୟରେ ନଗଣ୍ୟ କ୍ଷୁଦ୍ର ଶକ୍ତିର ଅବସ୍ଥାନ ଦେଖି ହସ ମାଡିଲା । ନିଜକୁ ଚାହିଁ ଚିଲିକାକୁ ଚାହିଁ ଦେଲି, ମୋର ଯେଉଁ ନିଜସ୍ୱ ରେଣୁକଣାଟିକ ଥିଲା, ତାହା ଚିଲିକାରେ ବୁଡିଗଲା । ମଧ୍ୟାହ୍ନ ସମୟ, ଚିଲିକା ବେଶ ପରିବର୍ତ୍ତନରେ ନିଯୁକ୍ତ । ବର୍ତ୍ତମାନ ତରଙ୍ଗ ନାହିଁ । କେବଳ ଧୀର ପବନରେ ଜଳ ଈଷତ୍‌ଝିମି ଝିମି ହେଉଅଛି, ମାତ୍ର ତାହା ଉପରେ ସୂର୍ଯ୍ୟକିରଣ ପଡି ବିଚିତ୍ର ଶୋଭା ଧାରଣ କରିଅଛି । ଯେମନ୍ତ କି ଚିଲିକାସୁନ୍ଦରୀ ନୀଳକୁନ୍ତଳରେ କିରଣ ରୂପ ସ୍ୱବର୍ଣ୍ଣ ଚଉଁରା ମିଶାଇ ବେଣୀ ବନ୍ଧନରେ ଲାଗିଅଛି । ସନ୍ତରଣଶୀଳ ପକ୍ଷୀଗୁଡିକ ସେହି ବେଶୀରେ ଖୋସା ହୋଇଥିବା ଫୁଲର ଉପମା ଧାରଣ କରିଅଛି । ରୌଦ୍ରର ହାସ୍ୟ ଚିଲିକା ହାସ୍ୟରେ ମିଶି ଅନିର୍ବଚନୀୟ ଜ୍ୟୋତିର ମହୋତ୍ସବ ସୃଷ୍ଟି କରିଅଛି । କି ସୁନ୍ଦର ଝିଲିମିଲି ଜ୍ୟୋତି ! ସେ ଜ୍ୟୋତିରେ ଦର୍ଶକର ବାସନା ଅନ୍ଧକାରପୂର୍ଣ୍ଣ ହୃଦୟ ଆଲୋକିତ ହୋଇଯାଏ । ଦୂରବୀକ୍ଷଣ ସାହାଯ୍ୟରେ ଦେଖିଲି ଉତ୍ତରପୂର୍ବ କୋଣରେ କିଛି ଦିଶୁ ନାହିଁ । ଜଳରେଖା ଦୂର ଚକ୍ରବାଳରେ ମିଶିଯାଇଅଛି । ତାହାହି ଚିଲିକା ଓ ସମୁଦ୍ରର ସଙ୍ଗମସ୍ଥଳ । ସୁତରାଂ ମୁକ୍ତ ଜଳାରଣ୍ୟ । ସଙ୍ଗମସ୍ଥଳରେ ଅବସ୍ଥିତ ‘‘ମାଣିକ୍ୟପଟ୍ଟନ’’ ଗ୍ରାମର ଚିହ୍ନିବର୍ଣ୍ଣ ସୁଦ୍ଧା ସେଠାକୁ ଦିଶିଲା ନାହିଁ ।ଏହି ପଥରେ ପୁରୀକୁ ନୌକା ଯାଏ । ମୁହାଣର ଉଭୟ ପାର୍ଶ୍ୱସ୍ଥ ଅର୍କକୁଦୀ ଓ କଳାମାଟି ଗ୍ରାମଦ୍ୱୟ କୁହୁଡ଼ିବେଷ୍ଟିତ ଅରଣ୍ୟ ପ୍ରାୟ ଦେଖାଗଲା । ପୂର୍ବଦିଗରେ ପାରିକୁଦ । କୃଷ୍ଣପ୍ରସାଦ ଦୁର୍ଗ ଚିଲିକାର ଶିରୋମଣି ପ୍ରାୟ ସ୍ପଷ୍ଟରୂପେ ଦେଖାଗଲା । ତହିଁ ପରେ ଖଟିଆକୁଦୀ, ବଡ଼ଅଳ ଗ୍ରାମ ରସକୁଦୀ, ଖୋଲାମୁହଁ ଇତ୍ୟାଦି ଗ୍ରାମ । ଦକ୍ଷିଣରେ ମାଦୁଲଗଡ଼, ଖତପୁର, ଖୋଲଗାଁ, ଚଢେଇଗୁହା ପର୍ବତ, ଘଣ୍ଟଶିଳା ପର୍ବତ, ରମ୍ମାଗ୍ରାମ, ହରିଡାମୂଳ ପର୍ବତ ଓ ଘାଟୀ, ପଥରନାସୀ ଓ ଆଲପୁରନାସୀ । ପଶ୍ଚିମରେ ଭାଲେରି ପର୍ବତ ଦ୍ୱିକୁବ୍‌ଜବିଶିଷ୍ଟ ଓଟ ପ୍ରାୟ ଦଣ୍ତାୟମାନ । ପର୍ବତ ଉତ୍ତରପାଖ ବାଣପୁର ରାଜ୍ୟର ଓ ଦକ୍ଷିଣପାଖ ଖଲ୍ଲିକୋଟ ରାଜ୍ୟର ଅନ୍ତର୍ଗତ । ଏହି ପର୍ବତର ପ୍ରସିଦ୍ଧ ଛତ୍ରଗଡ଼ ଘାଟୀ ହସ୍ତିପୃଷ୍ଠଲମ୍ବୀ ପାଟଘଣ୍ଟି ଡୋର ପ୍ରାୟ ଦିଶେ । ଏହି ପର୍ବତ ରାଜନୀତିକ ଉତ୍କଳ ଓ ମାନ୍ଦ୍ରାଜର ସୀମାପ୍ତମ୍ଭସ୍ୱରୂପ ।

 

ଏହି ପର୍ବତରେ ‘ନାରାୟଣୀ ଖୋଲ’ ନାମରେ ଗୋଟିଏ ଉପତ୍ୟକା ଅଛି । ସେଠାରେ ନାରାୟଣୀ ଦେବୀଙ୍କର ମୂର୍ତ୍ତ ଓ ଦେଉଳ ଅଛି । ଦେବୀ ଖଲ୍ଲିକୋଟ ରାଜବାଂଶର ପୂଜିତା । ବିଶାଳ ଉପତ୍ୟକା ଅପର୍ଯ୍ୟାପ୍ତ ଧାନୁଅ ଲଙ୍କାମରିର ଅରଣ୍ୟରେ ପୂର୍ଣ୍ଣ । ସେଠାରେ ଅହରାଜ ସର୍ପ ଅଛନ୍ତି । ସମୟ ସମୟରେ ସେଠାରେ ୨୫ ହାତ ଲମ୍ବ ଓ ତଦୁପଯୋଗୀ ମୋଟ ଅହିରାଜ ଦେଖାଯାଏ । ପଶ୍ଚିମରେ ଜଟିଆନାସୀ ପର୍ବତ ଚିଲିକା ମଧ୍ୟରେ କୁମ୍ଭୀରାକୃତିରେ ବିସ୍ତୃତ । ଉତ୍ତରରେ ମାମୁଭଣଜା ପର୍ବତ ଓ ବାଙ୍କିଆପାଲି ପର୍ବତ । ମାମୁଭଣଜା ପର୍ବତ ମଧ୍ୟରେ ଗୋଟିଏ ବଡ଼ ଓ ଅପରଟି ସାନ । ଭଣଜା ମାମୁର ପାଦମୂଳରେ ଅବସ୍ଥିତ । ଜଟିଆ ଓ ମାମୁ ଭଣଜାର ମଧ୍ୟସ୍ଥଳରେ ଚନ୍ଦ୍ରପୁଟୁ, ଛେଡାପଦର, ବର ପଦର, ବଡ଼କୁଳବଙ୍ଗଳା ଓ ବାଲୁଗାଁ ଷ୍ଟେସନ ।

 

ଦ୍ୱୀପଭ୍ରମଣ ଶେଷ କରି କୂଳେ କୂଳେ ଆମ୍ଭେମାନେ ନୌକା ଆଡ଼କୁ ଅଗ୍ରସର ହେଲୁଁ । ହଠାତ୍‌ଗୋଟିଏ ବଡ଼ ମାଛ ଚହଟିଉଠି ଲେଉଟି ପଡିଲା । ତାହାର ଆକୃତ ଚାନ୍ଦିମାଛ ପରି ପ୍ରାୟ ଗୋଲ; ହାତେ ଲମ୍ବର ଗୋଟାଏ କଣ୍ଟକିତ ଲାଞ୍ଜ ଅଛି । ତାହା ସାଙ୍କୁଚଜାତୀୟ ମାଛ । ନାବିକମାନଙ୍କୁ ପଚାରି ବୁଝିଲି, ତାହାର ନାମ ଚିଲିମାଛ । ଏହି ମାଛ ଚିଲିକାରେ ଏତେ ଅଧିକ ଅଛନ୍ତି ଯେ, ସେମାନଙ୍କ ଭୟରେ ଚିଲିକାର ନାବିକମାନେ ସନ୍ତରଣ କରିବାକୁ ସାହସୀ ହୁଅନ୍ତି ନାହିଁ-। ଏତେ ଦିନେ ବୁଝିଲି, ଚିଲି-ନିବାସ ହେତୁ ଚିଲାକା ନାମ ହୋଇଅଛି । ନାବିକମାନେ ସୁଦ୍ଧା ମୋର ଏ ଅନୁମାନ ସମର୍ଥନ କଲେ । ଏଥିପୂର୍ବରୁ ଚିଲିକା ନାମର ସାର୍ଥକତା ସମ୍ବନ୍ଧରେ ଯେଉଁ ଯୁକ୍ତି ଦେଖାଇଅଛି, ତାହା କାଳ୍ପନିକ; କିନ୍ତୁ ଚିଲିମାଛ ଥିବାରୁ ଚିଲିକା, ଏହାହିଁ ପ୍ରକୃତ ଯୁକ୍ତି । ଏହି ମାଛ ଲାଞ୍ଜରେ ବିନ୍ଧିଦେଇ ବିନ୍ଧାସ୍ଥାନ ଅସ୍ୱାଭାବିକ ରୂପରେ ଫୁଲିଯାଏ ଏବଂ ତୀବ୍ର ଯନ୍ତ୍ରଣା ହୁଏ । କ୍ଷତସ୍ଥାନରେ ଚନ୍ଦନ, ଗନ୍ଧକ ଓ କେରୋସିନ ତେଲ ମିଶାଇ ପ୍ରଲେପ ଦେଲେ ଜ୍ୱାଳା ଓ ଫୁଲା ନିବାରିତ ହୁଏ । ଚିଲି, ଶିଙ୍ଗି ଓ ମାଗୁର ପ୍ରଭୃତି ମାଛ ବିନ୍ଧିଲେ ଏହି ଔଷଧ ମନ୍ତ୍ରଶକ୍ତି ତୁଲ୍ୟ ଆଶୁଫଳପ୍ରଦ ହୁଏ ବୋଲି ଭୁକ୍ତଭୋଗୀ ନାବିକମାନେ କହିଲେ । ସମ୍ପ୍ରତି ‘କୁଣ୍ଡଳ ମାଛ’ ଚିଲିକାରୁ ଅପର୍ଯ୍ୟାପ୍ତ ମରୁଅଛନ୍ତି । ଏହାର ଆକୃତି କାଳୀଚାନ୍ଦୀ ବା ମହିଷିଆଚାନ୍ଦୀ ପରି । କାଳ ପଡ଼ିଲେ ଏ ମାଛ ଅଧିକ ମରନ୍ତି । ଗତ ନ’ଅଙ୍କ କାଳରେ ଏହି ମାଛ ଅଧିକ ମରିଥିଲେ ବୋଲି ପ୍ରାଚୀନ ଲୋକମାନେ କହନ୍ତି ।

 

ବୈଶାଖ ମାସ ଅପରାହ୍ନରେ ବୃଷ୍ଟି ବାତ୍ୟାର ଉତ୍ପାତ ସ୍ୱାଭାବିକ । ଏହି ଆଶଙ୍କା କରି ବିଶେଷତଃ ଅନୁକୂଳ ପବନ ଦେଖି ନାବିକମାନେ ନୌକା ଛାଡ଼ିଦେବାକୁ କହିବାରୁ ଆମ୍ଭେମାନେ ନୌକାରୋହଣ ସକାଶେ ଯଥାସ୍ଥାନାଭିମୁଖରେ ଅଗ୍ରସର ହେଲୁ । ପଶୁପକ୍ଷୀ ବାଟୋଇଦେବା ସକାଶେ ପଛେ ପଛେ ଚାଲିଲେ । ପ୍ରଥମ ଦର୍ଶନରେ ସେମାନେ ଭାବିଥିବେ ଯେ, ଆମ୍ଭେମାନେ ସେମାନଙ୍କ ସହ ଚିରକାଳ ଏହି ନିର୍ଜନ ଦ୍ୱୀପରେ ବାସ କରିବୁ, ନଚେତ୍ ସେମାନଙ୍କୁ ଏ ଭୀଷଣ କାରାରୁ ଉଦ୍ଧାର କରିବୁ । ସେମାନଙ୍କର ସେ ଆଶା ପୂର୍ଣ୍ଣ ହେଲା ନାହିଁ । ଆମ୍ଭମାନଙ୍କୁ ନୌକାରୋହଣ କରିବାର ଦେଖି ସେମାନେ ବିଷାଦ କାତର ଦୃଷ୍ଟିରେ ଚାହିଁ ରହିଲେ । ହାୟ, ମାୟାବିନୀ ଆଶା ଆଜୀବନ ନିର୍ବାସିତ ପ୍ରାଣୀଗୁଡ଼ିଙ୍କୁ ଏରୂପ ଭାବରେ ନିର୍ଯ୍ୟାତିତ ଏବଂ ପ୍ରତାରିତ କରି ତୁ କି ଫଳ ପାଉଅଛୁ ? ସେମାନଙ୍କର ପ୍ରାଣ ବ୍ୟାକୁଳ । ଏ ସମୟରେ କି ଉପହାସ ସହ୍ୟ ହୁଏ-? ତୁ ପାପୀୟସୀ, ଅଭିଶପ୍ତା ହେବୁ ।

 

କି ନିର୍ବାକ୍ ବ୍ୟାକୁଳତା ! ଯେପରି କି ସେମାନେ ଆତ୍ମୋଦ୍ଧାର ସକାଶେ କରୁଣା ପ୍ରାର୍ଥନା କରୁଅଛନ୍ତି । ଦର୍ପଣରେ ପ୍ରତିବିମ୍ବ ପ୍ରାୟ ତାଙ୍କ ମ୍ଳାନ ମୁଖ ଓ ଦିନ ନେତ୍ରରେ ତାଙ୍କର ଏହି ମନୋଗତ ଭାବ ଆଭାସି ଉଠିଲା । ସେ ଦୃଶ୍ୟ ବଡ଼ କରୁଣ-ବଡ଼ ମର୍ମନ୍ତୁଦ । ସେମାନଙ୍କ ଶୋକମୂର୍ତ୍ତି ଦେଖି ଦୁଃଖରେ ମର୍ମ-ଗ୍ରନ୍ଥି ଶତଚ୍ଛିନ୍ନ ହୋଇଗଲା, ନେତ୍ରରୁ ଅଶ୍ରୁପାତ ହେଲା । ଅବଶିଷ୍ଟ ଖଇଉଖୁଡ଼ା ସେମାନଙ୍କୁ ଖାଇବାକୁ ଦିଆଗଲା । ଅବଶିଷ୍ଟ ଜଳ ମଧ୍ୟ ହାଣ୍ଡିରେ ରଖି ଆସିଲୁ । ନାବିକମାନେ ନୌକା ଛାଡ଼ିଦେଲେ, ଆମ୍ଭେମାନେ ଦୁଃଖରେ ସେମାନଙ୍କଠାରୁ ତଥା ଦ୍ୱୀପଠାରୁ ବିଦାୟ ଗ୍ରହଣ କଲୁ । ଖଦ୍ୟ ପାଇ କେହି ଖାଇଲେ, କେହି ବା ନ ଖାଇ ଆମ୍ଭମାନଙ୍କୁ ମିନତିପୁର୍ଣ୍ଣ ଦୃଷ୍ଟିରେ ଚାହିଁରହିଲା । ସାମାନ୍ୟ ଖଦ୍ୟରେ କି ହୃଦୟ-ବ୍ୟାକୁଳତାକୁ ଭୁଲାଇ ରଖିହୁଏ-?

 

କାଳୀଜୟୀ ଗଣ୍ଡରେ ବର୍ତ୍ତମାନ ୧୪ ହାତ ପାଣି । ବର୍ଷାକାଳରେ ୨୦ ହାତ ପର୍ଯ୍ୟନ୍ତ ବୃଦ୍ଧି ଲାଭ କରେ । ନୌକା ନିରାପଦରେ ଦୁଇ ମାଇଲ ପଥ ଅତିକ୍ରମ କଲା । ଅକସ୍ମାତ୍ ଗଣ୍ଡ ମଧ୍ୟରେ ସୁପ୍ତ ଝଟିକା ଓ ପ୍ରବଳ ବୃଷ୍ଟି ଜାଗ୍ରତ ହୋଇ କ୍ରମଶଃ ଭୀଷଣତର ହୋଇଉଠିଲା । ଚିଲିକା ସେ କରାଳ ଅଭିନୟରେ ଯୋଗଦେଲା । କି ଭୈରବୀ ରାଗିଣୀ ଗାଇ ତରୀ ଗ୍ରାସ କରିବାକୁ ତୁଙ୍ଗ ତରଙ୍ଗର କରମାଳ ବିସ୍ତାର କଲା । ସେ ରାଗିଣୀ ମଧ୍ୟରେ ପ୍ରାଣର ରାଗିଣୀ ମୂର୍ଚ୍ଛିତ ହୋଇ ପଡ଼ିଲା-। ବିଜୁଳିର ପ୍ରତିବିମ୍ବ ଚିଲିକାର ଆଗ୍ନେୟ ରସନା ପ୍ରାୟ ମୁହୁର୍ମୁହୁ ଲହ ଲହ ହୋଇଉଠିଲା । ଆଶା ଯାଇ ସୁଦୂରରେ ଅବସ୍ଥାନ କଲା । ଆମ୍ଭେମାନେ ହ୍ରଦ-ପ୍ରକୃତିର ବିରାଟ ଭୀଷଣତା ମଧ୍ୟରେ ବସି ନରଜୀବନର କ୍ଷଣଭଙ୍ଗୁରତା ଓ ଅସାରତା ପ୍ରାଣେ ପ୍ରାଣେ ଅନୁଭବ କରିବାକୁ ଲାଗିଲୁ । ଆମ୍ଭେମାନେ କିଂକର୍ତ୍ତବ୍ୟ ବିମୁଢ଼ ହୋଇ ପର୍ଯ୍ୟାକୁଳ ନେତ୍ରରେ ଅନାଇ ରହିଲୁ । ଏ ଆକସ୍ମିକ ଦୈବୀ ସଙ୍କଟରୁ ତ୍ରାହି ଲଭିବାର ଆଶା ସୁଦ୍ଧା ରହିଲା ନାହିଁ; ମାତ୍ର ମୁଁ ଯାହା ଖୋଜୁଥିଲି ତାହା ପାଇଲି । ଅନ୍ତରତମ ପ୍ରଦେଶରୁ ଭୟ ଉଦ୍‌ବେଳିତ ହୋଇଉଠିଲା ପ୍ରାୟ ସମସ୍ତଙ୍କ ମୁଖଭଙ୍ଗୀରୁ ଜଣାଗଲା । ଧୈର୍ଯ୍ୟ ଆବରଣ କରି ରଖିଲେ ସୁଦ୍ଧା ଧୈର୍ଯ୍ୟ ସେ ଭୟରେ ବେଗ ପ୍ରତିହତ କରିପାରିଲା ନାହିଁ । କି ଭୀଷଣ ଦୃଶ୍ୟ ! ସେହି ଭୀଷଣତା ମଧ୍ୟରେ ମୃତ୍ୟୁର ରୂପ ଦିଶି ଆସିଲା । ମୁଁ ଭାବିଲି, ଏତେ ଭୟ, ଏତେ ଉଦ୍‌ବେଗ, ଏତ ବ୍ୟାକୁଳତା ପ୍ରାଣଟିକକ ସକାଶେ ସିନା ! ସେତିକିର ମାୟା ଛଡ଼ାଇଦେଲେ ସବୁ ପରିଷ୍କାର ହୋଇଯିବ । ଚିଲିକା ମହାଶକ୍ତି ଧାରଣ କରି ମୋର କ୍ଷୁଦ୍ର ଶକ୍ତିଟିକକୁ ଯଦି ଲୋଭ କରିବ, ତେବେ ତାହା ତ ଆନନ୍ଦର କଥା । ମହାଶକ୍ତିରେ ମିଶି ରହିବା ଅପେକ୍ଷା ସୌଭାଗ୍ୟର ବିଷୟ ଆଉ କଅଣ ଅଛି ? ତେବେ ଚିଲିକାର ଏତଦ୍ୱାରା ନିନ୍ଦା, ଅପକୀର୍ତ୍ତି ହୋଇପାରେ । ନାବିକମାନେ ତାହାହିଁ ପ୍ରଥମରେ ଗାଇଥିଲେ ।

 

‘‘ତୁ ଯେବେ ନିରାଶ ମାତ କରିବୁ ଏଠାରେ

ନିନ୍ଦା ଅପକୀର୍ତ୍ତି ହେବ ଏ ମାୟା ସଂସାରେ ।’’

 

କିପରି ଚଗଲା ମନ କଅଣ କହୁ କହୁ ଯାଇ କାହିଁ ଉଠିଲାଣି । ପଣ୍ଡିତ ସଭା ପ୍ରାୟ ମନ ସର୍ବଦା ମୂଳ ବିଷୟ ବିସ୍ମୃତ ହୁଏ । ପଣ୍ଡିତ ସଭାରେ ସାମାନ୍ୟ ବର୍ଣ୍ଣାଶୁଦ୍ଧିର ବିଚାର ନ୍ୟାୟ, ଦର୍ଶନ ବା ବେଦାନ୍ତ ଭାଷ୍ୟ ପର୍ଯ୍ୟନ୍ତ ଯାଏ; ତଥାପି ଛିଡ଼େ ନାହିଁ । ସବୁବେଳେ ସୁ-ସୁ ଶବ୍ଦ ଓ ଅନର୍ଗଳ ବୃଷ୍ଟିପାତ । ତରଙ୍ଗାଘାତରେ ପ୍ରତି ମୁହୂର୍ତ୍ତରେ ନାବମଗ୍ନାଶଙ୍କା ଜାତ ହେଲା । ଚିଲିକା କୁଳରୁ କାଳୀଜୟୀ ଗିରିର ଦୂରତା ପ୍ରାୟ ୧୨ ମାଇଲ । ଆମ୍ଭେମାନେ ଦୁଇ ମାଇଲମାତ୍ର ଆସିଅଛୁ । ନିକଟରେ ଆଶ୍ରୟ ନେବାର ସ୍ଥାନ ନାହିଁ । ନାବିକମାନେ ଉପାୟନ୍ତର ନ ଦେଖି କାତ ପୋତି ନୌକା ଖଟାଇ ରଖିଲେ । ସମସ୍ତେ ନୌକା ଭିତରେ ବସି ତିନ୍ତିଲୁ; ପ୍ରବଳ ବୃଷ୍ଟିପାତ ଓ ଲହରୀ ଜଳ ଛିଡ଼ିକାରେ ତିନ୍ତି ସଡ଼ ସଡ଼ ହୋଇଗଲୁ । ନୌକାରେ ଜଳ ଠିଆହୋଇଗଲା । ମୁଁ ବସି ସ୍ତବ ସ୍ତୁତି ପାଠକଲି ଏବଂ ପ୍ରକୃତିର ଭୀଷଣ ତାଣ୍ଡବ ଦେଖିବାକୁ ଲାଗିଲି । ଭୀଷଣତାବିହୀନ ଶୋଭା ମେରୁଦଣ୍ଡଶୂନ୍ୟ । ଦାହିକା ଶକ୍ତି ଥିବାରୁ ସିନା ସୌଦାମିନୀ ଏଡ଼େ ସୁନ୍ଦର ଦିଶେ । ପ୍ରକୃତିର କି ଚଞ୍ଚଳତା ! ଯେମନ୍ତ କି ସମଗ୍ର ଶକ୍ତି ପ୍ରୟୋଗ କରି ସେ କି ଏକ ଦୁଃସାଧ୍ୟ କର୍ମ ସାଧନରେ ନିଯୁକ୍ତ-। ସେହି କର୍ମ ମଧ୍ୟରେ ତାହାର କର୍ମପଟୁ ହସ୍ତର କ୍ଷିପ୍ରତା ପରିସ୍ଫୁଟ । ଶୋଭାରେ ଭୀଷଣତା ନ ଥିଲେ ପ୍ରାଣରେ ଦାଗ ପଡ଼େ ନାହିଁ । ଯେଉଁ ଶୋଭା ପ୍ରାଣରେ ଦାଗ ରଖିବାକୁ ଅସମର୍ଥ, ସେ ଶୋଭା ନୁହେଁ । ଯେ ଯେତିକି ଭୀଷଣ, ସେ ସେତିକି ସୁନ୍ଦର ଓ ମଧୁର । ଯାହାହେଉ ସେହି ଭୀଷଣତା ଆଉ ୨।୩ ମିନିଟ୍ ସ୍ଥାୟୀ ହୋଇ ଥିଲେ ନୌକା ବୁଡ଼ିଯିବା କିଛି ବିଚିତ୍ର ନୁହେଁ । କିଛିକ୍ଷଣ ପରେ ପ୍ରକୃତି ଶାନ୍ତଭାବ ଧାରଣା କଲା । ମେଘ ତୋଫାନ ଛାଡ଼ିଯାଇ ଖରା ହେଲା, ପ୍ରକୃତି ଆନନ୍ଦରେ ହସିଉଠିଲା । ଆମ୍ଭେମାନେ ମଧ୍ୟ ହସିଉଠିଲୁ । ସେ ହାସ୍ୟ ବଡ଼ ମଧୁର । ବିପଦୁଦ୍ଧାର ପରେ ଯେଉଁ ଆନନ୍ଦ ମିଳେ, ତାହାଠାରୁ ବଳି ମଧୁର କିଛି ନାହିଁ । ଝଟିକା ଅନ୍ତର୍ହିତ ହେଲା, ତହିଁ ସଙ୍ଗେ ସଙ୍ଗେ ଚିଲିକା ବକ୍ଷରୁ ଲହରୀ ଅନ୍ତର୍ହିତ ହେଲା । ଏଣେ ଆମ୍ଭମାନଙ୍କ ହୃଦୟ ଚିଲିକାରୁ ଭୀତର ଝଟିକା ଏବଂ ତଜ୍ଜନିତ ଉଦ୍‌ବେଗ ତରଙ୍ଗ ଅଦୃଶ୍ୟ ହୋଇଗଲା । ନାବିକମାନେ ନୌକା ଫିଟାଇ ତୀରାଭି ମୁଖରେ ଚଳାଇଲେ । ଜଣେ ନାବିକ କହିଲା, ‘‘ବାବୁମାନେ ଆସିବାରୁ ଆଜି ଦ୍ୱୀପରେ ବର୍ଷା ହେଲା ।’’ କି ସୌଭାଗ୍ୟ, ବିନା ତପସ୍ୟାରେ ବିନା ସାଧନାରେ ଏକାବେଳକେ ଋଷ୍ୟଶୃଙ୍ଗଙ୍କ ଆସନ ଲାଭ; କିନ୍ତୁ ଆମ୍ଭମାନଙ୍କ ମନ ମାନିଲା ନାହିଁ । ଋଷ୍ୟଶୃଙ୍ଗ ହୋଇ ଝଡ଼ିବୃଷ୍ଟିରୂପ ଆସନ୍ନ ମୃତ୍ୟୁକବଳରେ ପଡ଼ିବାକୁ କିଏ ବା ଇଚ୍ଛା କରିବ ? ଯାହାହେଉ ଚତୁର ଧୀବର ତାହାର ଏହି କଥାର ମୂଲ୍ୟ ଯଥାସମୟରେ ଆଦାୟ କରିନେଇଥିଲା ।

 

ଚିଲିକା ସ୍ୱଭାବ କବି ପରି ଘଣ୍ଟାକ ମଧ୍ୟରେ ଭୈରବ ରାଗିଣୀରେ କେତେ କବିତା ଗାଇଗଲା । ସେ କବିତାଗୁଡ଼ିକ କି ମଧୁର ! କଅଣ କହିଲୁ ? ଖାଲି କଳ କଳ ବଜ ବଜ ଅବୋଧ୍ୟ ଶବ୍ଦ, ତାହା କବିତା ନୁହେଁ । ଅବୋଧ୍ୟ ହେଲେ ତୁ ନ ଶୁଣ୍, ସେ ତ ଆଉ ତୋ ପାଇଁ ଗୀତ ଗାଉ ନାହିଁ କିମ୍ବା ତୋ ମନ, ତୋ କଳ୍ପନା ନେଇ କବିତା ରଚନା କରୁ ନାହିଁ ! ତାହାର ଚିତ୍ତ-ବିନୋଦନ ସକାଶେ ସେ ଗୀତ ଗାଉଅଛି । ତୁ ନ ଶୁଣିଲେ ବା ତୋତେ ଭଲ ନ ଲାଗିଲେ ତାହାର କ୍ଷତି କଅଣ-? ସେ ତ ଆଉ ତୋତେ ଗୁଆ ଦେଇ ଶ୍ରୋତା ହେବାକୁ ଆମନ୍ତ୍ରଣ କରୁ ନାହିଁ । ତେବେ ତୁ ତାକୁ ବାଛିବାକୁ କିଏ ? ତୁ କହୁଛୁ, ସେ ଗୀତର ଅର୍ଥ ନାହିଁ, ଭାବ ନାହିଁ କି ସୌନ୍ଦର୍ଯ୍ୟ ନାହିଁ । ଧନ୍ୟ ରେ ଅର୍ଥ-ଭାବ-ସୌନ୍ଦର୍ଯ୍ୟ-ରସିକ ! ତୁ ମାନବ, ସେ ଗୀତ କଅଣ ବୁଝିବୁ ? ସେ ଅସଙ୍ଗୀତର ସଙ୍ଗୀତ ବୁଝିବାକୁ ତୋର ଯୋଗ୍ୟତା କାହିଁ ? ତୁ ନ ବୁଝିପାରିଲୁ ବୋଲି ତାହା ହେୟ ନୁହେଁ । ମାର୍ଜାରକୁ ଶର୍କରା ନ ରୁଚିଲେ ତାହା ଅମ୍ଳ ହୋଇଯାଏ ନାହିଁ ।

 

ବିପଦ ଉପରେ ବିପଦ । ମୋତେ ସମୁଦ୍ର-ପୀଡ଼ା ଆକ୍ରମଣ କଲା, ସଙ୍ଗୀମାନଙ୍କର କିଛି ହେଲା ନାହିଁ । କେବଳ ମୋ ପ୍ରତି ଚିଲିକାର ଏହି ଅଯାଚିତ କରୁଣା । ମୁଣ୍ଡ ବୁଲାଇଲା, ଉପର୍ଯ୍ୟୁପରି ବାନ୍ତି ଉଠାଇଲା; ମାତ୍ର ବାନ୍ତି ହେଲା ନାହିଁ । ଓଃ ସେ କି ଯନ୍ତ୍ରଣା ! ଉପଯୁକ୍ତ କ୍ଷେତ୍ରରେ ହୃଦୟର ବ୍ୟଥା ବ୍ୟକ୍ତି କରିବାକୁ ଉନ୍ମୁଖ ହୋଇ କହି ନ ପାରିଲେ ଯେପରି ଯନ୍ତ୍ରଣା ହୁଏ, ଏହା ଠିକ୍ ସେହିପରି । ସଙ୍ଗରେ କର୍ପୂର ଥିଲା, କାଗଜିଲେମ୍ବୁ ମଧ୍ୟ ଥିଲା; ମାତ୍ର ତାହା କାହାରି ମନରେ ପଡ଼ିଲା ନାହିଁ । ବିପଦ ବେଳରେ ଜ୍ଞାତ ପ୍ରତିକାର ବିସ୍ମୃତ ହେବା ସୁଦ୍ଧା ସଂସାରର ଗୋଟାଏ ଧାରା । ସଂସାର ତ ମାୟର ଭ୍ରମ, ତାହା ଧାରାଗୁଡ଼ାକ ବା ଅଭ୍ରମ କାହିଁକି ହେବ ? କେହି କେହି ମୁହଁମାଡ଼ି ଶୋଇବାକୁ ଉପଦେଶ ଦେଲେ । ଶିଷ୍ଟ ଚାଟ ଅବଧାନର ଉପଦେଶ ଶିରୋଧାର୍ଯ୍ୟ କଲା ପ୍ରାୟ ମୁ୍ଁ ସେ ଉପଦେଶ ଆଶୁ ପ୍ରତିପାଳନ କଲି; ମାତ୍ର କିଛି ଫଳ ହେଲା ନାହିଁ । କୂଳରେ ପହଞ୍ଚିବା ପର୍ଯ୍ୟନ୍ତ ପୀଡ଼ା ସମଭାବରେ ରହିଲା । ମୁଁ ନୀରବ ହୋଇ ବସି ରହିଲି; ନାବିକ ଓ ସଙ୍ଗୀମାନଙ୍କର କଥାବାର୍ତ୍ତା ନୀରବରେ ଗିଳି ଜୀର୍ଣ୍ଣ କରିବାକୁ ଲାଗିଲି ।

 

ଚିଲିକା ମଧ୍ୟରେ କେତେ ଦ୍ୱୀପ-କେତେ ପର୍ବତ ଅଛି, ତାହା କିଏ କଳିପାରିବ ? ଯେଉଁ ଆଡ଼କୁ ଚାହିଁବ, କେବଳ ଦ୍ୱୀପ ଓ ପର୍ବତ । ନୌକା ଚାଲିଥାଏ, ନୌକାକୁ ନିକଟବର୍ତ୍ତୀ ଦେଖି ହଂସ, ପାଣିକୁଆ, ମାଣ୍ଡିଆଗେଣ୍ଡି ପ୍ରଭୃତି ସନ୍ତରଣରତ ପକ୍ଷୀମାନେ ଉଡ଼ିଯାଇ କିଛି ଦୂରରେ ଜଳରେ ବସିପଡ଼ୁଥାନ୍ତି । ଏହିପରି ନୌକାକୁ ପରିହାସ କରି ଆଗେ ଆଗେ ଚାଲିଥାଆନ୍ତି । ବାମ ଭାଗରେ ମାଳିଦେଇ କୁଦା ଦେଖାଗଲା । ସେଠାରେ ଝଡ଼ିପୋକ ପରି ପକ୍ଷୀ ଉଡ଼ି ବୁଲୁଥିଆନ୍ତି । ଆଲିପୁର ନାସୀ ନିକଟରେ ଚିଲିକା ଗର୍ଭରେ ଗୋଟାଏ ଶୁକ୍ଳ ସ୍ତମ୍ଭ ଦେଖାଗଲା । ତାହାର ନାମ ‘‘ଏକପଥର’’-। ଉକ୍ତ ପଥର ପକ୍ଷୀବିଷ୍ଠାରେ ଶୁକ୍ଳ ହୋଇଯାଇଅଛି । ଏହି ଅଂଶରେ ଚିଲିକା ଗର୍ଭରେ ଅନେକ ଗଣ୍ଡଶୋଳ ଅଛି । କେହି ଉପରକୁ ଦିଶୁଅଛି, କେହି ବା ଜଳ ମଧ୍ୟରେ ମଗ୍ନ । ଏହି ଗଣ୍ଡଶୈଳାକୀର୍ଣ୍ଣ ଅଂଶରେ ନାବିକମାନେ ଅତି ସାବଧାନ ହୋଇ ନୌକା ବାହିନିଅନ୍ତି । ପ୍ରାୟ ଚାରି ଘଟିକା ସମୟରେ ନାବିକମାନେ ‘‘ଓଡ଼ିଆ ଆଲପୁର’’ ନିକଟରେ ନାବ ଖଟାଇ ବିଶ୍ରାମ କଲେ । ଏ ଗ୍ରାମଖଣ୍ଡକ ବାଇଗଣ ଓ ଲଙ୍କାମରିଚ ସକାଶେ ବିଖ୍ୟାତ । ଚିଲିକାର ଏ ଅଂଶ ମତ୍ସ୍ୟବହୁଳ । ଆଣ୍ଠୁଏ ପାଣିରେ ଆମ୍ଭମାନଙ୍କର ନୌକା ଖଟାଯାଇଥିଲା । ଏତେ ଅଳ୍ପ ଜଳରେ ଖୁବ୍ ବଡ଼ ବଡ଼ ମାଛ ବିଚରଣ କରୁଥିବାର ଦେଖାଗଲା । ସେଠାରେ ଅଳ୍ପକ୍ଷଣ ବିଶ୍ରାମ ପରେ ନୌକା ଚାଲିଲା । ସନ୍ଧ୍ୟା ୭ ଘଣ୍ଟା ସମୟରେ ନୌକା କୂଳରେ ଲାଗିଲା । ‘‘ଭାସୁଚି ଅକାତ ଜଳେ କୂଳେ ନେଇ ଲଗା’’ ନାବିକମାନଙ୍କର ଏ ପ୍ରାର୍ଥନା ସଙ୍ଗୀତ ସାର୍ଥକ ହେଲା । ଆମ୍ଭେମାନେ ଯେଉଁ ଠାରୁ ଯାଇଥିଲୁ, ସେହିଠାରେ ଆସି ଉପସ୍ଥିତ ହୋଇ ନୌକାରୁ ଅବତରଣ କଲୁ ।

 

କାଳୀଜୟୀ ଦେଖିଆସିଲି, ବହୁଦିନର ଅବାଧ୍ୟ ଆଶା ଶାନ୍ତ ହେଲା । ମନରେ ସୁଖ ଜାତ ହେଲା । କିଏ କହିଲା ସୁଖ ଜାତ ହେଲା ? ସୁଖ, ସେ ତ ବହୁ ଦୂରରେ ରହିଲାଣି । ବରଂ ଦେଖିବାବେଳେ ସୁଖ ଥିଲା । ଦେଖିସାରିଲା ପରେ ଆଉ ସୁଖ କଅଣ ? ଲୋଭନୀୟ ସ୍ମୃତିର ଯନ୍ତ୍ରଣା । ଆକାଙ୍‌କ୍ଷା ସାଫଲ୍ୟ ଲାଭ କଲାମାତ୍ର; କିନ୍ତୁ ସୁଖ କାହିଁ ? ସାଫଲ୍ୟ କି ସୁଖ ? ସେ ତ ସୁଖକୁ ଶେଷ କରିଦିଏ । ତାହା ଗତିଶୂନ୍ୟ, ନିସ୍ପନ୍ଦ ସେଥିରେ କର୍ମର ପ୍ରେରଣା କାହିଁ, ପ୍ରାଣର ଅନନ୍ତ ବ୍ୟାକୁଳତା କାହିଁ, ହୃଦୟର ଉଚ୍ଚାଟତା ବା କାହିଁ ? ଏହାହିଁ ସିନା ସୁଖ ! ଅତଃ ବିଶ୍ରାମରେ ସୁଖ ନାହିଁ ସୁଖ ଗତିରେ ଅଛି । ଯାଉ ସେକଥା । ଆମ୍ଭେମାନେ ନୌକାରୁ ଓହ୍ଲାଇ ତେନ୍ତୁଳିଆପଡ଼ା ଗ୍ରାମକୁ ଆସିଲୁ । ଗ୍ରାମର ସ୍କୁଲଗୃହରେ ରାତ୍ରି-ବିଶ୍ରାମର ଆୟୋଜନ ଲାଗିଲା । ସଙ୍ଗେ ସଙ୍ଗେ ପ୍ରବଳ ବୃଷ୍ଟି । ବୃଷ୍ଟି ଗୁପ୍ତ ଶତ୍ରୁରୂପେ ସଙ୍ଗେ ସଙ୍ଗେ ଥାଇ ବେଳ କାଳ ଜାଣି ଆକ୍ରମଣ କରୁଥିଲା । ମୋର ଶରୀର ଭଲ ବୋଧନ ହେବାରୁ ମୁଁ ରାତ୍ରିରେ ଉପବାସ ରହିଲି । ଖଲ୍ଲିକୋଟ ରାଜାଙ୍କ ପ୍ରେରିତ ଗାଡ଼ି ପୂର୍ବରୁ ଆସି ଉକ୍ତ ଗ୍ରାମରେ ଆମ୍ଭମାନଙ୍କ ପ୍ରତୀକ୍ଷାରେ ଥିଲା । ପରଦିନ ସକାଳେ ଆମ୍ଭେମାନେ ସେହି ଗାଡ଼ିରେ ବସି ରମ୍ଭା ଆସିଲୁ । ଷ୍ଟେଶନରୁ ଜୟକୃଷ୍ଣ ବାବୁଙ୍କୁ ବିଦାୟ ଦେଇ ମୁଁ ଓ ମୋହର ଅନୁଜ ଡାକଗାଡ଼ିରେ ଉଚ୍ଛାପୁର ଆସିଲୁ ।

 

ରାଜକୀୟ ସାହାଯ୍ୟ ବ୍ୟତୀତ ମୋଭଳି ଦୈନ୍ୟ ଧନୀ ପକ୍ଷରେ କାଳୀଜୟୀ-ଦର୍ଶନ ଏକାନ୍ତ ଅସାଧ୍ୟ । ମୋ ପକ୍ଷରେ ତାହା ଦୂରାକାଙ୍‌କ୍ଷା ବୋଲି ବୋଇଲେ ଅତ୍ୟୁକ୍ତି ହେବ ନାହିଁ । ଦରିଦ୍ରର ଆଶା ହୃଦୟର ଏକ କୋଣରେ ମୂର୍ଚ୍ଛିତ ହୋଇ ପଡ଼ିରହିବାହିଁ ସ୍ୱାଭାବିକ । ଖଲ୍ଲିକୋଟର ହୃଦୟବାନ୍ ଶିକ୍ଷିତ ରାଜା ମହୋଦୟ କାଳୀଜୟୀ-ଦର୍ଶନର ସୁବିଧା କରିଦେଇ ମୋର ମହୋପକାର ସାଧନା କରିଅଛନ୍ତି । ମୁଁ ତାହାଙ୍କ ନିକଟରେ ଚିରକୃତଜ୍ଞତା ଓ ଚିରଋଣୀ ।

 

କାଳୀଜୟୀ ନାମକରଣର କାରଣ ଅନେକଙ୍କୁ ପଚାରିଥିଲି; ମାତ୍ର କାହାରିଠାରୁ ସନ୍ତୋଷଜନକ ଉତ୍ତର ପାଇଲି ନାହିଁ । ପରିଶେଷରେ ପାରିକୁଦର ଗୁଣ-ବିଚକ୍ଷଣ ଯୁବରାଜ (ବର୍ତ୍ତମାନ ରାଜା) ମହୋଦୟଙ୍କୁ ଖଣ୍ଡିଏ ପତ୍ର ଲେଖି କାଳୀଜୟୀ-ବିବରଣ ଜିଜ୍ଞାସୁ ହୋଇଥିଲି । ତାଙ୍କଠାରୁ ଯେଉଁ ଉତ୍ତର ପାଇଥିଲି, ସେଥିରେ ଅନେକ କଥା ନିହିତ ଅଛି । ତହିଁର ମର୍ମ ଏହି-

 

ଦେବୀଙ୍କର ପ୍ରକୃତ ନାମ କାଳୀଜୟୀ; ମାତ୍ର କେହି କେହି କାଳୀଜାୟୀ ମଧ୍ୟ କହନ୍ତି । ଏକଦା କୌଣସି କାରଣରୁ ଖୋର୍ଦ୍ଧା ରାଜା ପାରିକୁଦ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ସୈନ୍ୟ ପ୍ରେରଣ କଲେ । ଖୋର୍ଦ୍ଧାର ସୈନ୍ୟ ଆସି ପାରିକୁଦ କିଲ୍ଲା ସନ୍ନିକଟସ୍ଥ ସାତପଡ଼ା ନାମକ ସ୍ଥାନରେ ଶିବର ସଂସ୍ଥାପନ କଲେ । ପାରିକୁଦ ସାତପଡ଼ା ମଧ୍ୟରେ ଚିଲିକାର ବ୍ୟବଧାନ ଅଛି । ପରଦିନ ପ୍ରତ୍ୟୁଷରେ ଶତ୍ରୁ ସୈନ୍ୟବ୍ୟୁହ ପାରିକୁଦ ବିଜୟ ଆଶାରେ ଅଭିଯାନ କରି ଚିଲିକା କୂଳରେ ଉପସ୍ଥିତ ହୋଇ ଦେଖିଲେ ଯେ, ଦେବୀଙ୍କ ମହିମାରେ ଅସଂଖ୍ୟ ଏରାପକ୍ଷୀ ପାରିକୁଦ କିଲ୍ଲାର ଗୁରୁବାଇ ନାମକ ସ୍ଥାନରେ ଚିଲିକା କୂଳରେ ଠିଆହୋଇଛନ୍ତି । ସେମାନଙ୍କୁ ପାରିକୁଦର ସୈନ୍ୟ ବୋଲି ମନେ କରି ଏବଂ ନିଜ ସୈନ୍ୟ ଅପେକ୍ଷା ସେମାନଙ୍କର ସଂଖ୍ୟାଧିକ୍ୟ ଦେଖି ଖୋର୍ଦ୍ଧାର ସେନାପତି ଭୀତ ହୋଇ ଖୋର୍ଦ୍ଧାଭିମୁଖରେ ପ୍ରତ୍ୟାବର୍ତ୍ତନ କଲେ । ପାରିକୁଦବାସୀମାନେ ଏହି ଘଟଣାକୁ କାଳୀଙ୍କର କୌଶଳ ମନେ କରି ‘‘କାଳୀଜୟୀ ହେଲେ, କାଳୀଜୟୀ ହେଲେ’’ ବୋଲି କହି ଆନନ୍ଦରେ କୋଳାହଳ କରିବାକୁ ଲାଗିଲେ । ସେହିଦିନଠାରୁ ଦେବୀଙ୍କର ନାମ ‘‘କାଳୀଜୟୀ ହେଲା ।

 

ଦୈନିକ ଭୋଗ ଓ ପୂଜା-ନିର୍ବାହ ନିମନ୍ତେ ପାରିକୁଦ ଷ୍ଟେଟରୁ ଦେବୀଙ୍କ ନାମରେ ଧାନଜମି ଖଞ୍ଜା ଅଛି; ମାତ୍ର ଚିଲିକା ମଧ୍ୟସ୍ଥ କାଳୀଜୟୀଙ୍କ ନିକଟକୁ ପ୍ରତିଦିନ ଯିବାର ସୁବିଧା ନ ଥିବାରୁ ବିଶେଷତଃ ବର୍ଷା ତୋଫାନ ସମୟରେ ଚିଲିକା-ବକ୍ଷ ନୌଯାନର ଅଗମ୍ୟ ହେବାରୁ ଦେବୀଙ୍କର ପ୍ରତିନିଧିସ୍ୱରୂପ ଗୋଟିଏ ମୂର୍ତ୍ତି ଚିଲିକା ତଟରେ ସ୍ଥାପନ କରି ସେଠାରେ ପ୍ରତ୍ୟହ ପୂଜା ଓ ଭୋଗର ବ୍ୟବସ୍ଥା କରାହୋଇଅଛି । ଦୁର୍ଗାପୂଜା ସମୟରେ ସମାରୋହରେ ଦେବୀଙ୍କର ପୂଜା ହୁଏ ଏବଂ ବଳି ପଡ଼େ ।

 

କାଳୀଜୟୀ ଚିଲିକାର ଅଧିଷ୍ଠାତ୍ରୀ ଦେବୀ । ଚିଲିକାଚାରୀ ନାବିକମାନେ ତାଙ୍କୁ ଅତିଶୟ ଭକ୍ତି କରନ୍ତି । ସେମାନଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ, ଦେବୀଙ୍କ ନାମ ସ୍ମରଣ କଲେ ଚିଲିକା ମଧ୍ୟରେ କୌଣସି ବିପଦ ଘଟିବାର ସମ୍ଭାବନା ନାହିଁ । ନୌକା-ନିମଗ୍ନ ସମୟରେ ଦେବୀଙ୍କ ନାମ ସ୍ମରଣ କରି ଅନେକଙ୍କୁ ଆସନ୍ନମୃତ୍ୟୁମୁଖରୁ ରକ୍ଷା ପାଇବାର ଦେଖାଯାଇଅଛି । ଦେବୀଙ୍କ ଅପାର କୃପାରୁ କେହି କେହି ଅଗାଧ ଚିଲିକା ସନ୍ତରଣ ଦ୍ୱାରା ପାରହୋଇ ଆସିଅଛନ୍ତି । ଦେବୀଙ୍କ ଉଦ୍ଦେଶ୍ୟରେ ପୂଜା ଓ ବଳି ମାନସ କରି ଅନେକେ ମହା ସଙ୍କଟରୁ ରକ୍ଷା ପାଇଅଛନ୍ତି । ସ୍ୱୟଂ ଯୁବରାଜ ସୁଦ୍ଧା ଏ ବିଷୟରେ ଭୁକ୍ତଭୋଗୀ ।

 

୧୧୨୪ ସାଇରେ ପାରିକୁଦର ଜନୈକ ରାଜା ଜଗନ୍ନାଥରାଜାଙ୍କ ରାଜତ୍ୱ ସମୟରେ ଗୋଟିଏ କ୍ଷୁଦ୍ର ଦେଉଳରେ ଦେବୀଙ୍କର ମୂର୍ତ୍ତି ପ୍ରତିଷ୍ଠା ହୋଇଥିଲା । କାଳର ବିକଟ ଦଂଷ୍ଟ୍ର ଘାତରେ ଉକ୍ତ ଦେଉଳଟି ବିନଷ୍ଟ ହୋଇଯିବାରୁ ବର୍ତ୍ତମାନ ରାଜାସାହେବଙ୍କର ପିତା ସ୍ୱର୍ଗତ ଗୌରଚନ୍ଦ୍ର ମାନସିଂହ ହରିଚନ୍ଦନ ମର୍ଦ୍ଦରାଜ ଭ୍ରମରବର ରାୟ ବାହାଦୂର ୧୮୮୨ ସାଲରେ ଦେବୀଙ୍କର ଦେଉଳ ତୋଳାଇଦେଇଅଛନ୍ତି । ବର୍ତ୍ତମାନ ରାଜା ମହୋଦୟ ଆଗନ୍ତୁକ ଦର୍ଶକମାନଙ୍କ ସକାଶେ ଗୋଟିଏ ବିଶ୍ରାମ-ସୌଧ ନିର୍ମାଣ କରାଉଅଛନ୍ତି ।

 

କାଳୀଜୟୀ ଦ୍ୱୀପର ପରିମାଣ ୨୯ ଏକର ୧୦ ଡେସିମେଲ ମଧ୍ୟରୁ ମନ୍ଦିର ଏକ ଡେସିମେଲ, ପାନ୍ଥାଗାର ୩ ଡେସିମେଲ, ପଡ଼ିଆ ଏକ ଏକର ୬ ଡେସିମେଲ ଏବଂ ପାହାଡ଼ ୨୭ ଏକର ୨୦୦ ଡେସିମେଲ । ଇଂରାଜମାନେ ଓଡ଼ିଶା ଅଧିକାର ଉଦ୍ଦେଶ୍ୟରେ ଏହି ବାଟେ ଯିବା ସମୟରେ ପାରିକୁଦର ତତ୍କାଳୀନ ରାଜା ବାଲୁକେଶ୍ୱର ହରିଚନ୍ଦନ ଭୀତ ହୋଇ କାଳୀଜୟୀ ଦ୍ୱୀପରେ ଆଶ୍ରୟ ଗ୍ରହଣ କରିଥିଲେ । ଏହି ଘଟଣା ୧୮୦୩ ଖ୍ରୀଷ୍ଟାବ୍ଦରେ ଘଟିଥିଲା ।

 

***